ସର୍ବସାଧାରଣରେ ଛେପ ପକାଇବା ସହ ଧୂମପାନ କରୁଛନ୍ତି କି, ସାବଧାନ ଯିବାକୁ ପଡିପାରେ ଜେଲ୍

ମୁମ୍ବଇ : ସର୍ବସାଧାରଣ ସ୍ଥାନରେ ଛେପ ପକାଉଛନ୍ତି ଏବଂ ଧୂମପାନ କରୁଛନ୍ତି କି, ସାବଧାନ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ ।  କରୋନା ମହାମାରୀ ସମୟରେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ନେଇ କଡାକଡି ନିୟମ କରାଯାଇଛି । କିନ୍ତୁ ମହରାଷ୍ଟ୍ର ସରକାର ଆଉ ପାଦେ ଆଗେଇ ଯାଇ ସର୍ବସାଧାରଣରେ ଛେପ ପକାଇଲେ ଏବଂ ଧୂମପାନ କଲେ ଜେଲ୍ ଦଣ୍ଡ ଭଳି କଠୋର ଆଇନ ଲାଗୁ କରିବାକୁ ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ସରକାର ଶୁକ୍ରବାର ସର୍ବସାଧାରଣରେ ଛେପ ପକାଇବା ଏବଂ ଧୂମପାନ ବିରୁଦ୍ଧରେ ଆଇନକୁ କଡାକଡି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ରୋଗ ଆଇନ,୧୮୯୭ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ରେ ସଂଶୋଧନ କରି ବାରମ୍ବାର ଏଭଳି ଅପରାଧ କଲେ ଅପରାଧୀଙ୍କୁ ତତ୍କାଳ ଜୋଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ଏଭଳି ଅପରାଧ କଲେ ଅପରାଧୀମାନେ ୬ ମାସରୁ ସର୍ବାଧିକ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ। ସର୍ବସାଧାରଣରେ ଛେପ ପକାଇବା କୋଭିଡ-୧୯ ସଂକ୍ରମଣକୁ ଆହୁରି ବ୍ୟାପକ କରିବ ବୋଲି ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଲୋକଙ୍କୁ ସର୍ବସାଧାରଣରେ ଛେପ ପକାଇବାକୁ ବାରଣ କରାଯାଇଥିଲେ ମଧ୍ୟ ସେମାନେ ଛେପ ପକାଉଛନ୍ତି ଏବଂ ଜରିମାନା ଗଣୁଛନ୍ତି। କୋଭିଡ-୧୯ ବ୍ୟାପିବାରେ ଛେପ ପକାଇବା ମଧ୍ୟ ସହଯୋଗ କରୁଛି । ଏହାକୁ ବିଚାର କରି, ଆମେ ନିୟମକୁ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛୁ । ବାରମ୍ବାର ଏଭଳି ଅଭ୍ୟାସର ପୁନରାବୃତ୍ତି କରୁଥିବା ଅପରାଧୀମାନେ ସର୍ବନିମ୍ନ ୬ ମାସ ଜେଲରେ ରହିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଟୋପ ତାଙ୍କ ଉଦବୋଧନରେ କହିଛନ୍ତି ।

ବମ୍ବେ ପୋଲିସ ଅଧିନିୟମ ଅନୁଯାୟୀ ରାଜ୍ୟ ସରକାର ଛେପ ପକାଇବାକୁ ବାରଣ କରିସାରିଛନ୍ତି । ୨୦୦୩ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମ ଅନୁସରଣ କରି, ରାଜ୍ୟ ମଧ୍ୟ ଧୂମପାନ ଉପରେ ନିଷେଧାଦେଶ ଜାରି କରିଛି ଏବଂ ୨୦୧୩ରେ ତମାଖୁ ଉତ୍ପାଦନ, ସଂରକ୍ଷଣ, ବଣ୍ଟନ, ପରିବହନ ଏବଂ ବିକ୍ରୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ତେବେ ଅପରାଧୀଙ୍କୁ ବର୍ତ୍ତମାନ ଜରିମାନା କରାଯାଉଛି । ବମ୍ବେ ପୋଲିସ ଅଧିନିୟମ ଅନୁଯାୟୀ ସର୍ବସାଧାରଣରେ ଛେପ ପକାଇବା ଏବଂ ଧୂମପାନ କରିବାର ପ୍ରଥମ ତିନୋଟି ଅପରାଧ ପାଇଁ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ।କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଇନର କଠୋର କାର୍ଯ୍ୟକାରିତା ପାଇଁ ମହାମାରୀ ରୋଗ ଆଇନ ଏବଂ ଆଇପିସି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଆଇପିସିର ଧାରା ୨୬୯ ଅନୁଯାୟୀ, ଅପରାଧୀଙ୍କୁ ଛଅ ମାସ ଜେଲ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ ଏବଂ ଧାରା ୨୭୦ ଅନୁଯାୟୀ ଅପରାଧୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

Comments are closed.