ଆମେରିକାରେ ପଟ-ପରିବର୍ତ୍ତନ ଓ ଗଣତନ୍ତ୍ରର ଭବିଷ୍ୟତ

- ଅରବିନ୍ଦ ବେହେରା

ବ୍ରିଟେନର ପ୍ରଖ୍ୟାତ ପ୍ରଧାନମନ୍ତ୍ରୀ ଉଇନ୍‍ଷ୍ଟନ୍‍ ଚର୍ଚିଲ୍‍ କହିଥିଲେ ଗଣତନ୍ତ୍ର ହେଉଛି ସବୁଠାରୁ ନିକୃଷ୍ଟ ଧରଣର ଶାସନ ବ୍ୟବସ୍ଥା; କିନ୍ତୁ ଅନ୍ୟ ସବୁ ଶାସନ ବ୍ୟବସ୍ଥାକୁ ଛାଡି। ଏହାର ଅର୍ଥ ହେଉଛି ଏ ପର୍ୟ୍ୟନ୍ତ ପୃଥିବୀ ଇତିହାସରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଛି ସବୁଠାରୁ ଶ୍ରେଷ୍ଠ ବ୍ୟବସ୍ଥା ହେଉଛି ଗଣତନ୍ତ୍ର; ତଥାପି ପୃଥିବୀର ରାଜନୈତିକ ଇତିହାସରେ ଗଣତନ୍ତ୍ରର ବୟସ ଅପେକ୍ଷାକୃତ ସଂକ୍ଷିପ୍ତ, ପ୍ରାୟ ଅଢେଇଶହ ବର୍ଷର ବୋଲି କୁହାଯାଇପାରେ। ଜଣେ ବିଖ୍ୟାତ ଐତିହାସିକଙ୍କ ମତରେ ଗଣତନ୍ତ୍ରର ଜୀବନ ଇତିହାସ ସମୟର ବିସ୍ତୃତ କାନ୍‍ଭାସ ଉପରେ ଏକ କ୍ଷୁଦ୍ର ବିନ୍ଦୁ ପରି। ହଜାରହଜାର ବର୍ଷ ଧରି ଲୋକେ ବିଶ୍ୱାସ କରୁଥିଲେ ଯେ ଶାସନ କରିବାର ଅଧିକାର ଆସୁଥିଲା ଈଶ୍ୱରୀୟ ଆଇନ୍‍ରୁ, ମଣିଷର ହୃଦୟରୁ ନୁହେଁ। ଉଦାରବାଦୀ ଗଣତନ୍ତ୍ର ଏବଂ ମୁକ୍ତ ବଜାର ମଣିଷକୁ ଏକ ସ୍ୱୟଂଚାଳିତ, ସ୍ୱାଧୀନ ଭାବରେ ନିଷ୍ପତ୍ତି ନେଉଥିବା ଜୀବ ଭାବରେ ଦେଖିବାକୁ ଆରମ୍ଭ କଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହିଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପୃଥିବୀରେ ବ୍ୟାପକ ଭାବରେ ପ୍ରଚଳିତ ହେଲା। ସେତେବେଳେ ମନେ ହେଲା ଯେପରି ଅଳ୍ପ କେତୋଟି ଦେଶକୁ ଛାଡି ଦେଲେ ଅନ୍ୟ ସବୁ ଦେଶ ଯେପରି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ହିଁ ଗ୍ରହଣ କରିନେଇଛନ୍ତି। ୧୯୪୦ଦଶକରୁ ୧୯୮୦ ଦଶକ ମଧ୍ୟରେ ଫାଶୀବାଦ ପ୍ରତିହତ ହୋଇଥିଲା ଏବଂ ଯେଉଁ ଦୁଇଟି ମତବାଦ ମଧ୍ୟରେ ଦ୍ୱନ୍ଦ୍ୱ ଥିଲା ସେଗୁଡିକ ହେଲା କମ୍ୟୁନିଜମ୍‌ ଓ ଲିବେରାଲିଜ୍‍ମ ବା ଉଦାରବାଦୀ ଗଣତନ୍ତ୍ର। ୧୯୮୦ ଦଶକ ଶେଷ ବେଳକୁ କମ୍ୟୁନିଜ୍‍ମ୍‍ ମତବାଦ ଦ୍ୱାରା ପରିଚାଳିତ ଦେଶଗୁଡ଼ିକ ସଂଖ୍ୟା ଆହୁରି କମିଗଲା।

