ଚର୍ଚ୍ଚାରେ ‘ମଧ୍ୟସ୍ଥି’ ସ୍ପେଶାଲିଷ୍ଟ ପୁଲିସ ଅଧିକାରୀ ; କେବେ ସୁଧୁରିବେ ଲାଞ୍ଚୁଆ ଫାଣ୍ଡି ବାବୁ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଜିଲାର କୋଣ ଅନୁକୋଣରେ ଥିବା ଥାନା ବାବୁ, ଏସ୍ଆଇ, ଫାଣ୍ଡି ବାବୁଙ୍କ ଗୋଟିଏ ପରେ ଗୋଟିଏ କାରନାମା ଚର୍ଚ୍ଚାର ବିଷୟ ପାଲଟୁଛି। ହତ୍ୟା, ଲୁଟ ସହ ରାହାଜାନି ଭଳି ଅନେକ ମାମଲା ଅସମାହିତ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ମୁତୟନ ଜିଲାର ପୁଲିସ ଅଧିକାରୀ ଯେଝା ନୀତିରେ ଚାଲିଥିବା ବେଳେ ଜିଲା ମୁଖିଆ ନୀତିନ କୁଶଲକର ଦ୍ବନ୍ଦରେ ପଡିଛନ୍ତି। ଏପରିକି ଗଣମାଧ୍ୟମକୁ ମଧ୍ୟ କୌଣସି ମତାମତ ଦେବାକୁ ସାହସ ଜୁଟାଇପାରୁନଥିବା ଆଲୋଚନାର ବିଷୟ ହୋଇଛି।

ଜିଲାର ଜଣେ ଥାନା ବାବୁ ଇତି ମଧ୍ୟରେ ବଦଳି ହୋଇ ସାରିଲେଣି। ହେଲେ ତାଙ୍କ କାରନାମା ନେଇ ତାଙ୍କୁ ସ୍ଥାନୀୟ ଲୋକେ କାଉଣ୍ଟର ସ୍ପେଶାଲିଷ୍ଟର ଆଖ୍ୟା ଦେବାକୁ ପଛାଉ ନାହାନ୍ତି। ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି ବାବୁ ଜଣଙ୍କ ପାଖକୁ କୌଣସି ଅଭିଯୋଗଟିଏ ପହଞ୍ଚିଲେ କଥା ସରିଲା। ମଧ୍ୟସ୍ଥଙ୍କ ହାତରେ ପ୍ରଥମେ ଅଭିଯୁକ୍ତଙ୍କ ଠାରୁ କାଉଣ୍ଟର ଅଭିଯୋଗ ହାତେଇ ନେଉଛନ୍ତି। ତା’ପରେ ଆରମ୍ଭ ମୂଲଚାଲ ଓ ଖୋସାମଦ । ଏନେଇ ଅଭିଯୋଗକାରୀ ଓ ଅଭିଯୁକ୍ତ ପକ୍ଷରୁ ଚାନ୍ଦା ନେଇ ମାମଲାକୁ ସେଠାରେ ହିଁ ସମାଧାନ ନାଁରେ ରଫାଦଫା କରିଦେବାର ବେଶ ଧୁରନ୍ଧର ମହାନ୍ତି ବାବୁ । ଯଦି ଅଭିଯୋଗକାରୀ ମାନିଲେନି ଓ ଅଭିଯୁକ୍ତ ଭଲ ଦକ୍ଷିଣା ଦେଇଛନ୍ତି ତେବେ ପୁଲିସ ନୀତି ଏଠି ବି ଭଲ ଭାବେ କାଏମ କରୁଥିଲେ ମହାଶୟ। ଦୁଇ ପକ୍ଷଙ୍କ ନାଁରେ ମାମଲା ନିଶ୍ଚୟ ରୁଜୁ କରାଯାଇ ପରେ କୋର୍ଟରେ ଆପୋଷ ବୁଝାମଣା ପାଇଁ ଅଭିଯୁକ୍ତଙ୍କ ପାଇଁ ଏକ ବାଟ ଖୋଲି ଦିଆଯାଉଥିଲା। ଏପରିକି ହତ୍ୟା ଉଦ୍ୟମର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ଅଭିଯୋଗକାରୀ ପୀଡିତଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମାମଲା ପରିଚାଳନା କ୍ଷେତ୍ରରେ ଏହି ଅଧିକାରୀ ରେକର୍ଡ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। କାଉଣ୍ଟର ସ୍ପେଶାଲିଷ୍ଟ ବାବୁ ଜଣକ କରୋନା ଲକଡାଉନ ସମୟରେ ରନ୍ଧା ମଦ, ଦେଶୀ ବିଦେଶୀ ମଦ ବେପାରରୁ ମଧ୍ୟ ଖୁବ ମୁନାଫା ଅର୍ଜନ କରିଥିବା ଆଲୋଚନା ହେଉଛି। ଏପରିକି ବାଲି, ପଥର ଖଣିଖାଦାନ, ଜମି କିଣାବିକାରେ ମଧ୍ୟ ବାବୁ ପାରଙ୍ଗମ ବୋଲି ଚର୍ଚ୍ଚା ଜୋର ଧରିଛି। ଏଭଳି ବାବୁ ମାନଙ୍କ ପାଇଁ ନୂଆ କରି ଯୋଗ ଦେଉଥିବା ସବ୍ ଇନ୍ସପେକ୍ଟର ମଧ୍ୟ ବାଟ ହୁଡୁଥିବା ଦହଦହ ଆଖିରେ ଦେଖା ଯାଉଛି।

ଜଣେ ଯୁବ ଅଧିକାରୀ ଜିଲାରେ ଯୋଗ ଦେଉ ଦେଉ ନିଜକୁ ଜଣେ ପରିବା ବିକାଳିଙ୍କ ପୁଅ ବୋଲି ଖୁବ ଆଦର ସମ୍ମାନ ସାଉଁଟିଥିଲେ । ପରେ ଲାଞ୍ଚ ମୁହାଁ ସହ ବର୍ତ୍ତମାନ ଖାକି ବର୍ଦ୍ଦିରେ ଦାଗ ଲଗାଇ ଅନ୍ତର୍ଦ୍ଧ୍ୟାନ। ଅନ୍ୟପକ୍ଷରେ ଜିଲାରେ ନିଯୁକ୍ତ ଏଏସ୍ଆଇମାନେ ମଧ୍ୟ କମ ନୁହନ୍ତି । ପୂର୍ବରୁ ଅଭିଯୋଗକାରୀଙ୍କୁ କୁକୁଡା ମାଗି ଜଣେ ଏଏସ୍ଆଇ ନିଲମ୍ବିତ ହୋଇଥିଲେ। ନୂଆ ବାବୁ ଆସିବା ପରେ ଏହି ଧାରା ବଜାୟ ରହିଛି । ବେଲଗାଁ ଫାଣ୍ଡି ବାବୁ ଏଏସଆଇ ଅନାଦି ମଟାରି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ମାଗି ୫ଟି ଜାଲରେ ଫଶିଛନ୍ତି । ପୂର୍ବରୁ ପାଟଣାଗଡରେ ନିୟୋଜିତ ଥିବା ବେଳେ ମଧ୍ୟ ବାବୁ ଜଣକ କାରନାମା ଦେଖାଇ ନିଲମ୍ବିତ ହୋଇଥିଲେ। ତାଙ୍କୁ ଏଥର ମଧ୍ୟ ନିଲମ୍ବନ କରାଯାଇପାରେ ବୋଲି ଶୁଣାଯାଉଛି ।

Comments are closed.