କରୋନା: ଆତ୍ମଜ୍ଞାନ, କର୍ମଜ୍ଞାନ, ଧର୍ମଜ୍ଞାନ

- ପ୍ରବୋଧ କୁମାର ମିଶ୍ର, ସଂପାଦକ, ନିତ୍ୟନୂତନ, ସହିଦନଗର, ଭୁବନେଶ୍ବର

ସାରା ପୃଥିବୀରେ ‘କରୋନା’ ମହାମାରୀ ମାନବ ଜାତି ପାଇଁ ମହାଆତଙ୍କ ସୃଷ୍ଟି କରିଛି। ବିଶ୍ବର ବୃହତ୍ ରାଷ୍ଟ୍ରଗୁଡ଼ିକ ଏହି ଅହେତୁକ ମହାମାରୀର ବିଲୋପ ପାଇଁ ବିଜ୍ଞାନ ଓ ଆତ୍ମଜ୍ଞାନକୁ ମିଶାଇ ସଫଳତା ପାଇବାରେ ବିଶ୍ବାସୀ ଅଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଏହି ମହାମାରୀର ନିୟନ୍ତ୍ରଣ ସାଙ୍ଗକୁ ଅର୍ଥନୈତିକ ସୁଧାର ଓ ଲୋକଙ୍କୁ ସକାରାତ୍ମକ ଶକ୍ତିରେ ଆହ୍ବାନ ଦେଇଛନ୍ତି। ବିପଦକାଳରେ ଧୈର୍ୟ୍ୟ ଓ ସାମାଜିକ କାର୍ୟ୍ୟକ୍ରମକୁ ଆଗେଇ ନେବାପାଇଁ ସେ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ ରଖିଛନ୍ତି। ଆମ ରାଜ୍ୟ ପ୍ରାଥମିକ ସ୍ତରରେ ସଫଳତା ଲାଭ କରିଥିଲାବେଳେ ଅଗଷ୍ଟ, ସେପ୍ଟେମ୍ବର ମାସରେ ଏହାର ଅଭାବିତ ସଂକ୍ରମଣର ମୁକାବିଲା କରି ସଫଳତା ପାଇଁ ଆଶ୍ବାନ୍ବିତ। ଓଡ଼ିଶାରେ ସରକାର କଟକଣା ଜୋର୍ଦାର୍ କରି ସଂକ୍ରମଣ ରୋକିବା ଉଦ୍ୟମରେ ଅବ୍ୟାହତ ଲାଗିଛନ୍ତି।

କରୋନା ପ୍ରଭାବରେ ସାମାଜିକ ଓ ପାରିବାରିକ ସ୍ଥିତି ଉପରେ ଆଲୋକପାତ କଲେ ଜଣାଯାଏ ଯେ ଧୈର୍ୟ୍ୟ ରକ୍ଷା ସାଙ୍ଗକୁ ମାନସିକ ଅବସାଦ ଓ ଭରସାହୀନତାର ବାତାବରଣ ଏକ ପ୍ରକାର ସୃଷ୍ଟି ହୋଇଛି। କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ; ମାତ୍ର ନିର୍ଭୟତା ଏବଂ ସ୍ବାଭାବିକତାର ବାର୍ତ୍ତା ଜନସାଧାରଣଙ୍କୁ ଆଶ୍ବସ୍ତ କରିପାରୁନାହିଁ। ଅନ୍ତଃଶକ୍ତିର ବିକାଶ ଓ ସୁସ୍ଥ ମାନସିକତା ସୃଷ୍ଟି ପାଇଁ କାର୍ୟ୍ୟକରିବାର ଆବଶ୍ୟକତା ରହିଛି। ଏଥିପାଇଁ ଆତ୍ମଜ୍ଞାନ ସାଙ୍ଗକୁ କର୍ମଜ୍ଞାନ ଓ ଧର୍ମଜ୍ଞାନର ଆବଶ୍ୟକତା ରହିଛି। ସମାଜ ଓ ପରିବାର ଭିତରେ କରୋନା ପାଇଁ ଅସନ୍ତୁଳିତ ମନୋଭାବ ପ୍ରକାଶ ପାଉଛି। ଅନେକ କ୍ଷେତ୍ରରେ ସ୍ବାମୀ-ସ୍ତ୍ରୀ, ବାପ-ପୁଅ ଓ ସାହି-ଭାଇଙ୍କ ଭିତରେ କରୋନା ପାଇଁ କାରଣ ବିହୀନ ଦୂରତା ଦେଖାଯାଉଛି। କେତୋଟି ଘଟଣା ଏଠାରେ ଉଲ୍ଲେଖ କରାଯାଉଛି। ସାଧାରଣ ଭାବେ ଗୃହରେ ଏକାନ୍ତରେ ରହୁଥିବା ଜଣେ ସାଧାରଣ ଆକ୍ରାନ୍ତଙ୍କ ଘରକୁ ଏକପ୍ରକାର ବାସନ୍ଦ କରାଯାଉଛି। ଗାଁରେ କରୋନା ରୋଗୀ ଜଣେ ମରିଗଲେ ଶବଦାହ କରିବାକୁ ସୁଯୋଗ ଦିଆଯାଉନି। ନିରୀହ ନିରନ୍ନଙ୍କ ପାଇଁ ସାମାଜିକ ବ୍ୟବସ୍ଥା ତଳକୁ ତଳ ଚାଲିଯାଇଛି। ଦୁଃଖର କଥା ବାଲିଅନ୍ତାର ସରକଣା ପଞ୍ଚାୟତର କଇଜଙ୍ଗା ଗ୍ରାମରେ କରୋନା ପଜିଟିଭ ଥିବା ପରିବାରକୁ ନଳକୂଅ ବ୍ୟବହାର କରିବା ପାଇଁ ମନା କରିବା ଘଟଣା ଘଟିଛି।

ସରପଞ୍ଚ ସେମାନଙ୍କୁ ୭ ଦିନ ପାଇଁ ପାଣି ଯୋଗାଇବା ବ୍ୟବସ୍ଥା କରିଛନ୍ତି। କଲେକ୍ଟର କ୍ଷମତା ପାଇଥିବା ସରପଞ୍ଚ କ୍ଷମତା କେଉଁଠି? ଗାଁରେ ଏଥିପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। କୌତୂହଳର କଥା ଜଣେ ବାପା ରାଜଧାନୀର ଏକ ଦୋକାନରୁ ଭଲ ବାଇଗଣ କିଣି ପୁଅ ଘରକୁ ଯିବାବେଳେ ପୁଅ ହଠାତ୍ ବାଇଗଣ ଦେଖି ବାପାଙ୍କ ହାତରୁ ନେବାପାଇଁ କୁଣ୍ଠିତ ହେଲେ। ବାଇଗଣତକ ବାପା ଦୁଆର ମୁହଁରେ ଥୋଇଦେଇ ଚାଲିଗଲେ। ସେହିପରି ପୁରୁଣା ଭୁବନେଶ୍ବରରେ ଜଣେ ବୟସ୍କା ବୃଦ୍ଧା ପରିବା ବିକୁଥିବା‌େ ବେଳେ କେହି ତା ପାଖକୁ ଯାଇନଥିଲେ। ଜଣେ କ୍ରେତା କହିଲା ଏ ବୁଢ଼ୀକୁ ବୋଧେ କରୋନା ହୋଇଛି। ଏତିକିରେ ତା’ ବେପାର ବନ୍ଦ। ଏଭଳିି ଅନେକ ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି। ଜଣେ ଅତି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଘରକୁ ଫୋନ୍ କରି ଜଣେ ବରିଷ୍ଠ ନାଗରିକ ଯାଇଥିଲେ, ପହଞ୍ଚିବା ପରେ ସେହି ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଆଙ୍ଗୁଳି ଦେଖାଇ ଦୂରରେ ବସିବାକୁ କହିଲ। ଯଦିଓ ଉଭୟ ‘କରୋନା’ ସଚେତନ ତଥାପି ତାଙ୍କ ମନରେ ଭୟର ବାତାବରଣ ଥିବାର ଦେଖାଗଲା।

