ମହିଳା କ୍ରିକେଟ୍‍ ଦଳ ପାଇଁ ନିଯୁକ୍ତ ହେବେ ବୋଲିଂ ପ୍ରଶିକ୍ଷକ

0

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍‍ ଦଳର ପାଇଁ ଖୁବ୍‍ଶୀଘ୍ର ଜଣେ ବୋଲିଂ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିସିସିଆଇ ବୋଲିଂ ପ୍ରଶିକ୍ଷକ ପଦ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ଭାରତୀୟ ମହିଳା ଦଳର ଖେଳାଳିମାନେ ମୁଖ୍ୟ ପ୍ରଶିକ୍ଷକ ତୁଷାର ଆରୋଥେଙ୍କ ଠାରୁ ବ୍ୟାଟିଂ ପ୍ରଶିକ୍ଷଣ ନେଉଛନ୍ତି। ତୁଷାର ପ୍ରଥମ ଶ୍ରେଣୀ କ୍ରିକେଟ୍‍ରେ ୬୧୦୫ ରନ୍‍ ସଂଗ୍ରହ କରିବା ସହ ୨୨୫ଟି ୱିକେଟ୍‍ ହାସଲ କରିଥିଲେ। ସେହିପରି ବିଜୁ ଜର୍ଜ ଫିଲଡିଂ ପ୍ରଶିକ୍ଷଣ ଦେଉଛନ୍ତି। ତେବେ ଦଳ ପାଇଁ କୌଣସି ବୋଲିଂ ପ୍ରଶିକ୍ଷକ ନାହାନ୍ତି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ମହିଳା ଦଳ ପାଇଁ ବୋଲିଂ ପ୍ରଶିକ୍ଷକ ନ ଥିବା ବିଷୟ ମ୍ୟାନେଜମେଣ୍ଟ ବିସିସିଆଇକୁ ଜଣାଇଥିଲା। ଖେଳାଳିଙ୍କ ବୋଲିଂରେ ଉନ୍ନତି ଆଣିବା ପାଇଁ ବିସିସିଆଇ ଖୁବ୍‍ଶୀଘ୍ର ଜଣେ ବୋଲିଂ ପ୍ରଶିକ୍ଷକଙ୍କୁ ନିଯୁକ୍ତି କରିବ। ଅନ୍ୟପକ୍ଷରେ ବୋଲିଂ ପ୍ରଶିକ୍ଷକ ପଦ ପାଇଁ ଆବେଦନକାରୀ ଅନ୍ତର୍ଜାତୀୟ କ୍ରିକେଟ୍‍ ଖେଳିଥିବା ବାଧ୍ୟତାମୂଳକ ନୁହେଁ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରି ଦେଇଛନ୍ତି। ତୁଷାର ଭାରତ ତରଫରୁ ଖେଳିନଥିଲେ ମଧ୍ୟ ସେ ମହିଳା ଦଳକୁ ଉପଯୁକ୍ତ ଦିଗଦର୍ଶନ ଦେଉଛନ୍ତି। ତେଣୁ ମହିଳା ଦଳର ବୋଲିଂ ପ୍ରଶିକ୍ଷକ ଭାବେ ଯାହାକୁ ନିଯୁକ୍ତ କରାଯିବ ତାଙ୍କ ନିକଟରେ ପ୍ରଶିକ୍ଷଣ ପ୍ରଦାନ କରିବା ଦକ୍ଷତା କେତେ ଅଛି ତାହା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଏସିଆ କପ୍‍ ନିମନ୍ତେ ଭାରତୀୟ ମହିଳା ଦଳର ଘୋଷଣା ଚଳିତ ସପ୍ତାହରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଥାଉକି ଗତ କିଛିମାସରେ ଭାରତୀୟ ମହିଳା ଦଳକୁ ମିଶ୍ରିତ ସଫଳତା ମିଳିଛି। ଦଳ ଦକ୍ଷିଣ ଆଫ୍ରିକାକୁ ଆଇସିସି ଦିନିକିଆ ଚମ୍ପିଆନ୍‍ସିପରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ସେହିପରି ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତକୁ ନେଇ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ସିରିଜ୍‍ର ଫାଇନାଲରେ ପ୍ରବେଶ କରିବାରୁ ଭାରତ ବାଦ୍‍ ପଡ଼ିଥିଲା। ଅନ୍ୟପକ୍ଷରେ ମିତାଲି ରାଜ୍‍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍କୁ ୨-୧ରେ ଜିତି ନେଇଥିଲା।

Leave A Reply