ସେମିରେ କର୍ବର-ଓସ୍ତାପେଙ୍କୋ, ଜର୍ଜେସ-ସେରେନା

0

ଲଣ୍ଡନ : ଜର୍ମାନୀର ଆଞ୍ଜେଲିକ୍‍ କର୍ବର, ଲାଟ୍‍ଭିଆର ଜେଲିନା ଓସ୍ତାପେଙ୍କେ. ଜର୍ମାନୀର ଜୁଲିଆ ଜର୍ଜେଓ ଓ ଆମେରିକାର ସେରେନା ୱିଲିୟମ୍‍ସ ଚଳିତବର୍ଷ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‍ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ୧୧ଶ ସିଡ୍‍ କର୍ବର ସିଧାସଳଖ ୬-୩, ୭-୫ ସେଟ୍‍ରେ ୧୪ଶ ସିଡ୍‍ ରୁଷର ଡାରିଆ କାସାତ୍‍କିନାଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିଲା। କର୍ବର ୨୦୧୬ରେ ଏଠାରେ ରନର୍ସଅପ୍‍ ହୋଇଥିବାବେଳେ କାସାତ୍‍କିନା ପ୍ରଥମ ଥର କ୍ୱାର୍ଟରକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ତାଙ୍କୁ ନିରାଶ ହେବାକୁ ପଡିଛି। ସେମିଫାଇନାଲରେ କର୍ବର ଲାଟ୍‍ଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ଭେଟିବେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ୧୨ଶ ସିଡ୍‍ ଓସ୍ତାପେଙ୍କୋ ୭-୫, ୬-୪ ସେଟ୍‍ରେ ସ୍ଲୋଭାକିଆର ଅଣସିଡେଡ୍‍ ଖେଳାଳି ଡୋମିନିକା ସିବୁଲକୋଭାଙ୍କୁ ପରାସ୍ତ କରିଛନ୍ତି। ୱିମ୍ବଲଡନର ସେମିଫାଇନାଲକୁ ଉନ୍ନୀତ ହେବାରେ ଓସ୍ତାପେଙ୍କୋ ହେଉଛନ୍ତି ଲାଟ୍‍ଭିଆର ପ୍ରଥମ ଖେଳାଳି। ଚାରିବର୍ଷ ପୂର୍ବେ ଓସ୍ତାପେଙ୍କୋ ୱିମ୍ବଲଡନରେ ବାଳିକା ସିଙ୍ଗଲସ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ। ଅପରପକ୍ଷରେ ସିବୁଲକୋଭା ଏଥରକୁ ମିଶାଇ ମୋଟ ତିନିଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ତାଙ୍କୁ ପୂର୍ବଥର ଭଳି ନିରାଶ ହେବାକୁ ପଡିଛି।
ମଙ୍ଗଳବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ୧୩ଶ ସିଡ୍‍ ଜୁଲିଆ ଜର୍ଜେସ ୩-୬, ୭-୫, ୬-୧ ସେଟ୍‍ରେ ୨୦ଶ ସିଡ୍‍ ହଲାଣ୍ଡର କିକି ବର୍ଟନ୍‍ସଙ୍କୁ ପରାସ୍ତ କରିଛନ୍ତି। ଉଭୟ ଖେଳାଳି ପ୍ରଥମ ଥର ଏଠାରେ କ୍ୱାର୍ଟର ଫାଇନାଲ ଖେଳିଥିବାବେଳେ ଜର୍ଜେସଙ୍କୁ ସେମିକୁ ଉନ୍ନୀତ ହେବାର ସୌଭାଗ୍ୟ ମିଳିଛି। ସେମିଫାଇନାଲରେ ଜର୍ଜେସ ଆମେରିକାର ସେରେନା ୱିଲିୟମସଙ୍କ ସମ୍ମୁଖୀନ ହେବେ। ମହିଳା ସିଙ୍ଗଲ୍‍ସର ଅନ୍ୟ ଏକ ଚତୁର୍ଥ କ୍ୱାର୍ଟର ଫାଇନାଲରେ ପୂର୍ବତନ ଏକ ନମ୍ବର ଖେଳାଳି ତଥା ୨୫ଶ ସିଡ୍‍ ଆମେରିକାର ସେରେନା ୱିଲିୟମ୍‍ସ ୩-୬, ୬-୩, ୬-୪ ସେଟ୍‍ରେ ଇଟାଲୀର ଅଣସିଡେଡ୍‍ ଖେଳାଳି କାମିଲା ଜିଓର୍ଗିଙ୍କୁ ହରାଇଛନ୍ତି। ୱିମ୍ବଲଡନରେ ସାତଥର ସିଙ୍ଗଲ୍‍ସ ଚମ୍ପିଆନ ହୋଇସାରିଥିବା ସେରେନା ଏଥର ଏହି ସଂଖ୍ୟା ୮କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply