ଧୋନି ଭାରତୀୟ ଦଳକୁ ଫେରିବା ଅସମ୍ଭବ : ଭୋଗ୍‌ଲେ

ନୂଆଦିଲ୍ଲୀ : ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳକୁ ଫେରିବା ଅସମ୍ଭବ ବୋଲି ମତ ଦେଇଛନ୍ତି ପ୍ରଖ୍ୟାତ ଭାଷ୍ୟକାର ହର୍ଷ ଭୋଗ୍‌ଲେ। ସୂଚନାଥାଉକି ଇଂଲଣ୍ଡରେ ଗତବର୍ଷ ଖେଳାଯାଇଥିବା କ୍ରିକେଟ୍ ବିଶ୍ବକପ୍‌ ପରଠାରୁ ଧୋନି ଭାରତୀୟ ଦଳ ତରଫରୁ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି। ତେବେ ବିସିସିଆଇ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳରେ ସାମିଲ ହେବାକୁ ଧୋନି ଆଶା ରଖିଥିଲେ।

ଅନ୍ୟପକ୍ଷରେ କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଥିବା ବେଳେ ଏହାର ଆୟୋଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇପିଏଲ୍‌କୁ ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଭାରତ ସରକାରଙ୍କ ତରଫରୁ ୨୧ଦିନିଆ ତାଲାବନ୍ଦୀ ଘୋଷଣା କରାଯାଇଥିବାରୁ ଏପ୍ରିଲ୍‌ ୧୫ ପରେ ଆଇପିଏଲ୍‌ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇପିଏଲ୍‌ ବାତିଲ ହେଲେ ଧୋନି ଭାରତୀୟ ଦଳକୁ ଫେରିବାର ଶେଷ ସୁଯୋଗ ହରାଇବେ ବୋଲି ଭୋଗ୍‌ଲେ ମତ ଦେଇଛନ୍ତି।

ଆଇପିଏଲ୍‌ରେ ଧୋନିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କିଛିଦିନ ତଳେ ମତ ଦେଇଥିଲେ। ତେବେ ଆଇପିଏଲ୍‌ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିବାରୁ ଭାରତୀୟ ଦଳରେ ଧୋନିଙ୍କ ଦିନକାଳ ଶେଷ ହୋଇଯାଇଥିବା କେତେକ ମହଲରୁ ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଧୋନି ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ନିଶ୍ଚିତ ଭାବେ ସାମିଲ ହେବେ ବୋଲି ମତ ଦେଇଛନ୍ତି ତାଙ୍କର ପୂର୍ବତନ ପ୍ରଶିକ୍ଷକ କେଶବ ବାନାର୍ଜୀ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କେଶବ କହିଛନ୍ତି ଯୁବ ୱିକେଟରକ୍ଷକ ଋଷଭ ପନ୍ତଙ୍କୁ ବହୁତ କିଛି ଶିଖିବାର ଅଛି। ସେହିପରି କେଏଲ୍‌ ରାହୁଲଙ୍କୁ ସବୁ ସିରିଜ୍‌ରେ ୱିକେଟ୍‌ରକ୍ଷକ ଭାବେ ଖେଳାଯାଇ ପାରିବ ନାହିଁ। ଏପରି ପରିସ୍ଥିତିରେ ଧୋନିଙ୍କୁ ଭାରତୀୟ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳରେ ସାମିଲ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ସୂଚନାଥାଉକି ଧୋନି ଭାରତୀୟ ଦଳକୁ ଫେରିବା କଷ୍ଟକର ବୋଲି କିଛିଦିନ ପୂର୍ବେ ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ବାଗ ମତ ଦେଇଥିଲେ।

Comments are closed.