ଅନ୍‌ଲାଇନ୍‌ ଶିକ୍ଷାର କୌଶଳ

- ସଞ୍ଜୟ ମିଶ୍ର, କମନୱେଲଥ ଅଫ୍‌ ଲର୍ଣ୍ଣିଂ, କାନାଡ଼ା

ବର୍ତ୍ତମାନର କୋଭିଡ୍-୧୯ ପରିପ୍ରେକ୍ଷୀରେ ଅନଲାଇନ୍ ପାଠପଢ଼ା ଅତ୍ୟନ୍ତ ଉପଯୋଗୀ, ଏକଥା ବୋଧହୁଏ କହିବା ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ। ଇଣ୍ଟରନେଟ୍ ଏବଂ ୪ଜି ଡାଟାର ଅଭାବରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷାର ସୁବିଧା ମିଳିପାରୁନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟପକ୍ଷରେ, କୋଭିଡ୍-୧୯ ସବୁକ୍ଷେତ୍ରରେ ଜୀବନଯାପନ ପାଇଁ ଅନେକ ବାଧା ସୃଷ୍ଟି କରିଛି। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ୟ୍ୟନ୍ତ ସମସ୍ତ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଅଧିକାଂଶ ଶିକ୍ଷାନୁଷ୍ଠାନମାନଙ୍କରେ ଇଣ୍ଟରନେଟ୍ ବ୍ୟବସ୍ଥା ନାହିଁ କି, ଶିକ୍ଷକମାନେ ଅନଲାଇନ୍ ପାଠପଢ଼ା କିପରି ଭାବରେ ପରିଚାଳନା କରାଯାଏ ଏ ବିଷୟରେ ଜାଣିନାହାନ୍ତି।

ଏଭଳି ପରିସ୍ଥିତିରେ ଶିକ୍ଷକମାନେ ବିଭିନ୍ନ ପ୍ରକାରର ମାଗଣା ସଫ୍ଟ‌େ‌ୱର୍ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଭିଡିଓ କନଫରେନ୍ସ ଦାରା ପାଠ ପଢ଼ାଉଛନ୍ତି ଜାଣି ବହୁତ ଖୁସି ଲାଗେ, କିନ୍ତୁ ମନେ ରଖିବା ଦରକାର ଯେ, ଅନଲାଇନ୍ ପଠନ ଏକ ନୂତନ ଶିକ୍ଷା ବ୍ୟବସ୍ଥା, ଯାହାର ଅନେକ ସିଦ୍ଧାନ୍ତ ଏବଂ କୌଶଳ ଅଛି।

ଏଭଳି ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଭିଡିଓ, ଡିସ୍କସନ ଫୋରମ, ଅନଲାଇନ୍ ପ୍ରଶ୍ନୋତ୍ତର ଏବଂ ଡିଜିଟାଲ୍ ପଠନ ସାମଗ୍ରୀ ବ୍ୟବହାର କରି ପଢ଼ିଥା’ନ୍ତି। ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କର ବିଷୟ ସମ୍ବନ୍ଧିତ ସନ୍ଦେହ ଏବଂ ସମସ୍ୟାଗୁଡ଼ିକୁ ଭିଡିଓ କନଫରେନ୍ସ ଦ୍ୱାରା କିମ୍ବା ଇ-ମେଲ୍ ଦାରା ଦୂର କରିଥା’ନ୍ତି। ଅନେକ ବିଶ୍ୱବିଦ୍ୟାଳୟରେ ଲର୍ଣ୍ଣିଂ ମ୍ୟାନେଜମେଣ୍ଚ ସିଷ୍ଟମ ବା ଖଗଝ ବ୍ୟବହାର କରାଯାଏ। ଶିକ୍ଷକମାନେ ଏହାଦ୍ୱାରା ସହଜରେ ଶିକ୍ଷା ପରିଚାଳନା କରିବାରେ ସକ୍ଷମ ହୁଅନ୍ତି।

ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଅନେକ ଅପରିହାର୍ୟ୍ୟ ଆବଶ୍ୟକତା ରହିଛି। ସର୍ବପ୍ରଥମେ ଛାତ୍ରଛାତ୍ରୀମାନଙ୍କର କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସୁବିଧା ରହିବା ଅତ୍ୟାବଶ୍ୟକ। ମୋବାଇଲ୍ ଏବଂ ସ୍ମାର୍ଟଫୋନ୍ ସହିତ ଡାଟା ପ୍ୟାକେଜ୍ ବ୍ୟବହାର କରିବା ପାଇଁ ଇଣ୍ଟରନେଟ୍ ଉପଯୋଗ କରାଯାଇପାରିବ; କିନ୍ତୁ ବର୍ତ୍ତମାନ ସବୁ ଛାତ୍ରଛାତ୍ରୀଙ୍କ ପକ୍ଷରେ ଏହା ସମ୍ଭବ ହେଉନାହିଁ। କାରଣ କଥାବାର୍ତ୍ତା କରିବା ପାଇଁ ମୋବାଇଲ ବ୍ୟବହାର କରିବା ଏବଂ ପାଠ ପଢ଼ିବା ପାଇଁ ବ୍ୟବହାର କରିବା ଭିନ୍ନକଥା। ଅନେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମୋବାଇଲର ଉପଯୋଗ ଉପରେ କଟକଣା ଅଛି। ହ୍ବାଟ୍‌ସ୍‌ଆପ୍‌ ଏବଂ ଫେସବୁକ୍ ଇତ୍ୟାଦି ବ୍ୟତୀତ ପଢ଼ିବା ପାଇଁ ମୋବାଇଲ ବ୍ୟବହାର ଅନେକଙ୍କୁ ଜଣାନାହିଁ। ଗୁଗୁଲ ଜରିଆରେ କିଛି ବିଷୟ ଜାଣିବା ଏବଂ ପାଠ୍ୟକ୍ରମ ଜନିତ ବିଷୟ ବସ୍ତୁ ପାଇଁ ମୋବାଇଲ କିମ୍ବା ଇଣ୍ଟରନେଟର ବ୍ୟବହାର କରିବା ଭିତରେ ଥିବା ଭିନ୍ନତାକୁ ବୁଝିବା ଦରକାର।

ପାଠ୍ୟକ୍ରମର ବିଷୟଗୁଡ଼ିକ ଅନଲାଇନ୍ ଲର୍ଣ୍ଣିଂ ମାନେଜମେଣ୍ଟ ସିଷ୍ଟମରେ ଅଡିଓ, ଭିଡିଓ ଓ ଅନ୍ୟପ୍ରକାରର ପରସ୍ପର ସମ୍ବାଦାତ୍ମକ ସ୍ୱଶିକ୍ଷଣ ସାମଗ୍ରୀ ରୂପେ ରହିବା ଦରକାର। ଏଥିପାଇଁ ଶିକ୍ଷକମାନଙ୍କୁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଥବା ବିଭିନ୍ନ ସଫ୍ଟୱେରର ଜ୍ଞାନ ଏବଂ କୌଶଳ ବିଷୟରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦିଆଯିବା ଉଚିତ। ଶିକ୍ଷାନୁଷ୍ଠାନମାନଙ୍କର ଡିଜିଟାଲ୍ ଲ୍ୟାବ୍/ଷ୍ଟୁଡ଼ିଓର ବ୍ୟବସ୍ଥା ଥିଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ତା’ର ସଦୁପଯୋଗ କରିପାରନ୍ତେ। ଡିଜିଟାଲ ଲ୍ୟାବ୍, ଇଣ୍ଟରନେଟ୍ ଏବଂ ଡିଜିଟାଲ ଜ୍ଞାନକୌଶଳ ଅନଲାଇନ ପଠନ ପାଇଁ ଆବଶ୍ୟକ।

