ଓଡ଼ିଶାରେ କ୍ରୀଡ଼ା: ସ୍ଥିତି ଓ ସମ୍ଭାବନା

କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ରାଜ୍ୟରାଜ୍ୟ, ଦେଶଦେଶ ମଧ୍ୟରେ ଏକତା, ଭ୍ରାତୃତ୍ବଭାବ ସୃଷ୍ଟି କରିବା ସହିତ କଳା, ସଂସ୍କୃତି, ପର୍ଯ୍ୟଟନର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ମଧ୍ୟ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାକୁ ଗୁରୁତ୍ବ ଦେଉଥିବାବେଳେ ଖେଳକୁ ନେଇ ଦେଶରେ ସୃଷ୍ଟି ହୋଇଛି ନୂଆ ଉନ୍ମାଦନା। କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟର ଗରିମାମୟ ଗାଥା ବହନ କରୁଥିବା ଓଡ଼ିଶା ଏବେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାସହ ନୂତନ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି। ଜାତୀୟ ​ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ ହୋଇଛି। ଭିତ୍ତିଭୂମି ସୃଷ୍ଟି ସହ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଶ ପାଇଁ ଉଦାହରଣ ପାଲଟିଛି। ଏସୀୟ ଦୌଡ଼କୁଦ, ଚମ୍ପିଆନ୍ସ ଟ୍ରଫି ହକି, ହକି ବିଶ୍ବକପ, ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ, ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ଭଳି ପ୍ରତିଯୋଗିତାକୁ ସଫଳତାର ସହିତ ଓଡ଼ିଶା ପରିଚାଳନା କରି ନିଜର ପାରିବାପଣିଆ ଦେଖାଇଛି। ଏବେ ପ୍ରଥମ ‘ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ ଆୟୋଜନ କରି ଭବିଷ୍ୟତରେ ରାଜ୍ୟଗୋଷ୍ଠୀ, ଏସୀୟ ଓ ଅଲିମ୍ପିକସ ଭଳି ପ୍ରତିଯୋଗିତା ଆୟୋଜନ ପାଇଁ ନିଜକୁ ପ୍ରସ୍ତୁତ କରିଛି।
କିଛି ବର୍ଷ ପୂର୍ବେ ଜାତୀୟ କିମ୍ବା ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସେଭଳି କୌଣସି ଗୁରୁତ୍ବ ନଥିଲା। ୧୯୫୮ ଓ ୧୯୭୦ରେ କଟକରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାକୁ ଭାରତୀୟ କ୍ରୀଡ଼ାରେ ନୂଆ ପରିଚୟ ଦେଇଥିଲା ଏବଂ ରାଜ୍ୟକୁ ଏକ ନୂଆ ଦିଗ ଦେଖାଇଥିଲା। ଐତିହାସିକ ବାରବାଟୀ ଷ୍ଟାଡିୟମ ଥିଲା ରାଜ୍ୟକ୍ରୀଡ଼ା ଏକମାତ୍ର ପ୍ରାଣକେନ୍ଦ୍ର। ୧୯୮୨ରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ଓଡ଼ିଶାକୁ ବିଶ୍ବ କ୍ରୀଡ଼ାରେ ଆଉ ପାଦେ ଆଗକୁ ନେବାରେ ସକ୍ଷମ ହୋଇଥିଲା। ହକି ପାଇଁ ସୁନ୍ଦରଗଡ଼ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଭାରୋତ୍ତୋଳନରେ ବ୍ରହ୍ମପୁର; କୁସ୍ତିରେ ପୁରୀ; ଫୁଟ୍‌ବଲ୍, କ୍ରିକେଟ ଓ କୁସ୍ତିରେ କଟକ; କ୍ରିକେଟରେ ଭୁବନେଶ୍ବର କ୍ରମଶଃ ଆଗକୁ ବଢ଼ିଛନ୍ତି। ଆବଶ୍ୟକ ଭିତ୍ତିଭୂମି ଓ ପ୍ରୋତ୍ସାହନ ନଥାଇ ମଧ୍ୟ ଓଡ଼ିଆ ଖେଳାଳିମାନେ ଅନେକ ବାଧ୍ୟାବିଘ୍ନ ଅତିକ୍ରମ କରି ସଫଳତା ସାଉଣ୍ଟିଛନ୍ତି। ଅନୁରାଧା ବିଶ୍ବାଳ, ରଚିତା ମିସ୍ତ୍ରି ପଣ୍ଡା, ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ମିନତି ମହାପାତ୍ର, ଦେବେନ୍ଦ୍ର ପ୍ରସାଦ ସିଂହ, ଗିରିଧାରିଲାଲ ନାୟକ, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳ, ମାଇକେଲ କିଣ୍ଡୋ, ଦିଲୀପ ତିର୍କୀ, ଇଗ୍ନେସ ତିର୍କୀ, ପିଟର ତିର୍କୀ, ଗ୍ଲୋରିଆ ଡୁଙ୍ଗଡୁଙ୍ଗ,ସୁଭଦ୍ରା ପ୍ରଧାନ, ଜ୍ୟୋତି ସୁନୀତା କୁଲୁ, ରାଜେନ୍ଦ୍ର ପ୍ରସାଦ ସିଂହ, କାଟୁଲ ରବି କୁମାରଙ୍କ ଭଳି ଅନେକ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଗୌରବାନ୍ବିତ କରିବା ସହ ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିଛନ୍ତି। ଏବେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ, ଜଉନା ମୁର୍ମୁ, ପାର୍ବତୀ ସେଠୀ, ଅମୀୟ ମଲ୍ଲିକ, ଋତୁପର୍ଣ୍ଣା ପଣ୍ଡା, ପ୍ରମୋଦ ଭଗତ, ସସ୍ମିତା ମଲ୍ଲିକଙ୍କ ଭଳି ଖେଳାଳି ଓଡ଼ିଶା ପାଇଁ ସୁନାମ ଆଣୁଛନ୍ତି।
୧୯୯୫-୯୬ରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ମହିଳା ଫୁଟବଲ ଟିମ୍‌ ଏବେ ଦେଶର ଅନ୍ୟତମ ଶ୍ରେଷ୍ଠ ଟିମ୍‌ର ମାନ୍ୟତା ପାଇଛି। ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କଠାରୁ ଆରମ୍ଭ କରି ଗୀତାଞ୍ଜଳି ସାମନ୍ତରାୟ, ସରିତା ଜୟନ୍ତୀ ବେହେରା, ସସ୍ମିତା ମଳ୍ଲିକ, ଜବାମଣି ଟୁଡୁଙ୍କ ପର୍ଯ୍ୟନ୍ତ ଏକାଧିକ ଖେଳାଳି ଜାତୀୟ ଦଳରେ ପ୍ରତିନିଧିତ୍ବ କରିଛନ୍ତି। ନୌଚାଳନାରେ ମଧ୍ୟ ଆମେ ପଛରେ ପଡ଼ିନାହଁୁ। ଜଗତପୁର ସାଇ ଜଳକ୍ରୀଡ଼ା କେନ୍ଦ୍ର ଆମ ପାଇଁ ଅଭ୍ୟାସର ନିରନ୍ତର ସୁଯୋଗ ଯୋଗାଇଛି। ପ୍ରତିମା ପୁହାଣ, ସଂଯୁକ୍ତା ଡୁଙ୍ଗଡୁଙ୍କ, ପ୍ରମିଳା ପ୍ରଭା ମିଞ୍ଜଙ୍କ ଭଳି ଖେଳାଳି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।
ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଥିବା ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ସୁନାମ ଅର୍ଜନ କରିଛନ୍ତି। ୨୦୧୩ରେ ହକି ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ସିନ୍ଥେଟିକ୍‌ ହକି ଟର୍ଫ ଓଡ଼ିଶାକୁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ ନେଇ ବାଟ ଫିଟାଇଥିଲା। ୨୦୧୪ ଚମ୍ପିଆନ୍ସ ଟ୍ରଫି, ଭାରତ ଓ ଜାପାନ ହକି ଟେଷ୍ଟ ମ୍ୟାଚ ଓଡ଼ିଶାକୁ ଅନ୍ତର୍ଜାତୀୟ ହକି କ୍ଷେତ୍ରରେ ପରିଚୟ ଦେଇଥିଲା। ୨୦୧୭ରେ ଏଫ୍‌ଆଇଏଚ୍‌ ବିଶ୍ବ ହକି ଲିଗ୍‌ ଫାଇନାଲସ୍‌ ପରେ ୨୦୧୮ରେ ଆୟୋଜିତ ହୋଇଥିଲା ହକି ବିଶ୍ବକପ। ଉକ୍ତ ପ୍ରତିଯୋଗିତାର ସଫଳ ଆୟୋଜନ ଆମକୁ ନୂଅା ପରିଚୟ ଦେଇଥିଲା। ହକି ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ କଟକ ଓ ଭୁବନେଶ୍ବରରେ ଦୁଇଥର ଉଦ୍‌ଘାଟନୀ ଉତ୍ସବ ସହ ସୁନ୍ଦର ଆୟୋଜନ ଆମକୁ ଦେଶର ଶ୍ରେଷ୍ଠ ଆୟୋଜକର ସମ୍ମାନ ଦେଇଥିଲା। ୨୦୧୯ରେ ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌, ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ହକି ଆୟୋଜିତ ହୋଇଥିଲା। ଏବେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ଆୟୋଜିତ ହେଉଥିବାବେଳେ ୨୦୨୩ରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଶ୍ବକପ ହକି ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି ଯାହା ବିଶ୍ବରେ ପ୍ରଥମ।
୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ବିଶ୍ବସ୍ତରୀୟ ଆଥ୍‌ଲେଟିକ୍‌ ଟ୍ରାକ୍‌ରେ ମାତ୍ର ୯୦ ଦିନ ମଧ୍ୟରେ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଆୟୋଜକ ଦକ୍ଷତାର ପରିଚୟ ଦେଇଥିଲା। କଳିଙ୍ଗ ଷ୍ଟାଡିୟମରେ ଟେନିସ ପାଇଁ ଅନ୍ତର୍ଜାତୀୟ କୋର୍ଟ ସହିତ ଆଇଟିଏଫ ଫ୍ୟୁଚର୍ସ ଟେନିସ, କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ୍‌ ଏବଂ କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ବାଳିକା ଏସୀୟ ରଗ୍‌ବୀ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ଗୋଟିଏ ଭିନ୍ନ ଅନୁଭୂତି ଦେଇଛି। ୨୦୧୭ରେ କଳିଙ୍ଗ ଷ୍ଟାଡିୟମ ଫୁଟବଲ ପଡ଼ିଆକୁ ଅନ୍ତର୍ଜାତୀୟସ୍ତରର କରାଯିବା ପରେ ଆଇଏସ୍‌ଏଲ, ସୁପରକପ୍‌, ଆଇ-ଲିଗ୍‌ ଭଳି ଜାତୀୟ ପ୍ରତିଯୋଗିତା ସହ ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍‌ଡ କପ୍‌ ଫୁଟବଲ ଆୟୋଜନ ହୋଇପାରିଛି। ଏ​‌େ​‌ବ ଆଇଏସ୍‌ଏଲ ଭଳି ପ୍ରତିଯୋଗିତା ଆଗେଇ ଚାଲିଛି।
ଆଗକୁ ଆମ ପାଇଁ ମଧ୍ୟ ବଡ଼ ଆହ୍ବାନ ରହିଛି। ଆସନ୍ତା ନଭେମ୍ବରରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ପ୍ରତିଯୋଗିତାର ଭେନ୍ୟୁ ତାଲିକାରେ ଭୁବନେଶ୍ବର ସ୍ଥାନ ପାଇବା ପରେ ଏବେ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି ଏକପ୍ରକ​‌ାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୩ ପୁରୁଷ ହକି ବିଶ୍ବକପ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜନ କରିବା ନେଇ ଘୋଷଣା ହୋଇଥିବାରୁ ସୁନ୍ଦରଗଡ଼ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ବିଛାଯିବା ପାଇଁ ନିଷ୍ପତ୍ତି ହୋଇଛି।
ବିଦ୍ୟାଳୟସ୍ତରରୁ ହକିର ପ୍ରସାର ଲାଗି ସରକାର ଉଦ୍ୟମ କରୁଥିବାବେଳେ ଫୁଟବଲ, ଭାରୋତ୍ତୋଳନ, ଦୌଡ଼କୁଦ, ବ୍ୟାଡମିଣ୍ଟନ, ରଗ୍‌ବୀ,ବନ୍ଧୁକଚାଳନା, ସ୍ପୋର୍ଟ୍ସ ୱାଲ କ୍ଲାଇମ୍ବିଂ ଆଦି କ୍ରୀଡ଼ାରେ ହାଇପରଫର୍‌ମାନ୍ସ ସେଣ୍ଟର ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଓଡ଼ିଶା ସରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହିତ କ୍ରୀଡ଼ା ଭିତ୍ତିଭୂମି ଓ ଦକ୍ଷ ଖେଳାଳି ସୃଷ୍ଟି କରିବା ଉପରେ ଗୁରୁତ୍ବ ଆରୋପ କରୁଛନ୍ତି। ପଦକ ବିଜୟୀ ଖେଳାଳିମାନଙ୍କୁ ନିଯୁକ୍ତିଠାରୁ ଆରମ୍ଭ କରି ଆର୍ଥିକ ପୁରସ୍କାର ଦେବାରେ ମଧ୍ୟ ଓଡ଼ିଶା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୫ ବର୍ଷ ପାଇଁ ପ୍ରାୟୋଜକ ହେବା ସହ ଆଇଏସ୍‌ଏଲ ଦଳ ଓଡ଼ିଶା ଏଫ୍‌ସି ସମେତ ଏଆଇଏଫଏଫ ୧୯ ବର୍ଷରୁ କମ୍‌ ଇଣ୍ଡିଆନ ଆରୋଜ ଓ ୧୬ ବର୍ଷରୁ କମ୍‌ ଜାତୀୟ ଦଳର ପ୍ରାୟୋଜକ ରହିଛନ୍ତି। