ମାଆ ମାଟିର ମୁକ୍ତି ସତ୍ୟାଗ୍ରହ

- ପ୍ରଫୁଲ୍ଲ ସାମନ୍ତରା

ମାଟିରୁ ମା’ କିମ୍ବା ମା’ରୁ ମାଟି ଦୁଇଟି ଯାକ ଏକାତ୍ମା, ସମଭାବ ଓ ସମସେବାର ପ୍ରତୀୟମାନ। ମାଟିର ଅନ୍ତର୍ନିହିତ ସୁଗନ୍ଧ ଅତି ଆତ୍ମୀୟତା ଓ ଅକ୍ଷୟ ମଧ୍ୟ। ମାଟିର ଉର୍ବରତାରେ ଥାଏ ଫଳପ୍ରସୂଶକ୍ତିର ଦାନା ଯାହା ସର୍ବଦା ଅବିନଶ୍ୱର ଓ ଅଶେଷ। ମା’ ଜନ୍ମ ଦିଏ ସନ୍ତାନମାନଙ୍କୁ ପାଳନ ବି କରେ, ମାଟି ମଧ୍ୟ ଖାଦ୍ୟ ଦିଏ ବୃକ୍ଷଲତାକୁ, କୋଟି କୋଟି ମଣିଷ-ପଶୁ-ପକ୍ଷୀମାନଙ୍କୁ। ମାଟିରୁ ସ୍ନେହ, ଶ୍ରଦ୍ଧା ଓ ମମତାର ଅନବରତ ଧାରା ସ୍ୱରୂପ ଝରଣା-ନଦୀର ସୃଷ୍ଟି। ସବୁଠି ମାଟି ଅନେକ ବିବିଧତାଙ୍କୁ ଧାରଣ କରିଥିବା ସେତ୍ତ୍ବ ତା’ର ରଙ୍ଗରେ ଭିନ୍ନତା ଥିଲେ ବି ତା’ ସ୍ୱଭାବରେ ଭିନ୍ନତା ନ ଥାଏ; ଭିନ୍ନ ଭିନ୍ନ ରଙ୍ଗରେ ବିଶେଷ ଗୁଣ ଥାଏ, ସୁଗନ୍ଧିରେ ଆବିଳତା ନ ଥାଏ। ବସୁନ୍ଧରାରେ ଜନ୍ମ ହୋଇଥିବା ଯିଏ ଯେଉଁଠି ବି ଯେ କୌଣସି ବିହନ ବୁଣିଦିଏ ବିନା କାର୍ପଣ୍ୟରେ ମାଟି ତାର ଦାୟିତ୍ୱ ନିଏ, ଫସଲ ଫଳାଇବା ପାଇଁ। ସେହିପରି ମା’ ଜନ୍ମ ଦିଏ, ତା ପିଲା ପାଇଁ ସ୍ତନ୍ୟପାନ ସର୍ବତ୍ର ସଂଜୀବନୀ। ଭିନ୍ନ ଭିନ୍ନ ବର୍ଣ୍ଣର ମା’ମାନଙ୍କର କ୍ଷୀର ମଧ୍ୟ ଏକ ବର୍ଣ୍ଣ, ଏକ ଶକ୍ତିର ଆଧାର।

ମା’ର ସ୍ନେହ ଓ ମମତା କାଳଜୟୀ ଯାହାର ବିକଳ୍ପ ନାହିଁ। ମା’ ମାଟି ସର୍ବଦା ନିଜ ନିଜ ଜନ୍ମିତ ପିଲାଙ୍କ ତଥା ପ୍ରଜାତିମାନଙ୍କ ଜୀବନ ଗଢ଼ିବାରେ ସମସ୍ତ ଦାୟିତ୍ୱ ନେଇଥାନ୍ତି। ମା’ କିମ୍ବା ମାଟି କେବେ ବି କାହାକୁ ଅନାଦର କରେ ନାହିଁ। ମାଟି ତଥା ବସୁଧା ଉପରେ ସମସ୍ତ ଜୀବ, ଜୈବବିବିଧତା, ଉଦ୍ଭିଦ ଜଗତ ନିର୍ଭରଶୀଳ; କିନ୍ତୁ ମାଟିର ପ୍ରାକୃତିକ ଉର୍ବରତାକୁ ସଦ୍ବ୍ୟବହାର ନ କରି ତା’ ଠାରୁ ଅଧିକ ପରିମାଣରେ ଉତ୍ପାଦିକା ଶକ୍ତି ସୃଷ୍ଟି କରିବା ଦ୍ୱାରା ତା ଶାରୀରିକ ଅସୁସ୍ଥତାକୁ ଡାକି