ପ୍ରଶାସନର ‘ଖେଳ’; ଯାତ୍ରୀଙ୍କ ପାଇଁ ‘କାଳ’:ଅବିଭକ୍ତ କୋରାପୁଟ ଜିଲାରେ ଯାତ୍ରୀ ପରିବହନ ବ୍ୟବସ୍ଥା  ଗୁରୁତର

ଭଙ୍ଗା ଦଦରା ଗାଡ଼ି ଉପରେ ବିପଦସଙ୍କୁଳ ସ୍ଥିତିରେ ଯାତ୍ରୀ ପରିବହନ

୨୦୨୦ରେ ରାୟଗଡ଼ା ଜିଲାରେ ୧୦୦, ନବରଙ୍ଗପୁରରେ ୧୦୭ ମୃତ

କୋରାପୁଟ (ଟୁକୁନା ଦଳାଇ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ମୂର୍ତ୍ତାହାଣ୍ଡି ପଞ୍ଚାୟତ ସିନ୍ଧିଗାଁ ନିକଟରେ ଗତକାଲି ରାତିରେ ଘଟିଥିବା ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଅକାଳରେ ୯ ଜୀବନ ଟଳି ପଡିଥିବା ବେଳେ ଏଥିପାଇଁ  ଦାୟୀ କିଏ ବୋଲି ଏବେ ପ୍ରଶ୍ନ ଉଙ୍କି ମାରୁଛି। ନୂତନ ବର୍ଷର ପ୍ରଥମ ମାସର ଶେଷ ତାରିଖରେ ଘଟିଥିବା ଏହି ବଡ ସଡକ ଦୁର୍ଘଟଣା ଅବିଭକ୍ତ କୋରାପୁଟ ଜିଲାରେ ବିଗତ ବର୍ଷରେ କେବେ ଘଟି ନ ଥିଲା ବୋଲି କୁହାଯାଉଛି।

ବେପରୁଆ ଗାଡି ଚାଳନା, ବହୁ ବର୍ଷର ପୁରୁଣା ଦଦରା ଗାଡିରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ, ଅଙ୍କାବଙ୍କା ଘାଟି ରାସ୍ତାରେ ସୂଚନା ଫଳକ ନ ଥିବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି। ପରିବହନ ବିଭାଗ ପକ୍ଷରୁ ହେଲମେଟ ଯାଞ୍ଚକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଘାଟି ରାସ୍ତାରେ ସଡକ ଦୁର୍ଘଟଣା ରୋକିବା ଲାଗି କୌଣସି ଠୋଷ ପଦକ୍ଷେପ ନନେବା ଯୋଗୁଁ ଲୋକଙ୍କ ଜୀବନ ଦୀପ ଲିଭିଛି। ଏ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ପରିବହନ ବିଭାଗ କିମ୍ବା ଜିଲା ପ୍ରଶାସନ ବି କାହାରି ନିଦ ଭାଙ୍ଗୁନି। ଗାଡିରେ ଲଦାଲଦି ହୋଇ ବିପଦସଙ୍କୁଳ ଭାବେ ଲୋକେ ଯାତାୟାତ କରୁଛନ୍ତି। ଯାତ୍ରୀ ପରିବହନ ଏଠି କିଛି ନିୟମ କାଟୁକରୁନି।  ମନଇଚ୍ଛା ଲୋକଙ୍କୁ ବୁହାଯାଉଛି।  ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକାକୁ ଦୈନିକ ସରକାରୀ କିମ୍ବା ଘରୋଇ ବଡ ବସ ଗମନାଗମନ ପାଇଁ ସୁବିଧା ନାହିଁ। ଲୋକେ ବିପଦସଙ୍କୁଳ ଭାବେ ଅଟୋ, କମାଣ୍ଡର, ମଟରସାଇକଲରେ  ଯାତ୍ରା କରୁଛନ୍ତି। ପର୍ଯ୍ୟାପ୍ତ ଗାଡ଼ି ମୋଟର ସୁବିଧା ନ ଥିବାରୁ ଭଙ୍ଗା ଦଦରା  ଗାଡିରେ ଓଭର ଲୋଡିଂ ହୋଇ ଯାତ୍ରୀ ଯାଉଥିବାରୁ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି ।

