ମାନସିକ ସୁସ୍ଥତା ଲାଗି ମଧ୍ୟ ବ୍ୟାୟାମର ଆବଶ୍ୟକତା ରହିଛି: ମନ୍ତ୍ରୀ ତୁଷାରକାନ୍ତି ବେହେରା

‘ଫିଟ୍‌ନେସ୍‌ ପ୍ରୋଟୋକଲ ଓଡ଼ିଆ ପୁସ୍ତକ ଲୋକାର୍ପିତ’

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଓଡ଼ିଆ ଭାଷାରେ ବିଭିନ୍ନ ବୟସ ପାଇଁ ଫିଟ୍‌ନେସ୍‌ ପ୍ରୋଟୋକଲ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରସ୍ତୁତ ୫ ବର୍ଷରୁ ୧୮ ବର୍ଷ, ୧୮ ବର୍ଷରୁ ୬୫ ବର୍ଷ ଏବଂ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସବର୍ଗ ପାଇଁ ମୋଟ ତିନୋଟି ଫିଟ୍‌ନେସ୍‌ ପ୍ରୋଟୋକଲ୍‌ ପୁସ୍ତକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ସ୍ୱାସ୍ଥ୍ୟ ହିଁ ସଂପଦ, ଆମ ସମୟରେ ବିଦ୍ୟାଳୟମାନଙ୍କର କ୍ରୀଡ଼ା ପାଇଁ ଗୋଟିଏ କିମ୍ବା ଦୁଇଟି ପିରିୟଡ୍‌ ରହୁଥିଲା। ଏହା ପିଲାମାନଙ୍କର ଉଭୟ ଶାରୀରିକ ଶକ୍ତି ବୃଦ୍ଧି ସହିତ ମାନସିକ ଶାନ୍ତି ପ୍ରଦାନ କରୁଥିଲା। ସେହିଭଳି ବୟସ୍କମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଲାଗି ମଧ୍ୟ ବ୍ୟାୟାମର ଆବଶ୍ୟକତା ରହିଛି। ବ୍ୟାଡ୍‌ମିଣ୍ଟନ, ଟେବୁଲ୍‌ ଟେନିସ୍‌, ସୁଇମିଂ କିମ୍ବା ଜିମ୍‌ ଆଦିରେ ବ୍ୟାୟାମ କରିବା ସବୁବେଳେ ସମ୍ଭବ ହେଉ ନଥିବାବେଳେ ଶାରୀରିକ ସୁସ୍ଥତା ଏବଂ ନିରୋଗ ରହିବା ପାଇଁ ନିୟମିତ ଅତିକମରେ ୩୦ ମିନିଟ୍‌ ବ୍ୟାୟାମ କିମ୍ବା ଶାରୀରିକ କାର୍ଯ୍ୟ କରିବା ଜରୁରୀ। ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଗବେଷକମାନେ ମଧ୍ୟ ବ୍ୟାୟାମ ଉପରେ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।
ଗତବର୍ଷ ଅଗଷ୍ଟ ମାସରେ ଦେଶବ୍ୟାପି ଆରମ୍ଭ ହୋଇଥିବା ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଆମକୁ ନିୟମିତ କ୍ରୀଡ଼ା କିମ୍ବା ଅନ୍ୟ ଯେକୌଣସି ପ୍ରକାର ବ୍ୟାୟାମ ଦ୍ୱାରା ସୁସ୍ଥ ରହିବା ପାଇଁ ଉତ୍ସାହିତ କରିଆସୁଛି। ଏହି ପୁସ୍ତକ ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀ ବେହେରା ନିଜର ଖୁସି ପ୍ରକଟ କରିବା ସହ ବର୍ତ୍ତମାନର କୋଭିଡ୍‌ ମହାମାରୀ ସମୟରେ ପୁସ୍ତକରେ ଦିଆଯାଇଥିବା ମାର୍ଗଦର୍ଶିକାର ଅନୁସରଣ କ୍ରମେ ସମସ୍ତେ ସୁସ୍ଥ ଜୀବନଶୈଳୀ ଆପଣେଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।
ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ନିର୍ଦ୍ଦେଶକ ଆର୍‌. ଭିନିଲ୍‌ କ୍ରୀଷ୍ଣା, ସାଇ ପୂର୍ବାଞ୍ଚଳ, କୋଲକାତାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଭିନିତ୍‌ କୁମାର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ।

Comments are closed.