୧୮ ବର୍ଷରୁ ଊର୍ଦ୍ଧ୍ବ ଖେଳାଳିଙ୍କୁ କ୍ରୀଡ଼ା ଛାତ୍ରାବାସରୁ ବାଦ୍ ଦେବା ଯୋଜନା ; ଭେଟେରାନ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ଦୃଢ଼ ବିରୋଧ

କଟକ : ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କ୍ରୀଡ଼ା ଛାତ୍ରାବାସରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଢ ବିରୋଧ କରିଛି ଦି ଭେଟେରାନ ଫୁଟବଲ ପ୍ଲେୟାର୍ସ ଆସୋସିଏସନ ଅଫ ଓଡ଼ିଶା।
ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ୧୮ ବର୍ଷରୁ ଉର୍ଦ୍ଧ୍ବ ପିଲାମାନଙ୍କୁ କ୍ରୀଡ଼ା ଛାତ୍ରାବାସରୁ ବାଦ୍ ଦିଆଯିବା ନିଷ୍ପତ୍ତି ଫୁଟବଲ ଖେଳ ସହିତ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗଭୀର ଆଘାତ ଦେଇଛିି। ୧୮ରୁ ୨୫ ବର୍ଷ ମଧ୍ୟରେ ସମୟ ଜଣେ ଫୁଟବଲ ଖେଳାଳିଙ୍କ ଜୀବନର ସର୍ବୋତ୍ତମ ଏବଂ ଗୁରୁତ୍ବପୂର୍ଣ୍ଣ ସମୟ। ଏବେ କ୍ରୀଡ଼ା ବିଭାଗ ନେଇଥିବା ନିଷ୍ପତ୍ତି ଖେଳାଳିଙ୍କ ପ୍ରତିଭା ବିକଶିତ ହେବା ପୂର୍ବରୁ ମଉଳି ପଡ଼ିବ। କ୍ରୀଡ଼ା ବିଭାଗ ନିର୍ଘୋଷିତ ସିଦ୍ଧାନ୍ତର ପୁନଃବିର୍ଚାର କରାଯିବାକୁ ଅନୁରୋଧ କରାଯାଇଛି। ସେହିପରି ମୟୁରଭଞ୍ଜ ଓ କେନ୍ଦ୍ରାପଡା ଜିଲାରେ ମହିଳା କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା, ଅଧିକ ଏଚ୍ପିସି ପ୍ରତିଷ୍ଠା, ଗୋଟିଏ ଏଚ୍ପିସି ୧୮ ବର୍ଷରୁ ଉର୍ଦ୍ଧ୍ବ ନିର୍ମାଣ ସ୍ଥଳେ କଟକ, ସମ୍ବଲପୁର ଏବଂ ବାରିପଦାଠାରେ ୩ଟି ଏଚ୍ପିସି ପ୍ରତିଷ୍ଠା କରାଯିବା, ବନ୍ଦ ହୋଇଥିବା ୪ଟି ବାଳକ ଫୁଟବଲ ଛାତ୍ରାବାସକୁ କ୍ରୀୟାଶୀଳ କରାଯିବାକୁ ଦାବି କରାଯାଇଛି।
ଏ ନେଇ ରାଜ୍ୟର ପୁରାତ୍ତନ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ, କ୍ରୀଡ଼ା ସଚିବ ବିଶାଳ ଦେବ, ୫ଟି ସଚିବ ଆଇଏଏସ୍ ଭି.କେ ପାଣ୍ଡିଆନ, କ୍ରୀଡ଼ା ନିର୍ଦେଶକ ଆର. ଭିନିଲ କ୍ରିଷ୍ଣାଙ୍କୁ ଭେଟେରାନ ଫୁଟବଲ ପ୍ଲେୟାର୍ସ ଆସୋସିଏସନ ପକ୍ଷରୁ ଭକ୍ତବଲ୍ଲଭ ଦାସ, ଅବଦୁଲ ଜୁବେର,ଡା ଅନଙ୍ଗ ଦ୍ବିବେଦୀ, କୃଷ୍ଣଚନ୍ଦ୍ର ବେହେରା, ଗୋପବନ୍ଧୁ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।