ଆଣାଯାଇଛି। ତାହା କେବଳ ଟେକ୍ନୋଲଜିର ଅତ୍ୟଧିକ ପ୍ରୟୋଗ ଦ୍ୱାରା ମୁନାଫା ଖୋରୀ କର୍ପୋରେଟ୍ ପ୍ରକୃତିକୁ କୃତ୍ରିମକରଣ କରିବାରେ ଲାଗିଛନ୍ତି। ଫଳରେ ଅନେକ ସ୍ଥାନରେ ମାଟି ତା’ର ନିଜସ୍ୱ ପ୍ରାକୃତିକ ଉର୍ବରତା ହରାଇ ବନ୍ଧ୍ୟା ହୋଇଗଲାଣି। ତା’ର ଶରୀରରେ ଥିବା ଅସଂଖ୍ୟ ସହଯୋଗୀ ପୋକ ଜୀବାଣୁଗୁଡ଼ିକ ଲୁପ୍ତ ହୋଇଯାଉଛନ୍ତି। ଏହି ପୋକଗୁଡ଼ିକ ଯଥା-କେଞ୍ଚୁଆ, ଜିଆ ଏପରି ଅନେକ ଯେଉଁ ମାନଙ୍କ ଲାଳ, ମଳ ମାଟିକୁ ଉର୍ବର କରନ୍ତି ଓ ଫୁସ୍କା ରଖନ୍ତି; କିନ୍ତୁ ସବୁଜ ବିପ୍ଲବ ନାମରେ ବିଶ୍ୱରେ ମାଟିର ପ୍ରକୃତ ଉର୍ବରତାକୁ ନଷ୍ଟ କରି ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଟିର ସ୍ୱାଭାବିକ ଗୁଣଗୁଡ଼ିକୁ ଅଚଳ କରିଦିଆଯାଇଛି। ମାଟି ଭିତରେ ଥିବା ସଜୀବ କୀଟାଣୁ-ଜୀବାଣୁଗୁଡ଼ିକର ନିରନ୍ତରତା ଖତମ ହୋଇଗଲା ପରେ ମାଟି ବିଷାକ୍ତ ହେବାରେ ଲାଗିଛି। ଯେଉଁ ସବୁ ସାର ଫସଲ ବୃଦ୍ଧିରେ ସହାୟକ ହେଉଛନ୍ତି ସେଗୁଡ଼ିକର ବିଷାକ୍ତ ଗୁଣଗୁଡ଼ିକ ଖାଦ୍ୟଶସ୍ୟରେ ଦ୍ରବୀଭୂତ ହୋଇ ରହିଥାଏ। ପରିଣାମ ସର୍ବସାଧାରଣ ବିଷାକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କ୍ୟାନସରଠାରୁ ଆରମ୍ଭ କରି ବହୁ ରୋଗ ବ୍ୟାପୁଛି।

ମଣିଷର ସ୍ୱାସ୍ଥ୍ୟ ସଂକଟ ସହ ମାଟି ଯେ ରୋଗଗ୍ରସ୍ତ ହେବା ଦ୍ୱାରା ପରିବେଶ ଉପରେ ତାର ପ୍ରଭାବ ଅତି ଭୟଙ୍କର ହୋଇପଡ଼ିଛି। ରାସାୟନିକ ସାରର ବ୍ୟବହାର ଦ୍ୱାରା ନାଇଟ୍ରେସ ଗ୍ୟାସ ଉତ୍ପନ୍ନ ହୁଏ। ବାୟୁମଣ୍ଡଳକୁ ଯାଏ, ମାଟି କାର୍ବନ ଡାଇଅକ୍ସାଇଡ଼୍କୁ ଟାଣି ରଖିବା କ୍ଷମତା ମଧ୍ୟ ହରାଏ। ଫସଲ ପାଇଁ ଜଳର ଆବଶ୍ୟକତା ଅତ୍ୟଧିକ ବୃଦ୍ଧିପାଏ। ମାଟିର ଆର୍ଦ୍ରତା କମି ଶୁଷ୍କ ହୋଇଯାଏ। ଅନ୍ୟ ଦିଗରେ ମାଟିକୁ ଅବିଚାରିତ ଖନନ କରି ପ୍ରାକୃତିକ ସଂପଦର ଲୁଟ୍ କରାଯାଉଛି ଓ ସବୁଜବନାନୀ ଶସ୍ୟଶ୍ୟାମଳା