୨୦୦୮ର ଅର୍ଥନୈତିକ ସଂକଟ ପରେ ଉଦାରବାଦୀ ଗଣତନ୍ତ୍ରର ଜୟଯାତ୍ରା ଯେପରି ହଠାତ୍‍ ଅଟକି ଯାଇଥିଲା। ସେତିକିବେଳେ ପୃଥିବୀର ବିଭିନ୍ନ ସ୍ଥାନରେ ଜଗତୀକରଣର ଉପାଦେୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। କ୍ରମେ ଅନେକ ରାଷ୍ଟ୍ରରେ ରାଷ୍ଟ୍ରବାଦ ମୁଣ୍ଡ ଟେକିଲା ଏବଂ ଛଦ୍ମ ବା ଶସ୍ତା ଲୋକପ୍ରିୟତାରେ ବିଶ୍ୱାସ କରୁଥିବା ରାଜନୀତିଜ୍ଞମାନେ (ଡିମାଗୋଗ୍‍) ଶାସନକୁ ଅକ୍ତିଆର କରିବାକୁ ଲାଗିଲେ। ଏହି ଧାରାରେ ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ଥିଲା ୨୦୧୭ ଜାନୁଆରୀରେ ଡୋନାଲ୍‍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା। ସେ ପର୍ୟ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଯେପରି ଭାବରେ ସମଗ୍ର ବିଶ୍ୱକୁ ଅର୍ଥନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ଦେଉଥିଲା, ରାଜନୀତିରେ ଅପେକ୍ଷାକୃତ ଅନଭିଜ୍ଞ ଟ୍ରମ୍ପ ସେହି ପରମ୍ପରାକୁ ଆମୂଳଚୂଳ ବଦଳାଇବାକୁ ଚାହିଁଲେ। ଜଳବାୟୁ ପରିବର୍ତ୍ତନ ସଂପର୍କରେ ପ୍ୟାରିସ୍‍ ବୁଝାମଣାରୁ ଓହରିଯିବା, ବାଣିଜ୍ୟ ସଂପର୍କୀୟ ବିିଭିନ୍ନ ରାଷ୍ଟ୍ର ମଧ୍ୟରେ ହୋଇଥିବା ଚୁକ୍ତିକୁ ଗୁରୁତ୍ୱ ନଦେବା, ସେଥିରୁ ଓହରିଯିବା ବା ଓହରିଯିବା ପାଇଁ ଦେଶଗୁଡ଼ିକୁ ପ୍ରବର୍ତ୍ତାଇବା, ନାଟୋ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ଅଙ୍ଗୀକାରବଦ୍ଧତାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିବା, ଇରାନ୍‍ ସହ ହୋଇଥିବା ଆଣବିକ ବୁଝାମଣାକୁ ବାତିଲ କରିବା ଇତ୍ୟାଦି ଥିଲା ଟ୍ରମ୍ପ ଉତ୍ତରଦାନ (ଲିଗାସି)ର କେତୋଟି ଉଦାହରଣ; କିନ୍ତୁ ଏହି ଉତ୍ତରଦାନର ସବୁଠାରୁ ବିପଜ୍ଜନକ ଦିଗ ଥିଲା ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଜନଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟି କରିବା, ଭ୍ରମାତ୍ମକ ଜାତୀୟତା ଓ ମିଥ୍ୟାକୁ ନେଇ ରାଜନୀତି କରିବା। ଟ୍ରମ୍ପଙ୍କର ନୀତି ପୃଥିବୀର ଅନ୍ୟ ଏକଛତ୍ରବାଦୀ ଶାସକମାନଙ୍କୁ ଉତ୍ସାହିତ କଲା। ଇସ୍ରାଏଲ, ହଙ୍ଗେରୀ, ତୁର୍କୀ, ବ୍ରାଜିଲ, ରୁଷିଆ ଇତ୍ୟାଦି ଦେଶକୁ ଏ ଦୃଷ୍ଟିରୁ ଉଦାହରଣ ଭାବରେ ନିଆଯାଇ ପାରେ। କିଛିଦିନ ହେବ ଆନ୍ତର୍ଜାତିକ ବ୍ୟାପାର ବିଶେଷଜ୍ଞମାନେ ଭାରତକୁ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ କରିବା ଆରମ୍ଭ କରିଛନ୍ତି।

ଗତବର୍ଷ ନଭେମ୍ବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ଟ୍ରମ୍ପ ପରାଜୟକୁ କେବଳ ଅସ୍ୱୀକାର କରିନଥିଲେ, ନିର୍ବାଚନକୁ ତାଙ୍କଠାରୁ ଚୋରାଇ ନିଆଯାଇଛି ବୋଲି ତାଙ୍କ ସମର୍ଥକଙ୍କ ମଧ୍ୟରେ ଏକ ବଦ୍ଧମୂଳ ଧାରଣା ସୃଷ୍ଟି କରି ଚାଲିଥିଲେ, ଯାହାର ଶେଷ ପରିଣତି ଥିଲା ଜାନୁୟାରୀ ୬ରେ ହଜାର ହଜାର ଟ୍ରମ୍ପ ସମର୍ଥକଙ୍କର ୱାଶିଂଟନ୍‍ର କ୍ୟାପିଟଲ ଉପରେ ହୋଇଥିବା ଆକ୍ରମଣ। ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ନିଜର ପରାଜୟକୁ ସଂଭ୍ରମର ସହ ସ୍ୱୀକାର କରୁଥିଲେ ଏବଂ ଶାସନ ହସ୍ତାନ୍ତର ପ୍ରକ୍ରିୟାଟି ଶାନ୍ତିପୂର୍ଣ୍ଣ ଭାବରେ ସଂଘଟିତ ହେଉଥିଲା। ଅନେକ ବର୍ଷ ଧରି ଆମେରିକା ନିଜ ଦେଶରେ ଗଣତନ୍ତ୍ରକୁ ନେଇ କେବଳ ଗର୍ବ କରୁଥିଲା ତାହା ନୁହେଁ, ଅନ୍ୟ ଅଗଣତାନ୍ତ୍ରିକ ଦେଶଗୁଡ଼ିକୁ ରୀତିମତ ନୀତି ଉପଦେଶ ମଧ୍ୟ ଦେଉଥିଲା। ଏ ଦୃଷ୍ଟିରୁ ଜାନୁଆରୀ ୬ର ଘଟଣା ଥିଲା ଆମେରିକାର ଇତିହାସରେ ଅଭୂତପୂର୍ବ। ହଠାତ୍‍ ଯେପରି ପୃଥିବୀର ସର୍ବପୁରାତନ ଗଣତନ୍ତ୍ରଟି ବିଶ୍ୱ ସମକ୍ଷରେ ଛିଡା ହୋଇଥିଲା ନିଜର ଦୟନୀୟ ଓ ଲଜ୍ଜାଜନକ ଅବସ୍ଥାକୁ ନେଇ।
