ଚିକିଟିରେ ଡେଙ୍ଗୁ ରୋଗ ଗମ୍ଭୀର, ଅନ୍ୟ ଗ୍ରାମକୁ ଡେଇଁଲା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଗ୍ରାମାଞ୍ଚଳରେ ଧୀରେ ଧୀରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ କେବଳ କିଛି ସଚେତନ  ଶିବିର କରି ଚୁପ ହୋଇ ବସିଛି । ଯାହାଫଳରେ ଡେଙ୍ଗୁ ରୋଗ ମହାମାରୀ ରୂପ ନେବାକୁ ଯାଉଛି । ସରକାରୀ ରିପୋର୍ଟ ଅନୁସାରେ ଗୁରୁବାର ସୁଦ୍ଧା ୨୨ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିବା ବେଳେ ବେସରକାରୀ ହିସାବରେ ପାଖପାଖି ୫୦ କୁହା କୁହାଯାଇଛି ।

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ମନୋଜ କୁମାର ସୁମାଣ୍ଡି ସମେତ ଗିରିସୋଲା , ପାଣ୍ଡିରି , ପାତିସୁନାପୁର , ମାଉନ୍ଦପୁରରେ ଡାକ୍ତରୀ ଦଳ ଏହି ଗ୍ରାମଗୁଡିକରେ ପହଞ୍ଚି ଜ୍ୱରରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କର ରକ୍ତ ନମୁନା ସଂଗ୍ର କରିବା ସଙ୍ଗେ ସଙ୍ଗେ ଡେଙ୍ଗୁ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଦିନକୁ ଦିନ ଏହି ସବୁ ଗ୍ରାମଗୁଡିକରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଗ୍ରାମ ଗୁଡିକରେ ଆତଙ୍କ ଖେଳିଯାଇଛି । ଘରପିଛା ଜ୍ବରରେ ଅନେକ ଲୋକ  ଆକ୍ରାନ୍ତ ହେଉଥିବା  ଜଣାପଡ଼ିଛି । ନିକଟରେ ଆନ୍ଧ୍ରର ଇଛାପୁରକୁ ତେଲୁଗୁ ସମ୍ପ୍ରଦାୟ ଚାଲି ଯାଉଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ସବୁ ଗ୍ରାମକୁ ବିଶୋଧନ କରିବାକୁ ସାଧାରଣରେ ଦାବି ହୋଉଛି ।

Comments are closed.