ବିଗତ ଦିନରେ କୋରାପୁଟ-ଜୟପୁର ଘାଟିରେ ଦ୍ରୁତ ଗାଡି ଚାଳନା ପାଇଁ ଓଭର ଲୋଡିଂ ମାଲବାହୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଜୀବନ ହାନି ଘଟିଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଇନ୍ସୁରାନ୍ସ ନ ଥାଇ ବିନା କାଗଜପତ୍ରରେ ଗାଡି  ରାସ୍ତାରେ ଗଡୁଥିବାରୁ ଦୁର୍ଘଟଣା ଘଟିଲେ ମୃତ ଯାତ୍ରୀଙ୍କ ପରିବାର ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ସଡକ ସୁରକ୍ଷା ସଚେତନତା ପ୍ରତି ବିଭାଗ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପ ଚାଳକଙ୍କ ଉପରେ ଅଙ୍କୁଶ ଲଗାଯାଇପାରୁ ନାହିଁ। ଗ୍ରାମାଞ୍ଚଳରେ ଅଧିକାଂଶ ବାଇକ୍ ଆରୋହୀ ଡ୍ରାଇଭିଂ ଲାଇସେନ୍ସ କରି ନ ଥିବା ଓ ଗାଡି ଚାଳାନାରେ ଅଭିଜ୍ଞତା ନ ଥିବାରୁ ଅନେକ ଦୁର୍ଘଟଣା ଘଟୁଛି। କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି ଗାଡି ଯାଞ୍ଚ ସହ ସଚେତନତା କରାଯାଉଛି। ବ୍ଲାକସ୍ପଟ ଚିହ୍ନଟ ସହ ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଗତ ନଭେମ୍ବର ୧୬ ତାରିଖରେ ରାୟଗଡା ଜିଲା ବିଷମକଟକଠାରୁ ତିନି କିଲୋମିଟର ଦୂର ହାଜାରିଡାଙ୍ଗ ଗ୍ରାମ ନିକଟରେ ଫରଚ୍ୟୁନ‌ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ବସର ଡ୍ରାଇଭର ସମେତ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ସଂଖ୍ୟାଧିକ ଯାତ୍ରୀ ଆହତ ହୋଇଥିଲେ। ଏଥିସହ ଗତ ୩୦ ତାରଖରେ ବିଷମକଟକ ଅଞ୍ଚଳରେ ପୁଣି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜଣଙ୍କର ମୃତ୍ୟୁ ଘଟିଥିଲା। କଟକ ଜିଲା ବଡମ୍ବା ନରସିଂହପୁର ଅଞ୍ଚଳରୁ ଜୟପୁର ଯାଉଥିବା ଗତ ୧୮ ତାରିଖରେ କିଛି ପର୍ଯ୍ୟଟକ କୋରାପୁଟ ଜିଲାରୁ ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରି ମା’ ଦକ୍ଷିଣକାଳୀ ନାମକ ଏକ ବସରେ ଭୁବନେଶ୍ୱର ଫେରୁଥିବା ସମୟରେ ରାୟଗଡା-ଗଜପତି ଜିଲା ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।


୨୦୨୦ ଜାନୁଆରୀଠାରୁ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ରାୟଗଡା ଜିଲାରେ ୨୭୨ ସଡକ ଦୁର୍ଘଟଣା ଘଟିଛି। ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଜୀବନ ଯାଇଛି। ୫୧୫ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ୧୬୦ ଗୁରୁତର ହୋଇଥିବା ସୂଚନା ମିଳିଛି। ରାୟଗଡା ଥାନା ଅନ୍ତର୍ଗତ ଗୁମ୍ମାଘାଟି,ଫୁଲକଣା ଛକ ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦୋଳାଠାରୁ ଆରମ୍ଭ କରି କୁମୁଟିପେଣ୍ଠ ଏବଂ ଘୋ଼ଡାନାଳଠାରୁ ଭୂଜବଳ ପର୍ୟ୍ୟନ୍ତ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି। ରାୟଗଡା ଜିଲା ପରିବାହନ ଅଧିକାରୀ କହିଛନ୍ତି ସଡ଼କ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରାଯାଉଛି। ଯାଞ୍ଚ କରାଯାଉଛି। କିଛି ଲୋକେ ଅମାନିଆ ହୋଇ ଗାଡି ଉପରେ ବସି ଯିବାଆସିବା କରୁଛନ୍ତି। ଏ ଦିଗରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ। ଗାଡି ସିଜ୍ କରାଯିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲାରେ ୨୦୨୦ ଜାନୁଆରୀରୁ ନଭେମ୍ବର ମାସ ଶେଷ ଯାଏ ୧୫୭ଟି ଦୁର୍ଘଟଣା ଘଟିଛି। ୧୦୭ ଜଣଙ୍କ ଜୀବନ ଯାଇଛି।

Comments are closed.