କ୍ଷେତକୁ ବର୍ଜ୍ୟ ସ୍ଥାନରେ ପରିଣତ କରି ଜଳବାୟୁ ପରିବର୍ତ୍ତନକୁ ଡାକି ଅଣାଯାଉଛି। ମାଟିର ସୌଦା କରାଯାଉଛି କର୍ପୋରେଟ ମୁନାଫା ପାଇଁ। ଏସବୁ ବିଶ୍ୱତାପ ବୃଦ୍ଧିରେ ସହାୟକ ହୁଅନ୍ତି। ତେଣୁ ମାଟିର ସୁସ୍ଥତା ଫେରାଇ ଆଣିବାକୁ ବ୍ୟାପକ ପ୍ରୟାସ ଏକାନ୍ତ ଜରୁରୀ। ତାହା ହେଲା କ୍ରମଶଃ ରାସାୟନିକ ଚାଷକୁ ସଙ୍କୁଚିତ କରି ଦେଶୀ-ପ୍ରାକୃତ ଚାଷକୁ ଫେରିବାକୁ ହେବ। ବିଶ୍ୱରେ ଆନେକ ସ୍ଥାନରେ ଏହାର ଉଦ୍ୟମ ଜାରି ରହିଛି। ବ୍ୟକ୍ତିଗତ ତଥା ସଂସ୍ଥାଗତ ଭାବେ ସ୍ଥାନୀୟ କ୍ଷେତ୍ରରେ ସଫଳତା ମିଳୁଥିଲେ ବି ତାହା ସାମୂହିକ ସ୍ତରରେ ପ୍ରୟୋଗ ହୋଇ ପାରି ନାହିଁ। କାରଣ ଆତ୍ମବିଶ୍ୱାସର ଅଭାବ। ତେଣୁ ଦେଶଗୁଡ଼ିକର ରାଷ୍ଟ୍ରୀୟ କୃଷି ଓ ଖାଦ୍ୟ ନୀତିରେ ବ୍ୟାପକ ପରିବର୍ତ୍ତନ ଏକାନ୍ତ ଜରୁରୀ। କୃଷି ସଂସ୍କାର ନ କରି ଦେଶୀ ଚାଷର ପୁନରୁଦ୍ଧାର ସହ କୃଷକ ପାଖରେ ବିଜ୍ଞାନ ସମ୍ମତ ଜ୍ଞାନ-କୌଶଳ ଉପଲବ୍ଧ କରାଯାଇ ପାରିଲେ ସର୍ବସାଧାରଣ ଚାଷୀ ଗ୍ରହଣ କରିବାକୁ ଆଗେଇ ଆସିବେ। ଏହା ସହ କୃଷିକୁ କଂପାନୀକରଣରୁ ମୁକ୍ତ କରିବା ମଧ୍ୟ ଆଉ ଏକ ଜରୁରୀ। କିନ୍ତୁ ପୁଞ୍ଜିବାଦୀ ବିଶ୍ୱ ବଜାର ବ୍ୟବସ୍ଥାରେ ଖାଦ୍ୟ ବ୍ୟବସାୟୀମାନଙ୍କ ମୁନାଫା ଲୋଭରୁ କୃଷିକୁ ଆଜାଦ କରାଇବା ଏତେ ସହଜସାଧ୍ୟ ନୁହେଁ; କିନ୍ତୁ ଏଥିପାଇଁ ସର୍ବତ୍ର ଅଭିଯାନ ଚାଲୁ ରହିବା ଏକାନ୍ତ କାମ୍ୟ।

ଆଜି ବି ପୃଥିବୀର ଅନେକ ଦେଶରେ କୃଷି ଛୋଟ ଚାଷୀ, ମଧ୍ୟମ ଚାଷୀଙ୍କ ପାଖରେ ଅଛି ବୋଲି ସର୍ବତ୍ର କଂପାନୀ କରଣ ହୋଇପାରିନାହିଁ। ଭାରତ ପରି ବିରାଟ ଦେଶର ୮୫ ପ୍ରତିଶତ ଚାଷୀ ଛୋଟ ଓ ନାମମାତ୍ର ଚାଷୀ ଯାହାଙ୍କ ପାଖରେ ପାଞ୍ଚ ଏକରରୁ କମ୍ ଜମି ରହିଛି। ୬୦ ପ୍ରତିଶତ ଜନତା ଚାଷ ଉପରେ ନିର୍ଭରଶୀଳ। ତେଣୁ କୃଷିର ସୁରକ୍ଷା ଓ କଂପାନୀ ନିୟନ୍ତ୍ରଣରୁ କୃଷି ଓ କୃଷକଙ୍କ ମୁକ୍ତି ସୁନିଶ୍ଚିତ ହେବା ଜରୁରୀ। ବର୍ତ୍ତମାନ କୃଷିକୁ କୃଷକଙ୍କଠାରୁ କଂପାନୀକୁ ହସ୍ତାନ୍ତର କରିବା ପ୍ରକ୍ରିୟା ସହ କୃଷି ଓ ଖାଦ୍ୟ ବଣ୍ଟନ ସଂପୂର୍ଣ୍ଣ କଂପାନୀ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ତିନିଟି କୃଷକ ବିରୋଧୀ ଆଇନ ପ୍ରଣୟନ କରିଛି, ଯାହାକୁ ରଦ୍ଦ କରିବା ପାଇଁ ଦେଶରେ ବିଶେଷ କରି ଦିଲ୍ଲୀର ଚାରି ସୀମାନ୍ତରେ ଐତିହାସିକ କୃଷକ ସଂଘର୍ଷ ଚାଲୁ ରହିଛି। ଏହି କୃଷକ ଆନ୍ଦୋଳନର ମୂଳ କଥାଟି ହେଉଛି କୃଷିର ସୁରକ୍ଷା ଯାହାକି ମାଟି ସହ ସମ୍ବନ୍ଧିତ।

ହଜାର ହଜାର ବର୍ଷର ମାନବ ସଭ୍ୟତାର ବିକାଶ ହୋଇଛି କୃଷିକୁ ନେଇ। କୃଷି ମାଟି ଓ ଜଳ ଉପରେ ନିର୍ଭରଶୀଳ। ତେଣୁ ମାଟିର ସୁରକ୍ଷା ହିଁ କୃଷିର ସୁରକ୍ଷା। କୃଷିର ସୁରକ୍ଷାରେ ଜୀବିକା ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୁଏ। କୃଷକ, ମାଟିର ପୋକ ପରି ମାଟିର ମଣିଷ। ମାଟି ତା’ର ମାଁ। ମାଟିକୁ ତିଳକକରି ମଥାରେ ମାରିଥାଏ। କଂପାନୀ ହାତକୁ କୃଷିକୁ ହସ୍ତାନ୍ତର କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି ସେଥିପାଇଁ ଠିକାଚାଷ, ଘରୋଇ ମଣ୍ଡି ପ୍ରଚଳନ ଆଇନ। ତାକୁ ଚାଷୀ ହୃଦୟଙ୍ଗମ କରିପାରିଛି ଯେ-କୃଷି କଂପାନୀକରଣ ହୋଇଯିବା ସହ ମାଟିର ସୌଦା ହୋଇଯିବ। ଜମି ଚାଲିଯିବ, ଜମିର ମାଟିର ଉର୍ବରତାକୁ ଖତମ କରି ଦିଆଯିବ କଂପାନୀ ଚାଷ ଜରିଆରେ। ତେଣୁ ଆଜି ସେହି ମାଟିର ସୁରକ୍ଷା ପାଇଁ ମା’ର କ୍ଷୀର ଧାରଣ କ୍ଷମତାର ନିରନ୍ତରତା ପାଇଁ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ପ୍ରତ୍ୟେକ ଚାଷୀ ଘରେ ବିଦ୍ରୋହର ବହ୍ନି ଯାହାକି ସମଗ୍ର ଦେଶର ମହାରାଷ୍ଟ୍ରରୁ ଆରମ୍ଭ କରି ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ପୂର୍ବ ଭାରତର ଓଡ଼ିଶା, ପଶ୍ଚିମ ବଙ୍ଗ ସମେତ ସବୁ ରାଜ୍ୟର ଚାଷୀମାନଙ୍କୁ ରାସ୍ତାକୁ ଆଣିପାରିଛି। ଆଜିର ଐତିହାସିକ ରାଷ୍ଟ୍ରୀୟ କୃଷକ ଆନ୍ଦୋଳନର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡ଼ିଛି। ଡାକରା “ମାଟି ବଞ୍ଚାଅ, କୃଷି ବଞ୍ଚାଅ”, “କୃଷି ଓ କୃଷକ ବଞ୍ଚାଅ ଦେଶ ବଞ୍ଚାଅ।”

ଏହି ମାଟିର ମାହାତ୍ମ୍ୟ ଅତି ଚମତ୍କାର। କୃଷି ବହୁ ଜନ ସଂସ୍କୃତିର ନିବିଡ଼ତା ଅନେକ ଆନ୍ଦୋଳନ କର୍ମକର୍ତ୍ତାଙ୍କୁ ପ୍ରେରିତ କରିପାରିଛି। ମାଟି ସତ୍ୟାଗ୍ରହ ଯାତ୍ରା ଜରିଆରେ ଦେଶର ବିଭିନ୍ନ ଗାଁରୁ ଓ ଐତିହାସିକ ସ୍ଥାନରୁ ମାଟି ସଂଗ୍ରହ କରି ଦିଲ୍ଲୀର ଚାରି ପାଖରେ ଚାଲିଥିବା କୃଷକ ସତ୍ୟାଗ୍ରହ ସ୍ଥଳ ସାହାଜହାଁପୁର, ଟିକିରି ବୋର୍ଡ଼, ଗାଜିପୁର ଓ ସିଂଘୁ ବୋର୍ଡ଼ର ଠାରେ କୃଷକ ସ୍ମାରକୀ ନିର୍ମାଣରେ ଅର୍ପଣ କରାଯାଇଛି। ଯେଉଁ ଇତିହାସ ମାଟିର ସ୍ୱାଧୀନତା ପାଇଁ ସ୍ମାରକୀ ଦିବସ ସୃଷ୍ଟି କରିଛି ସେହି ସ୍ମାରକୀ ସହ ମା’ ମାଟିର ସ୍ନେହ, ମମତା ଯୋଡ଼ା ହୋଇରହିଛି। ମା’ର ପରାଧୀନତା ଶିକୁଳିକୁ ଛିଣ୍ଡାଇବା ପାଇଁ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ଜନ୍ମମାଟି ମଧ୍ୟ ପ୍ରେରଣାର ଉତ୍ସ। ଆଜି ସେଇଥିପାଇଁ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ସ୍ଥଳ ଦାଣ୍ଡି, ସାବରମତୀ ଆଶ୍ରମ, ସର୍ଦ୍ଦାର ପଟେଲ, ସହିଦ ଭଗତ ସିଂହ, ସହିଦ ଉଦ୍ଦାମ ସିଂହ, ସହିଦ ଚନ୍ଦ୍ରଶେଖର ଆଜାଦ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପରି ଅନେକ ଐତିହାସିକ ପବିତ୍ର ସ୍ଥାନମାନଙ୍କର ମାଟି ତ୍ୟାଗର ପ୍ରେରଣା।

