ଭାରତୀୟ ଜାତୀୟବୋଧ

- ଶ୍ରୀକାନ୍ତ ଚାଟାର୍ଜୀ

ସ୍ୱାଧୀନତା, ଦେଶ, ଜାତି- ଏ ସବୁ ମନୁଷ୍ୟ ସମାଜର କ୍ରମବିକାଶର ଅଙ୍ଗ। ଏହି କ୍ରମରେ ନେସନ୍‌ (ଜାତି), ଦେଶ (କଣ୍ଟ୍ରି), ଷ୍ଟେଟ (ରାଷ୍ଟ୍ର), ସରକାର, ନେସନ-ଷ୍ଟେଟ୍‌ ଆଦିର ତତ୍ତ୍ୱ ସୃଷ୍ଟି ହେଲା। ଜାତୀୟତାବାଦ, ଜାତୀୟତାବୋଧ ଆଦି ମାନବ ସମାଜର ପ୍ରମୁଖ ଉପାଦାନ ଭାବରେ ଆବିର୍ଭୂତ ହେଲା। ୟୁରୋପର ଏନ୍‌ଲାଇଟେନ୍‌ମେଣ୍ଟ (ଜ୍ଞାନୋଦୟର ଯୁଗ)ର ଉତ୍ତର କାଳ, ଆମେରିକାର ସ୍ୱାଧୀନତା ସଂଗ୍ରାମ ଓ ଫରାସୀ ବିପ୍ଳବ ନେସନ ଏବଂ ନେସନ-ଷ୍ଟେଟ୍‌ର ଅବଧାରଣା ସୃଷ୍ଟିରେ ସହାୟକ ହେଲେ। ତେବେ ମୋଟ ଉପରେ ଊନବିଂଶ ଶତାବ୍ଦୀରେ ଏହି ଦୁଇ ତତ୍ତ୍ୱର ସ୍ୱରୂପ ସ୍ପଷ୍ଟ ହେଲା। ନେସନ୍‌ ଏକ ନୂତନ ପରିଚୟ ସୃଷ୍ଟି କଲା- ଫରାସୀ ଜାତି, ଜର୍ମାନ ଜାତି ଇତ୍ୟାଦି। ଏହି ଜାତି ଭିତ୍ତିରେ ଦେଶ ନିର୍ମାଣ ହେଲା। ଦେଶ ସହିତ ଆସିଲା ସାର୍ବଭୌମ ରାଷ୍ଟ୍ର ଏବଂ ସରକାର। ମୋଟ ଉପରେ ତତ୍ତ୍ୱ ହେଲା- ଗୋଟିଏ ‘ଜାତିର’ ନିଜସ୍ୱ ଏକ ‘ଦେଶ’ ରହିବ। ବ୍ରିଟିଶ ଜାତିର ଏକ ଦେଶ ଥିଲା- ଇଂଲଣ୍ଡ/ବ୍ରିଟେନ। ଭାରତୀୟ ଜାତିର ଏକ ଦେଶ ଥିଲା ଭାରତ। ଉଭୟେ ସାର୍ବଭୌମ ଦେଶ ଏବଂ ପରସ୍ପରଠୁ ସ୍ୱାଧୀନ/ପୃଥକ୍‌ ରହିବା ଉଚିତ; କିନ୍ତୁ ଦେଖନ୍ତୁ କ’ଣ ହେଲା। ଇଂଲଣ୍ଡର ମହାରାଣୀ ଏଲିଜାବେଥ୍‌ଙ୍କ ପାଖରୁ ଅନୁମତି ପାଇ ଏକ ବ୍ୟାବସାୟିକ ସଂସ୍ଥା-ଇଷ୍ଟ ଇଣ୍ଡିଆ କମ୍ପାନୀ- ପ୍ରଥମେ ଭାରତରେ ବ୍ୟବସାୟ ଆରମ୍ଭ କଲେ। ପରେ ଭାରତକୁ କବ୍‌ଜା କଲେ। ଶେଷକୁ ସ୍ୱୟଂ ଇଂରେଜ ସରକାର ଭାରତର ଶାସନ ଭାର ନିଜ ହାତକୁ ନେଲେ। ଭାରତ ଏକ ପରାଧୀନ ଉପନିବେଶ ପାଲଟି ଗଲା।

