ବୁଧବାରରୁ ଦୈନିକ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍

୯୦ ମିନିଟ୍ ପୂର୍ବରୁ ପହଞ୍ଚିବେ ଯାତ୍ରୀ, କନଫର୍ମ ଟିକଟ ନ ଥିଲେ ପ୍ଲାଟଫର୍ମରେ ପ୍ରବେଶ ମନା

ଭୁବନେଶ୍ବର: ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଥିବା ବେଳେ ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବ। ଆସନ୍ତା ୧୩ ତାରିଖରୁ ଭୁବନେଶ୍ବର-ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀ ପଟୁ ୧୪ ତାରିଖରେ ସ୍ବତନ୍ତ୍ର ଟ୍ରେନ୍ ଦୈନିକ ଯାତ୍ରା କରିବ। ଆଜି ଠାରୁ ଅନ୍‌ଲାଇନ୍‌ରେ ଟିକଟ ବୁକିଂ ଆରମ୍ଭ ହୋଇଛି।

  •  କେବଳ ବାଲେଶ୍ବରରେ ଅଟକିବ
    ୧ ନଂ ପ୍ଲାଟଫର୍ମରୁ ଛାଡ଼ିବ ଟ୍ରେନ୍
    ପ୍ରଥମ ଦିନରେ ୱେବ୍‌ସାଇଟ୍‌ ଜାମ୍

ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବାକୁ ଥିବା ସମ୍ପୂର୍ଣ୍ଣ ବାତାନୁକୂଳିତ ଟ୍ରେନ୍‌ରେ ସମୁଦାୟ ୧୭ଟି କୋଚ୍ ରହିବ। ବାତାକୂଳିତ ଟ୍ରେନ୍ ହେଲେ ବି ଏହାର ଭଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଭଡ଼ା ସହ ସମାନ ରହିବ। ୩ ଏ, ୨ଏସି, ଫାଷ୍ଟ ଏସି କୋଚ୍‌ରେ ଯାତ୍ରାର ସୁଯୋଗ ମିଳିବ। ଉଭୟ ପଟୁ ଯାତ୍ରା ସମୟରେ ଏହି ଟ୍ରେନ୍ ବାଲେଶ୍ବର, ହିଜିଳି (ଖଡ଼ଗପୁର), ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଦୀନ ଦୟାଲ ଉପାଧ୍ୟାୟ ଜଂସନ୍ ଓ କାନପୁର ସେଣ୍ଟ୍ରାଲ୍‌ ଷ୍ଟେସନ୍‌ରେ ରହଣି କରିବ। ଯାତ୍ରାର ଅତିବେଶିରେ ୭ ଦିନ ପୂର୍ବରୁ କେବଳ ଆଇଆରସିଟି ୱେବ୍ ସାଇଟ୍‌ରୁ ଆଗୁଆ ଟିକଟ ବୁକ୍ କରାଯାଇପାରିବ ଏବଂ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ସେହି ଅନ୍‌ଲାଇନ୍‌ ମାଧ୍ୟମରେ ଟିକଟ ବାତିଲ କରାଯାଇପାରିବ। ଟିକଟ ବାତିଲ କଲେ ୫୦% ମୂଲ୍ୟ କଟାଯିବ। କେବଳ କନଫର୍ମ ଟିକଟ ଥିବା ଯାତ୍ରୀଙ୍କୁ ରେଳ ଷ୍ଟେସନ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।

ଭୁବନେଶ୍ବର ରେଳ ଷ୍ଟେସନ୍‌ର ୧ ନଂ ପ୍ଲାଟର୍ମରୁ ଟ୍ରେନ୍ ଛାଡ଼ିବ। ତେଣୁ ମାଷ୍ଟର କ୍ୟାଣ୍ଟିନ୍‌ ପଟୁ ଷ୍ଟେସନ୍‌କୁ ପ୍ରବେଶ କରିବା ପାଇଁ ଯାତ୍ରୀମାନଙ୍କୁ କୁହାଯାଇଛି। ତେବେ ଯାତ୍ରା ଆରମ୍ଭ ସମୟର ୯୦ ମିନିଟ୍ ପୂର୍ବରୁ ଆସିବା ଜରୁରୀ। ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ମେଡିକାଲ ସ୍କ୍ରିନିଂ କରାଯିବ ଏବଂ ଲକ୍ଷଣ ବିହୀନ ଯାତ୍ରୀଙ୍କୁ ଟ୍ରେନ୍‌ରେ ବସିବା ପାଇଁ ଅନୁମତି ମିଳିବ। ସେହିପରି ଟ୍ରେନ୍ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଆଉ ଥରେ ଯାତ୍ରୀମାନଙ୍କର ସ୍କ୍ରିନିଂ ହେବ। ଟ୍ରେନ୍‌ ମଧ୍ୟରେ ବେଡ୍‌ ରୋଲ୍ ଦିଆଯିବ ନାହିଁ, ତେଣୁ ଯାତ୍ରୀମାନେ ନିଜ ସହ ବେଡ୍‌ସିଟ୍ ଆଣିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ନିଜ ସହ ଯଥାସମ୍ଭବ କମ୍ ଲଗେଜ୍ ଆଣିବା ପାଇଁ କୁହାଯାଇଛି। ଟ୍ରେନ୍ ଭିତରେ ଖାଦ୍ୟ ଓ ପାଣି ବୋତଲ ବିକ୍ରି ହେବ। ତଥାପି ଯାତ୍ରୀମାନେ ନିଜ ସହ ଖାଦ୍ୟ ଆଣିପାରିବେ। ସେହିପରି ଯାତ୍ରୀମାନେ ନିଜର ମାସ୍କ, ସାବୁନ୍‌, ସାନିଟାଇଜର୍ ଆଣିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Comments are closed.