ଓଡ଼ିଶାର ମହାପୁରୁଷଙ୍କୁ ଅନ୍ୟମାନେ କେବେ ପଢ଼ିବେ

- ପ୍ରମୋଦ କୁମାର ପଣ୍ଡା

ପୃଥିବୀର ବିଭିନ୍ନ ଅଞ୍ଚଳ ଭିନ୍ନ ଭିନ୍ନ ଉପାୟରେ ସଭ୍ୟତାର ବିକାଶରେ ନିଜର ସହଯୋଗ ପ୍ରଦାନ କରିଛନ୍ତି। ସେ ଖାଦ୍ୟ ପେୟ ହେଉ କିମ୍ବା ପୋଷାକପତ୍ର, ଚାଲି ଚଳନ, ରହନ ସହନ, ଧର୍ମ, ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ସମାଜ ବ୍ୟବସ୍ଥା ଅଥବା ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଇତ୍ୟାଦି। ଭାରତ ବର୍ଷର ମଧ୍ୟ ବିଶ୍ବ ସଭ୍ୟତାର ଅଗ୍ରଗତି ପାଇଁ ଅନେକ କିଛି ଅବଦାନ ରହିଛି। ଆମ ଦେଶରେ ମଧ୍ୟ ବିଭିନ୍ନ ଧର୍ମ, ଭାଷା ଓ ସମ୍ପ୍ରଦାୟର ଲୋକ ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି। ମନୁଷ୍ୟ ଜୀବନକୁ ସରସ, ସୁନ୍ଦର ଓ ମଧୁମୟ କରିବା ଏବଂ ସମାଜରୁ ଅସୁବିଧା ବା ସମସ୍ୟାର ମୂଳ ଉତ୍ପାଟନ ପାଇଁ ସବୁ ଅଞ୍ଚଳରେ ପ୍ରୟାସ ଆରମ୍ଭ ହୋଇଛି।

ସେହି ମହତ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଯେଉଁମାନେ ନିଜ ସ୍ବାର୍ଥକୁ ତ୍ୟାଗକରି ଅନ୍ୟମାନଙ୍କ ବା ସମାଜର ହିତ ସାଧନ ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କୁ ଆମେ ମହାପୁରୁଷ ବା ମନୀଷୀ ବୋଲି କହିଥାନ୍ତି। ଏହି ମନୀଷୀମାନେ ମାନବ ସମାଜକୁ ବିଭିନ୍ନ ସାମାଜିକ ବ୍ୟାଧିରୁ ମୁକୁଳେଇ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାନ୍ତି। ତେଣୁ ଆମେ ସମସ୍ତେ ସେମାନଙ୍କ ବିଷୟରେ ପଢିବା ଓ ଜାଣିବା ନିହାତି ଆବଶ୍ୟକ। ସେମାନଙ୍କ ମଧ୍ୟରୁ ଦେଶକୁ ସ୍ବାଧୀନ କରିବା ପାଇଁ ସ୍ବାଧୀନତା ସଂଗ୍ରାମୀ, ସେବାର ପ୍ରତୀକ, ସମାଜ ସଂସ୍କାରକ, ଧର୍ମଗୁରୁ, ବୈଜ୍ଞାନିକ, କବି, ଭାବୁକ ଓ ଲେଖକ, ଶିକ୍ଷାବିତ୍, ମହାନ ନେତା ଇତ୍ୟାଦି ଇତ୍ୟାଦି ଅନ୍ୟତମ।