ଇତିହାସରେ ଟିକିଏ ପଛକୁ ଯିବା। ନେସନ-ଷ୍ଟେଟର ଆବିର୍ଭାବ ପୂର୍ବରୁ ପୃଥିବୀ ସାରା ରାଜାରାଜୁଡ଼ାଙ୍କ ଶାସନ ଥିଲା। ରାଜାଙ୍କ ବାହୁବଳ ତାଙ୍କ ରାଜ୍ୟ (ଦେଶ)ର ସୀମା ନିର୍ଦ୍ଧାରଣ କରୁଥିଲା। ରାଜାମାନେ ନିଜନିଜ ମଧ୍ୟରେ ଲଢ଼େଇ କରୁଥିଲେ ଏବଂ ପ୍ରତ୍ୟେକେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସାଧାରଣ ଜନତା (ପ୍ରଜା) ରାଜାଙ୍କ ଅନୁଗତ ଥିଲେ। ରାଜାଙ୍କ ପରିବର୍ତ୍ତନ ସହିତ ପ୍ରଜାଙ୍କ ଆନୁଗତ୍ୟ ମଧ୍ୟ ପରିବର୍ତ୍ତିତ ହେଉଥିଲା। ଭାରତର ଉଦାହରଣ ଦେଖନ୍ତୁ। ଭାରତ, ଭାରତବର୍ଷ, ଆର୍ୟ୍ୟାବର୍ତ୍ତ- ଏଭଳି ଏକ ଅବଧାରଣା ନିଶ୍ଚିତ ଥିଲା। ଅନ୍ତତଃ ସାଂସ୍କୃତିକ, ପୌରାଣିକ ଏବଂ ତାତ୍ତ୍ୱିକ ଦୃଷ୍ଟିକୋଣରୁ ନିଶ୍ଚୟ ଥିଲା। ତେବେ ତାହାର ଭୌଗୋଳିକ ସୀମା ସ୍ଥିର ନଥିଲା। ଭାରତୀୟ ଉପମହାଦେଶର ସମଗ୍ର ଅଞ୍ଚଳରେ ସମ୍ରାଟ କେହି ନଥିଲେ। ମୌର୍ୟ୍ୟ ଯୁଗରେ ଏକ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା, କିନ୍ତୁ କଳିଙ୍ଗ ଏହି ‘ମଗଧ’ ସାମ୍ରାଜ୍ୟର ବାହାରେ ରହିଲା। ସମ୍ରାଟ ଅଶୋକ ଏକ ରକ୍ତାକ୍ତ ଯୁଦ୍ଧ ପରେ କଳିଙ୍ଗ ଜୟ କଲେ। ପରେ ଖାରବେଳ ମଗଧ ଆକ୍ରମଣ କଲେ ଏବଂ ଏକ ବିରାଟ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଲେ। ପରବର୍ତ୍ତୀ କାଳରେ ମଧ୍ୟ କଳିଙ୍ଗ ସାମ୍ରାଜ୍ୟ ତାଙ୍କଠାରୁ ଗୋଦବରୀ ପର୍ୟ୍ୟନ୍ତ ବ୍ୟାପ୍ତ ହେଲା। ସେହିପରି ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାରତରେ ବିଭିନ୍ନ ସମୟରେ ପରାକ୍ରମୀ ରାଜା ଆବିର୍ଭୂତ ହୋଇଥିଲେ ଏବଂ ବଡ଼ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ତେବେ ଉତ୍ତର ଭାରତର ସମ୍ରାଟମାନେ ମୋଟ ଉପରେ ବର୍ତ୍ତମାନର ତାମିଲନାଡ଼ୁ ଏବଂ ପୂର୍ବୋତ୍ତର ଭାରତ ଉପରେ କର୍ତ୍ତୃତ୍ୱ ସ୍ଥାପନ କରି ପାରିନଥିଲେ। ସେହିପରି ଦକ୍ଷିଣ ଏବଂ ପଶ୍ଚିମର ସମ୍ରାଟମାନେ ଉତ୍ତର ଭାରତର ସମଗ୍ର ଅଞ୍ଚଳରେ କେବେ ବି କର୍ତ୍ତୃତ୍ୱ ଜାହିର କରି ପାରି ନଥିଲେ। ଏଣୁ ‘ଭାରତ’ ଦେଶର ସୀମା ନିର୍ଦ୍ଧାରଣ ଅସମ୍ଭବ ଥିଲା।

ଏହି ନିରନ୍ତର ଲଢ଼େଇ ପ୍ରକ୍ରିୟା​ରେ ସାମିଲ ହେଲେ ମହମ୍ମଦ ବିନ କାସିମ ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀରେ। କ୍ରମଶଃ ଉତ୍ତର ଭାରତରେ ଦାସବଂଶ, ଖିଲଜୀ ବଂଶ ଏବଂ ମୋଗଲ୍ ବଂଶର ସାମ୍ରାଜ୍ୟ ପ୍ରତିଷ୍ଠା ହେଲା। ସମୟକ୍ରମେ ମଗଧରୁ ରାଜଧାନୀ ଦିଲ୍ଲୀକୁ ଗଲା। ଏହି ସମୟରେ ମଧ୍ୟ ରାଜା-ରାଜାଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଲା। ଏ ସମୟରେ ନୂଆ କଥା ହେଲା ଇସଲାମ୍‌ ପନ୍ଥୀଙ୍କ ଆବିର୍ଭାବ। ସେମାନେ ବାହାରୁ ଆସି ଭାରତରେ ରହିଗଲେ ଏବଂ ଅନ୍ୟାନ୍ୟ ରାଜାମାନଙ୍କ ଭଳି ରାଜତ୍ୱ ବିସ୍ତାରରେ ଲିପ୍ତ ହେଲେ। କିଛି ଆକ୍ରମଣକାରୀ କେବଳ ଲୁଟପାଟ ପାଇଁ ଆସୁଥିଲେ। ତେବେ ଅନ୍ୟମାନେ ଦେଶର ମୁଖ୍ୟ ଧାରାର ଅଂଶ ହୋଇଗଲେ। ସେ ସମୟର କିଛି ବିଶେଷ ଦିଗ ଲକ୍ଷ୍ୟ କରନ୍ତୁ। ଓଡ଼ିଶାରୁ ଆରମ୍ଭ କରିବା। ସେହି କାଳରେ ଅନଙ୍ଗଭୀମ ଦେବ ଏବଂ ପରେ କପିଳେନ୍ଦ୍ର ଦେବ ଭଳି ପ୍ରତାପୀ ରାଜାମାନେ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଥିଲେ। ଦକ୍ଷିଣ ଭାରତରେ ମଧ୍ୟ ସଶକ୍ତ ସାମ୍ରାଜ୍ୟ ସବୁ ଥିଲା। ଅର୍ଥାତ୍‌- ହିନ୍ଦୁ-ହିନ୍ଦୁ ରାଜାଙ୍କ ମଧ୍ୟରେ ଲଢ଼େଇ। ବାବର ୧୫୨୬ ମସିହାରେ ଇବ୍ରାହିମ୍‌ ଲୋଦିଙ୍କୁ ପରାସ୍ତ କରି ମୋଗଲ ସାମ୍ରାଜ୍ୟ ଆରମ୍ଭ କଲେ। ଉଭୟେ ମୁସଲମାନ। ହଳଦୀଘାଟି ଯୁଦ୍ଧର ଏକ ରୋଚକ ଦୃଷ୍ଟାନ୍ତ ଦେଖନ୍ତୁ। ଲଢ଼େଇ ମୋୱାରର ରାଣା ପ୍ରତାପ ଏବଂ ସମ୍ରାଟ ଆକବରଙ୍କ ସୈନ୍ୟ ମଧ୍ୟରେ। ୧୫୭୬ ମସିହାର କଥା। ରାଣା ପ୍ରତାପଙ୍କ ପ୍ରମୁଖ ସେନାପତି ଥିଲେ ହାକିମ୍‌ ଖାନ୍‌ ସୁର୍‌। ଆକବରଙ୍କ ମୁଖ୍ୟ ସେନାପତି ଥିଲେ ରାଜା ମାନସିଂହ। ସେହିପରି ଛତ୍ରପତି ଶିବାଜୀଙ୍କ ସେନାବାହିନୀର ପ୍ରମୁଖ ସେନାପତିଙ୍କ ମଧ୍ୟରେ ନୁର୍‌ବେଗ୍‌ ଏବଂ ଦରିୟା ଖାନ୍‌ ଅନ୍ୟତମ ଥିଲେ। ଏଇଠି ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ। ମୁସଲମାନ ରାଜାମାନେ ବାହାରର କୌଣସି ‘ଦେଶ’ର ପ୍ରତିନିଧିତ୍ୱ କରୁନଥିଲେ।

ପୂର୍ବକାଳ ଭଳି ଏ କାଳରେ ମଧ୍ୟ ରାଜା ରାଜା ମଧ୍ୟରେ ରାଜତ୍ୱ ବିସ୍ତାର ପାଇଁ ଲଢ଼େଇ ହେଉଥିଲା।

ବ୍ରିଟିଶ ଶାସନ କାଳରେ ‘ସାମ୍ରାଜ୍ୟବାଦ’ର ତତ୍ତ୍ୱ ମଧ୍ୟ ଆସିଲା। ଇଂରେଜ ବୁଦ୍ଧିଜୀବୀମାନେ ସାମ୍ରାଜ୍ୟବାଦ ଓ ଔପନିବେଶବାଦକୁ ସମର୍ଥନ କଲେ। ଏମିତି ଜଣେ ବୁଦ୍ଧିଜୀବୀ ଥିଲେ ଜେମ୍ସ ମିଲ୍‌। ତାଙ୍କ ଲେଖା ବହି ‘ହିଷ୍ଟ୍ରି ଅଫ୍‌ ବ୍ରିଟିଶ ଇଣ୍ଡିଆ’ (୧୮୧୭-୨୬) ଏହି ମାନସିକତାର ଏକ ବିଶିଷ୍ଟ ଉଦାହରଣ। ଏହି ବହିରେ ମିଲ୍‌ ଭାରତର ଇତିହାସକୁ ତିନିଯୁଗରେ ବିଭକ୍ତ କଲେ- ହିନ୍ଦୁ, ମୁସଲିମ୍‌ ଓ ବ୍ରିିଟିଶ ଯୁଗ। ଏହି ଯୁଗ ବିଭାଜନର ଦୂରଗାମୀ ପ୍ରଭାବ ପଡ଼ିଲା। ଆମେ ଉପର ଆଲୋଚନାରେ ଦେଖିଲୁ ଯେ ‘ମୁସଲିମ୍‌’ ଯୁଗରେ କେମିତି ପୂର୍ବଭଳି ରାଜା-ରାଜାଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିଲା। ଏଥିରେ ହିନ୍ଦୁ-ମୁସଲିମ୍‌ ସ୍ପଷ୍ଟ ବିଭାଜନ ପରିଲକ୍ଷିତ ହୁଏନାହିଁ। ଏଣୁ ଭାରତୀୟ ବିଦ୍ୱାନମାନେ ମିଲ୍‌ଙ୍କ ତତ୍ତ୍ୱର କଠୋର ସମାଲୋଚନା କରନ୍ତି। ପାଠକେ ଏଥିପାଇଁ ଅମର୍ତ୍ତ୍ୟ ସେନ୍‌ଙ୍କ ‘ଆର୍ଗୁମେଣ୍ଟେଟିଭ୍‌ ଇଣ୍ଡିଆନ୍‌’ (ବିଶେଷତଃ ସପ୍ତମ ଅଧ୍ୟାୟ) ବହି ଦେଖି ପାରନ୍ତି। ଯାହା ହେଉ, ହିନ୍ଦୁ ଯୁଗ, ମୁସଲିମ୍‌ ଯୁଗ ଏବଂ ବ୍ରିଟିଶ ଯୁଗ- ଏକ ସ୍ଥାୟୀ ବସା ବାନ୍ଧି ଦେଲା। ଏହି ତତ୍ତ୍ୱର ଏତେ ପ୍ରଭାବ ପଡ଼ିଲା ଯେ ଶେଷକୁ ଦେଶରେ ହିନ୍ଦୁ ମୁସଲିମ ବିଭାଜନ ନେଇ ‘ଦୁଇ ଜାତି ତତ୍ତ୍ୱ’ ବା ‘ଟୁ-ନେସନ୍‌ ଥିଓରୀ’ ଆସିଲା ଏବଂ ଦେଶ ବିଭାଜନ ହେଲା। ଧାର୍ମିକ ପରିଚିତି ଭିତ୍ତିରେ ପାକିସ୍ତାନ ତିଆରି ହେଲା। ଭାରତ ସାମ୍ବିଧାନିକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବାଟ ଆପଣେଇଲା।

ଆମେ ଆଲୋଚନା ଆରମ୍ଭ କରିଥିଲୁ ଜାତି (ନେସନ୍‌) ପରିଚିତ ସୃଷ୍ଟି ନେଇ। ଭାରତ ଭଳି ଏକ ବିବିଧତାର ଦେଶରେ ସର୍ବଭାରତୀୟ ଜାତୀୟତାବାଦ ସୃଷ୍ଟି କରିବା କଷ୍ଟକର ନିଶ୍ଚୟ। ବିବେକାନନ୍ଦ ଏ ବିଷୟ ଅବଗତ ଥିଲେ। ତାଙ୍କ ଭାଷାରେ, ‘ଭାରତର ସମସ୍ୟାଟି ଅନ୍ୟ ଯେ କୌଣସି ଦେଶର ସମସ୍ୟା ଅପେକ୍ଷା ଅଧିକ ଜଟିଳ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ଣ୍ଣ, ଧର୍ମ, ଭାଷା, ସରକାର- ଏ ସମସ୍ତଙ୍କ ମିଶ୍ରଣରେ ଜାତି (ନେସନ) ତିଆରି ହୁଏ। ପୃଥିବୀ ସାରା ଜାତି ସବୁ ଯେଉଁ ଉପାଦାନରେ ତିଆରି, ତାହା ହେଲା ବର୍ଣ୍ଣ। ଆମ ଦେଶ କଥା ଅଲଗା। ଏଠି ଆର୍ୟ୍ୟ, ଦ୍ରାବିଡ଼, ତୁର୍କୀ, ମଙ୍ଗୋଲ୍‌, ମୋଗଲ, ୟୁରୋପୀୟ- ପୃଥିବୀର ସବୁ ଜାତିର ଲୋକଙ୍କ ଲହୁ ଏ ଦେଶ ମାଟିରେ ମିଶି ଯାଇଛି। ଭାଷା ଦୃଷ୍ଟିରୁ ଦେଖିଲେ ପୃଥିବୀର ସୁନ୍ଦରତମ ଭାଷାସବୁ ଏ ଦେଶରେ ଅଛନ୍ତି। ଆଚାର ବ୍ୟବହାର ଦୃଷ୍ଟିରୁ ଦୁଇଟି ୟୁରୋପୀୟ ଦେଶର ପ୍ରଭେଦ ଅପେକ୍ଷା ଭାରତରେ ବିବିଧତା ଅଧିକ (କମ୍ପ୍ଲିଟ୍‌ ୱାର୍କ୍ସ, ତୃତୀୟଖଣ୍ଡ, ପୃ.