ମାଲକାନଗିରି ୫-ଟି ସ୍କୁଲ ପରିଦର୍ଶନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଦୁଇ ଦିନିଆ ମାଲକାନଗିରି ଜିଲା ଗସ୍ତରେ ଯାଇଥିବା ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  ତୁଷାରକାନ୍ତି ବେହେରା ମାଲକାନଗିରି ଜିଲାର ଦୁଇଟି ୫-ଟି ସ୍କୁଲ ପରିଦର୍ଶନ ସହ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ଦୁଇଟି 5-ଟି ସ୍କୁଲ ବୁଲି ଦେଖିବା ସହ ଏହାର ସୁନ୍ଦର ପରିବେଶ ଏବଂ ଉନ୍ନତ ଶୈକ୍ଷିକ ବାତାବରଣକୁ ବେଶ ପ୍ରଶଂସା କରିଥିଲେ।ମାଲକାନଗିରି ଅଞ୍ଚଳର ପିଲାମାନଙ୍କୁ ମାଗଣାରେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ଏହି ୫-ଟି ସ୍କୁଲ ନିର୍ମାଣ ଫଳରେ ସଫଳ ହୋଇପାରିବ ବୋଲି କହିଥିଲେ।
ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ଭରଚୁଆଲ ଯୋଗେ ଉଦଘାଟିତ ହୋଇଥିବା ବହୁମୁଖୀ ଇନଡୋର ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ। ଆଗାମୀ ଦିନରେ ଉନ୍ନତ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ସୁଦୃଢ କ୍ରୀଡ଼ା ଭିତ୍ତିଭୂମି ଓ ସାମଗ୍ରିକ ବିକାଶ ସହ ମାଲକାନଗିରି ଜିଲ୍ଲା ପ୍ରଗତି ଶୀର୍ଷରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ।

Comments are closed.