ଲୋ ଖଇରୀ…୯୦ବର୍ଷରେ ଝୁରି ହେଉଛନ୍ତି ନିହାରନଳିନୀ

ମଣିଷ ମା’ର ସ୍ନେହ ଆଗରେ ହାର ମାନିଥିଲା ପଶୁତ୍ୱର ହିଂସ୍ରତା

ଭୁବନେଶ୍ୱର (ଶୁଭ୍ରାଂଶୁ ସୂତାର) : ଲୋ ଖଇରୀ…ଲୋ ଖଇରୀ…ଆଆ। ଏମିତି କହି ମଝିରେ ମଝିରେ ବିଳିବିଳେଇ ହେଉଛନ୍ତି ବାଘୁଣୀ (ଖଇରୀ)କୁ ନିଜ ଝିଅଭଳି ପାଳିଥିବା ନିହାରନଳିନୀ ଦେବୀ। ବୟସ ୯୦ ଛୁଇଁଲାଣି। ବିଛଣାରୁ ଉଠିବାକୁ ଯୁ’ ନାହିଁ। ହେଲେ ଖଇରୀକୁ ଭୁଲିପାରୁ ନାହାନ୍ତି। କେତେବେଳେ କେତେକଥା କହି ବାହୁନି ହେଉଛନ୍ତି। ପୁଣି ନିରବୀ ଯାଉଛନ୍ତି। କଟକ ସିଦ୍ଧେଶ୍ବର ସାହି ଘରେ ବିଛଣାରେ ଶୋଇ ଆଖିରୁ ଲୁହ ଝରାଇ ଅତୀତକୁ ଭାବି ଖନିଖନି ହୋଇ ଖଇରୀ ସମ୍ପର୍କରେ କହିଯାଉଛନ୍ତି କେତେ କଥା। ଆଜିକୁ ୪୬ ବର୍ଷ ତଳେ ନିଜ ଝିଅଭଳି ଖଇରୀକୁ ସେ ଲାଳନପାଳନ କରିଥିଲେ। ମଣିଷ ମେଳରେ ବାଘ ରହିବା ନେଇ ସେତେବେଳ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଶିମିଳିପାଳ ଜଙ୍ଗଲର ବାଘ ଆଉ ମଣିଷ ଭିତରେ ସୃଷ୍ଟି କରିଥିଲା ଅପୂର୍ବ ସଂପର୍କ। ସେଦିନର ସେହି ମା’ ଆଉ ଝିଅର ସଂପର୍କ ଚିରଦିନ ପାଇଁ ଅଭୁଲା ରହିଛି। ଇତିମଧ୍ୟରେ ଶିମିଳିପାଳ ଜଙ୍ଗଲ ଛାଡ଼ିବାରେ ନିହାରନଳିନୀଙ୍କର ପୂରିଗଲାଣି ୩୯ ବର୍ଷ। ଆଜି ଖଇରୀ ନାହିଁ କି ମଣିଷ-ପଶୁର ସମ୍ପର୍କ ଦେଖିବାକୁ ମିଳୁନି ଶିମିଳିପାଳରେ। ବାଘ ପୁଣି ମଣିଷ ସହ ରହୁଥିଲା। ୮୦ ଦଶକରେ ଏଭଳି ବିରଳ ଦୃଶ୍ୟ କିନ୍ତୁ ଦେଖିବାକୁ ମିଳିଥିଲା ଓଡ଼ିଶାର ବଣପାହାଡ଼ ଘେରା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ। ଯାହା ଆଜି ଇତିହାସ ପାଲଟିଯାଇଛି।
୧୯୭୪ ମସିହାରେ ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ ଉପରୁ ଏକ ବାଘ ଛୁଆକୁ ପାଇ ଯଶୀପୁର ଫରେଷ୍ଟ ବଙ୍ଗଳାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦେଶକ ସରୋଜରାଜ ଚୌଧୁରୀଙ୍କୁ ଦେଇଥିଲେ। ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବାରୁ ତାହାର ନାମ ରଖାଯାଇଥିଲା ‘ଖଇରୀ’। ବାଘଛୁଆର ଲାଳନପାଳନ ଦାୟିତ୍ୱରେ ଥିଲେ ସରୋଜରାଜଙ୍କ ସ୍ତ୍ରୀ ନିହାରନଳିନୀ ଦେବୀ। ମାଂସରେ ଅମୁଲ ଗୋଲାଇ ତାକୁ ଖାଇବାକୁ ଦେଉଥିଲେ ତ ପୁଣି ବୋତଲରେ କ୍ଷୀର ପିଆଇ ଦେଉଥିଲେ। ମଣିଷ ଛୁଆଙ୍କ ପରି ହାତରୁ ଖାଦ୍ୟ ଖାଉଥିଲା ଖଇରୀ। କୋଳରେ ଶୋଉଥିଲା। ବେଳେବେଳେ ଗାଲରେ ମୁହଁ ଘସି ଗେଲ ହେଉଥିଲା। ଜଙ୍ଗଲରେ ବୁଲୁଥିବା ବେଳେ ଡାକ ଛାଡ଼ିଲେ ପୁଣି ଆସି ହାଜର ହୋଇଯାଉଥିଲା। କ୍ରମେ ଖଇରୀ ବଡ଼ ହେଲା। ସେ ହିଂସ୍ର ନଥିଲେ ବି କାଳେ କେତେବେଳେ ଅଘଟଣ ଘଟାଇବ, ସେଥିପାଇଁ ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ମନସ୍ଥ କରାଗଲା। ହେଲେ ମଣିଷଠାରୁ ସ୍ନେହ ଆଦର ପାଇ ବଡ଼ ହୋଇଥିବା ଖଇରୀ ଆଉ ଜଙ୍ଗଲକୁ ଯିବାକୁ ପସନ୍ଦ କଲାନାହିଁ। ଯେତେବାର ତାକୁ ଜଙ୍ଗଲରେ ଛଡ଼ାଗଲା, ସେ ପୁଣି ଫେରି ଆସୁଥିଲା ନଳିନୀଦେବୀଙ୍କ ପାଖକୁ। ସବୁ ଉଦ୍ୟମ ନିରାଶ ପରେ ଖଇରୀ ରହିଲା ନିହାରନଳିନୀଙ୍କ ପାଖରେ। ନିହାରନଳିନୀ ଏବଂ ସରୋଜରାଜଙ୍କ ଗେହ୍ଲାଝିଅ ପାଲଟିଯାଇଥିଲା ଖଇରୀ। ଏମିତିକି ସରୋଜରାଜ ନିଜ ଡ୍ୟୁଟି ସମୟରେ ଜଙ୍ଗଲ ପରିଦର୍ଶନରେ ଯିବାବେଳେ ଖଇରୀ ତାଙ୍କ ସହିତ ଜିପ୍‍ରେ ଯାଉଥିଲା। ଖଇରୀକୁ ନିଜ ଜିପ୍‍ରେ ବସାଇ କଟକକୁ ଆଣିବା ସହିତ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ମଧ୍ୟ ଭେଟିଥିଲେ ତାଙ୍କ ସରକାରୀ ବାସଭବନରେ। ଏଭଳି ଦୃଶ୍ୟ ଆଜି ଆଉ ଦେଖିବାକୁ ମିଳୁନାହିଁ କି ମିଳିବ ନାହିଁ। ଖଇରୀକୁ ଲାଳନପାଳନ କରିବା ଠାରୁ ତାର ମୃତ୍ୟୁ ପର୍ଯ୍ୟନ୍ତ ନିହାରନଳିନୀ ଦେବୀ କେବେବି ତାକୁ ପାଖରୁ ଦୂରେଇ ଦେଇନଥିଲେ। ଜଣେ ମଣିଷ ମା’ର ସ୍ନେହ ଆଗରେ ହାର ମାନିଥିଲା ପଶୁତ୍ୱର ହିଂସ୍ରତା। ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସୁଥିଲେ ଶିମିଳିପାଳ ଖାସ୍‍ ଖଇରୀ ପାଇଁ। ନାନା ଜାତିର ପଶୁପକ୍ଷୀ ସହିତ ସବୁଠୁ ବଡ଼ ଆକର୍ଷଣ ଥିଲା ଖଇରୀ। ନିହାରନଳିନୀଙ୍କ ବାତ୍ସଲ୍ୟ ମମତା ଆଗରେ ହାର ମାନିଥିଲା ଖାଦ୍ୟ ଆଉ ଖାଦକର ଭେଦଭାବ। ଖଇରୀକୁ ଯେତେବେଳେ ୭ବର୍ଷ ହେଲା, ତା ଜୀବନରେ ମାଡ଼ିଆସିଲା ବିପଦ। ଏକ ପାଗଳ କୁକୁର କାମୁଡ଼ାରେ ଖଇରୀ ରୋଗାକ୍ରାନ୍ତ ହୋଇପଡ଼ିଥିଲା। କିଛିଦିନ ପରେ ଜଳାନ୍ତଙ୍କ ରୋଗରେ ଆକ୍ରାନ୍ତ ହେଲା। ଆଉ ବୋଲ ମାନିଲା ନାହିଁ। ଏଣେତେଣେ ଧାଇଁଲା। ତା’କୁ କାବୁ କରିବା ପାଇଁ ମାତ୍ରାଧିକ ଟ୍ରାଙ୍କୁଲାଇଜର ଦିଆଗଲା। ୧୯୮୧ ମାର୍ଚ୍ଚ ୨୮ ତାରିଖରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା ଖଇରୀ। ଏଭଳି ପରିସ୍ଥିତିରେ ଭାଙ୍ଗିପଡ଼ିଥିଲେ ସରୋଜରାଜ ଚୌଧୁରୀ। ଖଇରୀକୁ ଝୁରିଝୁରି ବର୍ଷକ ପରେ ଚାଲିଗଲେ ସରୋଜରାଜ। ଖଇରୀ ଓ ସ୍ୱାମୀଙ୍କ ମୃତ୍ୟୁ ପରେ ନିହାରନଳିନୀ ଦେବୀ ଶିମିଳିପାଳ ଛାଡ଼ି ଭୁବନେଶ୍ୱର ଚାଲିଆସିଥିଲେ। ଯେଉଁଠାରୁ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଚାଲିଯାଇଥିଲେ ଶିମିଳିପାଳ। ପୁଣି ସେଇ (୨ ନମ୍ବର ବାଳିକା ବିଦ୍ୟାଳୟକ)କୁ ଫେରି ଶିକ୍ଷୟିତ୍ରୀ ଭାବେ ଯୋଗଦେଇଥିଲେ। ଅବସର ପରେ ସ୍କାଉଟ୍‍ ଏବଂ ଗାଇଡ୍ସରେ ପ୍ରଶିକ୍ଷିକା ଭାବେ କାର୍ଯ୍ୟ ତୁଲାଇଥିଲେ। ବଣର ହିଂସ୍ର ପଶୁ ବି ସ୍ନେହ ମମତା ପାଇଲେ ମଣିଷ ପରି ଆଚରଣ କରିପାରେ ବୋଲି ପ୍ରମାଣିତ କରିଛନ୍ତି ନିହାରନଳିନୀ ଦେବୀ। ଶିମିଳିପାଳରେ ରହିଥିବା ‘ଖଇରୀ ନିବାସ’ ତାର ସମ୍ମୁଖରେ ରହିଥିବା ‘ଖଇରୀ କବରସ୍ଥଳୀ’ ହିଁ ତାର ସ୍ମୃତି ବହନ କରୁଛି। ଖଇରୀ ସ୍ମୃତିରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ବୃତଚିତ୍ର ନିର୍ମାଣ କରାଯାଇଛି। ଜଙ୍ଗଲ ଅଭାବ, ଖାଦ୍ୟ ଅଭାବ ଯୋଗୁଁ ପ୍ରତିଦିନ ପଶୁ-ମଣିଷ ଲଢ଼େଇ ଚାଲିଛି। ବାଘଙ୍କୁ ମନେଇବାରେ ନାଁ ବନ ବିଭାଗ ଉଦ୍ୟମ କରୁଛି। ସରକାର ବି ବାଘକୁ ନେଇ ବଡ଼ ଚିନ୍ତାରେ ରହିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ପୁଣି ଫେରିଯିବ। ସୁନ୍ଦରୀ ନାଁରେ ମଣିଷ ମାରିବା ଅଭିଯୋଗ ରହିଛି। ଏହି କାରଣରୁ ଏନ୍‍କ୍ଲୋଜରରେ ରହିଛି ସୁନ୍ଦରୀ। ସୁନ୍ଦରୀ ପାଇଁ ଖର୍ଚ୍ଚ ହେଲାଣି ୧୦କୋଟି। ହେଲେ ସବୁ ପାଣିରେ ପଡ଼ିବା ହିଁ ସାର। ପୂର୍ବରୁ ମହାବୀର ବାଘ ବି ଆସିଥିଲା ମଧ୍ୟପ୍ରଦେଶରୁ। ହେଲେ ତିନି ବର୍ଷ ପରେ ସେ ଆଖି ବୁଜିଦେଇଛି।
୨୦୧୪ ଗଣନା ଅନୁଯାୟୀ ଓଡ଼ିଶାରେ ବାଘ ସଂଖ୍ୟା ୨୮ରେ ପହଂଚିଛି। ୨୦୦୬ରେ ରହିଥିଲା ୪୫। ପ୍ରତିବର୍ଷ କମିକମି ଯାଉଛି ବାଘ ସଂଖ୍ୟା। ଏଭଳି ଏକ ଘଡ଼ିସନ୍ଧି ସମୟରେ ଜଙ୍ଗଲୀ ଜୀବଙ୍କ ପ୍ରତି ନିହାରନଳିନୀ ଦେବୀଙ୍କ ଆଦରକୁ ମନେପକାଇବାର ସମୟ ଆସିଛି।

Comments
Loading...