ଆୟାରାମ-ଗୟାରାମ ଓ ଆଇନର ଗଳାବାଟ

- ଅମ୍ବିକା ପ୍ରସାଦ ପାଣି

ଶେଷରେ ପୁଡୁଚେରୀରେ ଆଗତ ଆସ୍ଥା ପ୍ରସ୍ତାବ କାଟ ଖାଇବା ପରେ କଂଗ୍ରେସ ଶାସିତ ସରକାରର ପତନ ଘଟିଛି। ଆସନ୍ତା ମେ ମାସରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବର ପରିସ୍ଥିତି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ରୋଚକପୂର୍ଣ୍ଣ ଅଟେ ଯାହାକି ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବା ନିଶ୍ଚିତ ପ୍ରାୟ। ଦଳୀୟ ବିଶୃଙ୍ଖଳା ଓ ଶାସନ ବ୍ୟବସ୍ଥାକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପ୍ରକଟିତ କରି କ୍ରମାଗତ ଭାବେ କଂଗ୍ରେସ ବିଧାୟକଙ୍କର ଇସ୍ତଫା ଯୋଗୁଁ ଏଇ ପ୍ରକାରର ପରିସ୍ଥିତି ସୃଷ୍ଟି ହେଲା ବୋଲି କିଛି ମତ ଦେଉଥିଲାବେଳେ ସେଠାକାର ଶାସକମେଣ୍ଟର ନେତା ବିଜେପି ଓ ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଗତ ମାର୍ଚ୍ଚ ମାସରେ ୧୫ ବର୍ଷର ବ୍ୟବଧାନ ପରେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିଥିବା କଂଗ୍ରେସ ସରକାରର ୧୫ ମାସର ଶାସନ ପରେ ପତନ ଘଟିଥିଲା। ସେହିପରି ୨୦୧୯ ଜୁଲାଇରେ କର୍ଣ୍ଣାଟକର ୧୭ ବିଧାୟକ ଇସ୍ତଫା ଦେଇ ଜେ.ଡି.ଏସ – କଂଗ୍ରେସ ମେଣ୍ଟ ସରକାରକୁ କ୍ଷମତାରୁ ବହିଷ୍କାର କରିବା ଘଟଣାରେ ବାଚସ୍ପତି, ରାଜ୍ୟପାଳ ଓ ଉଚ୍ଚତମ ନ୍ୟାୟାଳୟର ଭୂମିକା ସନ୍ଦେହ ଘେରକୁ ଆସିଥିଲା ଓ ରାଜନୈତିକ କଳି ଚରମ ସୀମାରେ ପହଞ୍ଚିଥିଲା।

ସରକାର କ୍ଷମତାରୁ ବହିଷ୍କୃତ ହେବା ପଛରେ ଅନ୍ୟ ଦଳର ଭୂମିକା ଅପେକ୍ଷା ସର୍ବଦା ନିଜ ଦଳର ଅନ୍ତଃକନ୍ଦଳ ଓ ନେତୃତ୍ୱ ସଙ୍କଟ ମୁଖ୍ୟତଃ ଦାୟୀ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି। କୌଣସି ଦଳୀୟ ତଥା ବୃହତ୍ତର ସ୍ୱାର୍ଥ ଅପେକ୍ଷା ବିଧିସଙ୍ଗତ ଉପାୟରେ ଜନମତ ଦ୍ୱାରା ନିର୍ବାଚିତ ହୋଇଥିବା ନେତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଯେ ଏଇ ପ୍ରକାର ପଦକ୍ଷେପ, ତାହା ଅତ୍ୟନ୍ତ ସ୍ପଷ୍ଟ; କିନ୍ତୁ ଏଇ ସବୁ ଇସ୍ତଫା, ଦଳବଦ୍ଧ ଦଳଡିଆଁ, ଆସ୍ଥା-ଅନାସ୍ଥାର ନାଟକବାଜି ଇତ୍ୟାଦିକୁ ଦେଖିଲେ ମନେହୁଏ ଯେ ରାଜନୈତିକ ଗତି ବଦଳିଛି; କିନ୍ତୁ ରାଜନେତାଙ୍କର ମତି ନୁହେଁ। ସତୁରି ଦଶକର ଆୟାରାମ-ଗୟାରାମଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ଗାଦି ଦଖଲ ପାଇଁ ଫନ୍ଦି ସ୍ପଷ୍ଟ କରେ ଯେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ ରାଜନୈତିକ ଚିତ୍ର ବଦଳିଥାଇପାରେ କିନ୍ତୁ ଚରିତ୍ର ନୁହେଁ। ଗୋଟିଏ ପରେ ଗୋଟିଏ ଘଟଣା କେବଳ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନକୁ ସୂଚାଏ ନାହିଁ ବରଂ ଜନପ୍ରତିନିଧିତ୍ୱ୍ୱର ଏକ କୁତ୍ସିତ କଦାକାର ଚରିତ୍ର ଆଡକୁ ଅଙ୍ଗୁଳି ନିର୍ଦେଶ କରେ।

