୭ ବର୍ଷୀୟ ସ୍କିଲର ଅଷ୍ଟ୍ରେଲିଆର ସହ-ଅଧିନାୟକ

0

ମେଲବୋର୍ଣ୍ଣ : ଆସନ୍ତା ୨୬ରୁ ଏଠାରେ ଘରୋଇ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ଜଣେ ୭ ବର୍ଷୀୟ କ୍ରିକେଟର ଆର୍ଚି ସ୍କିଲରଙ୍କୁ ସାମିଲ କରାଯାଇଛି। ଏପରିକି ଉକ୍ତ ମ୍ୟାଚ ପାଇଁ ସ୍କିଲରଙ୍କୁ ଅଷ୍ଟ୍ରେଲିଆ ଦଳର ସହ ଅଧିନାୟକ ନିଯୁକ୍ତ କରାଯାଇଛି। ଟସ୍‌ ସମୟରେ ପଡିଆରେ ଦୁଇ ଦଳର ଅଧିନାୟକଙ୍କ ସହ ସ୍କିଲର ମଧ୍ୟ ପଡିଆରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଏହି ସମ୍ବାଦ କ୍ରିକେଟପ୍ରେମୀଙ୍କୁ ନିଶ୍ଚିତଭାବେ ବିସ୍ମିତ କରିବ। ତେବେ ଏହା ପଛରେ ନିର୍ଦିଷ୍ଟ କାରଣ ରହିଛି। କ୍ରିକେଟ ପ୍ରତି ଅହେତୁକ ରୁଚି ରଖୁଥିବା ସ୍କିଲର ଦୁରାସାଧ୍ୟ ହୃଦରୋଗରେ ଆକ୍ରାନ୍ତ। ତେଣୁ ଜାତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ବ କରିବାର ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏଭଳି ଏକ ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ଇତିହାସରେ ଏହା ବିରଳ ବୋଲି କୁହାଯାଉଛି। ଏହା ଏକ ସମ୍ମାନସୂଚକ ନିଷ୍ପତ୍ତି ଏବଂ ସ୍କିଲର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ସ୍ପଷ୍ଟ କରିଛନ୍ତି।
ସ୍କିଲରଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଗୁରୁତର ହୃଦରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଇତିମଧ୍ୟରେ ସ୍କିଲରଙ୍କ ହୃଦୟରେ ଏକାଧିକ ଅ​‌େ​‌ସ୍ତ୍ରାପଚାର ହୋଇସାରିଥିବା ସତ୍ତ୍ବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି। ସାଙ୍ଗସାଥୀଙ୍କ ସହ ବେଶି ସମୟ କ୍ରିକେଟ ଅଭ୍ୟାସ କରିପାରୁନାହାନ୍ତି। ତେବେ କ୍ରିକେଟ ପ୍ରତି ତାଙ୍କର ଯଥେଷ୍ଟ ଆଗ୍ରହ ରହିଛି। ସମୟ ସୁବିଧା ମିଳିଲେ ସ୍କିଲର କ୍ରିକେଟ ଖେଳୁଛନ୍ତି। ନିକଟରେ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କଠାରୁ ଫୋନକଲ ପାଇବାପରେ ସ୍କିଲର ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଥିବା କଥା ଜାଣିପାରିଥିଲେ। ସ୍କିଲର ଜଣେ ଲେଗ୍‌ସ୍ପିନର ଭାବେ କ୍ରିକେଟ ଖେଳୁଥିବାବେଳେ ଅଷ୍ଟ୍ରେଲୀୟ ସ୍ପିନର ନାଥାନ ଲାୟନଙ୍କର ସେ ହେଉଛନ୍ତି ବଡ ପ୍ରଂଶସକ। ମେଲବୋର୍ଣ୍ଣରେ ଲେଗ୍‌ସ୍ପିନ ବୋଲିଂ କରି ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଉଟ କରିଦେବେ​‌ ବୋଲି ସ୍କିଲର ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଆଡି​‌େଲଡ୍‌ରେ ସିରିଜର ପ୍ରଥମ ଟେଷ୍ଟ ଖେଳାଯାଇଥିବାବେଳେ ସ୍କିଲର ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ନେଟ୍‌ସରେ ଅଭ୍ୟାସ କରିଥିଲେ। ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆ ଦଳର ଜର୍ସି ପ୍ରଦାନ କରାଯାଇଥିଲା। ସ୍କିଲରଙ୍କୁ ଜାତୀୟ ଦଳରେ ସାମିଲ କରିବା ପଛରେ ’ମେକ୍‌ ଏ ୱିସ୍‌-ଅଷ୍ଟ୍ରେଲିଆ ଫାଉଣ୍ଡେସନ​‌’ ସଂସ୍ଥାର ଯଥେଷ୍ଟ ଅବଦାନ ରହିଛି।

Leave A Reply