ଏହି ପବିତ୍ର ମାଟି ଆଜି ବିଶ୍ୱ ସାମ୍ରାଜ୍ୟବାଦ, ପ୍ରକୃତିକୁ ଧ୍ୱଂସ କରୁଥିବା ପୁଞ୍ଜିବାଦ ଓ ସାଂପ୍ରଦାୟିକ ଫାସିବାଦରୁ ମୁକ୍ତି ପାଇଁ ଅତି ସମ୍ମାନ ଓ ଶକ୍ତିର ପ୍ରତୀକ ହୋଇଯାଇଛି ଯେହେତୁ ସହିଦଙ୍କ ରକ୍ତ ଓ ଶ୍ରମିକମାନଙ୍କ ଝାଳରେ ମା’ ମାଟିର ମହକ ଖୁବ ସୁଗନ୍ଧିତ ହୋଇଯାଏ। ସେହି ମାଟି ଆଜି ସମଗ୍ର ପ୍ରକୃତିକୁ ଧାରଣ କରିଥିବା ବସୁଧା ରୂପେ ଆମ ସମସ୍ତଙ୍କର ପୂଜ୍ୟା। “ପ୍ରକୃତିର ସୁରକ୍ଷା ବସୁଧାର ସୁରକ୍ଷା”। ଆଜି ଜଳବାୟୁ ପରିବର୍ତ୍ତନ ସଂକଟ ବସୁଧାକୁ ଅଗ୍ନିଗଦାରେ ବସାଇ ଦେଇଛି। ତେଣୁ ଏକ ଶୀତଳ ପୃଥିବୀ ପାଇଁ ସ୍ୱାସ୍ଥ୍ୟକର ଉର୍ବର ମାଟି ଓ ତାର ସର୍ବାଙ୍ଗ ସବୁଜ ବନାନୀ, ନିରନ୍ତର ସ୍ୱଚ୍ଛଜଳ ପ୍ରବାହିତ ନଦୀ, ଝରଣା, ବାୟୁ ଓ ଆକାଶ ଅକ୍ଷୟ ରହିବା ଆଜି ଧରତ୍ରୀ ଦିବସର ଆହ୍ୱାନ।

୧୯୧୨ ରେ ମାଟି ପ୍ରତି ବିପଦକୁ ଚିହ୍ନଟ କରିଥିଲେ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଡ. ଅଲେକ୍ସ କେରିଲ ଓ ଭବିଷ୍ୟତ ବାଣୀ ଆମର ସ୍ୱାସ୍ଥ୍ୟ ନଷ୍ଟ କରୁଥିବା ଆଧୁନିକ କୃଷି ପ୍ରଣାଳୀ ସାଂଘାତିକ ସ୍ଥିତି ସୃଷ୍ଟି କରିବ। ଆଜି ୧୦୯ ବର୍ଷ ପରେ ମାଟିକୁ ବିଷାକ୍ତ କରିବା ସହ ପଣ୍ୟ ଦ୍ରବ୍ୟରେ ପରିଣତ କରିଦେବାକୁ ବିଶ୍ୱ ପୁଞ୍ଜି ବଜାର, ବିଶ୍ୱ ବ୍ୟାଙ୍କ ଓ କର୍ପୋରେସନମାନଙ୍କ ମିଳିତ ତନ୍ତ୍ର ଚାଲିଛି। ସେହି ବଜାର ତନ୍ତ୍ରରୁ ମୁକ୍ତି ପାଇଁ ମାଟି-ପାଣି-ପବନର ମୁକ୍ତି ଆନ୍ଦୋଳନ ଏକାନ୍ତ ଅପରିହାର୍ଯ୍ୟ। ୨୦୧୯ ମେ ମାସରେ ବିଶ୍ୱର ୧୫୩ ଦେଶର ଏଗାର ହଜାର ବୈଜ୍ଞାନିକ ଏକ ମିଳିତ ଚିଠିରେ ରାଷ୍ଟ୍ରମୁଖ୍ୟମାନଙ୍କୁ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ୬ଟି ସୁପାରିସ କାର୍ଯ୍ୟକାରୀ କରିବାକୁ ନିବେଦନ କରିଥିଲେ। ସେଥିରେ ଜମି-ଜଙ୍ଗଲର ସୁରକ୍ଷା ସହ ରାସାୟନିକ ସାର ବର୍ଜିତ ଚାଷ; ଅର୍ଥାତ୍ ମାଟି ମା’ର ସୁରକ୍ଷା ପାଇଁ ବିଚାର ଓ ଆଚରଣ ସହ ନୀତି ଓ ଯୋଜନାରେ ଏକ ପରିବର୍ତ୍ତନ ଏକାନ୍ତ କାମ୍ୟ। ସେଥିପାଇଁ ମା’ ମାଟିର ମୁକ୍ତି ସତ୍ୟାଗ୍ରହ ଏକମାତ୍ର ରାସ୍ତା।

Comments are closed.