ଚହଲଙ୍କୁ ଟେଷ୍ଟ ଖେଳାଇବା ସପକ୍ଷରେ କୋହଲି

0

ନୂଆଦିଲ୍ଲୀ : ଆଫ୍‍ଗାନିସ୍ତାନ ବିପକ୍ଷ ଘରୋଇ ଟେଷ୍ଟମ୍ୟାଚ୍‍ ଏବଂ ଆୟରଲାଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ଓ ଦିନିକିଆ ସିରିଜ୍‍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଯାଇଛି। ଅନୁମାନ କରା ଯାଉଥିଲା ଯେ ଆଫ୍‍ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟମ୍ୟାଚ୍‍ ପାଇଁ ଅଶ୍ୱିନଙ୍କ ସ୍ଥାନରେ ଲେଗ୍‍ସ୍ପିନର ୟୁଜୁବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ। ଚହଲଙ୍କ ସହ କୁଲଦୀପ ଯାଦବଙ୍କୁ ଟେଷ୍ଟମ୍ୟାଚ୍‍ ଅଭିଜ୍ଞତା ଦେବା ପାଇଁ ମନୋନୟନକାରୀଙ୍କୁ କହିଥିଲେ ଅଧିନାୟକ କୋହଲି। ଟେଷ୍ଟମ୍ୟାଚ୍‍ରେ ଦୁଇ ନିୟମିତ ସ୍ପିନର ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ମଧ୍ୟରୁ ଜଣଙ୍କୁ ବସାଇ ଜଣେ ରିଷ୍ଟ ସ୍ପିନରଙ୍କୁ ଖେଳାଇବା ଯୋଜନା ହେଉଛି ଅଧିନାୟକ କୋହଲିଙ୍କର। କୋହଲିଙ୍କ ଯୁକ୍ତି ହେଉଛି ଯେ ରିଷ୍ଟ ସ୍ପିନର ଯଦି ଦିନିକିଆ ଓ ଟ୍ୱେଣ୍ଟି୨୦ରେ ୱିକେଟ ନେଇ ପାରୁଛନ୍ତି; ସେମାନେ ଟେଷ୍ଟମ୍ୟାଚ୍‍ରେ କାହିଁକି ସଫଳ ହୋଇ ନପାରିବେ?
ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲଙ୍କ ମଧ୍ୟରୁ ବିରାଟ କୋହଲିଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଲେଗ୍‍ସ୍ପିନର ଚହଲ। ଆଫ୍‍ଗାନିସ୍ତାନ ବିପକ୍ଷରେ ଅଶ୍ୱିନଙ୍କ ସ୍ଥାନରେ ଚହଲଙ୍କୁ ଖେଳାଇବା ପାଇଁ ମନୋନୟନକାରୀଙ୍କୁ କୋହଲି କହିଥିଲେ। ତେବେ ଅଶ୍ୱିନଙ୍କ ପରି ବରିଷ୍ଠ ସ୍ପିନରଙ୍କୁ ବସାଇବାକୁ ମନୋନୟକାରୀ ଚାହିଁନଥିଲେ। ପୁଣି କୋହଲି ନିଜେ ଏହି ଟେଷ୍ଟମ୍ୟାଚ୍‍ରୁ ଓହରି ଯାଇଥିବାରୁ ମନୋନୟନକାରୀ ତାଙ୍କ ଅନୁରୋଧ ରକ୍ଷା କରିନଥିଲେ। ଦିନିକିଆ ଦଳର ଅଧିନାୟକ ହେବା ପରଠାରୁ କୋହଲି ରିଷ୍ଟ ସ୍ପିନରଙ୍କୁ ଅଧିକ ଭରସା କରୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚହଲ ଓ କୁଲଦୀପ ଭାରତକୁ ଉଭୟ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‍ ଜିତାଇଥିଲେ। ଫଳରେ ଅଶ୍ୱିନ ଓ ଜାଡ଼େଜାଙ୍କ ପରି ସ୍ପିନର ଭାରତୀୟ ସୀମିତ ଓଭର ଦଳକୁ ଫେରିବା କଷ୍ଟକର ହୋଇଯାଇଛି।
ଜାଣିବାକୁ ମିଳିଛି ଯେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ୍‍ ପାଇଁ ଉଭୟ ଯଶପ୍ରୀତ ବୁମ୍‍ରା ଓ ୟୁଜୁବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରିବାକୁ କୋହଲି ଚାହିଁଥିଲେ। ଏଥିପାଇଁ ରଣଜୀ ଟ୍ରଫି ନ ଖେଳି ଜାତୀୟ କ୍ରିକେଟ ଏକାଡେମୀରେ ଦୁହିଁଙ୍କୁ ଅଭ୍ୟାସ କରିବାକୁ କୁହା ଯାଇଥିଲା। ତେବେ କେବଳ ବୁମ୍‍ରାଙ୍କୁ ମନୋନୟନକାରୀ ଟେଷ୍ଟ ଦଳରେ ରଖିଥିଲେ। ଏବେ ଜାଣିବାକୁ ମିଳିଛି ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ଲାଗି ଚହଲଙ୍କ ନାମ ବିଚାର କରିବାକୁ ମନୋନୟନକାରୀଙ୍କୁ କୋହଲି କହିଛନ୍ତି। ଯଦି ଚହଲ ଦଳରେ ରହନ୍ତି; ତେବେ ଜାଡ଼େଜା ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବସିବାକୁ ପଡ଼ିବ। ପୁଣି ଚୂଡ଼ାନ୍ତ ଏକାଦଶରେ ୧ରୁ ଅଧିକ ସ୍ପିନର ଖେଳିବାର ସମ୍ଭାବନା କମ୍‍ ଥିବାରୁ ଏପରି ହୋଇପାରେ ଯେ ଅଶ୍ୱିନଙ୍କ ସ୍ଥାନରେ ଚହଲ ଖେଳିପାରନ୍ତି। ଏବେ ଦେଖିବାକୁ ବାକିରହିଲା ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପାଇଁ ଚହଲଙ୍କୁ ସ୍ଥାନମିଳୁଛି କି ନାହିଁ।

Leave A Reply