ଗାଁରେ ଗାଁରେ ବୁଲୁଛନ୍ତି ବିଦେଶ ଫେରନ୍ତା : ଓଡ଼ିଶା କେତେ ସୁରକ୍ଷିତ ?

– ପଞ୍ଚାୟତକୁ ମିଳିଥିବା ୩୫୦ କୋଟି କାହା ସ୍ବାର୍ଥରେ
– ସଚେତନତା ଗାଡ଼ିରେ ପଞ୍ଚାୟତ ଚିକିତ୍ସା ସୀମିତ
– ବଳଙ୍ଗାରେ କରୋନା ସନ୍ଦିଗ୍ଧ; ଶୁଣୁନାହାନ୍ତି କେହି

ଭୁବନେଶ୍ୱର : କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ୁଛି। ସେମାନଙ୍କୁ ପଞ୍ଜୀକରଣ ଲାଗି ସରକାରଙ୍କ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତାଗିଦା କରାଯାଉଛି। ଏହାସତ୍ତ୍ବେ ତୃଣମୂଳସ୍ତରରେ ଏହା ପ୍ରତିଫଳିତ ହେଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆମାନଙ୍କ କ୍ଷେତ୍ରରେ ବିଧିବଦ୍ଧ ପଞ୍ଜୀକରଣ ବ୍ୟବସ୍ଥା ଉପଲବ୍ଧ ନ ଥିବା ହେତୁ ଗ୍ରାମାଞ୍ଚଳରେ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଏଡ଼ାଇଦିଆଯାଇ ନ ପାରେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ଦୈନିକ ଶତାଧିକ ଲୋକ ସଡ଼କ ଓ ରେଳ ପଥ ଦେଇ ଓଡ଼ିଶାକୁ ଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ସଚେତନ କରିବା ସହିତ ସଙ୍ଗରୋଧ ଓ ପୃଥକ୍‌ବାସ ଲାଗି ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ରତି ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଛନ୍ତି। ଏଥିପାଇଁ ରାଜକୋଷରୁ ୩୫୦ କୋଟିର ବ୍ୟୟବରାଦ ହୋଇଛି; ହେଲେ ସବୁ ଯେମିତି କାଗଜକଲମରେ ସୀମିତ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ପକ୍ଷରୁ ଖାଲି ସଚେତନତା ଗାଡ଼ି ବୁଲାଇ ଦେଉଛନ୍ତି; ହେଲେ ବିଦେଶରୁ ଯେଉଁମାନେ ଆସି ଘରେ ଲୁଚିଛପି ରହିଛନ୍ତି ତାଙ୍କ ରକ୍ତ ନମୁନା ପରୀକ୍ଷା କରିବା କିମ୍ବା ତାଙ୍କୁ ସରକାରୀ ଚିକିତ୍ସା ଯୋଗାଇବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ନୟାଗଡ଼, ଖୋର୍ଦ୍ଧାର ବାଲିଅନ୍ତା, ବାଲିପାଟଣା ଓ ପୁରୀର ବଳଙ୍ଗା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏମିତିକି କେତେକ କ୍ଷେତ୍ରରେ ଯେଉଁ ବିଦେଶ ଓ ଦାଦନ ଫେରନ୍ତାଙ୍କ ରକ୍ତ ନମୁନାରେ କରୋନା ଥିବା ଜଣାପଡୁଛି ତାଙ୍କୁ ଚିକିତ୍ସା କରିବାକୁ ଡାକ୍ତରୀ ଟିମ୍ ଯାଉ ନ ଥିବାବେଳେ ଆମ୍ବୁଲାନ୍ସ ଗାଡ଼ି ବାଟରୁ ଫେରି ଯାଉଛି। ବଳଙ୍ଗାରେ ଏଭଳି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି। ଆକ୍ରାନ୍ତଙ୍କ ସହିତ ସରପଞ୍ଚ ବିଡିଓ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଚିକିତ୍ସା ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ସେହିପରି ଏମ୍ସରେ ଲଣ୍ଡନ ଫେରନ୍ତା ଜନୈକ କରୋନା ଆକ୍ରାନ୍ତଙ୍କ ଖବର ଲୋକଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ପୁରୀ ଜିଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଗୋପିନାଥପୁର ପଞ୍ଚାୟତର ଜନୈକ ୨୫ ବର୍ଷୀୟ ଯୁବକ ନିକଟରେ ଆଣ୍ଡାମାନରୁ ଫେରିଛନ୍ତି। ସମ୍ପୃକ୍ତ ଯୁବକଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଛି। ଏମିତିକି ଡାକ୍ତର ସ୍ବରୂପ ସାହୁ, ସରପଞ୍ଚ ଅଜିତ୍ କୁମାର ଦଳେଇ, ଜୟନ୍ତୀ ବେହେରା, ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ସଂପୃକ୍ତ ଯୁବକଙ୍କ ବାସଭବନରେ ପହଞ୍ଚି ଚିକିତ୍ସା ଲାଗି ଘଟଣା ପରଖିଛନ୍ତି। ଏନେଇ ପ୍ରଥମେ ୧୦୪ ନମ୍ବରକୁ ଫୋନ୍‌ କରାଯାଇଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ବି ସରକାରୀ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେବେ ସ୍ଥାନୀୟ ସରପଞ୍ଚ ଏ ସଂପର୍କରେ ଜିଲାପାଳଙ୍କୁ ଜଣାଇବା ପରେ ସଂପୃକ୍ତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ହାସ୍‌ପାତାଳକୁ ପଠାଯାଇଥିବା ଜଣାପଡ଼ିଛି

ଅନ୍ୟପକ୍ଷରେ ବାଲିପାଟଣାରେ କେରଳ ପ୍ରଭୃତି କରୋନା ପ୍ରଭାବିତ ରାଜ୍ୟରୁ ନିକଟରେ କେତେକ ଦାଦନ ଶ୍ରମିକ ଆସି ରହିଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଜଣାପଡୁଥିଲେ ହେଁ ସେମାନେ ଚିକିତ୍ସା ପାଇଁ ଭୟରେ ଯାଉନାହାନ୍ତି। ଏମିତିକି ଗ୍ରାମବାସୀଙ୍କ ପକ୍ଷରୁ ବାଲିପାଟଣା ତହସିଲଦାର ଓ ବିଡିଓଙ୍କଠାରେ ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହାକୁ ନେଇ ଗ୍ରାମରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସରକାର ଯଦି ଏହି ରୋଗକୁ ସ୍ବୀକାର କରି ଚିକିତ୍ସା କରାଇ ନେବାକୁ ପରାମର୍ଶ ଦେଉଛନ୍ତି ତେବେ ଗାଁ ଗଣ୍ଡାରେ ଲୋକେ କାହିଁକି ଲୁଚାଉଛନ୍ତି ଓ ଏଥିପାଇଁ କିଏ ଦାୟୀ ସେନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ପଞ୍ଚାୟତ ଓ ଥାନା ପକ୍ଷରୁ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କରୋନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସୂଚନାଯୋଗ୍ୟ ଯେ , ଓଡ଼ିଶା ସମେତ ସାରାଦେଶ ଏବେ କରୋନା ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାରତ ଏବେ କରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ଦେଇ ଗତି କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି। ରାଜ୍ୟରେ ଦିନକୁ ଦିନ ବଳଙ୍ଗା, ବାଲିପାଟଣା, ନୟାଗଡ଼ ଭଳି ଅନ୍ୟାନ୍ୟ ଗ୍ରାମାଞ୍ଚଳରୁ କରୋନା ସଂକ୍ରମଣ ସମ୍ପର୍କିତ ଖବର ନଜରକୁ ଆସୁଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଲୋକଙ୍କ ସଚେତନତା ଅଭାବରୁ ଏଭଳି ଘଟଣାମାନ ଲୋକଲୋଚନକୁ ଆସିପାରୁ ନାହିଁ।

ଯଦି ଏବେଠାରୁ ଏହାକୁ ପ୍ରତିହତ କରିବା ଦିଗରେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ଏହା ବିସ୍ଫୋରକ ରୂପ ନେବ, ଯାହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

Comments are closed.