ମଲ୍ଲଯୋଦ୍ଧାଙ୍କୁ ହତ୍ୟା, ସୁଶୀଲଙ୍କୁ ଖୋଜୁଛି ପୁଲିସ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଦିଲ୍ଲୀର ଛତ୍ରସାଳ ଷ୍ଟାଡିୟମ୍‌ରେ ୨୩ ବର୍ଷ ବୟସ୍କ ଯୁବ ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କୁ ହତ୍ୟା କରା ଯାଇଥିଲା। କିଛି ମଲ୍ଲଯୋଦ୍ଧା ମିଳିମିଶି ତାଙ୍କୁ ହତ୍ୟା କରିଥିଲେ। ଏହା ପରଠାରୁ ହତ୍ୟାକାରୀ ଏବଂ ଏହି ହତ୍ୟାକାଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ଖୋଜିବାରେ ଲାଗିଛି। ଏହି ମାମଲାରେ ରବିବାର ୨ ଜଣ ମଲ୍ଲଯୋଦ୍ଧାଙ୍କୁ ପୁଲିସ ପଚରା ଉଚୁରା କରୁଥିବା ବେଳେ ଆଉ ୨ ଜଣଙ୍କୁ ଚିହ୍ନଟ କରିପାରିଛି। ତେବେ ଏହି ମାମଲାରେ ଅଭିଯୁକ୍ତ ମଲ୍ଲଯୋଦ୍ଧା ତଥା ଅଲିମ୍ପିକ୍‌ସରେ ଭାରତ ପାଇଁ ୨ଟି ପଦକ ଜିତିଥିବା ସୁଶୀଲ କୁମାରଙ୍କୁ ପୁଲିସ ଖୋଜୁଛି। ଚଳିତମାସ ୪ରୁ ସୁଶୀଲଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ରାଜ୍ୟରେ ଓ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ହେଲେ ସୁଶୀଲଙ୍କୁ ଧରିବାରେ ପୁଲିସ ସଫଳ ହୋଇ ପାରିନାହିଁ।

ପୁଲିସ୍ ଯେଉଁ ୨ ଜଣ ମଲ୍ଲଯୋଦ୍ଧାଙ୍କୁ ପଚରାଉଚୁରା କରୁଛି; ସେମାନେ ହେଲେ ଭାଗ୍‌ତୁ ଓ ରବିନ୍ଦର। ସ୍ବର୍ଗତଃ ଧନକଡ଼ ଓ ତାଙ୍କ ବନ୍ଧୁ ସୋନୁଙ୍କ ଥିବା ଜାଣିବାକୁ ମିଳିଥିବା ବେଳେ ରବିନ୍ଦର ଓ ଅନ୍ୟ ଜଣେ ଅଭିଯୁକ୍ତ ଅମିତ ଏକ କାର୍‌ରେ ଛତ୍ରସାଳ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ରବିନ୍ଦର ଷ୍ଟାଡିୟମ୍‌ ମଧ୍ୟରେ ରହୁଥିବା ବେଳେ ଭାଗ୍‌ତୁ ଷ୍ଟାଡିୟମ୍ ନିକଟରେ ରହୁଥିଲେ। ଧନକଡ଼ ଓ ସୋନୁ ଏହା ପାଖରେ ଏକ ଫ୍ଲାଟ୍‌ ଭଡ଼ାରେ ନେଇ ରହୁଥିଲେ। ରବିବାର ଜେରା ବେଳେ ପୁଲିସ୍‌କୁ ରବିନ୍ଦର କହିଛନ୍ତି ଯେ ଉକ୍ତ ଘଟଣା ଦିନ ସୁଶୀଲ କୁମାର ତାଙ୍କୁ ମାଡ଼ ମାରିଥିଲେ ଏବଂ ଷ୍ଟାଡିୟମ୍‌ ବାହାରକୁ ବାହାର କରି ଦେଇଥିଲେ। ଧନକଡ଼ଙ୍କ ପିତା ଦିଲ୍ଲୀ ପୁଲିସ୍‌ରେ ହେଡ୍ କନ୍‌ଷ୍ଟେବଳ ଭାବେ କାମ କରୁଛନ୍ତି। ଘଟଣା ଦିନ ଷ୍ଟାଡିୟମ୍‌ ଭିତରେ ସାଗର ଧନକଡ଼ ଓ ସୋନୁଙ୍କୁ ସୁଶୀଲ କୁମାର ମାଡ଼ ମାରିଥିଲେ। ଉକ୍ତ ଅଭିଯୋଗ ପରେ ପୁଲିସ ଛତ୍ରସାଳ ଷ୍ଟାଡିୟମ୍‌କୁ ଯାଇଥିଲା। ଷ୍ଟାଡିୟମ୍‌ ବାହାରେ ପୁଲିସ୍‌କୁ ୩ଟି କାର୍ ମିଳିଥିଲା। ଗୋଟିଏ କାର୍‌ରୁ ଏକ ବନ୍ଧୁକ ମିଳିଥିଲା। ପରେ ସାଗର ଧନକଡ଼ଙ୍କ ହତ୍ୟା ପରେ ତାଙ୍କ ବନ୍ଧୁ ସୋନୁ ଥାନାରେ ଏତଲା ଦେଇଥିଲେ। ଏହା ପରଠାରୁ ସୁଶୀଲ କୁମାରଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି। ସମସ୍ତଙ୍କ ଫୋନ୍ ବନ୍ଦ ଅଛି।

Comments are closed.