ପାପ ପୁଣ୍ୟର ସନ୍ଧିକ୍ଷଣରେ ମଣିଷ

- ସିଦ୍ଧାର୍ଥ କାନୁନ୍‌ଗୋ, ପୂର୍ବତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର

ଆମ ହିନ୍ଦୁ ଧର୍ମ, ସମେତ ବୌଦ୍ଧ ଧର୍ମ, ଜୈନ ଧର୍ମ ଇତ୍ୟାଦି ଅନେକ ଧର୍ମ ପାପ-ପୁଣ୍ୟ ଉପରେ ବିଶ୍ୱାସ କରନ୍ତି। ନିଜର ପୁଣ୍ୟ ହେତୁ ବ୍ୟକ୍ତି ମରଶରୀର ତ୍ୟାଗ କଲା ପରେ ମୋକ୍ଷ ପ୍ରାପ୍ତି ହୁଏ ଏବଂ କୁକର୍ମ ବା ପାପ କର୍ମ ହେତୁ ତାକୁ ପୁନରାୟ ଏ ସଂସାରରେ ଜନ୍ମ ନେବାକୁ ପଡ଼େ; କିନ୍ତୁ ଅନେକ ସମୟରେ ଆମ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ଏହା ଦେଖି ଯେ ଜୀବନସାରା ଅନ୍ୟାୟ ଅନୀତି କରୁଥିବା ଲୋକଙ୍କର ଶେଷ ଜୀବନ ବେଶ୍ ଆରାମରେ କଟିଛି। ସେମାନେ ତିଳେହେଲେ ଦୁଃଖ ଅନୁଭବ କରିନାହାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଅତ୍ୟନ୍ତ ନୀତିନିଷ୍ଠ ଜୀବନଯାପନ କରନ୍ତି ସେମାନେ ବହୁ ଦୁଃଖଯନ୍ତ୍ରଣା ପାଆନ୍ତି। ଏହି ଦ୍ୱନ୍ଦ୍ୱରୁ ମୁକ୍ତି ପାଇବାକୁ ହେଲେ ପୂର୍ବଜନ୍ମ ଓ କର୍ମ ବିଷୟରେ ଜ୍ଞାନ ଲାଭ କରିବା ଆବଶ୍ୟକ। ଆମେ ଏହି ଜନ୍ମ ପାଇବା ପୂର୍ବରୁ ଆଗରୁ କେତେ ଜନ୍ମ ବିତାଇ ଆସିଛେ ତାହା ଜାଣିନାହାନ୍ତି। ମଣିଷ ଯଦି ଏସବୁ ଜାଣିପାରନ୍ତା ତା’ହେଲେ ତା’ମନରେ ଏତେ ଗର୍ବ, ଦମ୍ଭ ବା ଅଭିମାନ ଆସନ୍ତା ନାହିଁ। ତିନିଟି ଘଟଣାର ଉଦାହରଣ ନେବା। ପ୍ରଥମ ଘଟଣା ସତ୍ୟ ଏବଂ ଅନ୍ୟ ଦୁଇଟି ଘଟଣାରୁ ଗୋଟିଏ ପୁରାଣରେ ଉଲ୍ଲେଖ ଅଛି ଓ ଅନ୍ୟଟି ରାମକୃଷ୍ଣ କଥାମୃତରେ ବର୍ଣ୍ଣିତ।

ଦିନେ ସତ୍ୟସାଇ ବାବା ସନ୍ଧ୍ୟାରେ ଭକ୍ତଙ୍କ ଗହଣରେ ବୁଲୁଥିବାବେଳେ ଜଣେ ଚାଲିପାରୁନଥିବା ଲୋକର ହାତ ଧରି କହିଲେ ଉଠିଯାଅ। ଆଶ୍ଚର୍ୟ୍ୟର କଥା ଲୋକଟି ବିନା ସାହାଯ୍ୟରେ ଉଠିଗଲା ଏବଂ ଚାଲିବାକୁ ଆରମ୍ଭ କଲା। ଠିକ୍ ତା’ ପାଖରେ ଓଡ଼ିଶାର ଗଞ୍ଜାମ ଜିଲାରୁ ଯାଇଥିବା ଜଣେ ଭକ୍ତଙ୍କର ମଧ୍ୟ ଅନୁରୂପ ଅବସ୍ଥା ଥିଲା। ସେ ଚାଲିପାରୁନଥିଲେ। ସେ ତତ୍‌କ୍ଷଣାତ୍ ବାବାଙ୍କୁ କହିଲେ, ବାବା! ଆପଣ ସେ ଲୋକକୁ ଉଠାଇଦେଲେ। ଆପଣ କୃପା କଲେ ମୁଁ ମଧ୍ୟ ଉଠିଯିବି। ସଙ୍ଗେ ସଙ୍ଗେ ବାବା କହିଲେ, ହଁ! ମୋର ସେ ଶକ୍ତି ଅଛି; କିନ୍ତୁ ତୁମର ବିଗତ ଜନ୍ମର ପାପର ଭାଣ୍ଡ ଏପର୍ୟ୍ୟନ୍ତ ସରି ନାହିଁ। ଯଦି ଏ ଜନ୍ମରେ ମୋ ଦ୍ୱାରା ତୁମର ଯନ୍ତ୍ରଣା ଉପଶମ ହୁଏ ତେବେ ବିଗତ ଜନ୍ମରୁ ସଞ୍ଚିତ କର୍ମଫଳ ଯୋଗୁଁ ତୁମକୁ ଆରଜନ୍ମରେ ଜନ୍ମ ନେଇ ଏପରି ଦୁଃଖ କଷ୍ଟ ଭୋଗିବାକୁ ପଡ଼ିପାରେ; କିନ୍ତୁ ଏ ଜନ୍ମରେ ଯଦି ତୁମେ କଷ୍ଟ ସହି ବିଗତ ଜନ୍ମର କର୍ମ ଅନୁସାରେ ଫଳ ଭୋଗିବ, ତେବେ ମୁଁ କହୁଛି ତୁମର ଏ ଜନ୍ମରେ ନିର୍ବାଣ ହୋଇଯିବ। ସିଦ୍ଧାନ୍ତ ତୁମ ହାତରେ। ଏହା ଶୁଣି ଭକ୍ତଟି କହିଲା, ବାବା! ଏତେତ କଷ୍ଟ ସହିଲିଣି, ଆଉ କିଛିଦିନ ହେଉ ପଛେ ମୁଁ ଏହି ଦୁଃଖକଷ୍ଟକୁ ଭୋଗି ନେବି। ମୋର ଆଉ ପୁନର୍ଜନ୍ମ ନ ହେଉ ! ବାବା ତଥାସ୍ତୁ କହି ଚାଲିଗଲେ।

ଦ୍ୱିତୀୟ ଘଟଣାଟି ଏହିପରି। ଦେବକୀ ଓ ବସୁଦେବଙ୍କର ଚଉଦ ବର୍ଷ କଂସଙ୍କ ଦ୍ୱାରା କାରାବାସ ପରେ ସେ ଶ୍ରୀକୃଷ୍ଣଙ୍କ ଦ୍ୱାରା ମୁକ୍ତି ପାଇଛନ୍ତି। ଉଭୟ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଜାଣିନେଇଛନ୍ତି। ତେଣୁ କୌତୂହଳବଶତଃ ଦେବକୀ ଓ ବସୁଦେବ ଶ୍ରୀକୃଷ୍ଣଙ୍କୁ ପଚାରିଛନ୍ତି, ଆମେ ତ ଏ ଜନ୍ମରେ କିଛି କଷ୍ଟ କରିନଥିଲୁ; କିନ୍ତୁ କାହିଁକି ଚଉଦ ବର୍ଷ କାରାଦଣ୍ଡ ଭୋଗିଲୁ। ଶ୍ରୀକୃଷ୍ଣ କହିଲେ, ବିଗତ ଜନ୍ମରେ ମୁଁ ରାମଚନ୍ଦ୍ର ଥିଲି ଏବଂ ତୁମେ ଦୁଇଜଣ ମୋର ମାତା ଓ ପିତା ଥିଲ, ଯଥା- କୈକେଈ ଓ ଦଶରଥ। ବିନା ଦୋଷରେ ତୁମେ ମୋତେ ବନବାସ ଆଦେଶ ଦେଇଥିବାରୁ ଏ ଜନ୍ମରେ ତୁମକୁ ଚଉଦ ବର୍ଷ କାରାବାସ ଭୋଗିବାକୁ ପଡ଼ିଲା। ମୁଁ ତୁମର ପୁତ୍ର ହେଲେ ମଧ୍ୟ କର୍ମଫଳକୁ ଓଲଟାଇବାର ଶକ୍ତି ମୋର ନାହିଁ। ତା’ପରେ ଉଭୟେ କୌତୂହଳବଶତଃ ପଚାରିଲେ, କୌଶଲ୍ୟା ଏ ଜନ୍ମରେ କେଉଁଠି ଅଛନ୍ତି? ଶ୍ରୀକୃଷ୍ଣ ତତ୍‌କ୍ଷଣାତ୍ ଉତ୍ତର ଦେଇଥିଲେ ସେ ଏହି ଦ୍ୱାପର ଯୁଗରେ ମା’ ଯଶୋଦା ରୂପରେ ବିରାଜିତା।

