ରାଜ୍ୟର ସମ୍ମାନ ରକ୍ଷା ପାଇଁ ଆମକୁ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳାହାଣ୍ଡି ଜିଲା କ୍ରୀଡ଼ା ଛାତ୍ରାବାସ ପରିଦର୍ଶନରେ ଯିବା ସହ କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା ଆଜି ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ବୁଲି ଦେଖିବା ସହ ଏଠାକାର ସ୍ଥିତି ବିଷୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ବେହେରା ବୁଲି ଦେଖିବା ସହ ଏହାର ତୁରନ୍ତ ପରିସମାପ୍ତି ନେଇ କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

 

ପରିଶେଷରେ ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରାବାସର ଅନ୍ତେବାସୀଙ୍କୁ ଭେଟିବା ସହ ସେଠାକାର ସୁବିଧା, ଅସୁବିଧା, ଖାଦ୍ୟପେୟ, ତାଲିମ, କ୍ରୀଡ଼ା ସରଞ୍ଜାମ ଏବଂ କ୍ରୀଡ଼ା ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଯୋଗୁଁ ଆଜି ଆମ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ତଥା ରାଜ୍ୟର ସମ୍ମାନ ରକ୍ଷା ପାଇଁ ଆମକୁ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅନ୍ତେବାସୀମାନଙ୍କୁ କହିଥିଲେ। ଅନ୍ତେବାସୀମାନେ ମଧ୍ୟ କ୍ରୀଡ଼ା ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍‌ ଖୁସି ବ୍ୟକ୍ତ କରିବା ସହ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

Comments are closed.