ପ୍ରଶ୍ନ ହେଉଛି- ‘କରୋନା’ ପାଇଁ ଭୟ ଏତେ ତୀବ୍ର କାହିଁକି? ଅବଶ୍ୟ ଏହା ଏକ ଅହେତୁକ ମହାମାରୀ। ପୂର୍ବେ ଏ ଦେଶରେ ହଇଜା, ବସନ୍ତ, ହାଡ଼ଫୁଟି ଓ ମିଳିମିଳା ଆଦି ରୋଗପାଇଁ ୧୪ ଦିନିଆ ସଙ୍ଗରୋଧ ବ୍ୟବସ୍ଥା ଥିଲା। ଆକ୍ରାନ୍ତକୁ ପୃଥକ୍ ବାସଗୃହରେ ରଖାଯାଉଥିଲା। ସେଥିପାଇଁ ବାସନ୍ଦ, ହୋ-ହଲ୍ଲା, ଆତଙ୍କ ସୃଷ୍ଟି କରାଯାଉଥିଲା। ଏ ସମ୍ପର୍କରେ ଅଧିକ ଲେଖିବା ଅପ୍ରୟୋଜନ। ଆଜିର ସମାଜରେ ଆତ୍ମଜ୍ଞାନ, କର୍ମଜ୍ଞାନ ଓ ଧର୍ମଜ୍ଞାନର ଅଭାବ ଫଳରେ ଆମର ମାନସିକତା ବା ବିଚାରବୋଧ ଦୃଢ଼ ହୋଇପାରୁନାହିଁ। ଫଳ‌େର କର୍ମଜ୍ଞାନ ଠିକ୍ ତା ବାଟରେ ପରିଚାଳିତ ହେଉନାହିଁ। କର୍ମଜ୍ଞାନର ସାମାଜିକ ଅର୍ଥ ହେଉଛି ଅବସ୍ଥା ଦେଖି ଶୃଙ୍ଖଳା, ସଂଯମ, ସଙ୍ଗରୋଧ ଓ ଶାସନତନ୍ତ୍ରର ପରାମର୍ଶ ମାନି ଅବସ୍ଥାର ମୁକାବିଲା କରିବା। ଧର୍ମଜ୍ଞାନର ତାତ୍ପର୍ୟ୍ୟ ହେଉଛି ସଦ୍ଭାବନା, ସଦାଚାର ଓ ସକାରାତ୍ମକ ମାନସିକତା ନେଇ ଦୈବୀଶକ୍ତିର ଆରାଧନା କରିବା। କୁହାଯାଏ ଯେ, ଯେଉଁଠି ବିଜ୍ଞାନ ହାର୍ମାନେ ସେହିଠାରୁ ଅଧ୍ୟାତ୍ମଜ୍ଞାନର ଆରମ୍ଭ ହୁଏ। ବିଗତବର୍ଷରେ ଆମେରିକାର ୨ଜଣ ବୈଜ୍ଞାନିକ ସ୍ପୁଟନିକ୍ ଯାନରେ ଅନ୍ୟ ଗ୍ରହକୁ ଯାଉଥିବା ବେଳେ ମଝି ବାଟରେ ସେମାନଙ୍କ ଯାନ ଅଚଳ ହୋଇଗଲା। ସେମାନେ ନିଃସହାୟ ହୋଇ ଭଗବତ୍ଶକ୍ତିର ପ୍ରାର୍ଥନା ଆକୁଳ ଭାବେ କଲେ। ଏହା ଫଳରେ ଅଧାବାଟରୁ ନିରାପଦରେ ଭୂପୃଷ୍ଠକୁ ଚାଲି ଆସିଥିଲେ। ଏଇ ଇତିହାସ ସମସ୍ତଙ୍କୁ ଜଣା।

‘କରୋନା’ ପ୍ରାରମ୍ଭ ସମୟରେ ଆମେରିକା, ଋଷିଆ ଓ ଅନ୍ୟାନ୍ୟ ରାଷ୍ଟ୍ରର ରାଷ୍ଟ୍ରପତିଗଣ କରମର୍ଦନ ବଦଳରେ ନମସ୍ତେ କହି ଦୂରତ୍ବ ରକ୍ଷା କଲେ। ଏହି ‘ନମସ୍ତେ’ ଭାରତୀୟ ପରମ୍ପରା। ସେହିପରି ସେ ସମୟରେ ଆମେରିକାର ଚିକାଗୋ, ଲସ୍ଆଞ୍ଜେଲ୍ସ, ମିଚିଗାନ ସହରରେ ମନ୍ତ୍ରପାଠ, ଆରାଧନା ଓ ଯଜ୍ଞ ଚାଲିଲା। ଆମ ସଂସ୍କୃତିରେ ନମସ୍କାର କରିବା, ଘରେ ଆଗନ୍ତୁକ ଆସି ପହଞ୍ଚିଲେ ତାଙ୍କ ପାଦ ଧୋଇବା ପାଇଁ ପିଢ଼ା ଓ ପାଣି ଦେବା ଏକ ଚଳଣି ଓ ପରମ୍ପରା ଥିଲା। ଏହାର ସରଳ ଅର୍ଥ ହେଉଛି ସଂକ୍ରମଣ ଆଶଙ୍କାକୁ ଦୂର କରିବା। ସେହିପରି ଯୋଗ, ପ୍ରାଣାୟମ, କପାଳଭାତି ପ୍ରଭୃତି ଶାରୀରିକ ସାଧନ ଦ୍ବାରା ଅନ୍ତଃଶକ୍ତି ବୃଦ୍ଧି ପାଇଥାଏ। ଭାରତର ଏହି ଅନ୍ତଃଶକ୍ତିର ଅନ୍ୟ ନାମ ଦୈବୀ ଆଶୀର୍ବାଦ ବୋଲି କୁହାଯାଏ। ଭାରତରେ ପୂଜାପାଠକୁ ଓ ଦେବସ୍ଥଳୀକୁ ସଂଯତ ଭାବରେ ଖୋଲାଯାଇ ଦୈବୀପ୍ରାର୍ଥନା ଏଥିପାଇଁ ଆବଶ୍ୟକ। ଏହି କଥାକୁ ବୁଝିବାଲୋକ ଭଲ ଭାବରେ ବୁଝି ପାରିବେ। ଆମ ଶାସ୍ତ୍ର ଉକ୍ତି ହେଉଛି- ‘‘ଦୈବ ବଳାନ୍ବିତଂ ନାନ୍ୟ ବଳମ୍’’।

