ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ଗୃହିତ

କଂଗ୍ରେସ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ: ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ୨୦୧୯ ପାସ୍ ହୋଇଯାଇଛି। ଏହା ପୂର୍ବରୁ ଏହି ବିଲ୍ ଲୋକସଭାରେ ପାସ୍ ହୋଇ ସାରିଛି। ରାଜ୍ୟସଭାରେ ଏହି ବିଲ୍ ଉପରେ ଚର୍ଚା ହେଉଥିବା ସମୟ‌ରେ ଗୃହମନ୍ତ୍ରୀ ଅମିତ ଶାହା ଗାନ୍ଧୀ ପରିବାର ଉପରେ ଖୁବ୍ ବର୍ଷିଥିଲେ। ଶାହା କହିଥିଲେ କି ‘ଗାନ୍ଧୀ ପରିବାରକୁ ଧ୍ୟାନରେ ରଖି ଏହି ବିଲ୍ ଆସିନାହିଁ। ଏହି ବିଲ୍ ସହ ଗାନ୍ଧୀ ପରିବାର କୌଣସି ସମ୍ପର୍କ ନାହିଁ।’ ଶାହା ଆହୁରି ମଧ୍ୟ କହିଥିଲେ ଏସପିଜି ବିଲରେ ପୂର୍ବରୁ ୪ଥର କରାଯାଇଥିବା ପରିବର୍ତ୍ତନ ଏକ ପରିବାରକୁ ଧ୍ୟାନରେ ରଖି କରାଯାଇଥିଲା। କିନ୍ତୁ ଏଥର ସେମିତି ହୋଇନାହିଁ। ସୁରକ୍ଷା ସମସ୍ତଙ୍କୁ ମିଳିବା ଆବଶ୍ୟକ। କେବଳ କଂଗ୍ରେସକୁ ନୁହେଁ। ୧୩୦ କୋଟି ଦେଶବାସୀଙ୍କ ସୁରକ୍ଷାର ଦାୟିତ୍ବ ମୋଦୀ ସରକାରଙ୍କର ଅଟେ।
କିନ୍ତୁ ଗାନ୍ଧୀ ପରିବାର ଜିଦ୍ ସେମାନଙ୍କୁ ଏସପିଜି ସୁରକ୍ଷା ଦରକାର, ଏମିତି ଜିଦ୍ କଣପାଇଁ ଏହା ମୁଁ ବୁଝି ପାରୁନି ବୋଲି ଶାହା କହିଥିଲେ। ଏସପିଜି ସୁରକ୍ଷା ଦେଉଥିବା ଯବାନ ବିଦେଶରୁ ଆସନ୍ତିନାହିଁ। ଏହି ଦେଶର ଯବାନ ହିଁ ଥାଆନ୍ତି। ଶାହା କହିଛନ୍ତି ସରକାର ଗାନ୍ଧୀ ପରିବାର ଉପରୁ ସୂରକ୍ଷା ହଟେଇ ନାହାନ୍ତି କେବଳ ବଦଳାଇଛନ୍ତି। ଯେଉଁ ସୁରକ୍ଷା ଦେଶର ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ରକ୍ଷାମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମିଳେ ସେହି ସୂରକ୍ଷା ଗାନ୍ଧୀ ପରିବାରକୁ ମଧ୍ୟ ମିଳିବ।

Comments are closed.