ସେହି ଅନୁସାରେ ଆମ ଦେଶର ସ୍କୁଲ କଲେଜରେ ବିଭିନ୍ନ ମହାପୁରୁଷଙ୍କ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ ଓ ପିଲାମାନେ ସେମାନଙ୍କର କାର୍ୟ୍ୟକଳାପରୁ ପ୍ରେରଣା ନେଇ ଆଗେ ବଢନ୍ତି, ଆମର ଉତ୍କୃଷ୍ଟ ରାଷ୍ଟ୍ର ଗଠନ ପାଇଁ। ସେହି ଅନୁସାରେ ଉଈଝଋ ହେଉ ବା ଓଉଝଋ ବା ଘଉଋଜଞ ବୋର୍ଡ, ସବୁଠାରେ ବିଭିନ୍ନ ଶ୍ରେଣୀର ମହାପୁରୁଷମାନଙ୍କର ଜୀବନୀ ପଢାଯାଉଅଛି। ଆମ୍ଭେମାନେ ସାଧାରଣତଃ ଜାତିର ପିତା ମହତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହରୁ, ସର୍ଦାର ପଟେଲ, ସୁଭାଷ ବୋଷ, ମଦର ଟେରେସା, ଉଦ୍ଦାମ ସିଂ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଲକ୍ଷ୍ମୀବାଈ, ମଦନ ମୋହନ ମାଲବ୍ୟ, ପ୍ରେମ ଚାନ୍ଦ, ତୁଳସୀଦାସ, କବୀର, ଗୁରୁ ନାନକ, ଚୈତନ୍ୟ ଦେବ, ଈଶ୍ବର ଚନ୍ଦ୍ର ବିଦ୍ୟାସାଗର, ରାଜା ରାମ ମୋହନ ରାଏ, ଦୟାନନ୍ଦ ସରସ୍ବତୀ, ତୁକାରାମ, ରବୀନ୍ଦ୍ର ନାଥ ଠାକୁର, ବଙ୍କିମ ଚନ୍ଦ୍ର ଚାଟ୍ଟାର୍ଜୀ, ସରୋଜିନୀ ନାଇଡୁ ପ୍ରମୁଖ ବହୁ ମନୀଷୀଙ୍କ ବିଷୟରେ ପାଠ ପଢୁଛୁ ; କିନ୍ତୁ ଦୁଖର ବିଷୟ ଏହା ଯେ ଓଡିଶାର ଜନ୍ମିତ ମହା ମନୀଷୀଙ୍କର ନାମ ନିଶାନ ସେଠିରେ ନ ଥାଏ।

ଯେହେତୁ ଓଡିଆ ମାଧ୍ୟମ ସ୍କୁଲର ପାଠ୍ୟକ୍ରମ ଆମେ ତିଆରି କରୁଛୁ, ସେଠାରେ କିଛି କିଛି ଉପଲବ୍ଧ ଅଛି। ମାତ୍ର ଆମ ପିଲା ଯେଉଁମାନେ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି, ସେମାନେ ମଧ୍ୟ ତାଙ୍କ ପୂର୍ବସୂରୀ ମହାମନୀଷୀଙ୍କ ବିଷୟରେ ଅଜ୍ଞ ରହୁଛନ୍ତି। ତା’ଛଡା ଯେତେବେଳେ ଏକ ଅଂଚଳ ବା ରାଜ୍ୟରେ ଯଦି କୌଣସି ବ୍ୟକ୍ତି ଜାତୀୟ ସ୍ତରରେ ବିଦ୍ବାନ ମଣ୍ଡଳୀ ବା ସମାଜ ସଂସ୍କାରକ ବର୍ଗରେ ସ୍ଥାନିତ ନ ହୁଅନ୍ତି ସେ ଅଞ୍ଚଳର ଐତିହ୍ୟ ସେତେ ସମୃଦ୍ଧ ବା ପୁରାତନ କହିବା ବୀ ସମୀଚୀନ ମନେ ହୁଏ ନାହିଁ।

ଆମର ଭବିଷ୍ୟତ ବଂଶଧର ଯେତେବେଳେ ତୁଳନାତ୍ମକ ବିଶ୍ଳେଷଣ କରିବେ ଯେ ଦେଶର ଅନ୍ୟଭାଗ କେତେ ମହାପୁରୁଷଙ୍କୁ ଜନ୍ମ ଦେଇଛି ଓ ଆମ ରାଜ୍ୟ କେତେଜଣଙ୍କୁ ଜନ୍ମ ଦେଇଛି, ସେତେବେଳେ ଆମର ଅନୁପସ୍ଥିତି ନିଶ୍ଚୟ ସେମାନଙ୍କ ମନୋବଳକୁ ନିରୁତ୍ସାହିତ କରିବ। ତା’ ଛଡା ଅନ୍ୟାନ୍ୟ ଅଞ୍ଚଳରୁ ଆସି ଥିବା ନାଗରିକ ତାଙ୍କ ମହାପୁରୁଷଙ୍କ ଅବଦାନ ପାଇଁ ନିଶ୍ଚୟ ନିଜକୁ ଗର୍ବିତ ମନେକରିବେ ଓ ଅନ୍ୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖିବାକୁ କୁଣ୍ଠାବୋଧ କରିବେ ନାହିଁ ; ମାତ୍ର ଦୁଖର ବିଷୟ ଏହି ଯେ ଓଡିଶାରେ ଜନ୍ମିତ ମହାପୁରୁଷଙ୍କ ଅବଦାନ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଜନ୍ମିତ ମହାପୁରୁଷଙ୍କ ଅବଦାନଠାରୁ ଅଧିକ ଥିଲେ ମଧ୍ୟ ଆମର ପୂର୍ବସୂରୀଙ୍କର ଅନୁପସ୍ଥିତ ମୋତେ ଗଭୀର ମର୍ମାହତ କରୁଛି। ଆସନ୍ତୁ ତୁଳନାତ୍ମକ ଭାବରେ ଆମର ମହା ମନୀଷୀଙ୍କର କାର୍ୟ୍ୟ କଳାପକୁ ତର୍ଜମା କରିବା। ସନ୍ଥ କବି ଭୀମ ଭୋଇଙ୍କ ଭଳି ବିଶ୍ବମନା ସନ୍ଥ ସମଗ୍ର ଭାରତବର୍ଷରେ ବିରଳ। ଯାହାଙ୍କର ମୁଖ ନିଃସୃତ ବାଣୀ :