ଜାନୁଆରୀ ୬ ଘଟଣା ପାଇଁ ଦାୟୀ କରି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଆମେରିକାର କଂଗ୍ରେସ ଅନୁମୋଦନ କରିଛି। ଏହିପରି ମହାଭିଯୋଗ ପ୍ରସ୍ତାବ ତାଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଥରେ ଅନୁମୋଦିତ ହୋଇଥିଲା। ଦୁଇଥର ମହାଭିଯୋଗ ପ୍ରସ୍ତାବ ଆସି ଅନୁମୋଦିତ ହେବା ଆମେରିକା ଇତିହାସରେ ପ୍ରଥମ ଘଟଣା। ଗଣତନ୍ତ୍ରରେ ଅତୁଟ ବିଶ୍ୱାସ ଟ୍ରମ୍ପଙ୍କର ପ୍ରକୃତ ପରିଚୟ କେବେ ନଥିଲା। ଅତୀତରେ ଆମେରିକାରେ ହୁଏତ ମ୍ୟାକାର୍ଥୀ, ଜର୍ଜ ୱାଲେସ୍‍, ହେନେରୀ ଫୋର୍ଡଙ୍କ ପରି ଅଳ୍ପ କେତେଜଣ ଡିମାଗୋଗ୍‍ ଥିଲେ ଯେଉଁମାନଙ୍କଠାରେ ମଧ୍ୟ ଏକଛତ୍ରବାଦ ମନୋଭାବ କିଛି ମାତ୍ରାରେ ରହିଥିଲା; କିନ୍ତୁ ଟ୍ରମ୍ପଙ୍କର ଅଗଣତାନ୍ତ୍ରିକ ମନୋଭାବ ଓ କାର୍ୟ୍ୟକଳାପ ସମସ୍ତଙ୍କଠାରୁ ବଳି ଯାଇଥିବା ଦେଖାଗଲା।

ଜାନୁଆରୀ ୨୦ରେ (ଆଜି) ନୂଆ ରାଷ୍ଟ୍ରପତି ଶପଥ ନେବା ସମୟରେ ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଟ୍ରମ୍ପଙ୍କର ପ୍ରଭାବ ବିଷୟ ବିଶ୍ୱବ୍ୟାପୀ ଆଲୋଚିତ ହେବା ସ୍ୱାଭାବିକ। ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ସହିତ ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରର ଗଣମାଧ୍ୟମଗୁଡ଼ିକରେ କେବଳ ଟ୍ରମ୍ପଙ୍କ ବିଷୟରେ ନୁହେଁ; ଗଣତନ୍ତ୍ରର ଭବିଷ୍ୟତ ସଂପର୍କରେ ମଧ୍ୟ ବିଚାର ଆଲୋଚନା ଚାଲିଛି। ଗଣତନ୍ତ୍ର ସର୍ବୋତ୍ତମ ଶାସନ ବ୍ୟବସ୍ଥା ହେଲେ ମଧ୍ୟ ଏହା କେତେ କୋମଳ ଓ ଭଙ୍ଗୁରପ୍ରବଣ ତାହା ଉପରେ ଯେଉଁ ଆଲୋଚକମାନେ ଆଲୋକପାତ କରିଛନ୍ତି ସେମାନଙ୍କ ମଧ୍ୟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଭେନ ଲେଭିଟ୍‍ସ୍କି ଓ ଡାନିଏଲ ଜିବ୍‍ଲାଟ୍‍ ଅଗ୍ରଗଣ୍ୟ। ‘ଗଣତନ୍ତ୍ରର କିପରି ମୃତ୍ୟୁ ହୁଏ’ ପୁସ୍ତକରେ ସେମାନେ ଗଣତନ୍ତ୍ରର କିପରି ଅବକ୍ଷୟ ଓ ମୃତ୍ୟୁ ହୁଏ ଏବଂ ଏହି ବ୍ୟବସ୍ଥାକୁ କିପରି ସୁରକ୍ଷା ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଛନ୍ତି।

