ବିସ୍ମୃତ ମହାମାରୀ ୧୯୧୮-୨୦

- ପ୍ରଦୀପ ମହାପାତ୍ର

କୋଭିଡ଼-୧୯’ ମହାମାରୀ ଅବସରରେ ସର୍ବସାଧାରଣରେ ଯେଉଁ ବିଷୟଟି ବହୁଳ ଚର୍ଚ୍ଚିତ ହେବା କଥା, ଆଶ୍ଚର୍ୟ୍ୟଜନକଭାବେ ତାହା ସମ୍ଭବ ହୋଇପାରି ନାହିଁ। ଉପସ୍ଥିତ ବିପତ୍ତି ସମୟରେ ଅତୀତ ବିପତ୍ତିର ଅନୁଭୂତି ଗୁରୁତ୍ୱବହନ କରିଥାଏ। ମନୁଷ୍ୟ ଶରୀରରେ ଶ୍ୱାସ ସଂକ୍ରମଣ ‘କୋଭିଡ଼-୧୯’ ମହାମାରୀ ଆକାର ଧାରଣ କରିବା ୧୦୨ ବର୍ଷ ପୂର୍ବେ ‘ସ୍ପାନିଶ-ଫ୍ଳୁ’ ଅନୁରୂପ ପରିବେଶ ସୃଷ୍ଟି କରିଥିଲା। ଅବଶ୍ୟ ତତ୍ ପରବର୍ତ୍ତୀ ସମୟ ସୀମା ମଧ୍ୟରେ ଏସିଆନ ଇନଫ୍ଳୁଏନ୍ଜା (୧୯୫୭), ହଂକଂ ଇନଫ୍ଳୁଏନ୍ଜା (୧୯୬୮), ଋଷ ଇନଫ୍ଳୁଏନ୍ଜା (୧୯୭୭), ଏଭିଏନ ଇନଫ୍ଳୁଏନ୍ଜା (୧୯୯୭, ୨୦୦୩ ଓ ୨୦୧୮), ସାର୍ସ (୨୦୦୨) ଏବଂ ଏଚ-୧-ଏନ-୧ ଇନଫ୍ଳୁଏନ୍ଜା ୨୦୦୯-୧୦ ଇତ୍ୟାଦି ମୁଖ୍ୟତଃ ଚୀନ, ଋଷ ଓ ମେକ୍ସିକୋ ଭଳି ଅଞ୍ଚଳରେ ଦେଖା ଦେଇଥିଲା। ତେବେ ଆନ୍ତର୍ଜାତିକସ୍ତରରେ ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ୧୯୧୮ରୁ ୧୯୨୦ ଦୁଇ ବର୍ଷ ମଧ୍ୟରେ ବ୍ୟାପ୍ତ ‘ସ୍ପାନିଶ ଫ୍ଳୁ’ର ଅନୁଭବ ୨୦୧୯ ଡ଼ିସେମ୍ୱର ଶେଷରୁ ସଂକ୍ରମିତ ‘କୋଭିଡ଼-୧୯’ରେ ପ୍ରତିବିମ୍ୱିତ।

‘ସ୍ପାନିଶ ଫ୍ଳୁ’ ନାମକରଣରେ ସ୍ପେନ ଯୋଡ଼ି ହୋଇ ରହିଥିଲେ ହେଁ ଏହି ରୋଗର ଉତ୍ପତ୍ତି ସ୍ପେନ ନୁହେ, ବରଂ ସମଗ୍ର ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା ଓ ଏସିଆ ମହାଦେଶରେ କେତେକାଞ୍ଚଳରେ ଦେଖିବାକୁ ମିଳିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବହୁ ୟୁରୋପୀୟ ରାଷ୍ଟ୍ରରେ ସମ୍ୱାଦପତ୍ରରେ ସମ୍ୱାଦ ପ୍ରକାଶ ଲାଗି ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଥିଲା। ମହାମାରୀ ଖବର ସର୍ବସାଧାରଣରେ ପ୍ରସାରିତ ହେଲେ ଆତଙ୍କ ଖେଳିଯିବା ସଂଭାବନାରେ ସଂକ୍ରମଣ ସମ୍ୱାଦ ପ୍ରସାରଣ ବନ୍ଦ ଆଦେଶ ଜାରି କରାଯାଇଥିଲା; କିନ୍ତୁ ସ୍ପେନ ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ହୋଇନଥିବା ହେତୁ ସେଠାରେ ସମ୍ୱାଦ ପ୍ରକାଶନରେ କଟକଣା ନଥିଲା। ମାଦ୍ରିଦରେ ୧୯୧୮ ମେ’ ମାସରେ ଇନଫ୍ଲୁଏନଜା ବ୍ୟାପିବା ଖବର ପ୍ରଥମେ ପ୍ରଘଟ ହୋଇଥିବା କାରଣରୁ ଆପାତତଃ ତାହା ‘ସ୍ପାନିଶ ଫ୍ଲୁ’ ନାମକରଣ କରାଯାଇଥିଲା।

