କ୍ରୀଡ଼ା ବଜେଟ ୨୨୧୬.୯୨ କୋଟି

0

ନୂଆଦିଲ୍ଲୀ  : ଶୁକ୍ରବାର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ସଂସଦରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥରେ କ୍ରୀଡା ପାଇଁ ୨୨୧୬.୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତବର୍ଷ ତୁଳନାରେ ଏହା ୨୧୪.୨୦ କୋଟି ଅଧିକ ବୋଲି ଜଣାପଡିଛି। ଚଳିତ କ୍ରୀଡା ବଜେଟରେ ସ୍ପୋର୍ଟସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ), ନ୍ୟାସନାଲ ସ୍ପୋର୍ଟସ ଡେଭେଲପମେଣ୍ଟ ଫଣ୍ଡ୍‌ (ଏନଏସଡିଏଫ୍‌)କୁ ଅଗ୍ରାଧିକାର ଦିଆଯାଇଛି। ସାଇ ପାଇଁ ଉଦ୍ଦିଷ୍ଟ ବଜେଟରେ ୫୫ କୋଟି ଟଙ୍କାର ବୃଦ୍ଧି କରାଯାଇଛି। ଫଳରେ ଏବର୍ଷ ସାଇକୁ ମୋଟ ୪୫୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରେ ବିଭିନ୍ନ କ୍ରୀଡାର ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବାବେଳେ କ୍ରୀଡାବିତ୍‌ଙ୍କୁ କ୍ରୀଡା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ କିଣିବାକୁ ସୁଯୋଗ ପ୍ରଦାନ କରାଯାଇଥାଏ। ଏନଏସଡିଏଫ୍‌ ପାଇଁ ଅନୁଦାନ ରାଶି ୨ କୋଟିରୁ ୭୦ କୋଟିକୁ ବୃଦ୍ଧି କରାଯାଇଛି। ତେବେ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ (ଏନଏସଏଫ୍‌) ପାଇଁ ଆର୍ଥିକ ଅନୁଦାନକୁ ହ୍ରାସ କରାଯାଇଛି। ପୂର୍ବବର୍ଷ ଏନଏସଏଫ୍‌କୁ ୨୪୫.୧୩ କୋଟି ମିଳିଥିବାବେଳେ ଚଳିତ ବଜେଟରେ ଏହା ୨୪୫ କୋଟିକୁ ହ୍ରାସ ପାଇଛି। ଅପରପକ୍ଷରେ କ୍ରୀଡାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶିକୁ ୬୩ରୁ ୮୯ କୋଟିକୁ ବୃଦ୍ଧି କରାଯାଇଛି। କ୍ରୀଡାବିତ୍‌ଙ୍କ ପାଇଁ ପୁରସ୍କାର ରାଶି ଗତବର୍ଷ ୩୧୬.୯୩ କୋଟି ଥିବାବେଳେ ଚଳିତ ବଜେଟରେ ଏହା ୪୧୧ କୋଟିକୁ ବୃଦ୍ଧି କରାଯାଇଛି। ଦେଶରେ କ୍ରୀଡାର ବିକାଶ ପାଇଁ ପ୍ରଚଳିତ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ଅନୁଦାନ ୬୦୧ କୋଟିକୁ (ପୂର୍ବବର୍ଷ ତୁଳନାରେ ୫୦.୩୧ କୋଟି ଅଧିକ) ବୃଦ୍ଧି କରାଯାଇଛି।

Leave A Reply