ଦିଲ୍ଲୀରେ ଜନ୍ମନେଲା ଏସୀୟ କ୍ରୀଡ଼ା

0

ଆମଦେଶ ଭାରତ ହିଁ ହେଉଛି ଏସୀୟ କ୍ରୀଡ଼ା ବା ଏସିଆନ୍‍ ଗେମ୍‍ସର ଜନ୍ମଦାତା। ତତ୍କାଳୀନ ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ (ଆଇଓଏ)ର ସଭାପତି ଯାଦବିନ୍ଦ୍ର ସିଂହ ଓ ସମ୍ପାଦକ ଗୁରୁ ଦତ୍ତ ସୋନ୍ଧିଙ୍କ ପ୍ରୟାସରେ ଏସୀୟ କ୍ରୀଡ଼ାର ଅୟମାରମ୍ଭ ହୋଇଥିଲା। ଏସୀୟ କ୍ରୀଡ଼ା ଆୟୋଜନ ନେଇ ଏସୀୟ ରାଷ୍ଟ୍ରମାନଙ୍କ ପ୍ରତିନିଧିଙ୍କ ମଧ୍ୟରେ ୧୯୪୮ ଅଲିମ୍ପିକ୍‍ କ୍ରୀଡ଼ା ସମୟରେ ପ୍ରାରମ୍ଭିକ ଆଲୋଚନା ହୋଇଥିବା ବେଳେ ୧୯୪୯ ଫେବୃୟାରୀରେ ନୂଆଦିଲ୍ଲୀର ପାତିଆଲା ହାଉସ୍‍ରେ ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଶେଷରେ ସ୍ଥିର ହୋଇଥିଲା ଯେ ଭାରତର ରାଜଧାନୀ ନୂଆଦିଲ୍ଲୀରେ ୧୯୫୧ ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଆୟୋଜନ ହେବ।
ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମ୍‍ ଏହି କ୍ରୀଡ଼ାର ମୁଖ୍ୟ ଆୟୋଜନ ସ୍ଥଳ ଥିଲା। ଏହି କ୍ରୀଡ଼ାରେ ଭିଏତ୍‍ନାମକୁ ଛାଡ଼ି ସମସ୍ତ ଏସୀୟ ଦେଶଙ୍କୁ ଆମନ୍ତ୍ରଣ ଦିଆ ଯାଇଥିଲେ ହେଁ ଏଥିରେ ଆୟୋଜକ ଭାରତ ସହ ମୋଟ ୧୧ଟି ଦେଶ ଭାଗ ନେଇଥିଲେ। ଚୀନ୍‍ ଓ ପାକିସ୍ତାନକୁ ଆମନ୍ତ୍ରଣ କରା ଯାଇଥିଲା। ଚୀନ୍‍ କୌଣସି ଜବାବ ଦେଇନଥିଲା। କାଶ୍ମୀର ବିବାଦ ଯୋଗୁଁ ପାକିସ୍ତାନ ତା’ର ଦଳ ପଠାଇନଥିଲା। ୮ଟି କ୍ରୀଡ଼ାରେ ୫୭ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା ଏବଂ ୧୧ଟି ଦେଶରୁ ୪୮୯ କ୍ରୀଡ଼ାବିତ୍‍ ଭାଗ ନେଇଥିଲେ। ୮ଟି କ୍ରୀଡ଼ା ମଧ୍ୟରୁ ୫ଟି କ୍ରୀଡ଼ା ଥିଲା ଦୌଡ଼କୁଦ, ସାଇକେଲ ଚାଳନା, ବାସ୍କେଟ୍‍ବଲ, ଫୁଟ୍‍ବଲ ଓ ଭାରୋତ୍ତୋଳନ। ଜଳକ୍ରୀଡ଼ାରେ ୩ଟି ବିଭାଗ- ସନ୍ତରଣ, ଡାଇଭିଂ ଓ ୱାଟର ପୋଲୋରେ ମୁକାବିଲା ହୋଇଥିଲା। ଉଦ୍‍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ମୁଖ୍ୟଅତିଥି ଥିଲେ ଏବଂ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ଉପସ୍ଥିତ ଥିଲେ। ଭାରତର ସର୍ବାଧିକ ୧୫୧ ପ୍ରତିଯୋଗୀ ଏହି କ୍ରୀଡ଼ାରେ ଭାଗ ନେଇଥିଲେ। ଏହା ପଛକୁ ଜାପାନ ୨ୟ ସର୍ବାଧିକ ୭୨ ଜଣିଆ ଦଳ ପଠାଇଥିଲା। ଆଶା ଅନୁସାରେ ଜାପାନ ପଦକ ତାଲିକାର ଶୀର୍ଷରେ ରହିଥିଲା। ଜାପାନ ୨୪ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ, ୧୫ଟି ବ୍ରୋଞ୍ଜ୍‍ ପଦକ ସହ ମୋଟ ୬୦ଟି ପଦକ ଜିତିଥିଲା। ଏହା ପଛକୁ ଥିଲା ଆୟୋଜକ ଭାରତ। ଘରୋଇ ଦଳ ୧୫ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ, ୨୦ଟି ବ୍ରୋଞ୍ଜ୍‍ ପଦକ ସହ ମୋଟ ୫୧ଟି ପଦକ ଜିତିଥିଲା। ୮ଟି ସ୍ୱର୍ଣ୍ଣ ସହ ଇରାନ୍‍ ୩ୟ ଏବଂ ୫ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ସହ ସିଙ୍ଗାପୁର ଓ ଫିଲିପାଇନ୍‍ସ ୪ର୍ଥ ଓ ୫ମ ସ୍ଥାନରେ ରହିଥିଲେ। ସମସ୍ତ ୧୧ ପ୍ରତିଯୋଗୀ ଦଳ ପଦକ ଜିତି ପାରିଥିଲେ। ସମୁଦାୟ ୧୬୯ଟି ପଦକ ପ୍ରଦାନ କରା ଯାଇଥିଲା। ଦୌଡ଼କୁଦରେ ଭାରତ ୧୦ଟି ସ୍ୱର୍ଣ୍ଣ, ୧୨ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ୍‍ ସହ ମୋଟ ୩୪ଟି ପଦକ ଜିତିଥିଲା। ଭାରତର ଲାଭି ପିଣ୍ଟୋ (ଦୌଡ଼କୁଦ) ଓ କେ.ପି. ଠକ୍କର (ଡାଇଭିଂ) ୨ଟି ଲେଖାଏଁ ସ୍ୱର୍ଣ୍ଣପଦକ ଜିତିଥିଲେ।

Comments
Loading...