‘ସ୍ପାନିଶ ଫ୍ଳୁ’ରେ ବିଶ୍ୱବ୍ୟାପୀ ୫୦ କୋଟି ଲୋକ ଅର୍ଥାତ୍ ସମଗ୍ର ଜନସଂଖ୍ୟାର ଏକ ତୃତୀୟାଂଶ, ପ୍ରତି ତିନିଜଣରେ ଜଣେ ସଂକ୍ରମିତ ହୋଇ ଦୁଇରୁ ପାଞ୍ଚ କୋଟି ଅର୍ଥାତ୍ ଅନ୍ୟୂନ ତିନି ପ୍ରତିଶତ ଯାଏ ମୃତ୍ୟୁବରଣ କରିଥିବା କୁହାଯାଏ। ସେହି ସମୟରେ ଆଧୁନିକ ସଂଗଠିତ ଚ଼ିକିତ୍ସା ବ୍ୟବସ୍ଥା ଅଭାବ ଯୋଗୁଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେତେ ସଂଖ୍ୟକ ଆକ୍ରାନ୍ତ, ଚ଼ିକିତ୍ସିତ ବା ମୃତ୍ୟୁବରଣ କଲେ ତାହାର ସଠିକ ତାଲିକା ପ୍ରସ୍ତୁତ ସମ୍ଭବପର ହୋଇପାରିନଥିଲା। ଗବେଷକମାନେ ବିଭିନ୍ନ ପାରିପାର୍ଶ୍ୱିକ ତଥ୍ୟ ଆଧାରରେ ସଂକ୍ରମଣର ପ୍ରକୋପ ଅନୁମାନ କରିଥାନ୍ତି। ଅପରପକ୍ଷେ ସାମାଜିକସ୍ତରରେ ବିଶ୍ୱଯୁଦ୍ଧକୈନ୍ଦ୍ରିକ ଗୁରୁତ୍ୱ ଓ ସମ୍ୱାଦ ପ୍ରସାରଣରେ ନିଷେଧାଜ୍ଞା ଯୋଗୁଁ ମଧ୍ୟ ମହାମାରୀର ସଠିକ ମୂଲ୍ୟାୟନ ସମ୍ଭବପର ହୋଇପାରିନଥିବା ସୂଚ଼ିତ କରାଯାଏ। ଭାରତରେ ‘ସ୍ପାନିଶ ଫ୍ଲୁ’ ‘ବମ୍ୱେ ଜ୍ୱର’ ନାମରେ ଖ୍ୟାତ। ଆମ ଦେଶରେ ଏକରୁ ଦୁଇ କୋଟି ଯାଏ ମୃତ୍ୟୁ ବରଣ କରିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ।

କେତେକ ଗବେଷକଙ୍କ ମତରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାପେକ୍ଷା ଅଧିକ ପ୍ରାୟ ଏକ କୋଟି ଅଶୀ ଲକ୍ଷ ଜୀବନହାନି ଘଟିଥିଲା। ଏଠାକାର ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ସମଗ୍ର ଜନସଂଖ୍ୟାର ଛଅ ପ୍ରତିଶତ ହିସାବ କରିଥାନ୍ତି।

