ଜାଡ଼େଜା ୨୧ଶ ଶତାବ୍ଦୀର ସବୁଠାରୁ ମୂଲ୍ୟବାନ ଟେଷ୍ଟ କ୍ରିକେଟର: ୱିଜ୍‍ଡେନ୍‍

ନୂଆଦିଲ୍ଲୀ : କ୍ରିକେଟ୍‍ର ବାଇବେଲ୍‍ ଭାବେ ପରିଚିତ ପତ୍ରିକା ୱିଜ୍‍ଡେନ୍‍ ପକ୍ଷରୁ ଅଲ୍‍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଭାରତର ସବୁଠାରୁ ମୂଲ୍ୟବାନ ଟେଷ୍ଟ କ୍ରିକେଟର ଘୋଷଣା କରାଯାଇଛି। ବାମହାତି ଜାଡ଼େଜାଙ୍କୁ ୱିଜ୍‍ଡେନ୍‍ ୧୦୦ରୁ ସର୍ବାଧିକ ୯୭.୩ ରେଟିଂ ଦେଇଛି। ତେବେ ବିଶ୍ୱର ସବୁଠାରୁ ମୂଲ୍ୟବାନ କ୍ରିକେଟର ଭାବେ ୱିଜ୍‍ଡେନ୍‍ ଶ୍ରୀଲଙ୍କାର ଅବସରପ୍ରାପ୍ତ ଅଫ୍‍ସ୍ପିନର ମୁଥେୟା ମୁରଲୀଧରନ୍‍ଙ୍କୁ ବାଛିଛି। ରେଟିଂ ଅନୁସାରେ ସୌରାଷ୍ଟ୍ରର ରବୀନ୍ଦ୍ର ଜାଡ଼େଜା ବିଶ୍ୱ ମାନ୍ୟତାରେ ୨ୟ ସବୁଠାରୁ ମୂଲ୍ୟବାନ ଟେଷ୍ଟ କ୍ରିକେଟର ଘୋଷିତ ହୋଇଛନ୍ତି।
ୱିଜ୍‍ଡେନ୍‍ଠାରୁ ଏପରି ସମ୍ମାନ ପାଇବା ପରେ ରବୀନ୍ଦ୍ର ଜାଡ଼େଜା କହିଛନ୍ତି, ଦେଶ ପାଇଁ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ସମ୍ମାନ। ତେବେ ୱିଜ୍‍ଡେନ୍‍ ପକ୍ଷରୁ ମୋତେ ଦେଶର ସବୁଠାରୁ ମୂଲ୍ୟବାନ କ୍ରିକେଟର ଘୋଷିତ ହେବା ମୋ ପାଇଁ ଆଶୀର୍ବାଦ ପରି। ଏହି ସମ୍ମାନ ପାଇଁ ମୁଁ ମୋର ସମସ୍ତ ପ୍ରଶଂସକ, ସାଥୀ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ନିଃସର୍ତ୍ତ ଧନ୍ୟବାଦ ଜଣାଉଛି। ୨୦୧୨ରେ ଆନ୍ତର୍ଜାତିକ ପଦାର୍ପଣ କରିବା ପରେ ବାମହାତି ସ୍ପିନର, ଉପଯୋଗୀ ତଳଅର୍ଡର ବ୍ୟାଟ୍‍ସମ୍ୟାନ୍‍ ଓ ଚମତ୍କାର ଫିଲ୍‍ଡର ରବୀନ୍ଦ୍ର ଜାଡ଼େଜା ୪୯ଟି ଟେଷ୍ଟମ୍ୟାଚ୍‍ ଖେଳି ୨୧୩ଟି ୱିକେଟ ନେଇଛନ୍ତି। ଏହାସହ ଜାଡ଼େଜା ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ୧୮୬୯ ରନ୍‍ କରିଛନ୍ତି। ମ୍ୟାଚ୍‍ରେ ସେମାନଙ୍କ ପ୍ରଦର୍ଶନ, ପ୍ରତିପକ୍ଷ, ଦେଶରେ କିମ୍ବା ବିଦେଶରେ ଖେଳୁଛନ୍ତି ଏବଂ ମ୍ୟାଚ୍‍ରେ ତାଙ୍କ ପ୍ରଭାବ ଆଦି ପ୍ରସଙ୍ଗ ଭିତ୍ତିରେ ୱିଜ୍‍ଡେନ୍‍ ଖେଳାଳିଙ୍କୁ ପଏଣ୍ଟ ପ୍ରଦାନ କରିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ଯୋଗୁଁ ଜାଡ଼େଜାଙ୍କୁ ସର୍ବାଧିକ ୯୭.୩ ପଏଣ୍ଟ ମିଳିଛି।

Comments are closed.