ତୃତୀୟ ଘଟଣାଟି ରାମକୃଷ୍ଣ କଥାମୃତରେ ଉଲ୍ଲେଖ ଅଛି। ଗୁରୁ ଓ ଶିଷ୍ୟ ଦୁଇଜଣ କାଳୀ ସାଧକ ଥିଲେ। ଉଭୟେ ଶ୍ମଶାନକୁ ଯାଇଛନ୍ତି। ଗୁରୁଙ୍କର ସାଧନାର ଶେଷ ସମୟ। ଏହି ସମୟରେ ବାଘ ତତ୍‌କ୍ଷଣାତ୍ ଆସି ଗୁରୁଙ୍କୁ ଖାଇଦେଲା ଏବଂ ଦେବୀ ଦୁର୍ଗା ଆବିର୍ଭୂତା ହୋଇ ଶିଷ୍ୟକୁ କହିଲେ, ବତ୍ସ ! କ’ଣ ମାଗୁଛୁ କହ? ଶିଷ୍ୟଟି କିଛି ବୁଝିପାରିଲା ନାହିଁ। ତା’ର ଆଖିରୁ ଧାରଧାର ହୋଇ ଲୁହ ବୋହି ଯାଉଥାଏ। ସେ କେବଳ ମା’ଙ୍କୁ କହିଲା, ମା’ ତୋର ଲୀଳା ମୁଁ ବୁଝିପାରୁନି। ମୋ ଗୁରୁ ଜୀବନସାରା ତୋତେ ପାଇବା ପାଇଁ ସାଧନା କଲେ। ମୋର ସେପରି ସାଧନା ବା ପ୍ରାର୍ଥନା ନାହିଁ; କିନ୍ତୁ ଗୁରୁଙ୍କ ପ୍ରାର୍ଥନା ଶେଷରେ ସେ ବାଘର ଶିକାର ହେଲେ ଏବଂ ମୋତେ ତୁ କହୁଛୁ କି ବର ମାଗୁଛୁ ମାଗ! ଦେବୀ ତତ୍‌କ୍ଷଣାତ୍ କହିଲେ ବତ୍ସ୍ୟ ! ଏସବୁ ହେଉଛି ମୋର ଲୀଲା ଏବଂ ତୋର ବିଗତ ଜନ୍ମର କର୍ମଫଳ। ତୋର ଗତ ଜନ୍ମର ସାଧନା ସତ୍ତ୍ୱେ ସାଧନା ପରେ ପରେ ତୋର ଦେହାନ୍ତ ହୋଇଯାଇଥିଲା। ତୁ ଫଳ ପାଇପାରିନଥିଲୁ। ଆଜି ଯେଉଁ ଫଳ ପାଉଛୁ ତାହା ହେଉଛି ତୋର ବିଗତ ଜନ୍ମର ସାଧନା ବା ତପସ୍ୟା। ଏଇ ଯେଉଁ ଗୁରୁଙ୍କୁ ବାଘ ଖାଇଗଲା ତାହା ମଧ୍ୟ ମୋର ମାୟା।

Comments are closed.