ଫୁଟ୍‍ବଲ ନିଶାରେ ଦୁଇ ଭାଇ ରଞ୍ଜନ ଓ ସୁନୀଲ

0

ଭୁବନେଶ୍ୱର: ନିଷ୍ଠା ଥିଲେ ଯେକୌଣସି ପ୍ରତିବନ୍ଧକ ହାର୍‍ ମାନିଥାଏ। ଏହା ପ୍ରମାଣ କରି ଦେଖାଇଛନ୍ତି ଦୁଇ ଭାଇ ରଞ୍ଜନ ସୋରେନ ଓ ସୁନୀଲ ସୋରେନ। ମୁଣ୍ଡ ଗୁଞ୍ଜିବାକୁ ଚାଳ ଟିକିଏ, ଦୁଇଓଳି ମୁଠାଏ ଖାଇବାକୁ ସଂଘର୍ଷ କରୁଥିବା ବସ୍ତିର ଦୁଇ ବାଳକ ଓଡ଼ିଶା ଫୁଟବଲର ନୂତନ ପ୍ରତିଭା ଭାବେ ଉଭା ହୋଇଛନ୍ତି। ପଙ୍କରୁ ପଦ୍ମ ଫୁଟିବା ଭଳି ବସ୍ତିର ଦୁଇ ଭାଇ ରଞ୍ଜନ ଓ ସୁନୀଲ ବାଇଚୁଙ୍ଗ ଭୁଟିଆ ଫୁଟବଲ ସ୍କୁଲ ଆବାସିକ ଏକାଡ଼େମୀ ପକ୍ଷରୁ ୟୁଥ ଆଇ-ଲିଗ୍‍ରେ ଖେଳି ସଫଳତା ହାସଲ କରିବା ସହିତ ଓଡ଼ିଶା ଫୁଟବଲରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।
ଭୁବନେଶ୍ୱର ସାଲିଆ ସାହି ବସ୍ତିର ରାମଚନ୍ଦ୍ର ସୋରେନଙ୍କ ପୁତ୍ର ସୁନୀଲ ଓ ରଞ୍ଜନଙ୍କ ପ୍ରତିଭାକୁ ଆବିଷ୍କାର କରିଥିଲେ ଫୁଟବଲ ପ୍ରଶିକ୍ଷକ ଜୟଦେବ ମହାପାତ୍ର। ବିନା ଟଙ୍କାରେ ବସ୍ତିର ପିଲାମାନଙ୍କ ଭବିଷ୍ୟତ ଗଢୁଥିବା ଜୟଦେବଙ୍କ ପ୍ରଚେଷ୍ଟାରେ ରଞ୍ଜନ ଓ ସୋରେନ ଆଗକୁ ବଢିଥିଲେ। ୨୦୧୪ ମସିହାରେ କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗ ଦେଇଥିଲେ ଦୁଇଭାଇ। ୧୦ ବର୍ଷ ବୟସରେ ଦୁଇ ଭାଇ ଚମତ୍କାର ଫୁଟବଲ ଖେଳି ଚର୍ଚ୍ଚାକୁ ଆସିଥିଲେ। ୨୦୧୭ରେ ବାଇଚୁଙ୍ଗ ଭୁଟିଆ ଆବାସିକ ଫୁଟବଲ ସ୍କୁଲ ପାଇଁ ଖେଳାଳି ମନୋନୟନ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟଦେବଙ୍କ ନିକଟରେ ପ୍ରଶିକ୍ଷଣ ନେଉଥିବା ରଞ୍ଜନ ଓ ସୁନୀଲଙ୍କ ସମେତ ଶବର ସାହି ବସ୍ତିର ଚନ୍ଦନ ନାୟକ ମନୋନୀତ ହୋଇଥିଲେ। ୫ ବର୍ଷ ପାଇଁ ୩ ଖେଳାଳି ସେଠାରେ ରହିବା, ପାଠ ପଢିବା ସହିତ ଖେଳିବାର ସୁଯୋଗ ପାଉଛନ୍ତି। ବାଇଚୁଙ୍ଗ ଭୁଟିଆ ଫୁଟବଲ ସ୍କୁଲ ପକ୍ଷରୁ ରଞ୍ଜନ, ସୁନୀଲ ଓ ଚନ୍ଦନ ୧୪ ବର୍ଷରୁ କମ୍‍ ୟୁଥ ଆଇ-ଲିଗ୍‍ ୨୦୧୭ରେ ପ୍ରତିନିଧିତ୍ୱ କରିଥିଲେ। ମଧ୍ୟଭାଗ ଖେଳାଳି ସୁନୀଲ ଜୋନାଲ ଲିଗ୍‍ରେ ୧୩ଟି ମ୍ୟାଚ୍‍ରୁ ୧୯ଟି ଗୋଲ ଓ ରଞ୍ଜନ ରକ୍ଷଣଭାଗରେ ଭାବେ ଖେଳି ଦଳକୁ ମୁଖ୍ୟ ଲିଗ୍‍ରେ ପଞ୍ଚାଇଥିଲେ। ଉକ୍ତ ଦୁଇ ଭାଇଙ୍କ ବାଦ୍‍ ଚନ୍ଦନ ମଧ୍ୟ ଷ୍ଟ୍ରାଇକର ଭାବେ ଖେଳି ସଫଳତା ହାସଲ କରିଥିଲେ। ନିଜ ପ୍ରତିକ୍ରିୟାରେ ସୁନୀଲ କହିଛନ୍ତି ଜୟଦେବ ସାରଙ୍କ ପାଇଁ ଆମେ ଏତେ ବାଟ ଆସିପାରିଛୁ। ଏହି ଆବାସିକ ଫୁଟବଲ ସ୍କୁଲ ଏକାଡ଼େମୀରେ ପାଠ ପଢିବା ସହିତ ଖେଳିବା ଲାଗି ସମସ୍ତ ପ୍ରକାର ସୁଯୋଗ ମିଳୁଛି। ଏଠାରେ ପ୍ରଶିକ୍ଷଣ ହାସଲ କରି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି। ପ୍ରଶିକ୍ଷକ ଜୟଦେବ ମହାପାତ୍ର କହିଛନ୍ତି ବସ୍ତିର ପିଲାମାନଙ୍କୁ କଳିଙ୍ଗ ଷ୍ଟାଡ଼ିୟମ, କ୍ୟାପିଟାଲ ହାଇସ୍କୁଲ ପଡ଼ିଆ, ସାଲିଆ ସାହି ଅଞ୍ଚଳରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏଠାରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ମାଗଣା ପ୍ରଶିକ୍ଷଣ ପ୍ରଦାନ ସହ କିଟ୍‍ ମଧ୍ୟ ଯୋଗାଇ ଦିଆଯାଉଛି। ଏଠାରୁ ପ୍ରଶିକ୍ଷଣ ପାଇ ଚନ୍ଦନ ନାୟକ, ରଞ୍ଜନ ସୋରେନ, ସୁନୀଲ ସୋରେନ, ବିମଳ ଧନ ଓ ସାହିଲ ଲୋହାର ବାଇଚୁଙ୍ଗ ଭୁଟିିଆ ଆବାସିକ ଫୁଟବଲ ସ୍କୁଲକୁ, ସତ୍ୟମ ସିଂହ, ସାମରାଇ ସୋରେନ, ଦିନେଶ ନାଗ ବେଙ୍ଗାଲୁରୁର ବୋକା ଜୁନିୟର କ୍ଲବରେ ସ୍ଥାନ ପାଇଛନ୍ତି। ସୁନୀଲ, ଚନ୍ଦନ ଓ ରଞ୍ଜନ ବାଇଚୁଙ୍ଗ ଭୁଟିଆ ଆବାସିକ ଫୁଟବଲ ସ୍କୁଲ ପକ୍ଷରୁ ୟୁଥ ଆଇ-ଲିଗ୍‍ରେ ଚମତ୍କାର ପ୍ରତିନିଧିତ୍ୱ କରିଛନ୍ତି। ସୁନୀଲ ଓ ରଞ୍ଜନଙ୍କ ନିକଟରେ ବେଶ୍‍ ଦକ୍ଷତା ରହିଛି। ନିଶ୍ଚିତ ଦୁଇ ଭାଇ ଭବିଷ୍ୟତରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଓଡ଼ିଶା ପୁରୁଷ ଫୁଟବଲରେ ପ୍ରତିଭାବାନ୍‍ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ନେଇ ସଂଘର୍ଷ କରୁଥିବାବେଳେ ସୁନୀଲ ଓ ରଞ୍ଜନଙ୍କ ଆବିର୍ଭାବ ନୂଆ ଆଶା ସଞ୍ଚାର କରିଛି। ସୂଚନାଯୋଗ୍ୟ ରାଉରକେଲାର ଜୟଦେବ ମହାପାତ୍ର ଦିଲ୍ଲୀ ପକ୍ଷରୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ।

Leave A Reply