ସ୍ୱୟଂଚାଳିତ ସ୍ୱାଧୀନ ଅନୁଷ୍ଠାନଗୁଡିକ ଗଣତନ୍ତ୍ରର ସୁଦୃଢ ସ୍ତମ୍ଭ ବୋଲି ବିବେଚନା କରାଯାଏ। ସେଥିପାଇଁ ସମ୍ବିଧାନରେ ଏପରି ବ୍ୟବସ୍ଥା ଥାଏ ଯାହାଦ୍ୱାରା ପ୍ରତ୍ୟେକ ଅନୁଷ୍ଠାନ ନିଜ ପରିସର ମଧ୍ୟରେ ରହନ୍ତି, ସେମାନଙ୍କର ପରସ୍ପର ପ୍ରତି ସମ୍ମାନ ଥାଏ; କିନ୍ତୁ କୌଣସି ଅନୁଷ୍ଠାନ ଅନ୍ୟ ଅନୁଷ୍ଠାନର ବଶ୍ୟତା ସ୍ୱୀକାର କରିବା କିମ୍ବା ଅନ୍ୟର ପରିସରରେ ଅନୁପ୍ରବେଶ କରିବାର ଅବକାଶ ନଥାଏ। ଏକଛତ୍ରବାଦୀ ମନୋବୃତ୍ତିର ନେତା ଚାହାନ୍ତି ସବୁ ଅନୁଷ୍ଠାନକୁ ନିଜ ଅଧୀନରେ ରଖିବା ଓ ସେଗୁଡିକୁ ନିୟନ୍ତ୍ରଣ କରିବା; କିନ୍ତୁ ଗଣତାନ୍ତ୍ରିକ ସମ୍ବିଧାନ ଏହି ମନୋବୃତ୍ତିରେ ଲଗାମ ପରି କାମ କରିବ ବୋଲି ରାଜନୀତି ବିଶାରଦମାନେ ବିଶ୍ୱାସ କରିଆସିଛନ୍ତି; କିନ୍ତୁ ବାସ୍ତବରେ କେବଳ ସମ୍ବିଧାନ ବା ଆଇନ୍‍ ଦ୍ୱାରା ଗଣତନ୍ତ୍ରର ସୁରକ୍ଷା ହୋଇପାରିବ ନାହିଁ, ଆମେରିକାର ଘଟଣାବଳୀ ଏହା କେତେକାଂଶରେ ପ୍ରମାଣ କରୁଛି। ଏଥିପାଇଁ ସୁସ୍ଥ ଗଣତାନ୍ତ୍ରିକ ସଂସ୍କୃତି, ଅନୁଷ୍ଠାନଗୁଡ଼ିକ ପ୍ରତି ସମ୍ମାନ ଓ ପରମ୍ପରାର ଗୁରୁତ୍ୱ ଖୁବ୍‍ ବେଶୀ। ଏହି ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ନଥିବା ବ୍ୟକ୍ତି ଯଦି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସର୍ବୋଚ୍ଚ ସ୍ଥାନକୁ ଅଧିକାର କରି ବସନ୍ତି, ଅନୁଷ୍ଠାନ ଓ ପରମ୍ପରାଗୁଡିକୁ ଦୁର୍ବଳ କରିଦେବା ତାଙ୍କ ପାଇଁ କଷ୍ଟକର ହୋଇନଥାଏ। କ୍ରମେ ନିଜ ଦଳ ନୁହେଁ; ନ୍ୟାୟପାଳିକା, ସଂସଦ, ନିର୍ବାଚନ କମିସନ, କେନ୍ଦ୍ରୀୟ ବ୍ୟାଙ୍କ ଇତ୍ୟାଦି ଅନୁଷ୍ଠାନକୁ ମଧ୍ୟ ସେମାନେ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। କାର୍ୟ୍ୟପାଳିକାର ଅଙ୍ଗ ହୋଇଥିଲେ ମଧ୍ୟ ଏବଂ ଶାସନ ମୁଖ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ୟ୍ୟ କରୁଥିଲେ ମଧ୍ୟ ସେଥିରେ କାର୍ୟ୍ୟ କରୁଥିବା ବିଭିନ୍ନ ବିଭାଗ ଓ ଅଧିକାରୀଙ୍କର ସମ୍ବିଧାନ ଓ ଆଇନ ଅନୁଯାୟୀ ନିରପେକ୍ଷ ଓ ସ୍ୱାଧୀନ ଭାବରେ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି। ଯେପରି ଆମେରିକାର ସର୍ବୋଚ୍ଚ ତଦନ୍ତ ଅନୁଷ୍ଠାନ ଏଫ୍‍.ବି.ଆଇ। ପୁଲିସ୍‍ ବାହିନୀ ସରକାରଙ୍କ ଅଧୀନସ୍ଥ ହୋଇଥିଲେ ମଧ୍ୟ ନିରପେକ୍ଷ ଓ ସ୍ୱାଧୀନ ଭାବରେ କାର୍ୟ୍ୟ ନ କଲେ ଗଣତନ୍ତ୍ର ବିପଦାପନ୍ନ ହୁଏ, ଯାହାର ପ୍ରମାଣ ନିକଟରେ ଆମେରିକାରେ ମିଳିଛି। ଆମେରିକାର ସୁରକ୍ଷା ବାହିନୀର କେତେକ ଅଧିକାରୀ ମଧ୍ୟ ବର୍ଣ୍ଣବୈଷମ୍ୟ ନୀତିର ବଶବର୍ତ୍ତୀ ହୋଇ କୃଷ୍ଣକାୟ ବ୍ୟକ୍ତିଙ୍କ ପ୍ରତି ହିଂସା ଆଚରଣ କରିବା, କ୍ୟାପିଟଲ ହିଲ୍‍ର ଘଟଣାରେ ସକ୍ରିୟ ହସ୍ତକ୍ଷେପ ନ କରି ନୀରବ ଦର୍ଶକ ସାଜିବା ଇତ୍ୟାଦି ଦୃଶ୍ୟକୁ ଟେଲିଭିଜନରେ ସମଗ୍ର ବିଶ୍ୱର ଦର୍ଶକମାନେ ଦେଖିଛନ୍ତି।

ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆକୁ ବ୍ୟବହାର କରି ଅନୁଦାର (ଇଲିବେରାଲ) ଗଣତନ୍ତ୍ରର ନିର୍ବାଚିତ ଶାସନ ମୁଖ୍ୟମାନେ ସତ୍ୟକୁ ପରିତ୍ୟାଗ କରି ବା ଆଂଶିକ ସତ୍ୟକୁ ଆଧାର କରି ଯେତେବେଳେ ବିକଳ୍ପ ସତ୍ୟ (ଅଲଟରନେଟ୍‍ ଟ୍ରୁଥ୍‍) ବା ଉତ୍ତର ସତ୍ୟ (ପୋଷ୍ଟ ଟ୍ରୁଥ୍‍)ର ପ୍ରଚାରପ୍ରସାର କରିଚାଲନ୍ତି, ଦୀର୍ଘକାଳ ଧରି ଯେଉଁସବୁ ଗଣତାନ୍ତ୍ରିକ ପରମ୍ପରାମାନ ସୃଷ୍ଟି ହୋଇଥାଏ, ସେଗୁଡିକ ଭୁଶୁଡି ପଡ଼ିବାକୁ ବେଶୀ ସମୟ ଲାଗେ ନାହିଁ।