ଭାରତୀୟ ରାଜନୀତିରେ ଦଳବଦଳ ରୂପକ ରାଜନୈତିକ ଛଳନା ଓ ସୁଆଙ୍ଗ କେବଳ ମୂଲ୍ୟବୋଧ ଓ ଜନମତକୁ ବିଭ୍ରାନ୍ତ କରିଛି ତା ନୁହେଁ, ବରଂ ରାଜନୈତିକ ଆଦର୍ଶବାଦ ଓ ନୈତିକତାକୁ ମୃତ୍ୟୁମୁଖକୁ ଠେଲିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନୈତିକ, ଅବ୍ୟବସ୍ଥିତ, ଅଣ- ଆଦର୍ଶଗତ ବୁଝାମଣା ଓ ପଟପରିବର୍ତ୍ତନ ରୂପକ ରାଜନୈତିକ କ୍ଷମତା ହାସଲର ବ୍ୟବସ୍ଥା ଦଳବଦଳ/ଦଳଡିଆଁକୁ ଯେ ବହୁମାତ୍ରାରେ ପ୍ରୋତ୍ସାହିତ କରିଛି ତାହା ଇତିହାସରୁ ପ୍ରମାଣିତ। ଏଇସବୁ ଏକ ଗଣତନ୍ତ୍ରର ବାଜିରେ ଶାସନ ପାଇଁ ଟସ୍ ସଦୃଶ ଅର୍ଥାତ୍‌ ଜନମତ ଆଧାରରେ ବହୁମତ ହାସଲ କରିବାର ପାରିଲାପଣିଆ ନୁହେଁ ବରଂ କ୍ଷମତା ହାସଲ ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କର ରାଜନୈତିକ ବୁଝାମଣାର କଳକୌଶଳ ଉପରେ ନିର୍ଭର କରେ।