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ”।

ମିଳିତ ଜାତିସଙ୍ଘରେ ସ୍ଥାନିତ ହୋଇଛି। ମାତ୍ର ଭାରତବର୍ଷରେ ଅନ୍ୟାନ୍ୟ ପ୍ରାନ୍ତର ସ୍କୁଲ କଲେଜରେ ତାଙ୍କୁ କେହି ଜାଣନ୍ତିନି ବା ଜାଣିବାର ସୁଯୋଗ ମଧ୍ୟ ନାହିଁ। ଉତ୍କଳମଣି ଗୋପବନ୍ଧୁ ଯେ କି ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ, ନିଜ ପୁଅକୁ ମୃତ୍ୟୁକୁ ଠେଲି ଅନ୍ୟର ଜୀବନ ବଞ୍ଚାଇବା ବ୍ୟକ୍ତି ସମଗ୍ର ପୃଥିବୀରେ ବିରଳ। ଯାହାଙ୍କ ମୁଖ୍ୟ ବାଣୀ ଥିଲା :

“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ବରାଜ ପଥେ ଯେତେ ଗାଢ
ପୂରୁ ତହିଁ ପଡି ମୋର ମାଂସ ହାଡ”।

ମାତ୍ର ସମଗ୍ର ଦେଶ ତାଙ୍କ ବିଷୟରେ ଅଜ୍ଞ। ଆମେ ପୁଣି ବିଚାର କରିବା ଉତ୍କଳ ଗୌରବ ମଧୁବାବୁଙ୍କ କଥା। ଯାହାଙ୍କ ସମାଜବାଦ, ଅର୍ଥନୀତି ଓ ରାଜନୀତିରେ ମହାତ୍ମା ଗାନ୍ଧୀ ମଧ୍ୟ ପ୍ରଭାବିତ ହୋଇଥିଲେ। ଯାହାଙ୍କ ଉଦ୍ୟମରେ ବିଶ୍ବବିଦ୍ୟାଳୟରେ ଭାରତୀୟ ଭାଷା ସ୍ଥାନିତ ହୋଇପାରିଥିଲା। ସେ ଚାହୁଁଥିଲେ ନେତା ବେତନ ବିହୀନ ଦେଶ ସେବାରେ ବ୍ରତୀ ହେବା ଆବଶ୍ୟକ ଓ ସେଥିପାଇଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଭାରତର ପ୍ରଥମ ମନ୍ତ୍ରୀ ହିସାବରେ। ଯାହାଙ୍କ ହୃଦୟରେ ସର୍ବଦା ଗୁଞ୍ଜରିତ ହେଉଥିଲା।

“ଜାତି ନନ୍ଦିଘୋଷ ଚାଲିବ କି ଭାଇ
ସ୍ବାର୍ଥକୁ ସାରଥି କଲେ
ଟାଣେ କିରେ ଗାଡି ଦାନାର ତୋକଡା
ଘୋଡା ମୁହେଁ ବନ୍ଧା ଥିଲେ”।