ଏହା ବ୍ୟତୀତ ପାଠ ପ୍ରସ୍ତୁତି ଛାତ୍ରକୈନ୍ଦ୍ରିକ ହେବା ଉଚିତ। ବର୍ତ୍ତମାନ ଏହା ଶିକ୍ଷକ କୈନ୍ଦ୍ରିକ ଅଟେ। ଏଥିପାଇଁ ଶିକ୍ଷକ କେତେ ଘଣ୍ଟା ପାଠ ପଢ଼ାଇଲେ ଆମେ ତାହା ଚିନ୍ତା କରିଥାଉ। ଛାତ୍ରଛାତ୍ରୀମାନେ କ’ଣ ଶିଖିଲେ ତାହା ଚିନ୍ତାଯୋଗ୍ୟ ବିଷୟ ନୁହେଁ କି ? ଅନଲାଇନ୍ ଶିକ୍ଷାରେ ପାଠ୍ୟକ୍ରମକୁ ଅନେକ ଛୋଟ ଛୋଟ ଭାଗ କରି ସେସବୁର ଉଦ୍ଦେଶ୍ୟ ଏବଂ କିପରି ମୂଲ୍ୟାୟନ କରାଯିବ ତାହା ପ୍ରଥମେ ନିର୍ଣ୍ଣାୟିତ ହୋଇଥାଏ। ଅବଶ୍ୟ, ଏସବୁ କଥା ଭଲ ଶିକ୍ଷକଙ୍କ ଏକ ପ୍ରକାରର ନିତିଦିନିଆ କାମ। ଅନଲାଇନ୍ ପରିପ୍ରେକ୍ଷୀରେ ଏହା ନିହାତି ଆବଶ୍ୟକ ହୋଇଥାଏ।

ପାଶ୍ଚାତ୍ୟ ଦେଶମାନଙ୍କର ଅନଲାଇନ୍ ଶିକ୍ଷା ଅନେକ ରୂପ ନେଇଥବା ଦେଖାଯାଏ। ସମ୍ପୂର୍ଣ୍ଣ ଅନଲାଇନ୍ ଶିକ୍ଷାରେ ମଧ୍ୟ ସମସାମୟିକ ଅନଲାଇନ୍ ଏବଂ ଭିନ୍ନ ସମୟ ଅନଲାଇନ୍ ବ୍ୟବସ୍ଥା ରହିଛି; କିନ୍ତୁ ଏକପ୍ରକାର ମିଶ୍ରିତ ବ୍ୟବସ୍ଥା ଅଧିକ ପ୍ରଚଳିତ। ଏପରି ବ୍ୟବସ୍ଥାରେ କିଛି ପାଠ୍ୟକ୍ରମ ଅନଲାଇନ୍ ଏବଂ କିଛି ଶିକ୍ଷାନୁଷ୍ଠାନରେ ମୁହାଁମୁହିଁ ପାଠପଢ଼ା ଦ୍ୱାରା ସମ୍ପନ୍ନ ହୋଇଥାଏ। ଏଭଳି ବ୍ୟବସ୍ଥାରେ ପ୍ରାୟତଃ ୩୦ ରୁ ୭୯ ପ୍ରତିଶତ ପାଠ୍ୟକ୍ରମ ଅନଲାଇନ୍ ହୁଏ। ତେବେ ମନରେ ପ୍ରଶ୍ନ ଉଠେ, ବର୍ତ୍ତମାନ ସମୟରେ ଯେଉଁ ପ୍ରକାର ଅନଲାଇନ୍ ପାଠପଢ଼ା ଚାଲଛି ତାକୁ କ’ଣ ଆମେ ପ୍ରକୃତରେ ଅନଲାଇନ୍ କହିବା? ଏହାକୁ ଶିକ୍ଷାବିତ୍‌ମାନେ ଆପାତକାଳୀନ ସୁଦୂର ଶିକ୍ଷା(ଏମରଜେନ୍ସି ରିମୋଟ ଲର୍ଣ୍ଣିଂ)କହିଛନ୍ତି । ସରକାର ଏତେ ଦିନ ପର୍ୟ୍ୟନ୍ତ ଅନଲାଇନ୍ ଶିକ୍ଷା ବିଷୟରେ କାହିଁକି ଚିନ୍ତା କରିନଥିଲେ?