ଅତୀତରେ ପରିସ୍ଥିତି ଏପରି ଥିଲା ଯେ ହରିୟାଣାର ନିର୍ବାଚିତ ବିଧାନସଭା ସଭ୍ୟ ଗୟାଲାଲ ଗୋଟିଏ ଦିନରେ ମାତ୍ର ନଅ ଘଣ୍ଟାର ବ୍ୟବଧାନରେ ତିନିଟି ଦଳ ପରିବର୍ତ୍ତନ କରିଥିଲେ ଯେଉଁଠାରୁ ଆୟାରାମ -ଗୟାରାମ ଉକ୍ତିର ସୃଷ୍ଟି। ଏପରିକି ୧୯୭୯ରେ ମୋରାରଜୀ ଦେଶାଇଙ୍କର ପ୍ରଧାନମନ୍ତ୍ରିତ୍ୱର ପ୍ରଥମ ଅଣ କଂଗ୍ରେସ ସରକାରକୁ ମଧ୍ୟ ଚୌଧୁରୀ ଚରଣ ସିଂହଙ୍କର ସମର୍ଥକ ବୋଲାଉଥିବା ୭୬ ସାଂସଦ ପଟପରିବର୍ତ୍ତନ କରି କ୍ଷମତାରୁ ବହିଷ୍କାର କରିବାରେ ସଫଳ ହୋଇଥିଲେ। ଏଇସବୁ ତଥ୍ୟରୁ ଭାରତୀୟ ଗଣତନ୍ତ୍ର ଯେ ଆଦର୍ଶଗତ ଅଙ୍ଗୀକାରବଦ୍ଧତାର ସ୍ଖଳନ ସ୍ପଷ୍ଟ ବାରିହୋଇପଡ଼େ। ବିଶେଷତଃ ଚତୁର୍ଥ ସାଧାରଣ ନିର୍ବାଚନ ବେଳକୁ ଦଳବଦଳ ରାଜନୀତିର ପ୍ରକୋପ ସମଗ୍ର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରାସ କରିବାରେ ଲାଗିଥିଲା। ଏକଥା ମଧ୍ୟ ସ୍ୱୀକାରଯୋଗ୍ୟ ଯେ ଦଳବଦଳ କେବଳ ସରକାରକୁ କ୍ଷମତାରୁ ଅପସାରଣ କରେନାହିଁ ବରଂ ଜନମତ ଓ ଜନପ୍ରତିନିଧିତ୍ବ ସହ ବିଶ୍ୱାସଘାତକତା କରିବା ସଂଗେସଂଗେ ମୌଳିକ ରାଜନୈତିକ ପ୍ରକ୍ରିୟାକୁ ଓଲଟପାଲଟ କରିଦେଇ ଅରାଜକତା ସୃଷ୍ଟି କରିଥାଏ। କେବଳ ଯେ ଭାରତରେ ଏଇ ପ୍ରକାରର ସ୍ଥିତି ତା ନୁହେଁ ବରଂ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟ ଏଇ ସମସ୍ୟାର ସମ୍ମୁଖୀନ। ସମଗ୍ର ବିଶ୍ୱରେ ଭାରତକୁ ମିଶାଇ କେବଳ ୪୦ଟି ରାଷ୍ଟ୍ର ଏଇ ପର୍ଯ୍ୟନ୍ତ ଦଳବଦଳ ଆଇନ ପ୍ରଣୟନ କରିଥିଲେ ମଧ୍ୟ ଆଇନର ଫାଙ୍କ ଓ ଗଳାବାଟ ଦେଇ ରାଜନେତାମାନେ ଚକମା ଦେବାରେ ଧୁରନ୍ଧର।

୧୯୮୫ରେ ୮୨ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଦଳବଦଳ ନିରୋଧ ଆଇନ ସମ୍ବିଧାନର ଦଶମ ଅଧ୍ୟାୟରେ ସାମିଲ ହୋଇଥିଲା। ସେଇ ଆଇନ ବଳରେ ଜଣେ ନିର୍ବାଚିତ ସଭ୍ୟ ନିଜ ପଦରୁ ଦୁଇଟି ପରିସ୍ଥିତିରେ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ପ୍ରଥମତଃ ଯଦି ସେ ଗୋଟିଏ ଦଳରୁ ନିର୍ବାଚିତ ହୋଇସାରିଲା ପରେ ସେଇ ଦଳରୁ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦିଅନ୍ତି (ଅନୁଚ୍ଛେଦ ୨-୧-କ) ଓ ଦ୍ୱିତୀୟତଃ ଯଦି ଗୃହରେ ଦଳୀୟ ନିର୍ଦେଶ ବା ହୁଇପକୁ ଅମାନ୍ୟ କରି କୌଣସି ପ୍ରସଙ୍ଗରେ ଭୋଟ ଦିଅନ୍ତି କିମ୍ବା ଭୋଟ ଦାନବେଳେ ଅନୁପସ୍ଥିତ ରହନ୍ତି (ଅନୁ‌େ‌ଚ୍ଛଦ ୨-୧-ଖ)। ୧୯୯୬ରେ ଉଚ୍ଚତମ ନ୍ୟାୟାଳୟ ଜି ବିଶ୍ୱନାଥନ ବନାମ ତାମିଲନାଡୁ ବାଚସ୍ପତି ମାମଲାରେ ରାୟ ଦେଇଥିଲେ ଯେ ଦଳରୁ ବହିଷ୍କୃତ ଜଣେ ସଭ୍ୟ ମଧ୍ୟ ଦଳୀୟ ହୁଇପ ମାନି ଭୋଟ ଦେବାପାଇଁ ବାଧ୍ୟ ନଚେତ୍‌ ଅଯୋଗ୍ୟ ଘୋଷିତ ହୋଇପାରିବେ। ଏଇ ସବୁ ଛଡା ଦଳବଦଳ ନିରୋଧ ଆଇନ ଅନୁସାରେ ଯଦି ଗୋଟିଏ ଦଳର ମୋଟ ନିର୍ବାଚିତ ସଭ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ସଭ୍ୟ କୌଣସି ରାଜନୈତିକ ଗୋଷ୍ଠୀ କିମ୍ବା ଦଳ ଗଠନ କରନ୍ତି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ବିଲୀନ ହୋଇଯାନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇପାରିବ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆଇନର ଷଷ୍ଠ ଅନୁଚ୍ଛେଦ ଅନୁସାରେ ବିଧାନସଭା କିମ୍ବା ଲୋକସଭାର ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କର ନିଷ୍ପତ୍ତି ସଭ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବା କ୍ଷେତ୍ରରେ ଶେଷ ନିଷ୍ପତ୍ତି ବୋଲି ବ୍ୟବସ୍ଥା ରହିଛି ଓ ଏହି ନିଷ୍ପତ୍ତି ନେବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ ନାହିଁ। ସପ୍ତମ ଅନୁଚ୍ଛେଦ ଅନୁଯାୟୀ ଏ ପ୍ରକାର ମାମଲାରେ କୌଣସି ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ବର୍ଣ୍ଣିତ ଥିଲା ବେଳେ ପରବର୍ତ୍ତୀ ସମୟରେ ଅନେକ ମାମଲାରେ ରାୟ ପ୍ରକାଶ ପାଇଛି ଯେ ନ୍ୟାୟାଳୟ ବାଚସ୍ପତି / ଅଧ୍ୟକ୍ଷ ନିଷ୍ପତ୍ତି ନେଲାପରେ ନ୍ୟାୟିକ ସମୀକ୍ଷା ବଳରେ ମାମଲାର ଶୁଣାଣି କରିପାରିବେ।