ସେ ସମଗ୍ର ଭାରତବର୍ଷରେ ବିରଳ ବ୍ୟକ୍ତିତ୍ବ। ମାତ୍ର ଅନ୍ୟାନ୍ୟ ପ୍ରାନ୍ତରେ ତାଙ୍କ ବ୍ୟକ୍ତିତ୍ବ ଅନୁପସ୍ଥିତ। ସରଳା ଦାସ, ବଳରାମ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ସ୍ବଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ କୃତିର ତୁଳନାରେ ପୃଥିବୀର ଖୁବ୍ କମ କବି ଦେଖିବାକୁ ମିଳିବେ। ମାତ୍ର ତାଙ୍କ ବିଷୟରେ ଅନ୍ୟ ପ୍ରାନ୍ତରେ ଲୋକ ସମ୍ପୂର୍ଣ ଅଜ୍ଞ। ଜୟଦେବଙ୍କ ଗୀତଗୋବିନ୍ଦ ହେଉ କିମ୍ବା ଫକିରମୋହନଙ୍କର ଗଳ୍ପ ସମ୍ଭାର, ଏହା ଭାରତରେ ସ୍ବତନ୍ତ୍ର ହୋଇଥିବାବେଳେ ସେମାନଙ୍କ ଅନୁପସ୍ଥିତି ଉତ୍କଳୀୟମାନଙ୍କ ମନକୁ ଆଘାତ ଦେଇଛି।

ଭାରତରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୧୭ ମସିହା ସିପାହି ବିଦ୍ରୋହ କଥା ହେଉ କିମ୍ବା ବକ୍ସି ଜଗବନ୍ଧୁ କଥା ହେଉ କିମ୍ବା ଦେଶର ସର୍ବ କନିଷ୍ଠ ସହିଦ ବାଜିରାଉତ କଥା ହେଉ, ଏ ସବୁର ଅନୁପସ୍ଥିତି ଓଡିଆମାନଙ୍କୁ ଆଘାତ ଦେଉଛି। ଏପରିକି ପ୍ରାଚୀନ ଭାରତର ନୌଯାତ୍ରା ଓ ନୌବାଣିଜ୍ୟ ଉତ୍କଳୀୟମାନଙ୍କ ଦ୍ବାରା ଆବିଷ୍କୃତ ହୋଇଥିବା ଓ ପରିଚାଳିତ ହେଉଥିବା କଥା କୌଣସି ବିଦ୍ୟାଳୟରେ ସ୍ଥାନିତ ହେଉ ନାହିଁ। ଆମେ ସୋମନାଥ ମନ୍ଦିର ୧୭ ଥର ଲୁଣ୍ଠନ ହୋଇଥିବା ପଢୁଛୁ। ଆମେ ମୋଗଲମାନଙ୍କ ଦ୍ବାରା କାଶୀ ବିଶ୍ବନାଥ ଶିବ ଲିଙ୍ଗ ଭାଙ୍ଗିଥିବା କଥା ପଢୁଛୁ। ମାତ୍ର ପରଂବ୍ରହ୍ମ ଜଗନ୍ନାର୍ଥଙ୍କୁ ଆକ୍ରମଣ କରିବାଠାରୁ ବଞ୍ଚାଇବା ପାଇଁ ବିଗ୍ରହକୁ ବାରମ୍ବାର ଚିଲିକା ଓ ଅନ୍ୟାନ୍ୟ ସ୍ଥାନକୁ ନେଇଥିବା କଥା କେବେ ପଢିନୁ। ଆକ୍ରମଣକାରୀଙ୍କଠାରୁ ଶ୍ରୀମନ୍ଦିରକୁ କିପରି ରକ୍ଷା କରାଯାଇ ପାରିଛି, ତାର କାହାଣୀ ଅନ୍ୟମାନଙ୍କୁ ଜଣାନାହିଁ।

ସମୟ ଆସିଛି ଆମେ ସମସ୍ତେ ଏ ବିଷୟକୁ ହୃଦୟଙ୍ଗମ କରିବା ଓ ଯେଉଁ ପୃଥିବୀ ପ୍ରସିଦ୍ଧ ମହାପୁରୁଷମାନେ ଏହି ମାଟିରେ ଜନ୍ମ ଗ୍ରହଣକରି ସମଗ୍ର ମାନବ ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ଜୀବନୀକୁ ଅନ୍ୟମାନେ କିପରି ପଢିବେ ଓ ସେଥିରୁ ପ୍ରେରଣା ପାଇବେ ସେଥିପାଇଁ କାର୍ୟ୍ୟ କରିବା ଓ ମୋର ହୃଦ୍ବୋଧ ହୁଏ ଯେ ଆମେ ଯଦି ଏହା କରିପାରିବା, ସେହି ଅମର ଆତ୍ମାଙ୍କ ପ୍ରତି ଏହା ହେବ ପର ପିଢିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Comments are closed.