ରାଜନୈତିକ ପଶାପାଲିରେ ଅବହେଳିତ ମଧ୍ୟବିତ୍ତ

- ଷ୍ଟାଲିନ ମିଶ୍ର, ସିଙ୍ଗାପୁର ଏକ୍ସଚେଞ୍ଜ, ସିଙ୍ଗାପୁର

ମଧ୍ୟବିତ୍ତ(ମିଡିଲ୍‌ କ୍ଲାସ୍‌)ମାନେ ହେଉଛନ୍ତି ଭାରତର ଆର୍ଥିକ, ସାମାଜିକ ଓ ବୈଷୟିକ ବିକାଶର ପ୍ରାଣକେନ୍ଦ୍ର। ମୁଁ ସେହି ମଧ୍ୟବିତ୍ତବର୍ଗଙ୍କ କଥା କହୁଛି, ଯେଉଁମାନେ ସକାଳୁ ସନ୍ଧ୍ୟା ଯାଏ କାମ କରନ୍ତି, ନିଜ ବେତନରୁ ଆଗ ସରକାରଙ୍କୁ କର ପୈଠକରି ପରେ ଯାହା ବଳେ ତାକୁ ନିଜ ପରିବାରର ପ୍ରତିପୋଷଣ ପାଇଁ ନେଇଥା’ନ୍ତି। ଭାରତ ଭଳି ଜନବହୁଳ ଦେଶରେ ଜନସଂଖ୍ୟାରେ ଏମାନଙ୍କ ସଂଖ୍ୟା ପାଖାପାଖି ୫୦% ହେବ। ଏମାନଙ୍କର ନା ରାସନ କାର୍ଡ ଅଛି, ନା କୌଣସି ସରକାରୀ ଯୋଜନାରେ ଏମାନେ ଶ୍ରେଣୀଭୁକ୍ତ। ଆମ ଦେଶରେ ଯାହା ସବୁ ଜନହିତକର ଯୋଜନା ହୁଏ, ସବୁ ସେଇ ଗରିବ, ନକଲି ଗରିବ (ଲାଞ୍ଚ ଦେଇ ଗରିବ ତାଲିକାରେ ନାମ ଲେଖେଇଥିବା) ଅବା ଧନିକ ଶ୍ରେଣୀର ଲୋକମାନଙ୍କ ପାଇଁ। ହେବନି ବା କାହିଁକି ? ଗରିବମାନେ ନିର୍ବାଚନ ବେଳେ କିଛି ପ୍ରଲୋଭନ ନେଇ ଭୋଟ ଦେବେ ଏବଂ ଭୋଟ କିଣା ବିକା କରି ନିର୍ବାଚନୀ ବୈତରଣୀ ପାର ହେଵା ପ୍ରକ୍ରିୟା ପାଇଁ ଲାଗୁଥିବା ଅର୍ଥ ଧନିକ ଶ୍ରେଣୀର ଲୋକମାନେ ଯୋଗେଇ ଦେବେ। ନେତାଙ୍କୁ ଲୋଡ଼ା ଗରିବର ଭୋଟ ଆଉ ଧନୀର ଅର୍ଥବଳ। ଏହା ମଧ୍ୟରେ ବଳି ପଡ଼ିଗଲେ ମଧ୍ୟବିତ୍ତ।

ସମାଜରେ ମଧ୍ୟବିତ୍ତମାନଙ୍କର ଆବଶ୍ୟକତା ସେତେବେଳେ ଉପଲବଧି ହୁଏ ଯେତେବେଳେ ସରକାରଙ୍କୁ କିଛି ବଡ଼ ଧରଣର ଅର୍ଥନୈତିକ ଅଭାବକୁ ପୂର୍ଣ୍ଣ କରିବାର ଥାଏ। ଆଦର୍ଶ ଦେଶପ୍ରେମ, ନୈତିକତା ଓ କର୍ତ୍ତବ୍ୟ ପରାୟଣତାର ଦ୍ୱାହି ଦେଇ ନାନାଦି ପ୍ରକାର ଟିକସ ଏହି ବର୍ଗର ଲୋକମାନଙ୍କ ଉପରେ ଲଦାଯାଏ। ସ୍ବଉପାର୍ଜିତ ଧନରୁ କିଛିମାତ୍ରାରେ ଦେଶ ପାଇଁ ଟିକସ ବା ଦାନ ଆକାରରେ ପ୍ରଦାନ କରିବା କିଛି ଖରାପ କଥା ନୁହେଁ; କିନ୍ତୁ ସେହି ଟିକସ ପ୍ରତିବଦଳରେ ଜନତାଙ୍କୁ କିଛି ସେବା ମିଳିବା କଥା। ମଧ୍ୟବିତ୍ତ ବର୍ଗ ଏହି ଦେଶର ପ୍ରକୃତ ନିର୍ମାତା ଓ ରାଜକୋଷକୁ ଏମାନଙ୍କର ଅବଦାନ ଅଧିକ ହେଲେ ମଧ୍ୟ ସେଥିରୁ ଟଙ୍କାଟିଏ ବି ସେହି ବର୍ଗର ଲୋକମାନଙ୍କ ମଙ୍ଗଳ ନିମନ୍ତେ ଖର୍ଚ୍ଚ ହୁଏ ନାହିଁ। ଏହା ବିଡ଼ମ୍ବନା ନୁହେଁ କି? ଅସଲ କଥା ହେଲା ମଧ୍ୟବିତ୍ତମାନେ ସଂଗଠିତ ହୋଇନଥିବାରୁ ଭୋଟବ୍ୟାଙ୍କ ହେବାକୁ ବଞ୍ଚିତ ହୁଅନ୍ତି, ଆଉ ଏହାର ଫାଇଦା ନେତାମାନେ ଖୁବ ଉଠାଇ ଆସୁଛନ୍ତି। ତେଣୁ ସରକାରୀ ଯୋଜନା ମାନଙ୍କରୁ ବାଦ ପଡ଼ିବା ସାଧାରଣ କଥା। ପ୍ରୟୋଜନ ନାହିଁ ତ ପ୍ରାସଙ୍ଗିକତା ବି ନାହିଁ। ଯଦି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି, ତା’ହେଲେ ଏସବୁ ବର୍ଗୀକରଣ ଅସଙ୍ଗତ ନୁହେଁ କି ?

ଏବେ ଆସନ୍ତୁ ଜାଣିବା ମଧ୍ୟବିତ୍ତ କିଏ – ସମସ୍ତ ପ୍ରକାର କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀ, ବେସରକାରୀ ଓ ବିଦେଶୀ ସଂସ୍ଥାରେ କାର୍ୟ୍ୟରତ କର୍ମଚାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀ, ଓକିଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ କଳାକାରମାନେ। ଏହି ଲୋକମାନେ କାହାଠାରୁ ସାହାଯ୍ୟ ଲୋଡ଼ନ୍ତି ନାହିଁ। ସାହାଯ୍ୟ ପାଇଁ ସେମାନେ ଧାଡ଼ିରେ ଠିଆ ହୁଅନ୍ତି ନାହିଁ। ସେମାନେ କଠିନ ପରିଶ୍ରମ କରି ନିଜ ଜୀବନକୁ ନିଜେ ଗଢ଼ିବାର ପ୍ରୟାସ ଜାରି ରଖିଛନ୍ତି। ଏବେ ସଙ୍କଟ ହଠାତ୍ ସେମାନଙ୍କୁ ଅସୁରକ୍ଷିତ କରିଦେଇଥିବାବେଳେ ଜନହିତକର ଯୋଜନାଗୁଡ଼ିକରୁ ଏମାନଙ୍କୁ ବଞ୍ଚିତ କରିବା ଅନ୍ୟାୟ। ଆପଣ କେବେ ଶୁଣିଛନ୍ତି କି, ଦେଶର ଅର୍ଥନୈତିକ ମାନ୍ଦା ଅବସ୍ଥାକୁ ଆଖିରେ ରଖି ନେତା ମନ୍ତ୍ରୀମାନେ ଖର୍ଚ୍ଚ କାଟ କରିବାର, ସରକାରୀ ତହବିଲରୁ ପାରମ୍ପରିକ ହିସାବରେ ପାଉଥିବା ସୁବିଧା ସୁଯୋଗର କାଟ୍‌ଛାଣ୍ଟ କରିବାର?