‘ସ୍ପାନିଶ ଫ୍ଲୁ’ର ଗତିପ୍ରକୃତି ତର୍ଜମା ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟତଃ ୟୁରୋପରେ ୧୯୧୮ ବସନ୍ତ ଋତୁରେ ପ୍ରଥମ ତରଙ୍ଗ ଅନୁଭୂତ ଅବସରରେ ରୋଗାକ୍ରାନ୍ତଙ୍କଠାରେ ଜ୍ୱର, କମ୍ପ ଓ ଅବଶ ଭଳି ଲକ୍ଷଣ ଦେଖାଦେଇଥିଲା। ଅଧିକାଂଶ କିଛି ଦିନ ମଧ୍ୟରେ ରୋଗମୁକ୍ତ ହେବା ସହ ମୃତ୍ୟୁହାର କମ ରହିଥିଲା। ତେବେ ସେହି ବର୍ଷ ଶରତ ଋତୁରେ ଦ୍ୱିତୀୟ ତରଙ୍ଗରେ ଭୂତାଣୁ ସଂକ୍ରମଣ ବ୍ୟାପକ ହେବା ଓ ଲକ୍ଷଣ ପ୍ରକାଶର କମ ସମୟ ବ୍ୟବଧାନରେ ମୃତ୍ୟୁମୁଖରେ ପଡ଼ିବା ଦେଖାଯାଇଥିଲା। ସଂକ୍ରମିତଙ୍କ ଫୁସଫୁସରେ ତରଳ ପଦାର୍ଥ ଜମିଯିବା, ନିଃଶ୍ୱାସପ୍ରଶ୍ୱାସରେ ବାଧା ସୃଷ୍ଟି ଓ ଚମଡ଼ା ନୀଳ ପଡ଼ିଯିବା ଭଳି ଅନୁଭୂତି ଭୟର ବାତାବରଣ ସୃଷ୍ଟି କରିଥିଲା।

ଭାରତରେ ମଧ୍ୟ ‘ସ୍ପାନିଶ ଫ୍ଲୁ’ର ଦୁଇଗୋଟି ତରଙ୍ଗ ଦେଖିବାକୁ ମିଳିଥିଲା। ପ୍ରଥମ ତରଙ୍ଗ ୧୯୧୮ ଗ୍ରୀଷ୍ମଋତୁରେ ଅନୁଭୂତ ହେବା ଅବସରରେ ପ୍ରଭାବ ଅପେକ୍ଷାକୃତ କମ ରହିଥିଲା। ଦ୍ୱିତୀୟ ତରଙ୍ଗ ୧୯୧୮ ସେପ୍ଟେମ୍ୱରରେ ବମ୍ୱେରୁ ଆରମ୍ଭ ହୋଇ ମାସକ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଭାରତକୁ ବ୍ୟାପିଯାଇଥିଲା। ସେହି ସମୟରେ ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ, କଟକ ଓ ବାଲେଶ୍ୱର ଅଞ୍ଚଳରେ ମଧ୍ୟ ମହାମାରୀ ପ୍ରକୋପ ଅନୁଭୂତ ହୋଇଥିବା କୁହାଯାଏ। ମୁମ୍ୱଇରୁ ସଂକ୍ରମଣ ତତ୍କାଳୀନ ସେଣ୍ଟ୍ରାଲ ପ୍ରୋଭିନ୍ସ ଓ କୋଲକତା ଦେଇ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ଅନୁମାନ କରାଯାଏ।

ଗବେଷକମାନଙ୍କ ମତରେ ପ୍ରଥମ ବିଶ୍ୱଯୁଦ୍ଧ ଶେଷରେ ୟୁରୋପ ଫେରନ୍ତା ଭାରତୀୟ ସୈନ୍ୟବଳ ଜାହାଜ ଯୋଗେ ମୁମ୍ୱଇ ବନ୍ଦରରେ ଓହ୍ଲାଇବା ପରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଅବାଧ ପରିବହନ ବ୍ୟବସ୍ଥା, ମୁଖ୍ୟତଃ ରେଳଯୋଗାଯୋଗ ହେତୁ ଖୁବ୍ କମ ସମୟରେ ସଂକ୍ରମଣ ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। ରୋଗାକ୍ରାନ୍ତଙ୍କ ମୃତ୍ୟୁହାର ପ୍ରତି ଦଶହଜାରରେ ମୁମ୍ୱଇରେ ୫୪.୯, ଚ଼େନ୍ନାଇରେ ୧୬.୭ ଓ କଲକାତାରେ ୮.୫ ଜଣ ହିସାବ କରାଯାଇଥିଲା।

