ଇଣ୍ଡିଜ୍‌ ବିପକ୍ଷ ଟି୨୦ ଶୃଙ୍ଖଳା ଜିତିଲା ନ୍ୟୁଜିଲାଣ୍ଡ

କିଙ୍ଗଷ୍ଟନ: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାରକରି ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଜିତିନେଇଛି। ଶୁକ୍ରବାର ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ୯୦ ରନ୍‌ର ବିପୁଳ ବ୍ୟବଧାନରେ ଜିତି ନ୍ୟୁଜିଲାଣ୍ଡ ୨-୦ରେ ଆଗୁଆ ରହିଛି। ଫଳରେ ୩ ମ୍ୟାଚ୍‌ର ଟି୨୦ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ହାତେଇ ନେଇଛି। ସୋମବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଗ୍ଲେନ୍‌ ଫିଲିପ୍‌ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ୫ ୱିକେଟରେ ବିଶାଳ ୨୧୫ ରନ୍‌ କରିଥିଲା। ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୱେଷ୍ଟଇଣ୍ଡିଜ୍‌ ୯ ୱିକେଟରେ ମାତ୍ର ୧୨୫ ରନ୍‌ କରି ପାରିଥିଲା।

ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନେବା ପରେ ଓପ୍‌ନର ମାର୍ଟିନ ଗପ୍‌ଟିଲ ୨୦ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ କେନ୍‌ ୱିଲିୟମ୍‌ସନ ୪ ରନ୍‌ କରି ପାରିଥିଲେ। ୩ୟ ୱିକେଟ ପାଇଁ ଓପ୍‌ନର ଡେଭନ୍‌ କନ୍‌ୱେ ଓ ଗ୍ଲେନ୍‌ ଫିଲିପ୍‌ସ ୭୧ ରନ୍‌ ଯୋଡ଼ିଥିଲେ। ବାମହାତି କନ୍‌ୱେ ୩୪ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୨ ରନ୍‌ କରିଥିଲେ। ୧୩ ଓଭରରେ ନ୍ୟୁଜିଲାଣ୍ଡ ୧୧୯ ରନ୍‌ କରିଥିବା ବେଳେ ଶେଷ ୭ ଓଭରରୁ ଏହା ୯୬ ରନ୍‌ ନେଇଥିଲା। ଏହା ସମ୍ଭବ ହୋଇଥିବା ଫିଲ୍‌ପ୍‌ସ ଓ ଡ୍ୟାରିଲ୍ ମିଚେଲଙ୍କ ପ୍ରହାର ଯୋଗୁଁ ନ୍ୟୁଜିଲାଣ୍ଡ ୧୧୫ ରନ୍‌​‌େ​‌ର ପହଞ୍ଚି ପାରିଥିଲେ। ମିଚେଲ ମାତ୍ର ୨୦ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୮ ରନ୍‌ କରିଥିଲେ।

ଗ୍ଲେନ୍‌ ଫିଲିପ୍‌ସ ୪୧ ବଲ୍‌ରୁ ୬ଟି ଛକା ଓ ୪ଟି ଚୌକା ସହ ୭୬ ରନ୍‌ କରିଥିଲେ। ଓବେଡ୍‌ ମ୍ୟାକ୍‌କୟ ୩ଟି ୱିକେଟ ନେଇଥିଲେ। ୨୧୬ ରନ୍‌ ଲକ୍ଷ୍ୟ​‌େ​‌ର ୱେଷ୍ଟଇଣ୍ଡିଜ୍‌ ୪୦ ରନ୍‌ରେ ୬ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ୱେଷ୍ଟଇଣ୍ଡିଜ୍‌ ଏପରି ଦୟନୀୟ ବ୍ୟାଟିଂ କରିଥିଲା ଯେ ଏହାର ୧୧ନଂ ବ୍ୟାଟ୍‌ସମ୍ୟାନ୍ ଓବେଡ୍‌ ମ୍ୟାକ୍‌କୟ ସର୍ବାଧିକ ୨୩ ରନ୍‌ କରିଥିଲେ। ରୋଭ୍‌ମ୍ୟାନ ପୱେଲ ୨୧ ଓ ରୋମାରିଓ ସେଫର୍ଡ ୧୮ ରନ୍‌ କରିଥିଲେ। ମାଇକେଲ ବ୍ରେସ୍‌ୱେଲ ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ ୱିକେଟ ନେଇଥିଲେ। ଗ୍ଲେନ୍‌ ଫିଲିପ୍‌ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.