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ କରି ଓଡ଼ିଶା ଆଉଏକ ଦକ୍ଷତାର ପରାକାଷ୍ଠା ପ୍ରଦର୍ଶନ କରିଛି। ଓଡ଼ିଶାର ବ୍ରହ୍ମପୁର ଓ ସମ୍ବଲପୁରରେ କ୍ରୀଡ଼ା ବିଶ୍ବବିଦ୍ୟାଳୟର ସଂପ୍ରସାରଣ କେନ୍ଦ୍ର ଖୋଲିବା ନେଇ ମଧ୍ୟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଯୋଜନା କରିଛି। ଓଡ଼ିଶା ସରକାରଙ୍କ ସହ ତାଳ ଦେଇ କିଟ୍‌ ଓ କିସ୍‌ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃ​‌ଷ୍ଟି କରିଚାଲିଛି। ଗୋଟିଏ ସହର ମଧ୍ୟରେ ବିଶ୍ବସ୍ତରୀୟ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ଆମ ରାଜ୍ୟକୁ ଆଗକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା , ୟୁଥ୍‌ ଅଲିମ୍ପିକ୍‌ସ, ଏସୀୟ, ଅଲିମ୍ପିକ୍‌ସ ଓ ବିଶ୍ବ ଚମ୍ପିଆନସିପ୍‌ ଭଳି ପ୍ରତିଯୋଗିତା ଆୟୋଜନ ନେଇ ପଥ ଦେଖାଇଛି।
୨୦୨୮ ଅଲିମ୍ପିକ୍‌ସରେ ଭାରତ ପଦକ ତାଲିକାରେ ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟରେ ଟାର୍ଗେଟ ଅଲିମ୍ପିକ୍‌ସ୍‌ ପୋଡ଼ିୟମ (ଟପ୍‌) ଯୋଜନା ମଧ୍ୟ ପ୍ରଣୟନ କରାଯାଉଛି। କେନ୍ଦ୍ର ସରକାର କ୍ରୀଡ଼ାକୁ ପ୍ରତି ରାଜ୍ୟସ୍ତରରୁ ଗୁରୁତ୍ବ ଦେବା ନେଇ ଗୋଟିଏ ରାଜ୍ୟ ଓ ଗୋଟିଏ କ୍ରୀଡ଼ା ନୀତି ଆପଣାଇଛନ୍ତି। ଯାହା ଫଳରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କ ସାମଗ୍ରିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ। ହକିର ପୂର୍ବ ଗୌରବ ଓ ଅଲିମ୍ପିକ୍‌ସରେ ଯେଭଳି ପଦକ ହାସଲ କରିହେବ ସେ ନେଇ ସୁନ୍ଦରଗଡ଼ ସମେତ ଦେଶର ୭ଟି ସ୍ଥାନରେ ସାଇ ହାଇପରଫରମାନ୍ସ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ମଧ୍ୟ ଆଗକୁ ବିଶ୍ବ କ୍ରୀଡ଼ାର ଶକ୍ତିକେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିବା ନେଇ ଉଦ୍ୟମ ଆରମ୍ଭ କରିଛି। ୨୦୨୬ ୟୁଥ୍‌ ଅଲିମ୍ପିକ୍‌ସ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୩୦ ଅଲିମ୍ପିକ୍ସ ପାଇଁ ଭୁବନେଶ୍ବର ସ୍ବପ୍ନ ଦେଖିବା ଆରମ୍ଭ କରିଛି।
ଆମକୁ ବିଶ୍ବ କ୍ରୀଡ଼ାରେ ନିଜର ସ୍ବତନ୍ତ୍ର ପରିଚୟ ପାଇବାକୁ ହେଲେ ଅଲିମ୍ପିକ୍ସ ଓ ବିଶ୍ବ ଚମ୍ପିଆନସିପ୍‌ରେ ପଦକ ହାସଲ କରିବା ଭଳି ଖେଳାଳି ସୃଷ୍ଟି କରିବା ଆବଶ୍ୟକ। ଏହା ଆରମ୍ଭ ମାତ୍ର।

ବେଣୁଧର ଦାସ

ଚାଞ୍ଚପଡ଼ା, କନ୍ଦରପୁର, କଟକ

Comments are closed.