ଅନୁରୋଧ ମିଳିବାର ୨୪ ଘଣ୍ଟା ମଧ୍ୟରେ ଉପଲବ୍ଧ କରାଯିବ ଆବଶ୍ୟକ ସଂଖ୍ୟକ ଶ୍ରମିକ ସ୍ପେଶାଲ ଟ୍ରେନ

ବର୍ତ୍ତମାନ ସୁଦ୍ଧା ୪୩୪୭ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାଇଛନ୍ତି ୬୦ ଲକ୍ଷ ଯାତ୍ରୀ

ଭୁବନେଶ୍ବର :କୋଭିଡ୍‌-୧୯ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟକୁ ଫେରିବାରେ ଲାଗିଛନ୍ତି ପ୍ରବାସୀ ଶ୍ରମିକ । ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକତା ଏବଂ ଫସି ରହିଥିବା ଲୋକଙ୍କୁ ଟ୍ରେନ ମାଧ୍ୟମରେ ଯାତାୟାତ ସୁବିଧା ପ୍ରଦାନ କରିବା ଲାଗି ପ୍ରସ୍ତାବିତ ଅନୁରୋଧର ରୂପରେଖ ଭଲ ଭାବେ ପ୍ରସ୍ତୁତ ଓ ନିର୍ଦ୍ଧାରଣ କରିବା ଲାଗି ରାଜ୍ୟଗୁଡ଼ିକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଅନୁରୋଧ ମିଳିବାର ୨୪ ଘଣ୍ଟା ମଧ୍ୟରେ ଆବଶ୍ୟକ ସଂଖ୍ୟକ ଶ୍ରମିକ ସ୍ପେଶାଲ ଟ୍ରେନ ଉପଲବ୍ଧ କରାଯିବ ​ବୋଲି ଆଜି ରେଳ ବୋର୍ଡ ଅଧ୍ୟକ୍ଷ କହିଛନ୍ତି ।
ଏହି ପ୍ରସଙ୍ଗରେ ରେଳ ବୋର୍ଡ ଅଧ୍ୟକ୍ଷ ୨୯ ମେ’ ଏବଂ ଜୁନ ୩ରେ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛନ୍ତି। ଅନୁରୋଧ ପ୍ରାପ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ରେଳବାଇ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଶ୍ରମିକ ସ୍ପେଶାଲ ଟ୍ରେନ ଉପଲବ୍ଧ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଆଜି ମଧ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଲେଖାଯାଇଥିବା ପତ୍ରରେ ମଧ୍ୟ ଏ ସମ୍ପର୍କରେ କୁହାଯାଇଛି। ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳବାଇ ଆଶ୍ୱାସନା ଦେଇଛି। ସୂଚନାଯୋଗ୍ୟ, ଇଚ୍ଛୁକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ନେବା ନିମନ୍ତେ ୨୮ ମେ’ ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ଭାରତୀୟ ରେଳବାଇ ଏହି ଆଦେଶକୁ ଅନୁପାଳନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟଗୁଡ଼ିକର ଅନୁରୋଧକ୍ରମେ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ପ୍ରବାସୀ ଶ୍ରମିକଙ୍କୁ ଆରାମଦାୟକ ଓ ସୁରକ୍ଷିତ ଯାତାୟାତ ସୁବିଧା ପ୍ରଦାନ ଜାରି ରଖିଛି । ଏହି ସେବା ଆଗକୁ ମଧ୍ୟ ଜାରି ରଖିବା ଲାଗି ରେଳବାଇ ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚାଇବା ନିମନ୍ତେ ରେଳପଥ ୪୩୪୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇଛି। ଗତ ମେ’ ପହିଲା ପରଠାରୁ ଦେଶରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଜାରି ରହିଛି।

Comments are closed.