ସମ୍ପ୍ରତି କରୋନା ମହାମାରୀ କେବଳ ଦେଶର ଅର୍ଥନୀତିକୁ ଦୁର୍ବଳ କରିନାହିଁ, ମଧ୍ୟବିତ୍ତଙ୍କୁ ସମାଜର ନୂତନ ଗରିବର ମାନ୍ୟତା ଦେଇସାରିଛି। ଆଜିଯାଏ କେନ୍ଦ୍ର କିମ୍ବା ରାଜ୍ୟ ସରକାର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ସମାଜକୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରିନାହାନ୍ତି। ପିଲାଙ୍କ ବିଦ୍ୟାଳୟ ଦେୟ ଓ ଆୟକରରେ ରିଆତି, ଋଣଛାଡ଼, ବ୍ୟାଙ୍କ ଋଣରେ ସୁଧ ଛାଡ଼, ବିଜୁଳି ପାଣି ବିଲ ଛାଡ଼, ଅଥବା କୌଣସି ପ୍ରକାର ଅତ୍ୟାବଶ୍ୟକ ସେବା ସାମଗ୍ରୀରେ ମଧ୍ୟବିତ୍ତଙ୍କୁ ସୁହେଇଲା ଭଳି ଯୋଜନା କାର୍ୟ୍ୟକାରୀ ନକରିବା ତାଙ୍କ ପ୍ରତି ଉପହାସ ନୁହେଁ କି?

ମଧ୍ୟବିତ୍ତମାନେ ଏକ ସାମାଜିକ ଦ୍ବନ୍ଦ୍ବରେ ପଡ଼ିଛନ୍ତି; କାରଣ ସେମାନଙ୍କର ଆତ୍ମସମ୍ମାନ ସେମାନଙ୍କୁ ଅନ୍ୟକୁ ସାହାଯ୍ୟ ମାଗିବା ପାଇଁ ହାତ ବଢ଼ିବାରେ ବାରଣ କରିଛି।

ସ୍ବଳ୍ପ ବେତନଭୋଗୀ ଅଣସଂରକ୍ଷିତ ଓ ବେସରକାରୀ କର୍ମଚାରୀ, କ୍ଷୁଦ୍ର ଓ ନାମମାତ୍ର ବ୍ୟବସାୟୀଙ୍କ ଉପରେ ଏହି ମହାମାରୀ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛଟେଇ ଓ ଦରମା କାଟ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି; କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସରକାର କେବଳ ଧନୀ, ଗରିବ ବା ତଥାକଥିତ ଗରିବଙ୍କ ସେବାରେ ସୀମିତ ଅଛନ୍ତି। ଦୁର୍ଭାଗ୍ୟ ଯେ ଆଜିଯାଏ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତଙ୍କୁ ପ୍ରାଥମିକତା ଦେଇନାହାନ୍ତି।

ବର୍ତ୍ତମାନର ଅବସ୍ଥା ଦେଖି ମଗଧର ନନ୍ଦବଂଶୀ ନରେଶ ଧନନନ୍ଦଙ୍କ କଥା ମନେପକାଇ ଦେଉଛି। ବିଳାସ ବ୍ୟସନ ତଥା ଅନୈତିକ କାର୍ୟ୍ୟରେ ରାଜ୍ୟର ରାଜସ୍ବକୁ ନଷ୍ଟ କରି ରାଜ୍ୟ ଚଳାଇବାକୁ ଜନମାନସଙ୍କ ଉପରେ କର ଉପରେ କର ଲଦି ଦେଉଥିଲେ। ଅତ୍ୟଧିକ କର ଚାପକୁ ସହ୍ୟ କରିବାକୁ ଅସମର୍ଥ ହୋଇ ନାଗରିକମାନେ ଦୁରାଚାରୀ ହେବାକୁ ବାଧ୍ୟ ହେଉଥିଲେ। ଏସବୁ ନୀତିର ଘୋର ବିରୋଧ କରିଥିଲେ ସେ ସମୟର ମଗଧର ରାଜ ପରାମର୍ଶଦାତା ତଥା ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ ବିଦ୍ୱାନ ଚାଣକ୍ୟ। ଫଳସ୍ବରୂପ ତାଙ୍କୁ ରାଜ ପରିଷଦରୁ ବହିଷ୍କାର ହେବାକୁ ପଡ଼ିଥିଲା ଏବଂ ପରେ ସେ ନନ୍ଦ ବଂଶ ପତନର କାରଣ ହୋଇଥିଲେ। ବିଚାରବୁଦ୍ଧି ସମ୍ପନ୍ନ ପାଠକଙ୍କୁ ଏହାର ଅର୍ଥ ବୁଝାଇବା ଆବଶ୍ୟକ ନାହିଁ।

ସରକାର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତମାନଙ୍କୁ କେବଳ ରାଜସ୍ବ ଆଦାୟ କରିବାର ଯନ୍ତ୍ର ନଭାବି ସେମାନଙ୍କ ପ୍ରତି ସମବେଦନା ରଖିବା ସହିତ ସେମାନଙ୍କ ଅସମୟରେ ସାହାଯ୍ୟର ହାତ ବଢ଼ାଇବା ଉଚିତ।

Comments are closed.