ଜିଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ

୨୦ଟି ସ୍ଥାନରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଭାଗ ନେଇଛନ୍ତି ୫୭୯୪ ପ୍ରତିଯୋଗୀ

ଭୁବନେଶ୍ୱର: ଜିଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି। ୨୦ଟି ସ୍ଥାନରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ଚଳିତ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଚୟନ ପ୍ରକ୍ରିୟାରେ ମୋଟ ୫୭୯୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଆଥଲେଟିକ୍ସ, ଫୁଟବଲ, ଭଲିବଲ, ଖୋ-ଖୋ, ସନ୍ତରଣ, ଭାରୋତ୍ତୋଳନ ଏବଂ କବାଡି ଆଦି କ୍ରୀଡ଼ା ଶୃଙ୍ଖଳ ଲାଗି ଜିଲାସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁବେଳେ ବାସ୍କେଟବଲ, ହକି, ଜୁଡୋ, ଜିମନାଷ୍ଟିକ, କୁସ୍ତି ଏବଂ ତୀରନ୍ଦାଜ ଆଦି ଶୃଙ୍ଖଳରେ ଜିଲା ତଥା ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି । ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକ୍ସ ଓ ଭଲିବଲ ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ଏହି ଦୁଇ କ୍ରୀଡ଼ା ଶୃଙ୍ଖଳ ସହ କବାଡି ଓ ଫୁଟବଲ ଲାଗି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ଦିନରେ ଜିଲାସ୍ତରରୁ କୃତୀ ପ୍ରତିଯୋଗୀମାନଙ୍କୁ ନେଇ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.