ଚିଲିକା ଆଇନକୁ ଉପେକ୍ଷା

ଜୟକୃଷ୍ଣ ପାଣିଗ୍ରାହୀ

କବିବର ରାଧାନାଥ ରାୟଙ୍କର ‘ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା’ ହେଉ ଅଥବା ଉତ୍କଳମଣି ଗୋପବନ୍ଧୁଙ୍କର ’… ଦେଖିବି ଚିଲିକା ଚାରୁ ଚିତ୍ରପଟ’, ଯେଉଁ ହ୍ରଦର ପ୍ରଲୋଭନକାରୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ କବି, ଲେଖକ ଏବଂ ଦାର୍ଶନିକଙ୍କର ସୃଷ୍ଟି ସମୃଦ୍ଧ ହେଉଥିଲା, ସେହି ପ୍ରାକୃତିକ ଶୋଭାର ଭଣ୍ଡାର ଆଜି କେତେ ଯେ ଗମ୍ଭୀର ଆହ୍ୱାନର ସମ୍ମୁଖୀନ ହେଉଛି ତାହା ହିଁ ବିଚାର୍ଯ୍ୟ । ଏସିଆ ମହାଦେଶର ସର୍ବ ବୃହତ୍ ଏବଂ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଉପକୂଳବର୍ତ୍ତୀ ଲାଗୁନ୍ ରୂପେ ପରିଗଣିତ ଏହି ଆର୍ଦ୍ରଭୂମି ପ୍ରାଚୀନ କାଳରୁ ସୌନ୍ଦର୍ଯ୍ୟ ଏବଂ କଳାତ୍ମକ ପ୍ରେରଣାର ଉତ୍ସ ହେବା ସହିତ ସ୍ଥାନୀୟ ଅଧିବାସୀଙ୍କର ସାମାଜିକ ଜୀବନ, ଅର୍ଥନୈତିକ ପ୍ରଗତି ଏବଂ ସାଂସ୍କୃତିକ ପରମ୍ପରାକୁ ଋଦ୍ଧିମନ୍ତ କରି ଆସିଛି। ଶୀତ ଋତୁର ଆଗମନରେ ୨୨୫ରୁ ଅଧିକ ବିଭିନ୍ନ ଜାତିର ଅଗଣିତ ରଙ୍ଗବେରଙ୍ଗର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀମାନଙ୍କର କଳରବରେ ଗୁଞ୍ଜରିତ ହେଉଥିବା ଏହି ଭୂସ୍ୱର୍ଗ, ବିଶେଷ ରୂପେ ଏହାର ନଳବନ ଅଭୟାରଣ୍ୟ ଏବଂ ମଙ୍ଗଳାଯୋଡ଼ି ଅଞ୍ଚଳ, ଆକର୍ଷଣର କେନ୍ଦ୍ର ରୂପେ ପ୍ରସିଦ୍ଧ ଲାଭ କରିଛି । ବିବିଧ ଜୀବଜାତିର ସମାହାରରେ ଏହା ଜୈବବିବିଧତାରେ ପରିପୂର୍ଣ୍ଣ; ବିଶେଷ ଭାବେ ମତ୍ସ୍ୟ ସମ୍ପଦର ଗନ୍ତାଘର ରୂପେ ଏହା ସ୍ୱତନ୍ତ୍ର ମହତ୍ତ୍ୱର ଅଧିକାରୀ। ହ୍ରଦର ସାତପଡ଼ା ଅଞ୍ଚଳ ଇରାୱାଡୀ ଡଲଫିନ୍ ପାଇଁ ଖ୍ୟାତ ଏବଂ କାଳୀଜାଈ ଦ୍ୱୀପ ହେଉଛି ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ଓ ଚିଲିକାର ପଶ୍ଚିମ ପାର୍ଶ୍ବରେ ପୂର୍ବଘାଟ ପର୍ବତମାଳାର କିୟଦଂଶର ଅବସ୍ଥିତି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରେ । ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ତିନିଟି ଜିଲାରେ ବିସ୍ତୃତ ଏହି ହ୍ରଦର ଜଳ ବିସ୍ତାର କ୍ଷେତ୍ର ହାରାହାରି ୧୦୬୫ ବର୍ଗ କିଲୋମିଟର ଏବଂ ବୈଜ୍ଞାନିକ ଅନୁସନ୍ଧାନ ଉଦ୍ଦେଶ୍ୟରେ ଏହାର ସମଗ୍ର ଅଞ୍ଚଳକୁ ବିଶେଷତ୍ୱରେ ଭିନ୍ନତା ଦୃଷ୍ଟିରୁ ଚାରିଟି ସେକ୍ଟର, ଯଥା ଉତ୍ତର କ୍ଷେତ୍ର, କେନ୍ଦ୍ରୀୟ କ୍ଷେତ୍ର, ଦକ୍ଷିଣ କ୍ଷେତ୍ର ଏବଂ ବାହ୍ୟ ଚ୍ୟାନେଲରେ ବିଭକ୍ତ କରାଯାଏ। ହ୍ରଦ ଏବଂ ବଙ୍ଗୋପସାଗର ମଧ୍ୟରେ ସଂଯୋଗକାରୀ ରୂପେ କାର୍ଯ୍ୟ କରୁଥିବା ବାହ୍ୟ ଚ୍ୟାନେଲ୍ ମାଧ୍ୟମରେ ଲବଣାକ୍ତ ସାମୁଦ୍ରିକ ଜଳ ହ୍ରଦ ମଧ୍ୟକୁ ପ୍ରବେଶ କରେ ଏବଂ ଦୟା, ଭାର୍ଗବୀ, ଲୁଣା ଇତ୍ୟାଦି ବିଭିନ୍ନ ନଦନଦୀର ବର୍ଷାଜଳ ହ୍ରଦ ମଧ୍ୟ ଦେଇ ସମୁଦ୍ରକୁ ନିର୍ଗତ ହୁଏ। ମଧୁରଜଳ ଏବଂ ସାମୁଦ୍ରିକ ଜଳର ସମ୍ମିଶ୍ରଣରେ ସୃଷ୍ଟ ବୈଶିଷ୍ଟ୍ୟଭରା ଏହି ଲାଗୁନ୍ ହେଉଛି ଉତ୍ପାଦନ କ୍ଷମତାରେ ଏକ ଅଗ୍ରଣୀ ଜଳୀୟ ପରିସଂସ୍ଥା। ଭାରତର ପ୍ରଥମ ‘ଅନ୍ତର୍ଜାତୀୟ ଗୁରୁତ୍ୱର ଆର୍ଦ୍ରଭୂମି’ ବା ‘ରାମ୍ସର୍ ସ୍ଥଳୀ’ ରୂପେ ୧୯୮୧ରେ ମାନ୍ୟତା ହାସଲ କରିଥିବା ଏହି ହ୍ରଦ ନିଯୁତାଧିକ ଲୋକଙ୍କର ବହୁବିଧ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ହିତସାଧନରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ଏହି ବିଶାଳ ଜଳଉତ୍ସର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଯେ ଏହାର ପରିସଂସ୍ଥାର ବିଭିନ୍ନ ଭାଗରେ ପ୍ରାକୃତିକ ପ୍ରକ୍ରିୟାରେ ସମସ୍ତ ତିନିଟି ବର୍ଗର- ସ୍ୱଳ୍ପ ଲବଣାକ୍ତ, ସାମୁଦ୍ରିକ ଏବଂ ମଧୁର ଜଳରେ ଜୀବନ ନିର୍ବାହ କରୁଥିବା ବିଭିନ୍ନ ମତ୍ସ୍ୟ ଜାତି ଉପଲବ୍ଧ ହୁଅନ୍ତି। ଏହି ସମୃଦ୍ଧ ମତ୍ସ୍ୟଭଣ୍ଡାରର ପରିସଂସ୍ଥାରୁ ୨୬୭ ଜାତିର ମାଛ, ୩୫ ଜାତିର କଙ୍କଡା ଏବଂ ୩୧ ଜାତିର ଚିଙ୍ଗୁଡ଼ି ରେକର୍ଡ ହୋଇଛନ୍ତି। ମତ୍ସ୍ୟ ସମ୍ପଦର ଏହି ଗନ୍ତାଘର ଉପରେ ହ୍ରଦର