ସେପ୍ଟେମ୍ବର ୨୫ରେ ଦିଆଯିବ ଜାତୀୟ କ୍ରୀଡ଼ା ପୁରସ୍କାର

0

ନୂଆଦିଲ୍ଲୀ : ଚଳିତବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ସେପ୍ଟେମ୍ବର ୨୫ରେ ପ୍ରଦାନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତିବର୍ଷ ଅଗଷ୍ଟ ୨୯ରେ ରାଷ୍ଟ୍ରପତି ଭବନରେ କୃତୀ ପ୍ରତିଯୋଗୀଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଉଥିବା ଜାତୀୟ କ୍ରୀଡ଼ା ଦିବସ ଦିନ ଏହି ପୁରସ୍କାର ପ୍ରଦାନ କରାଯିବାର ପରମ୍ପରା ରହିଛି। ତେବେ ଚଳିତ ବର୍ଷ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବାକୁ ଥିବାରୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବକୁ ସେପ୍ଟେମ୍ବର ୨୫କୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ଚଳିତଥର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କ୍ଷେତ୍ରରେ ଏସୀୟ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍‍ଙ୍କ ନାମ ବିଚାରକୁ ନିଆଯିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଚିନ୍ତା କରୁଥିବା କୁହାଯାଉଛି।
ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କ୍ରୀଡ଼ା ସଚିବ ରାହୁଲ ଭଟ୍ଟନାଗର କହିଛନ୍ତି ଏସୀୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଜାତୀୟ ପୁରସ୍କାର ବିତରଣ ଉତ୍ସବ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ରାଷ୍ଟ୍ରପତି ଭବନ ତରଫରୁ ମଧ୍ୟ ସବୁଜ ସଙ୍କେତ ମିଳି ସାରିଛି। ସେପ୍ଟେମ୍ବର ୨୫ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲେ ଅଧିକ ସଂଖ୍ୟକ କ୍ରୀଡ଼ାବିତ୍‍, ପ୍ରଶିକ୍ଷକ ଓ ଅଧିକାରୀ ଉତ୍ସବରେ ଉପସ୍ଥିତ ରହିପାରିବେ। ଜାତୀୟ କ୍ରୀଡ଼ା ପୁରସ୍କାର ନିମନ୍ତେ ଖେଳାଳି ମନୋନୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ମନୋନୟନ କମିଟି ଏସୀୟ କ୍ରୀଡ଼ା ଶେଷ ହେବା ପରେ ଏକ ବୈଠକରେ ମିଳିତ ହେବ। ସେମାନେ ଚାହିଁଲେ ଏସୀୟ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ପୁରସ୍କାର ତାଲିକାରେ ସାମିଲ କରିପାରିବେ। ଜାତୀୟ କ୍ରୀଡ଼ା ପୁରସ୍କାରରେ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ।

Leave A Reply