ଯେଉଁପରି ଭାବରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସଂପୂର୍ଣ୍ଣ ମିଥ୍ୟାର ଆଶ୍ରୟ ନେଇ ନିର୍ବାଚନ ଓ ତାଙ୍କ ବିଜୟକୁ ଚୋରାଇ ନିଆଯାଇଛି ବୋଲି ତାଙ୍କ ସମର୍ଥକମାନଙ୍କୁ ବୁଝାଇ ଦେଇପାରିଲେ, ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟାୟପାଳିକା ଓ ଅଧିକାଂଶ ଗଣମାଧ୍ୟମ ନିରପେକ୍ଷ ଭାବରେ ତାଙ୍କ ଦାୟିତ୍ୱ ପାଳନ କରି ନଥିଲେ ନିର୍ବାଚନରେ ଟ୍ରମ୍ପଙ୍କର ପରାଜୟ ସମ୍ଭବ ହୋଇ ନଥାନ୍ତା; କିନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧର ଚେର ଅଧିକ ଗଭୀରକୁ ଯାଇ ନଥିବା ଗଣତନ୍ତ୍ରଗୁଡିକରେ ଏକାପରି ପରିସ୍ଥିତିରେ ଫଳାଫଳ ହୁଏତ ଅନ୍ୟ ପ୍ରକାର ହୋଇଥାନ୍ତା।

ଦୃଢମନା ପରି ପ୍ରତୀତ ହେଉଥିବା ଉଚ୍ଚାଭିଳାଷୀ ନେତା ଭୋଟ ସଂଗ୍ରହରେ ନିଜର ପାରଦର୍ଶିତା ପ୍ରମାଣ କରି ସେମାନଙ୍କ ଦଳ ଓ ଅନୁଗାମୀମାନଙ୍କଠାରୁ ସର୍ତ୍ତହୀନ ଅନୁରକ୍ତି ଆଦାୟ କରନ୍ତି। ଜିବ୍‍ଲାଟ୍‍ ଓ ଲେଭିଟ୍‍ସ୍କି ରାଜନୈତିକ ଦଳ ଓ ଦଳର ନେତାମାନଙ୍କୁ ଗଣତନ୍ତ୍ରର ଦ୍ୱାରପାଳ ଭାବରେ ବର୍ଣ୍ଣନା କରିଛନ୍ତି। ସେହିମାନେ ହିଁ ଅତ୍ୟନ୍ତ ଉଚ୍ଚାଭିଳାଷୀ ଓ ଅଗଣତାନ୍ତ୍ରିକ ମନୋବୃତ୍ତିର ବ୍ୟକ୍ତିଙ୍କୁ କ୍ଷମତା ଓ ପଦପଦବୀଠାରୁ ଦୂରେଇ ରଖିବା ଆବଶ୍ୟକ ବୋଲି ଏହି ଲେଖକଙ୍କର ମତ। ଏହା ବ୍ୟତୀତ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ରାଜନୈତିକ ଦଳ ଓ ବ୍ୟକ୍ତିମାନେ ମଧ୍ୟ ଏକତ୍ର ହୋଇ ସ୍ୱେଚ୍ଛାଚାରର ବିରୋଧ କରିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

ଟ୍ରମ୍ପଙ୍କ ବିଦାୟର ଅର୍ଥ ନୁହେଁ ପୃଥିବୀରେ ଅଗଣତାନ୍ତ୍ରିକ ବିଚାରର ସଂପୂର୍ଣ୍ଣ ବିଲୋପ। ଏପରି କି ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଏହା ସମ୍ଭବ ହେବ କି ନାହିଁ ତାହା ଏବେଠାରୁ ଠିକ୍‍ ଭାବରେ କଳନା କରାଯାଇ ପାରିବ ନାହିଁ; କିନ୍ତୁ ସେହି ଆଦର୍ଶକୁ ଗ୍ରହଣ କରିବା ପରି ମନେହେଉଥିବା ରାଷ୍ଟ୍ରଗୁଡିକର ଜନସାଧାରଣଙ୍କ ପାଇଁ ଗଣତନ୍ତ୍ରର ସୁରକ୍ଷା ଲାଗି ସଜାଗ ରହିବା ହେବ ଏକ ବିଶାଳ ଓ ଗମ୍ଭୀର ଆହ୍ୱାନ।

Comments are closed.