ଆମେ ଚାକଚକ୍ୟକୁ ସ୍ଥାନ ଦେଉଥିବାବେଳେ ଜନସାଧାରଣଙ୍କ ସ୍ବଚ୍ଛ ବିଚାର ଓ ସ୍ବଚ୍ଛତା ରକ୍ଷାପାଇଁ ସାଧନ କ୍ରମ ସ୍ଥିର କରିବାର ଆବଶ୍ୟକତା ରହିଛି। ବିଜ୍ଞାନ ଜ୍ଞାନକୁ ଅଧ୍ୟାତ୍ମଜ୍ଞାନ ନାତ୍ ଦେଇଥାଏ ତାହା ସତ୍ୟ। ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରୁଥିବା ଶାସନତନ୍ତ୍ର ମଦସ୍ଥଳୀ ଖୋଲିବା ବେଳେ ‘ଦମ ସ୍ଥଳୀ’ ଅର୍ଥାତ୍ ବିଘ୍ନ ଦମନକାରୀ ମହାଶକ୍ତି ପୀଠଗୁଡ଼ିକୁ ବନ୍ଦ ରଖିବା ଏକ ସ୍ଥିର ବିଚାର ନୁହେଁ। ଦେବସ୍ଥଳୀରେ ବାହାର ଲୋକ ଯାଇ ନ ପାରନ୍ତି କିନ୍ତୁ ପୂଜାର୍ଚ୍ଚନା ବନ୍ଦ କାହିଁକି? ଏହା ବିଜ୍ଞବ୍ୟକ୍ତ ଏବଂ ଶାସନତନ୍ତ୍ର ଅବଶ୍ୟ ବିଚାର କରିବେ। ଦେବପୀଠ ବନ୍ଦ ଫଳରେ ସ୍ବାଭାବିକ ଭାବରେ ବିପୁଳ ଜନତା ଭିତରେ ଅବସାଦ ଆସିବା ବିଲକ୍ଷର ନୁହେଁ କି? ସଂକଳ୍ପ ସାହସ ଓ ସାଧନକ୍ରମକୁ ଶାସନତନ୍ତ୍ର ଉତ୍ସାହିତ କରିବାର ଆବଶ୍ୟକତା ଅଧିକ। ପର୍ୟ୍ୟଟନସ୍ଥଳୀ ପାଇଁ ଅନୁମତି ମିଳିଥିବା ବେଳେ ଦେବଦେବୀ ପୀଠରେ ତାଲା ଗ୍ରହଣୀୟ ନୁହେଁ। ଆତ୍ମଜ୍ଞାନ, ଧର୍ମଜ୍ଞାନ, କର୍ମଜ୍ଞାନ ସହିତ ପ୍ରୟୋଗଜ୍ଞାନକୁ ମିଶାଇ ସୁସ୍ଥ ମସ୍ତିଷ୍କରେ ଏଭଳି ସଂକଟର ମୁକାବିଲା କରାଯାଇପାରିବ। ଆମ ଶାସ୍ତ୍ର ମତରେ ‘ଅପୂଜ୍ୟାଃ ଯତ୍ର ପୂଜ୍ୟନ୍ତେ, ପୂଜ୍ୟ ପୂଜା ବ୍ୟତିକ୍ରମଃ ତ୍ରିଣ୍ୟେବ ତତ୍ ଦୃଶ୍ୟନ୍ତେ ଦୁର୍ଭିକ୍ଷମ୍, ମରଣମ୍ ଭୟମ।’

ଆମର କହିବାର କଥା ଆଜିର ବିଶ୍ବରେ ସାଂଘାତିକ ପରିବର୍ତ୍ତନ ଘଟୁଛି। ଧର୍ମଜ୍ଞାନ, ଆତ୍ମଜ୍ଞାନ, ସଦାଚାର ଜ୍ଞାନ ମାନବ ସମାଜକୁ ରକ୍ଷା କରିବ। ଏଥିପାଇଁ ଏକାକ୍ଷର ମନ୍ତ୍ର ଜପ କରିବାର ଆବଶ୍ୟକତା ରହିଛି। ଆମ ମତରେ ଏଭଳି ସଂକଟ ସମୟରେ ଉତ୍ସାହ ବୋଧିନୀ ଶକ୍ତି ଜାଗ୍ରତ ରଖିବା ଏବଂ ଅବସାଦ ବଦଳରେ ଆଗାମୀ ଜୀବନ ପାଇଁ ଆଲୋକର ପଥ ବାଛି ନେବାକୁ ହେବ। ‘କରୋନା’ ଆସିଛି ନିଶ୍ଚୟ ଚାଲିଯିବ ଓ ମଣିଷକୁ ବଞ୍ଚିବାକୁ ହେବ।

Comments
Loading...