୨୮୬; ପ୍ରବନ୍ଧର ଏହି ଓ ଅନ୍ୟ ଅନୁବାଦ: ଏହି ଲେଖକର)। ଏତେ ବିବିଧତା ମଧ୍ୟରେ ଭାରତୀୟ ଜାତି ତିଆରି କରିବା ସତରେ ଦୁଃସାଧ୍ୟ ଥିଲା।

ବ୍ରିଟିଶ ଶାସନ, ଇଂରାଜୀ ଶିକ୍ଷା, ଊନବିଂଶ ଶତାବ୍ଦୀର ନବଜାଗରଣ ଏବଂ ଶେଷକୁ ସ୍ୱାଧୀନତା ସଂଗ୍ରାମ ଭାରତ/ ଭାରତବର୍ଷର ସାଂସ୍କୃତିକ ଅବଧାରଣାକୁ ସାକ୍ଷାତ ସ୍ୱରୂପ ପ୍ରଦାନ କଲା। ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସ୍ଥାପନା ଏ ଦିଗରେ ଏକ ପ୍ରମୁଖ ଘଟଣା। ଏ ବିଷୟରେ ବିବେକାନନ୍ଦଙ୍କ ସହ ଏକ ପ୍ରଶ୍ନୋତ୍ତର ଲକ୍ଷ୍ୟ କରନ୍ତୁ: “ପ୍ରଶ୍ନ: ଆପଣ ଭାରତୀୟ ଜାତୀୟ କଂଗ୍ରେସ ଆନ୍ଦୋଳନ ପ୍ରତି ଦୃଷ୍ଟିପାତ କରିଛନ୍ତି? ଉତ୍ତର:-ମୁଁ ଏହି ଆନ୍ଦୋଳନକୁ ମହତ୍ତ୍ୱପୂର୍ଣ୍ଣ ମନେକରେ ଏବଂ ଆନ୍ତରିକତାର ସହ ତା’ର ସଫଳତା କାମନା କରେ। ଭାରତର ବିଭିନ୍ନ ବର୍ଣ୍ଣକୁ ନେଇ ଏକ ଜାତି (ନେସନ୍‌) ତିଆରି ହେଉଛି। ମୁଁ ବେଳେବେଳେ ଭାବେ ଭାରତୀୟମାନେ ୟୁରୋପର ବିଭିନ୍ନ ଲୋକଙ୍କଠୁ କମ୍‌ ବିବିଧ ନୁହନ୍ତି (ପଞ୍ଚମ ଖଣ୍ଡ, ପୃ.୧୯୯; ସାକ୍ଷାତକାର: ସଣ୍ଡେଟାଇମ୍ସ, ଲଣ୍ଡନ, ୧୮୯୬)।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ଦୀର୍ଘ ସ୍ୱାଧୀନତା ସଂଗ୍ରାମ ଭାରତୀୟ ଜାତୀୟ ଚେତନା ସୃଷ୍ଟି କରିବାରେ ନିର୍ଣ୍ଣାୟକ ଭୂମିକା ପାଳନ କରିଥିଲା। ଗାନ୍ଧିଜୀ ସାମ୍ପ୍ରଦାୟିକ ସଦ୍‌ଭାବ, ଅସ୍ପୃଶ୍ୟତାର ଉଚ୍ଛେଦ, ପଞ୍ଚାୟତ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ତଥା ଶାନ୍ତି ଓ ଅହିଂସାର ବାର୍ତ୍ତାବହ ଥିଲେ। ସେ ଜଣେ ନିର୍ଭୀକ ଏବଂ ଆତ୍ମନିର୍ଭର ଭାରତୀୟ ଜାତିର ସ୍ୱପ୍ନ ଦେଖୁଥିଲେ। ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ବିଜ୍ଞାନ, ସମାଜବାଦ ଓ ଗଣତନ୍ତ୍ର ମାଧ୍ୟମରେ ଭାରତୀୟ ଚେତନା ତଥା ଉନ୍ନତ ଭାରତର ପରିକଳ୍ପନା କରିଥିଲେ। ତେବେ ପ୍ରକୃତ ଅର୍ଥରେ ଜାତି ତିଆରି କରିବାକୁ ହେଲେ ବିବେକାନନ୍ଦଙ୍କ ଏହି ଉକ୍ତିକୁ ମନେ ରଖିବାକୁ ପଡ଼ିବ। ଆପଣ ଆପଣଙ୍କ ଅଧିକାର ଏବଂ ସୁବିଧାହାସଲ ପାଇଁ ଯେତେ ଆନ୍ଦୋଳନ କରିବା କଥା କରନ୍ତୁ; କିନ୍ତୁ ମନେ ରଖନ୍ତୁ, ଯେତେଦିନ ପର୍ୟ୍ୟନ୍ତ ଆମେ ଜାତି ପ୍ରତି ଅସ୍ମିତାଭାବକୁ ଗଭୀର ଭାବରେ ଅନୁଭବ କରି ନିଜକୁ ପ୍ରକୃତ ଅର୍ଥରେ ଉନ୍ନୀତ ନ କରିଛୁ, ସେତେଦିନ ପର୍ୟ୍ୟନ୍ତ ଅଧିକାର ଓ ସୁବିଧା ପାଇବାର ଆମର ଆଶା ଦିବାସ୍ୱପ୍ନ ହୋଇ ରହିଥିବ….’ (ପଞ୍ଚମଖଣ୍ଡ, ପୃ.୪୨୧)

ଉପସଂହାରକୁ ଆସିବା। ଜାତୀୟତାବାଦ ଏକ ବଡ଼ ପ୍ରସଙ୍ଗ। ଏହାର ପାଖାପାଖି ତତ୍ତ୍ୱ ହେଲା ଦେଶପ୍ରେମ। ତେବେ ଦୁଇଟି ଏକା କଥା ନୁହେଁ। ସ୍ପଷ୍ଟତଃ, ଭାରତୀୟ ଜାତୀୟତାବାଦ ଏବେ ବି ନିର୍ମାଣାଧୀନ। ଏବେ ବି ଜାତି (କାଷ୍ଟ), ଧର୍ମ, ଭାଷା ଆଦିନେଇ ବିବାଦ ଅଛି ଏବଂ ବିଚ୍ଛିନ୍ନତାବାଦର ସ୍ୱର ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଭାରତରେ ଉପ-ଜାତୀୟ ଚେତନା ଏବଂ ଉପ-ଜାତୀୟ ପରିଚିତି ପ୍ରତି ଆନୁଗତ୍ୟ ଏବଂ ଜାତୀୟ ଚେତନା ତଥା ଜାତି (ନେସନ୍‌)ପ୍ରତି ଆନୁଗତ ମଧ୍ୟରେ ସମନ୍ୱୟ ଆବଶ୍ୟକ। ଆଜିଦିନରେ ଆମକୁ ସ୍ୱାଧୀନତା ସଂଗ୍ରାମର ଆବେଗକୁ ମନେ ପକାଇବା ଉଚିତ। ସେ ସମୟରେ କେମିତି ଜାତି, ଧର୍ମ, ବର୍ଣ୍ଣ, ପୁରୁଷ, ମହିଳା ସବୁ ନିର୍ବିଶେଷରେ ସମସ୍ତେ ଏ ମହାସଂଗ୍ରାମରେ ଝାସ ଦେଇଥିଲେ। ଶେଷକୁ ଆମ୍ବେଦକରଙ୍କ ଏକ ଉକ୍ତି ଉଦ୍ଧାର କରି ଏ ପ୍ରବନ୍ଧ ସାଙ୍ଗ କରିବା: “… ଏ ଦେଶରେ କୌଣସି ନିର୍ଦିଷ୍ଟ ସଂସ୍କୃତି (କଲ୍‌ଚର), ସେ ହିନ୍ଦୁ ସଂସ୍କୃତି ହେଉ କି ମୁସଲିମ ସଂସ୍କୃତି ହେଉ କି କନ୍ନଡ଼ ସଂସ୍କୃତି ହେଉ ଅଥବା ଗୁଜୁରାଟୀ ସଂସ୍କୃତି ହେଉ, କାହାରି ସ୍ଥାନ ଅଛି ବୋଲି ମୁଁ ମନେ କରେନାହିଁ। ଏସବୁ ଅଛି, ଆମେ ଅସ୍ୱୀକାର କରିପାରିବା ନାହିଁ; କିନ୍ତୁ ଏମାନଙ୍କୁ ଉପଯୋଗୀ ଭାବରେ ପ୍ରଶ୍ରୟ ଦେବା ଉଚିତ ନୁହେଁ। ସେମାନଙ୍କୁ ଅନୁପଯୋଗୀ ଭାବରେ ବିଚାର କରାଯିବା ଉଚିତ୍‌ କାରଣ ସେମାନେ ଆମ ଆନୁଗତ୍ୟକୁ ବିଭାଜିତ କରନ୍ତି ଏବଂ ଆମର ସାମୂହିକ ଲକ୍ଷ୍ୟରୁ ଆମକୁ ଦୂରେଇ ନିଅନ୍ତି। ସାମୂହିକ ଲକ୍ଷ୍ୟ ହେଲା, ଆମେ ସମସ୍ତେ ଭାରତୀୟ- ଏମିତି ଏକ ଅନୁଭୂତ ସୃଷ୍ଟି କରିବା। କିଛି ଲୋକ କହନ୍ତି ଆମେ ପ୍ରଥମେ ଭାରତୀୟ ଏବଂ ପରେ ହିନ୍ଦୁ ବା ମୁସଲିମ୍‌। ମୁଁ ଏ ମନ୍ତବ୍ୟକୁ ପସନ୍ଦ କରେନାହିଁ। ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ…. ମୁଁ ଚାହେଁନାହିଁ ଯେ ଭାରତୀୟର ଭାବରେ ଆମର ଆନୁଗତ୍ୟ ଅନ୍ୟ କୌଣସି ପ୍ରତିଦ୍ୱନ୍ଦ୍ୱାତ୍ମକ ଆନୁଗତ୍ୟ ଦ୍ୱାରା ତିଳେମାତ୍ର ପ୍ରଭାବିତ ହେଉ, ତେଣିକି ସେ ଆନୁଗତ୍ୟ ଆମ ଧର୍ମଜନିତ ହେଉ, ଆମ ସଂସ୍କୃତି (କଲ୍‌ଚର) ଜନିତ ହେଉ ବା ଆମ ଭାଷା ଜନିତ ହେଉ। ମୁଁ ଚାହେଁ ସବୁ ଲୋକେ ପ୍ରଥମେ ଭାରତୀୟ ଏବଂ ଶେଷରେ ଭାରତୀୟ ହୋଇଥିବେ ତଥା ଭାରତୀୟ ଛଡ଼ା ଅନ୍ୟ କିଛି ହୋଇ ନଥିବ….’ (ରୋମିଲା ଥାପର ଇତ୍ୟାଦିଙ୍କ ରଚିତ ‘ଅନ୍‌ନ୍ୟାସନାଲିଜିମ୍‌’ ୨୦୧୬, ବହିର ମୂଖବନ୍ଧରୁ ଉଦ୍ଧୃତ।

Comments are closed.