‘ସ୍ପାନିଶ ଫ୍ଳୁ’ ବୃଦ୍ଧଜନଙ୍କ ମଧ୍ୟରେ ବ୍ୟାପକ ସଂକ୍ରମଣ ଦେଖାଦେଇଥିବା ସ୍ଥଳେ ୨୦ ରୁ ୪୦ ବୟସ୍କ ଓ ପାଞ୍ଚ ବର୍ଷରୁ କମ ଶିଶୁମାନେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏହି ଶ୍ୱାସ ସଂକ୍ରମଣର ମୁକାବିଲା କରିବା ନିମନ୍ତେ ସେହି ସମୟରେ କୌଣସି ଔଷଧ କିମ୍ୱା ପ୍ରତିଷେଧକ ଉଦ୍ଭାବିତ ହୋଇନଥିଲା। ଫଳରେ ଭୂତାଣୁକୁ ପ୍ରତିହତ କରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା।
‘ସ୍ପାନିଶ ଫ୍ଲୁ’ ସଂପର୍କରେ ୨୦୧୭ରେ ଏକ ଗବେଷଣାତ୍ମକ ପୁସ୍ତକ ରଚନା କରିଥିବା ଫ୍ରେଞ୍ଚ ମହିଳା ସାମ୍ୱାଦିକ ଲାଉରା ସ୍ପିନେଙ୍କ ମତରେ ମହାମାରୀ ହେତୁ ତତ୍ କାଳୀନ ଭାରତରେ ସାମାଜିକ ଅସ୍ଥିରତା ସୃଷ୍ଟି ସାଙ୍ଗକୁ ହିଂସାକାଣ୍ଡ ବୃଦ୍ଧି ଘଟିଥିଲା। ଏହି ପରିବେଶ ଦେଶର ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

‘ସ୍ପାନିଶ ଫ୍ଲୁ’କୁ ବିସ୍ମୃତ ମହାମାରୀ ଆଖ୍ୟା ଦିଆଯାଇଥାଏ । ଏକପକ୍ଷରେ ମହାମାରୀ ସଂପର୍କରେ ବ୍ରିଟିଶ ସରକାରଙ୍କ କଟକଣା କାରଣରୁ ତତ୍କାଳୀନ ଗଣମାଧ୍ୟମର ଏକମାତ୍ର ପ୍ରତିନିଧି ସୀମିତ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରରେ ଧାରାବିବରଣୀ ପ୍ରକାଶନ ଅଭାବ ପରବର୍ତ୍ତୀ କାଳରେ ମହାମାରୀର ସ୍ମୃତିକୁ ଉଜ୍ଜୀବିତ ରଖିପାରିଲା ନାହିଁ। ଅପରପକ୍ଷେ କ୍ରମବର୍ଦ୍ଧମାନ ସ୍ୱାଧୀନତା ସଂଗ୍ରାମର ଘଟଣାବହୁଳ ଅନୁଭୂତି ଏହି ଅଘଟଣକୁ ମେଘାବୃତ କରିପକାଇଥିଲା। ଅବଶ୍ୟ ସ୍ୱାଧୀନତା ପ୍ରାପ୍ତି ଯାଏ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତର ବିଭିନ୍ନ ପ୍ରାନ୍ତରେ ରୋଗ ସଂକ୍ରମଣ ଜନଜୀବନର ଅଂଶବିଶେଷଭାବେ ପରିଗଣିତ ହେଉଥିଲା। ସ୍ୱାଧୀନତା ପ୍ରାପ୍ତି ବେଳକୁ ଜାତୀୟ ଜୀବଦ୍ଦଶା ମାତ୍ର ୩୨ ବର୍ଷରେ ସୀମିତ ରହି ଆସିଥିଲା। ବିଗତ ସତୁରି ବର୍ଷରେ ଯେ ଆମ ଜୀବଦ୍ଦଶା ୬୯ ବର୍ଷକୁ ବୃଦ୍ଧି ପାଇଛି, ତାହା ‘କୋଭିଡ଼-୧୯’ ମୁକାବିଲାରେ ମଧ୍ୟ ପ୍ରତିଫଳିତ।

Comments are closed.