ଏହା କହିବା ଠିକ ନୁହେଁ ଯେ, ଏ ବିଷୟରେ ପୂର୍ବରୁ କିଛି ଚିନ୍ତା କରାଯାଇନାହିଁ। ୧୯୯୮ରୁ ଆଜି ପର୍ୟ୍ୟନ୍ତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି, କିନ୍ତୁ ଅନଲାଇନ୍ ଶିକ୍ଷାକୁ ଆମ ଶିକ୍ଷା ପଦ୍ଧତିର ଏକ ଅଭିନ୍ନ ଅଙ୍ଗ ଭାବରେ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ କେନ୍ଦ୍ର ସରକାର ଏମ୍‌ଓଓସିର ଭାରତରେ ୨୦୦୦ରୁ ଅଧିକ ବିଷୟରେ ଏହା ଉପଲବ୍ଧ। ଏଥିପାଇଁ ୟୁଜିସି ମଧ୍ୟ ନିୟମ ଆଣିଛନ୍ତି। ଛାତ୍ରଛାତ୍ରୀମାନେ ଏମ୍‌ଓଓସି ମାଧ୍ୟମରେ ୨୦ପ୍ରତିଶତ ପାଠ୍ୟକ୍ରମ ପଢ଼ିପାରିବେ।

ଆମ ରାଜ୍ୟରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅନଲାଇନ୍ ଶିକ୍ଷାର ଏକ ଅଗ୍ରଣୀ ଅନୁଷ୍ଠାନ। ରାଜ୍ୟରେ ଶିକ୍ଷକମାନଙ୍କୁ ଅନଲାଇନ୍ ପଠନ ପାଇଁ ପ୍ରଶିକ୍ଷଣ ଦେବା ସହିତ ବିଭିନ୍ନ ସଫ୍ଟ ସ୍କିଲ୍ ବିଷୟ ଅନଲାଇନ ମାଧ୍ୟମରେ ପଢ଼ାଯାଇଥାଏ। କେହି ମଧ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ବିଭିନ୍ନ ପାଠ୍ୟସାମଗ୍ରୀ ମାଗଣାରେ ଅନଲାଇନ୍ ଡାଉନଲୋଡ୍ କରି ପଢ଼ିପାରିବେ। ଏଭଳି ଏକ ବ୍ୟବସ୍ଥା ସମାଜର କଲ୍ୟାଣ ପାଇଁ ଆବଶ୍ୟକ ଏବଂ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ମୁକ୍ତ ବିଶ୍ବବିଦ୍ୟାଳୟର ପଦ୍ଧତିକୁ ଅନୁକରଣ କଲେ ଅନଲାଇନ୍ ଶିକ୍ଷା ଆହୁରି ଉନ୍ନତି କରିବ ଏବଂ ରାଜ୍ୟକୁ ଅଧିକ ଗୌରବାନ୍ୱିତ କରିବାରେ ସକ୍ଷମ ହେବ।

ଯଦି ଆମେ ଅନଲାଇନ୍ ଶିକ୍ଷାକୁ ଆଧାର କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବା, ତେବେ ଆମକୁ ଅନେକ ବିଷୟରେ ଗଭୀର ଭାବରେ ଚିନ୍ତା କରିବା ଦରକାର। ଅନଲାଇନ୍ ଶିକ୍ଷା ଦ୍ୱାରା ଆମେ ସମସ୍ତଙ୍କ ପାଖରେ ଶିକ୍ଷାକୁ ପହ଼ଞ୍ଚାଇ ପାରିବା। ଏହା ପାଇଁ ସମାଜରେ ଡିଜିଟାଲ୍ ପ୍ରସାର ହେବା ଆବଶ୍ୟକ। ଛାତ୍ରଛାତ୍ରୀମାନଙ୍କୁ ସରକାର ଡାଟା ପ୍ୟାକେଜ୍ ପାଇଁ ସବସିଡି ଦେଲେ ଏବଂ ପାଠ ଉପଯୋଗୀ ୱେବସାଇଟ୍‌ଗୁଡ଼ିକୁ ଜିରୋ ରେଟିଙ୍ଗ୍ ବ୍ୟବସ୍ଥା କଲେ ଅନଲାଇନ୍ ପାଠ୍ୟ ପଦ୍ଧତିର ଉନ୍ନତି ହେବ ଏବଂ ସମସ୍ତେ ଏହାର ଲାଭ ଉଠାଇ ପାରିବେ।

Comments are closed.