କହିବା ବାହୁଲ୍ୟ ଯେ ଭାରତୀୟ ସମ୍ବିଧାନର ଧାରା ୧୯୦ (୩) ଅନୁସାରେ ବିଧାୟକଙ୍କର ଇସ୍ତଫା କ୍ଷେତ୍ରରେ ନିଷ୍ପତ୍ତି ନେବାରେ ବାଚସ୍ପତିଙ୍କର ଅଖଣ୍ଡ କ୍ଷମତା ରହିଛି ବୋଲି ଉଲ୍ଲେଖ ରହିଛି। ବାଚସ୍ପତିଙ୍କର ଅଖଣ୍ଡ କ୍ଷମତା ରହିଥିଲେ ମଧ୍ୟ କେବଳ ସମୟ ନ ଗଡେଇ ପ୍ରସଙ୍ଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ଏବଂ ଏହାର ଅନୁପସ୍ଥିତି ସର୍ବଦା ବାଚସ୍ପତିଙ୍କର ନିରପେକ୍ଷତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରେ ଯାହାକି ପୂର୍ବ ଘଟଣାରେ ଦେଖା ଦେଇଥିଲେ ମଧ୍ୟ ପୁଡୁଚେରୀ ଘଟଣାରେ ସେଭଳି ଦୃଷ୍ଟାନ୍ତ ନାହିଁ; କିନ୍ତୁ ପ୍ରଶ୍ନ ହେଲା ଯେଉଁଠି ଆଗରୁ ମୂଲଚାଲ ସରିଯାଇଛି ସେଠି ପୁଣି ଆଉ କି ଅଧିକ-କମ ସମୟ କିମ୍ବା ଆଇନଗତ ବ୍ୟବସ୍ଥା କି ଘୋଡା ବେପାରର ପ୍ରାସଙ୍ଗିକତା ଥାଇପାରେ; ବରଂ ଏଇ ଭଳି ରାଜନୈତିକ ଘୋଡା ବେପାରରେ ବେପାରୀମାନଙ୍କ ଅପେକ୍ଷା ଜନମତ ସହ ମୂଲଚାଲ କରି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିକ୍ରି ପାଇଁ ଆଗେଇ ଆସୁଥିବା ଘୋଡାମାନଙ୍କୁ ଜନତା ଉଚିତ ଶିକ୍ଷା ଦେବା ଉଚିତ। କାରଣ ଜନତାଙ୍କ ମତଦାନ ଦ୍ୱାରା ନିର୍ବାଚିତ ହୋଇ ନିଜର ରାଜନୈତିକ ସ୍ୱାର୍ଥ ଓ କ୍ଷମତା ହାସଲ ପାଇଁ ଇସ୍ତଫା ଦେଇ ପୁଣି ଅନ୍ୟ ଏକ ଦଳରୁ ନିର୍ବାଚନ ଲଢ଼ି କ୍ଷମତା ହାସଲ ଲକ୍ଷ୍ୟ ରଖୁଥିବା କିଛି ରାଜନେତାଙ୍କୁ ଏଇପରି ଘଟଣା ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବାର ସମ୍ଭାବନା ଅଧିକ; କାରଣ ଦଳବଦଳ ନିରୋଧ ଆଇନ ଲାଗୁ ହେବାର ୩୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଇନର ଗଳାବାଟର ସାହାରା ନେଇ ଦଳବଦଳ ପ୍ରକ୍ରିୟା ଚାଲୁ ରହିଛି।

ଏହି ସବୁ ଘଟଣାରେ ବାଚସ୍ପତି, ରାଜ୍ୟପାଳ, ନ୍ୟାୟପାଳିକା ଇତ୍ୟାଦି କିଛି ବ୍ୟକ୍ତି କିମ୍ବା ଗୋଷ୍ଠୀର ସ୍ୱାର୍ଥ ରକ୍ଷାପାଇଁ ବିତର୍କର ବଳୟ ମଧ୍ୟକୁ ଚାଲିଆସନ୍ତି। ଦଳବଦଳ ନିରୋଧ ଆଇନର କାର୍ଯ୍ୟକାରିତା କେବଳ ସମୟ, ପରିସ୍ଥିତି ତଥା କିଛି ବ୍ୟକ୍ତି କିମ୍ବା ଗୋଷ୍ଠୀର ଇଚ୍ଛା ଉପରେ ନିର୍ଭର କରେ ଯାହା କି ଇତିହାସରୁ ପ୍ରମାଣିତ। ଆଇନରେ ସଂଶୋଧନ ନ ହେଲେ ଏହିପରି ଆସ୍ଥା-ଅନାସ୍ଥାର ଲୁଚକାଳି ଖେଳରେ କେବଳ ଏକପାଖିଆ ରାଜନୈତିକ ବିକାଶ ସମ୍ଭବ ଯେଉଁଥିରେ ନା ରହିବେ ଜନତା ଅଂଶୀଦାର ନା ରହିବ ଜନମତର ପ୍ରକୃତ ମୂଲ୍ୟ। କେବଳ ଏମିତି ଗାଦି ପାଇଁ ଫନ୍ଦିଫିକର କରି ରାଜନେତା ମାନେ ଜନସାଧାରଣଙ୍କୁ ବୋକା ବନେଇ ଜନମତ ସହ ବିଶ୍ୱାସଘାତକତା କରି ଚାଲିଥିବେ।

Comments are closed.