ଇଣ୍ଡିଜ୍‌ ବିପକ୍ଷ ଟି୨୦ ଶୃଙ୍ଖଳା ଜିତିଲା ଭାରତ

ଲୌଡରହିଲ୍‌: ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ମଧ୍ୟ ଭାରତ ଜିତିନେଇଛି । ଶନିବାର ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୫୯ ରନ୍‌ରେ ଭାରତ ପରାସ୍ତ କରିଛି। ଫଳରେ ୩-୧ ମ୍ୟାଚ୍‌ରେ ଆଗୁଆ ରହି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ଜିତିନେଇଛି। ଋଷଭ ପନ୍ତ୍ ଓ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟରେ ୧୯୧ ରନ୍‌ କରିଥିଲା। ପରେ ୱେଷ୍ଟଇଣ୍ଡିଜ୍‌ ୫ଟି ବଲ୍‌ ବାକିଥାଇ ୧୩୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ରବିବାର ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।

୧୯୨ ରନ୍‌ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ସଟ୍‌ ଖେଳିଥିଲେ ହେଁ ବଡ଼ ଇନିଂସ ଖେଳି ପାରିନଥିଲେ। ବ୍ରାଣ୍ଡନ୍‌ କିଙ୍ଗ୍‌ ୮ ବଲ୍‌ରୁ ୧୩ ଓ କାଏଲ୍‌ ମେୟର୍ସ ୧୬ ବଲ୍‌ରୁ ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ନିକୋଲାସ୍‌ ପୁରନ୍‌ ୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ବିସ୍ଫୋରକ ୨୪ ରନ୍‌ କରିଥିଲେ। ରୋଭ୍‌ମ୍ୟାନ ପୱେଲ ୧୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ଜେସନ୍ ହୋଲ୍‌ଡର ୯ ବଲ୍‌ରୁ ୧୩ ରନ୍‌କରି ଆଉଟ୍‌ ହେବା ସହ ୱେଷ୍ଟଇଣ୍ଡିଜ୍‌ର ବିଜୟ ଆଶା ମଉଳି ଯାଇଥିଲା। ସିମ୍ରନ୍ ହେତ୍‌ମେୟର ୧୯ ରନ୍‌ କରିଥିଲେ। ଅର୍ଶଦୀପ ସିଂହ ୩ଟି ଏବଂ ରବି ବିଷ୍ଣୋଇ, ଅକ୍ଷର ପଟେଲ ଓ ଆଭେସ୍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଆଭେସ୍ ଖାଁ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ଫିଲ୍‌ଡିଂ ନେବା ପରେ ଦୁଇ ଭାରତୀୟ ଓପ୍‌ନର ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଢଙ୍ଗ​‌ରେ ଇନିଂସ ଆରମ୍ଭ କରିଥିଲେ । ୫ମ ଓଭରରେ ସ୍କୋର୍ ୫୩ ରନ୍‌ ଥିବା ବେଳେ ରୋହିତ ୧୬ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୩ ରନ୍‌କରି ଆଉଟ୍‌ ହୋଇଥିଲେ। ଓପ୍‌ନର ଦାୟିତ୍ବକୁ ଉପଭୋଗ କରୁଥିବା ସୂର୍ଯ୍ୟକୁମାର ୧୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ଦୀପକ ହୁଡା ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ଋଷଭ ପନ୍ତ୍ ଆକ୍ରମଣ କରି ୩୧ ବଲ୍‌ରୁ ୬ଟି ଚୌକା ସହ ୪୪ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୦ ଏବଂ ଅକ୍ଷର ପଟେଲ ୮ଟି ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। ଓବେଡ୍‌ ମ୍ୟାକ୍‌କୟ ଓ ଆଲ୍‌ଜାରି ଜୋସେଫ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.