ଚତୁଃପାର୍ଶ୍ୱରେ ଦୁଇ ଲକ୍ଷରୁ ଅଧିକ ସଂଖ୍ୟାରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କର ଜୀବନଜୀବିକା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ଏବଂ ସେମାନଙ୍କର ଆବେଗ, ସାମାଜିକ ଜୀବନ ତଥା ସଂସ୍କୃତି ଏହି ହ୍ରଦ ସହିତ ଘନିଷ୍ଠ ରୂପେ ଜଡିତ। ସମୟ କ୍ରମେ କିଛି ଅଣ-ମତ୍ସ୍ୟଜୀବୀମାନେ ମଧ୍ୟ ଚିଲିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ଭାବରେ ବସତି ସ୍ଥାପନ କରି ମତ୍ସ୍ୟ ସମ୍ପଦକୁ ଜୀବିକାର ମୁଖ୍ୟ ପନ୍ଥା ରୂପେ ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ମତ୍ସ୍ୟଜୀବୀଙ୍କ ସହ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହେବାରେ ଲାଗିଛି। ଜନସଂଖ୍ୟାର ବୃଦ୍ଧି ମତ୍ସ୍ୟ ଉତ୍ସ ଉପରେ ଅତ୍ୟଧିକ ଚାପ ସୃଷ୍ଟିର କାରଣ ହେଉଛି। ନିର୍ବିଚାରିତ ଭାବରେ ଚାଲୁଥିବା ମତ୍ସ୍ୟଧରା ପ୍ରକ୍ରିୟା, ଯେପରିକି ଛୋଟ ଫାଶଯୁକ୍ତ ତଥା ସଂଖ୍ୟାଧିକ ଜାଲ ଓ ଡଙ୍ଗାର ବ୍ୟବହାର, ଅତ୍ୟଧିକ ସମୟ ପାଇଁ ଏବଂ ମାଛଙ୍କର ପ୍ରଜନନ ଋତୁରେ ମଧ୍ୟ ମାଛଧରା ଇତ୍ୟାଦି ପ୍ରକ୍ରିୟା ମତ୍ସ୍ୟ ସମ୍ପଦର କ୍ଷତିସାଧନ କରୁଛି। ବାହ୍ୟ ଚ୍ୟାନେଲ୍ ଓ ମଗରମୁହଁ ଅଞ୍ଚଳରେ ମାଛ ମଞ୍ଜି ସଂଗ୍ରହ କରିବା ଏବଂ ହ୍ରଦରୁ ଛୋଟ ଆକାରର ମାଛଙ୍କୁ ଧରିବା ଦ୍ୱାରା ସେମାନଙ୍କର ପୁନର୍ଭରଣା ବାଧାପ୍ରାପ୍ତ ହେଉଛି ଏବଂ ମହଜୁଦ ହ୍ରାସ ପାଉଛି। ଅନ୍ୟ ଏକ ପ୍ରମୁଖ ସମସ୍ୟା ଯାହା ହ୍ରଦର ପରିସଂସ୍ଥା, ମତ୍ସ୍ୟ ସମ୍ପଦ ଏବଂ ମତ୍ସ୍ୟଜୀବୀ ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟିକରିଛି, ତାହା ହେଲା ହ୍ରଦଜଳ ମଧ୍ୟରେ ଘେରି ନିର୍ମାଣ ମାଧ୍ୟମରେ ବିସ୍ତୃତ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ ହେବା। ଏହି ଚାଷ ଦ୍ୱାରା ଜଳୀୟ ପରିସଂସ୍ଥାର ପ୍ରଦୂଷଣ, ମାନରେ ଅବକ୍ଷୟ ଏବଂ ମତ୍ସ୍ୟ ଉତ୍ପାଦନ ପ୍ରଭାବିତ ହେବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ପ୍ରଭାବଶାଳୀ ଚିଙ୍ଗୁଡ଼ି ଚାଷୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ନିରନ୍ତର ସଂଘର୍ଷ ଲାଗିରହିଛି। ଏପରି କ୍ରମାଗତ ସଂଘର୍ଷ ସମୟ କ୍ରମେ ମତ୍ସ୍ୟଜୀବୀ ଏବଂ ଅଣ-ମତ୍ସ୍ୟଜୀବୀଙ୍କ ମଧ୍ୟରେ ଶତ୍ରୁତା ଏବଂ ଅଶାନ୍ତିର ବାତାବରଣ ସୃଷ୍ଟିର କାରଣ ପାଲଟିଛି ଓ ଚିଙ୍ଗୁଡ଼ି ମାଫିଆଙ୍କ ପାଇଁ ଏହା ପୁଞ୍ଜି ବୃଦ୍ଧିର ଏକ ଉତ୍କୃଷ୍ଟ ପନ୍ଥା ହୋଇଥିଲା ବେଳେ ବଞ୍ଚିତ ମତ୍ସ୍ୟଜୀବୀ ନିଜର ଅସ୍ତିତ୍ୱ ଓ ଜୀବିକା ନିର୍ବାହ ନିମନ୍ତେ ସଂଗ୍ରାମ କରୁଛନ୍ତି। ଘଟଣା କ୍ରମେ ୧୯୯୯ ମସିହାରେ ସୋରଣ ଠାରେ ମତ୍ସ୍ୟଜୀବୀ-ଅଣମତ୍ସ୍ୟଜୀବୀ ମଧ୍ୟରେ ଘଟିଥିବା ଏକ ରକ୍ତାକ୍ତ ସଂଘର୍ଷକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ମଧ୍ୟରାତ୍ରିରେ ପୁଲିସ ଗୁଳି ଚାଳନାରେ ଚାରି ଜଣ ଅକାଳ ମୃତ୍ୟୁ ବରଣ କରିଥିଲେ। ଦଶ ହଜାରରୁ ଅଧିକ ମତ୍ସ୍ୟଜୀବୀ ଏକତ୍ର ଚିଲିକାର ଉତ୍ତର କ୍ଷେତ୍ର ଓ କେନ୍ଦ୍ରୀୟ କ୍ଷେତ୍ର ଅଞ୍ଚଳରୁ ପ୍ରାୟ ଦୁଇ ହଜାର ଚିଙ୍ଗୁଡ଼ିଘେରିକୁ ଭାଙ୍ଗିବା ଅବସରରେ ଏପରି ଘଟଣାର ସୂତ୍ରପାତ ହୋଇଥିଲା । ଅନେକ ଥର ଏପରି ସଂଘର୍ଷର ପୁନରାବୃତ୍ତି ହୋଇ ତୀବ୍ର ଜନ ଆନ୍ଦୋଳନ ଏବଂ ରାଜନୈତିକ ଅସ୍ଥିରତାର ସୂତ୍ରପାତ ହୋଇଚାଲିଛି।

ମୁଖ୍ୟ ବିବାଦର ସୂତ୍ରପାତ ହେଲା ଯେତେବେଳେ ୧୯୯୨ରେ ଟାଟା କମ୍ପାନୀର ‘ଚିଲିକା ଆକ୍ୱେଟିକ୍ ଫାର୍ମସ୍’ ସରକାରଙ୍କ ସ୍ବୀକୃତିରେ ହ୍ରଦ ଜଳରେ ବ୍ୟାବସାୟିକ ସଘନ ଚିଙ୍ଗୁଡ଼ି ଚାଷ ନିମନ୍ତେ ପ୍ରୟାସ ଆରମ୍ଭ କଲା; ମାତ୍ର ସ୍ବର୍ଗତ ବାଙ୍କବିହାରୀ ଦାସଙ୍କ ନେତୃତ୍ୱରେ ‘ଚିଲିକା ବଞ୍ଚାଅ ଆନ୍ଦୋଳନ’ର ତୀବ୍ର ବିରୋଧର ପରିଣାମରେ ଏହି ପ୍ରକଳ୍ପ ପ୍ରତ୍ୟାହୃତ ହେଲା । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ତଥା ପ୍ରଫେସର ଘନଶ୍ୟାମ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ତଥ୍ୟ ଅନୁସନ୍ଧାନ କମିଟି ଏହାର ୧୯୯୩ ମସିହାର ରିପୋର୍ଟରେ କିପରି ପାରମ୍ପରିକ ମତ୍ସ୍ୟ ଉତ୍ସକୁ ଚିଙ୍ଗୁଡ଼ି ଚାଷ ଉତ୍ସରେ ରୂପାନ୍ତରିତ କରାଯାଇଛି ତାହା ସ୍ପଷ୍ଟ ଶବ୍ଦରେ ଉଲ୍ଲେଖ କରିଥିଲେ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଡିସେମ୍ବର ୧୯୯୬ରେ ହ୍ରଦର ଏକ କିଲୋମିଟର ପରିଧି ମଧ୍ୟରେ ଏପରି ଅବୈଧ ଚିଙ୍ଗୁଡ଼ି ଚାଷକୁ ନିଷିଦ୍ଧକରି ରହିତାଦେଶ ଲାଗୁ କରିଥିଲେ। ସରକାରଙ୍କର ୧୯୯୧ ମସିହାର ଲିଜ୍ ନୀତିରେ ରହିଥିବା ତ୍ରୁଟିକୁ ପାଥେୟ କରି ମତ୍ସ୍ୟଜୀବୀମାନେ ସରକାରଙ୍କଠାରୁ ପଟ୍ଟା ସୂତ୍ରରେ ନେଇଥିବା ଚିଲିକା ଜମିକୁ ଚିଙ୍ଗୁଡ଼ି ଚାଷୀମାନେ ସେମାନଙ୍କଠାରୁ ଭଡାରେ ନେଇ ଘେରି ନିର୍ମାଣ ମାଧ୍ୟମରେ ଚିଙ୍ଗୁଡ଼ି ବ୍ୟବସାୟର ପସରା ମେଲିଚାଲିଲେ, ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି ଓ ସମବାୟ ସମିତିଗୁଡିକ ଏବେ ସୁପ୍ତପ୍ରାୟ ଅବସ୍ଥାରେ ଥିବାରୁ ମଧ୍ୟସ୍ଥ ଏବଂ ଧନୀ ମତ୍ସ୍ୟ ବ୍ୟବସାୟୀମାନେ ଗରିବ ମତ୍ସ୍ୟଜୀବୀଙ୍କୁ ଶୋଷଣ କରି ଲାଭବାନ ହେଉଛନ୍ତି। ସମୟରୁ ସମୟ ପ୍ରଶାସନର ଉଦ୍ୟମ ସତ୍ତ୍ୱେ ଚିଲିକା ସମ୍ପୂର୍ଣ ରୂପେ ଘେରିମୁକ୍ତ ହୋଇପାରୁ ନାହିଁ।

ଚିଲିକାର ସୁରକ୍ଷାକୁ ରାଜ୍ୟ ଏବଂ ରାଷ୍ଟ୍ର ସ୍ତରରେ ଏକ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ଓଡିଶା ପରିବେଶ ସମିତି ଅାନୁକୂଲ୍ୟରେ ୧୯୮୮ରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ହ୍ରଦର ସଂରକ୍ଷଣ ତଥା ସମନ୍ବିତ ବିକାଶ ଉଦ୍ଦେଶ୍ୟରେ ୧୯୯୧ ମସିହାରେ ରାଜ୍ୟର ଜଙ୍ଗଲ ଓ ପରିବେଶ ବିଭାଗ ଅନୁକୂଲ୍ୟରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସ୍ଥାପିତ ହୋଇଥିଲା। କେନ୍ଦ୍ରୀୟ ଅନୁଦାନ ଏବଂ ରାଜ୍ୟ ପାଣ୍ଠିର ବିନିଯୋଗରେ ସିଡିଏ ଦ୍ୱାରା ବହୁ ବୈଜ୍ଞାନିକ ଅଧ୍ୟୟନ ପରେ ହ୍ରଦର ଲବଣାଂଶକୁ ଉପଯୁକ୍ତ ସ୍ତରରେ ରଖିବା ନିମନ୍ତେ ୨୦୦୦ ମସିହାରେ ଚିଲିକାର ସମୁଦ୍ର ସହିତ ଏକ ନୂତନ ସଂଯୋଗ ସାତପଡ଼ା ନିକଟସ୍ଥ ଶିପକୁଦଠାରେ ସ୍ଥାପିତ ହେଲା। ଲୋକମାନଙ୍କର ସକ୍ରିୟ ଯୋଗଦାନରେ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ବିକଳ୍ପ ରୋଜଗାରର ପନ୍ଥା ପ୍ରଦାନ ଦ୍ୱାରା ଏହି ଆର୍ଦ୍ରଭୂମିରୁ ମାନବୀୟ ଚାପର ହ୍ରାସ ନିମନ୍ତେ ସିଡିଏ ପ୍ରୟାସ ଜାରି ରଖିଛି ଓ ଯେଉଁସବୁ ଗମ୍ଭୀର ସମସ୍ୟାରେ ଚିଲିକା ଆଜି ମଧ୍ୟ ଜର୍ଜରିତ ହେଉଛି, ସେଥିରେ ଅନ୍ତର୍ଭୁକ୍ତ ରହିଛି ଚିଙ୍ଗୁଡ଼ି ଚାଷ ନିମନ୍ତେ ଚିଲିକା ଜଳର ଦଖଲ, ପାର୍ଶ୍ବବର୍ତ୍ତୀ ଅଞ୍ଚଳସବୁକୁ କୃଷିଜମିରେ ପରିଣତ, ହ୍ରଦ ଜଳର ପ୍ରଦୂଷଣ ଏବଂ ପୋଷକ ବୃଦ୍ଧି (ଇଉଟ୍ରୋଫିକେସନ୍) ସମସ୍ୟା, ଜଳରେ ଅନାବଶ୍ୟକ ତୃଣକସବୁର ବୃଦ୍ଧି, ହ୍ରଦ ଜଳରେ ପଙ୍କ ଜମିବା ଏବଂ ହ୍ରଦର ଗଭୀରତାରେ ହ୍ରାସ ଘଟିବା, ସମୁଦ୍ର ସହ ହ୍ରଦର ସଂଯୋଗରେ ପରିବର୍ତ୍ତନ, ଜଳର ଲବଣାଂଶରେ ତାରତମ୍ୟ, ମତ୍ସ୍ୟସମ୍ପଦ ଏବଂ ଅନ୍ୟାନ୍ୟ ସମ୍ବଳର ଅତ୍ୟଧିକ ବ୍ୟବହାର, ମାନବ ଜନସଂଖ୍ୟାରେ ବୃଦ୍ଧି ତଥା ବୈଷମ୍ୟ, ବିବାଦ ଏବଂ ସଂଘର୍ଷ ପରି ସାମାଜିକ-ଅର୍ଥନୈତିକ ପ୍ରସଙ୍ଗ ଇତ୍ୟାଦି ଯାହା ହ୍ରଦର ଅସ୍ତିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଯେତେବେଳେ ନକାରାତ୍ମକ ମାନବୀୟ କାର୍ଯ୍ୟକଳାପ ଏବଂ ବିଶ୍ୱତାପନର ପ୍ରଭାବରେ ଜଙ୍ଗଲ ଅବକ୍ଷୟର ହାରଠାରୁ ତିନି ଗୁଣ ଅଧିକ ଅନୁପାତରେ ପୃଥିବୀର ଆର୍ଦ୍ରଭୂମିମାନଙ୍କର ଅସ୍ତିତ୍ବ ଲୋପ ପାଇଚାଲିଛି, ସେତେବେଳେ ଲୋକଙ୍କର ସ୍ୱାର୍ଥ ରକ୍ଷା ଏବଂ ପ୍ରକୃତିର ସୁରକ୍ଷା ନିମନ୍ତେ ଚିଲିକା ହ୍ରଦର ସଂରକ୍ଷଣ କେତେ ଅପରିହାର୍ଯ୍ୟ ତାହା ନିର୍ଣ୍ଣୟ କରିବା ଆମ ବିଜ୍ଞତାର ପରିଚାୟକ ହେବ।

ଓଡିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ (ଓମ୍ଫ୍ରା), ୧୯୮୨ ଚିଲିକା ପାଇଁ ପ୍ରଯୁଜ୍ୟ ହୋଇଥିଲାବେଳେ ଏହି ହ୍ରଦ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନର ଯଥେଷ୍ଟ ଆବଶ୍ୟକତା ରହିଛି, ଯାହା ଉପର ବର୍ଣ୍ଣିତ ସମସ୍ତ ସମସ୍ୟାର ପ୍ରତିକାର, ହ୍ରଦର ସୁପରିଚାଳନା ଏବଂ ବିବାଦର ସମାଧାନର ପନ୍ଥା ନିରୂପଣ ତଥା ମତ୍ସ୍ୟଜୀବୀମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ପଥ ପ୍ରଦର୍ଶକର ଭୂମିକା ନିର୍ବାହ କରିବ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏଥି ନିମନ୍ତେ ଜନତାଙ୍କ ସ୍ୱର ଶାଣିତ ହୋଇଛି ଏବଂ ପ୍ରସ୍ତାବିତ ‘ଚିଲିକାରେ ମତ୍ସ୍ୟଧରା ଓ ମତ୍ସ୍ୟବ୍ୟବସାୟ ନିୟନ୍ତ୍ରଣ ଆଇନ ଓଡ଼ିଶା’ ବିଲ୍ ୨୦୧୭କୁ ରାଜ୍ୟ କ୍ୟାବିନେଟ ମଧ୍ୟ ଅନୁମୋଦିତ କରିସାରିଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବେଆଇନ ଚିଙ୍ଗୁଡ଼ି ଚାଷକୁ ରୋକିବା ଏବଂ ଚିଲିକା ଜମି ଲିଜ୍ ପ୍ରଦାନର କ୍ଷମତା ସିଡିଏକୁ ଅର୍ପଣ କରିବା। ଏହି ବିଲ୍ ନିଶ୍ଚିତ ରୂପେ ହ୍ରଦର ଜଳୀୟ ପରିସଂସ୍ଥାକୁ ତଥା ମତ୍ସ୍ୟଜୀବୀମାନଙ୍କୁ ଚାପମୁକ୍ତ କରି ସୁରକ୍ଷା ପ୍ରଦାନ କରିବ ବୋଲି ଚିନ୍ତା କରାଯାଉଥିଲା। ମାତ୍ର ବିଡମ୍ବନାର ବିଷୟ ହେଉଛି ଇତି ମଧ୍ୟରେ ତିନି ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ସୁଦ୍ଧା ଏହି ବିଲ୍ ଏ ପର୍ଯ୍ୟନ୍ତ ବିଧାନସଭାରେ ଗୃହୀତ ହୋଇ ଆଇନରେ ରୂପାନ୍ତରିତ ହୋଇ ନପାରି ନାଲିଫିତାର ଡୋରି ମଧ୍ୟରେ ଆବଦ୍ଧ ହୋଇ ରହିଯାଇଛି। ରାଜ୍ୟ ଏବଂ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଅନ୍ତର୍ଜାତୀୟ ଗୁରୁତ୍ୱ ବହନକାରୀ ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ ତଥା ପରବର୍ତ୍ତୀ ପିଢ଼ି ଏହି ଜଳୀୟ ପରିସଂସ୍ଥାରୁ ଉପଲବ୍ଧ ହିତର ପ୍ରବାହରୁ ବଞ୍ଚିତ ନହେବା ନିମନ୍ତେ ଚିଲିକା ବିଲ୍କୁ ଗୃହୀତ କରିବା ହେଉଛି ସମୟର ଆହ୍ୱାନ ଏବଂ ଏହା ହିଁ ସରକାରଙ୍କର ପ୍ରକୃତି ଓ ପରିବେଶ ପ୍ରତି ପ୍ରତିଶ୍ରୁତିବଦ୍ଧତାର ଶ୍ରେଷ୍ଠ ପ୍ରଦର୍ଶନ ହେବ।

Comments are closed.