ଚେସ୍‍ ପ୍ରତିଭା ଆରୁଷୀଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ୧୪ତମ ଏସୀୟ ବିଦ୍ୟାଳୟ ଚେସ୍‍ ଚମ୍ପିଆନସିପରେ ଉଲ୍ଲେଖନୀୟ ସଫଳତା ସହ ୫ଟି ପଦକ ବିଜୟୀ ହୋଇଥିବା ଓଡ଼ିଆ ଝିଅ ଆରୁଷୀ ଶ୍ରୀଚନ୍ଦନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ଆରୁଷୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏସ୍‍.ଆର ଚେସ୍‍ ସେଣ୍ଟର ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ପ୍ରଶିକ୍ଷଣ ନେଉଥିବା ସହିଦନଗରସ୍ଥିତ ଏସ୍‍.ଆର ଚେସ୍‍ ସେଣ୍ଟରରେ ଆରୁଷୀଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ଏସ.ଆର ଚେସ୍‍ ସେଣ୍ଟର ସଭାପତି ଶୁଭାଶିଷ ପଟ୍ଟନାୟକ, ମେଣ୍ଟର ତଥା କୋଚ ସତ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ, ସୂର୍ଯ୍ୟମିତ୍ର ସେନ, ରାଜ୍ୟ ଚେସ ସଂଘ ଉପ ସଭାପତି ରଞ୍ଜନ ମହାନ୍ତି, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ଆରୁଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଭି ଚନ୍ଦ୍ରଶେଖରପୁର ଶାରୀରିକ କ୍ରୀଡ଼ା ପ୍ରଶିକ୍ଷକ ଆନନ୍ଦ ଚନ୍ଦ୍ର ଦାସ, ଦୁର୍ଗାପ୍ରସନ୍ନ ଦାସ ମହାପାତ୍ର, ଶିକ୍ଷୟିତ୍ରୀ ଇତିଶ୍ରୀ ମହାନ୍ତି, କ୍ରୀଡ଼ା ପ୍ରଶିକ୍ଷିକା ମଧୁମିତା ଛୁଆଳସିଂ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପ୍ରତିଯୋଗିତାରେ ଆରୁଷୀ ୯ ବର୍ଷରୁ କମ୍‍ ବାଳିକା ବର୍ଗ ଦଳଗତ ବିଭାଗରେ ସ୍ୱର୍ଣ୍ଣ , ବ୍ୟକ୍ତିଗତ ୫ ମିନିଟିଆ ବ୍ଲିଜ୍‍ରେ ସ୍ୱର୍ଣ୍ଣ, ମୁଖ୍ୟ ବର୍ଗରେ ରୌପ୍ୟ, ବ୍ୟକ୍ତିଗତ ରାପିଡ  ଓ ୫ ମିନିଟ୍‍ିଆ ବ୍ଲିଜରେ ବ୍ର୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ଦାରୁଠେଙ୍ଗ ଅଞ୍ଚଳର ଅଜିତ ଶ୍ରୀଚନ୍ଦନ ଓ ସିପ୍ରା ଶ୍ରୀଚନ୍ଦନଙ୍କ କନ୍ୟା ଆରୁଷୀ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବର୍ତ୍ତମାନ ତାଙ୍କ ଏଲୋ ରେଟିଂ ୧୧୮୫ ରହିଛି। ଏହି ସଫଳତା ଲାଗି ଆରୁଷୀଙ୍କୁ ମୁ୍‍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply