ସର୍ବଧର୍ମାନ୍ ପରିତ୍ୟଜ୍ୟ

ଶରତ ଚନ୍ଦ୍ର ଶତପଥୀ, ପ୍ରାକ୍ତନ ଇଂରାଜୀ ପ୍ରଫେସର, ଉତ୍କଳ ବିଶ୍ବବିଦ୍ୟାଳୟ

ଶ୍ରୀମଦ୍ ଭଗବତ୍ ଗୀତାରେ ଦୁଇଟି ଶ୍ଳୋକ ଏହି ଆଲେଖ୍ୟର ପ୍ରାଣବିନ୍ଦୁ। ପ୍ରଥମଟି ହେଲା ‘ସ୍ବଧର୍ମେ ନିଧନଂ ଶ୍ରେୟଃ, ପରଧର୍ମୋ ଭୟାବହତ’। (କର୍ମଯୋଗ, ତୃତୀୟ ଅଧ୍ୟାୟ, ଶ୍ଳୋକ ୩୫)। ଦ୍ବିତୀୟଟି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ….’ (ମୋକ୍ଷ ସନ୍ନ୍ୟାସ ଯୋଗ, ଅଷ୍ଟାଦଶ ଅଧ୍ୟାୟ, ଶ୍ଳୋକ ୬୬)। ତାତ୍ତ୍ବିକ ଦୃଷ୍ଟିରୁ ଜଣେ ସାଧାରଣ ପାଠକ ଲାଗି ଏହା ଅର୍ଥକରଣରେ କଷ୍ଟକର ଏବଂ ପରସ୍ପର ବିରୋଧୀ ଅର୍ଥର ଧାରକ ମନେହେବା ବହୁଧା ସମ୍ଭବ। ପ୍ରଥମ ଶ୍ଳୋକରେ କର୍ତ୍ତବ୍ୟ କର୍ମର ସୁଚାରୁ ସଂପାଦନ ନିମିତ୍ତ ସ୍ପଷ୍ଟ ଓ ନିଶ୍ଚିତ ନିର୍ଦେଶ ମିଳିଥାଏ। ଦ୍ବିତୀୟ ଶ୍ଳୋକରେ ସବୁ କର୍ମକୁ ପରିହାର କରି ଈଶ୍ବରଙ୍କ ନିକଟରେ ନିଜକୁ ସମର୍ପଣ (?) କରି ମୋକ୍ଷଲାଭ କରିବାର ସନ୍ଦେଶ ଦିଆଯାଇଥିବା ପ୍ରତୀତ ହୁଏ। ଏକ ସଂପୂର୍ଣ୍ଣ ଧର୍ମ ନିରପେକ୍ଷ, ମୁକ୍ତ ମାନସିକତା ଏବଂ ବୌଦ୍ଧିକ ଶୃଙ୍ଖଳା ମାଧ୍ୟମରେ ଏହି ଦୁଇଟି ଶ୍ଳୋକର ଆଲୋଚନା ଆଜି ସମୟରେ ପ୍ରୟୋଜନୀୟ ମନେହୁଏ। ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କୁ ଧାର୍ମିକ ପ୍ରବଚନ କ୍ରିୟାରତ ଭଗବାନ-ଭକ୍ତ ଚରିତ୍ର ବୋଲି ଗ୍ରହଣ କରିବା ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କୁ ମଣିଷର ବିବେକବନ୍ତ, ସତ୍ୟନିଷ୍ଠ, ଅମୃତମୟ ଅନ୍ତଃସ୍ବର ଏବଂ ଅର୍ଜୁନଙ୍କୁ ସକ୍ଷମ ମଣିଷର ପରିସ୍ଥିତି/ପରିବେଶ ଦାୟରେ ସାମୟିକ ଭାବରେ ଆତ୍ମବିଶ୍ବାସ ହରାଇ ବସିଥିବା, ଅସହାୟ, ମ୍ରିୟମାଣ ଚରିତ୍ର ବୋଲି ଗ୍ରହଣ କରିନେବା ବୋଧହୁଏ ଅଧିକ ଯଥାର୍ଥ ହୋଇପାରେ। ଅର୍ଜୁନଙ୍କର ପ୍ରାର୍ଥନା ଓ ପ୍ରଶ୍ନ କେବଳ ଧାର୍ମିକ ନିରାଜନା ନୁହେଁ, ତାହା ଆତ୍ମ ସମୀକ୍ଷାର କଠିନ ପ୍ରକରଣ ଓ ନିଷ୍ଠାପର ପ୍ରୟାସ ମଧ୍ୟ। ଶ୍ରୀକୃଷ୍ଣଙ୍କର ଉପଦେଶ ନିଚ୍ଛକ ଉପଚାର ନୁହେଁ। ଏହା ସତ୍ମାର୍ଗରେ ପରିଚାଳିତ ହେବାଲାଗି ମଣିଷଲାଗି ପ୍ରଣୀତ ସମୟୋତ୍ତର ନିୟମାବଳୀ। ଉଭୟ ଶ୍ଳୋକର ବ୍ୟବହୃତ ‘ଧର୍ମ’ ଶବ୍ଦଟି ମୂଳଧାତୁ ‘ଧ୍ରୀ’ ବା ଧାରଣ କରିବାର ଶକ୍ତି ଅର୍ଥରୁ ନିର୍ମିତ ହୋଇଛି।

ଏହି ଶବ୍ଦ ତାତ୍ତ୍ବିକ ଓ ଅର୍ଥଗତ ବହୁଳତା ଦୃଷ୍ଟିରୁ ଅତ୍ୟନ୍ତ ବିଶାଳ। ବୃହତ୍ତର ଅର୍ଥରେ ‘ଧର୍ମ’, ମାନବିକ ମୌଳିକ କର୍ତ୍ତବ୍ୟ, ନୈତିକ ଦାୟିତ୍ବବୋଧ, ସତକର୍ମ ପ୍ରତି ଅନୁରାଗ ଓ ପ୍ରତିବଦ୍ଧତା ଏବଂ ଏହା ସହ ଆହୁରି ଅନେକ ବ୍ୟକ୍ତିଗତ, ସାମାଜିକ, ଗୋଷ୍ଠୀଗତ, ଚିନ୍ତା ଓ ଚେତନା ସ୍ତରରେ ଐଶ୍ବରିତ ସଦ୍ଗୁଣମାନଙ୍କର ସଂପ୍ରସାରିତ ଅନ୍ତଃସଲିଳା ଅଫୁରନ୍ତ ଉତ୍ସ ବୋଲି ଗ୍ରହଣୀୟ। ‘ସ୍ବଧର୍ମ’, ବ୍ୟକ୍ତିର ସ୍ବନିର୍ବାଚିତ କର୍ମକାରଣ। ଜୀବନଧାରଣର କାର୍ଯ୍ୟପଦ୍ଧତି, ଯାହାର ସମସ୍ତ ପରିଣତି ଲାଗି ସେହି ବ୍ୟକ୍ତି ହିଁ ଉତ୍ତରଦାୟୀ। କର୍ମରେ ସଫଳ ହେଲେ ‘ମହୀଭୋଗ’ ଅସଫଳ ହୋଇ, ନିଧନ ପ୍ରାପ୍ତ ହେଲେ ସ୍ବର୍ଗପ୍ରାପ୍ତି। ଲକ୍ଷ୍ୟ କରିବାର କଥା ଯେ ଉଭୟ ପରିଣତିରେ ବ୍ୟକ୍ତି ନିମିତ୍ତ କେବଳ ଉନ୍ନତି ଏବଂ ଉପକାର ହିଁ ଉପଲବ୍ଧ। ସ୍ବଧର୍ମରେ ଯଦି ବା କିଛି ଦୋଷଗୁଣ ସ୍ବାଭାବିକ ରୂପରେ ଅନିଚ୍ଛାକୃତ ଭାବରେ ରହିଥିବ, ସେ ସବୁର ସଂଶୋଧନ/ନିରାକରଣ ମଧ୍ୟ ବ୍ୟକ୍ତି ପକ୍ଷରେ ସମ୍ଭବ। ଏହା ମଧ୍ୟ ତା’ର ନିଜସ୍ବ କର୍ମବନ୍ଧନର ଦାୟିତ୍ବ ପରିସରରେ ଏକ ନିହିତ ବ୍ୟବସ୍ଥା। ସ୍ବଧର୍ମ ସହ ଯେ ବ୍ୟକ୍ତି ସୁପରିଚିତ ଏବଂ ସେହି କର୍ମ ସଂପାଦନାରେ ସେ ସିଦ୍ଧହସ୍ତ। ଏହା ଏକ ବହୁ ପ୍ରମାଣିତ ସତ୍ୟ। ତେଣୁ ସ୍ବଧର୍ମର ରୂପରେଖ ବ୍ୟକ୍ତିକ୍ଷେତ୍ରରେ ବିଭିନ୍ନ ହୋଇପାରେ; କିନ୍ତୁ ସେମାନଙ୍କର କରଣୀୟତାରେ କୌଣସି ପରିବର୍ତ୍ତନ କଳ୍ପନା କରାଯାଇ ନପାରେ। ତେଣୁ ସ୍ବଧର୍ମର ଅଧିଷ୍ଠାନ ସର୍ବଥା, ସର୍ବଜନ ହିତାୟ, ସର୍ବଜନ ସୁଖାୟ ବ୍ୟବସ୍ଥାର ଅନୁଗାମୀ। ସ୍ବଧର୍ମ ପରିଧି ମଧ୍ୟରେ ରାଜଧର୍ମ, ଗୃହସ୍ଥଧର୍ମ, ମାନବଧର୍ମ, ଅଷ୍ଟକର୍ମ ଫଳପ୍ରାପ୍ତି ଉଦ୍ଦେଶ୍ୟରେ ଅନୁଷ୍ଠିତ ସବୁ ଧର୍ମ ଓ କର୍ମ, ସଂଯୁକ୍ତ ଏବଂ ସମନ୍ବିତ ସମ୍ପର୍କରେ ପ୍ରତିଷ୍ଠିତ। ସ୍ବଧର୍ମ ସମ୍ବନ୍ଧରେ କେତେକ ସରଳ ଉଦାହରଣ ପ୍ରାସଙ୍ଗିକ ମନେହୁଏ। ଜଳ ସର୍ବଦା ନିମ୍ନଦିଗରେ ବହମାନ, ବାୟୁ ଅଦୃଶ୍ୟ ଓ ଚଳମାନ, ଅଗ୍ନିର ଧର୍ମ କେବଳ ଦହନ, ଗ୍ରହ, ନକ୍ଷତ୍ର, ସୂର୍ଯ୍ୟଚନ୍ଦ୍ର, ଏମାନଙ୍କର ଧର୍ମ ହେଲା ନିଜନିଜ କ୍ଷେତ୍ରରେ ଅବିଚଳିତ ବିଦ୍ୟମାନତା ଏବଂ ଗତିଶୀଳତା, ମେଘର ଧର୍ମ ଜଳ କର୍ଷଣ, ଫୁଲର ଧର୍ମ ସୁବାସ ବିତରଣ ଇତ୍ୟାଦି। ଯଦି ଏମାନେ ସ୍ବଧର୍ମ ତ୍ୟାଗକରି ପରଧର୍ମ ଆଦରିବାକୁ ଚେଷ୍ଟିତ ହେବେ ତେବେ ପ୍ରଥମ ଶ୍ଳୋକରେ କୁହାଯାଇଥିବା ‘ଭୟାବହ’ ଶବ୍ଦରେ ନିହିତ ଭୟଙ୍କର ସମ୍ଭାବନା ସମ୍ବନ୍ଧରେ ସମ୍ୟକ ଧାରଣା କରିହେବା ସହଜ। ତେଣୁ ପ୍ରଥମ ଶ୍ଳୋକର ନିର୍ଯ୍ୟାସ ରୂପରେ ଏହା କୁହାଯାଇପାରେ ଯେ ସ୍ବଧର୍ମ ପାଳନଦ୍ବାରା କର୍ମଯୋଗୀ ହେବା ହିଁ ମଣିଷର ଏକମାତ୍ର ନୈତିକ, ଆଧ୍ୟାତ୍ମିକ ଓ ପରମାର୍ଥିକ କର୍ତ୍ତବ୍ୟ। ଏହାର କୌଣସି ବିକଳ୍ପ ନାହିଁ।

ଦ୍ବିତୀୟ ଶ୍ଳୋକରେ, ସ୍ଥୂଳ ଅର୍ଥରେ କେହି ହୁଏତ ବୁଝିଯାଇପାରେ ଯେ ସବୁ ଧର୍ମକର୍ମ ପରିତ୍ୟାଗ କରି କେବଳ ଈଶ୍ବରଙ୍କ ନାମ ସଂକୀର୍ତ୍ତନ କଲେ ‘ମାମେକଂ ଶରଣଂ ବ୍ରଜ’ କାର୍ଯ୍ୟଟି ସୁଚାରୁରୂପେ ସଂପାଦିତ ହୋଇଗଲା ଏବଂ ସର୍ବ ପାପରୁ ମୋକ୍ଷ ମିଳିଯିବା ମଧ୍ୟ ସୁନିଶ୍ଚିତ ହୋଇଗଲା। ଏହା ଏକ କର୍ମରହିତ ସ୍ଥାଣୁ ଜୀବନଶୈଳୀର ସର୍ଜନା ବୋଲି ବୋଧହୁଏ। ଗୀତା ଏପରି ଏକ ଅମୂଲ୍ୟ ଗ୍ରନ୍ଥ, ଯାହା ମଣିଷକୁ କର୍ମାଭିମୁଖୀ, କର୍ମଯୋଗୀ, କର୍ତ୍ତବ୍ୟ ଅନୁରାଗୀ ହେବାଲାଗି ପ୍ରେରଣା ମନ୍ତ୍ର ଦେଇଥାଏ। କୌଣସି ଠାରେ କର୍ମପ୍ରତି ପରାଙ୍ମୁଖ ଭାବର ସାମାନ୍ୟତମ ସୂଚନା ମଧ୍ୟ ଏଥିରେ ନାହିଁ। କର୍ମ ହିଁ ଜୀବନ, ନିଷ୍କାମ କର୍ମ ସଂପାଦନ ହିଁ ପ୍ରକୃତ ତପସ୍ୟା। ତେଣୁ ଦ୍ବିତୀୟ ଶ୍ଳୋକର ଏ ପ୍ରକାର ନେତିବାଚକ ଅର୍ଥକରଣ ଏକ ପ୍ରମାଦପୂର୍ଣ୍ଣ ପଠନର ପରିଣତି ବ୍ୟତୀତ ଅନ୍ୟକିଛି ହୋଇ ନପାରେ। କର୍ମପ୍ରତି ବିମୁଖ ବ୍ୟକ୍ତି କଦାଚିତ୍ ମୋକ୍ଷପ୍ରାପ୍ତିର ପ୍ରତ୍ୟାଶୀ ହୋଇ ନପାରେ।

ଜନ୍ମ ଓ ଜୀବନର ଅନ୍ୟାନ୍ୟ ଦିଗସହ ମଣିଷକୁ ଯେ ପାଞ୍ଚଗୋଟି ଋଣ ଦାୟରୁ ନିଜକୁ ମୁକ୍ତ କରିପାରିବା ଏକ ମୌଳିକ ଓ ନୈତିକ ଦାୟିତ୍ବ ଏକଥା ଅସ୍ବୀକାର କରିହେବ ନାହିଁ। ତେଣୁ ମୋକ୍ଷଲାଭ ସନ୍ଦର୍ଭସହ ଏହି ଋଣମାନଙ୍କର ପରିଶୋଧ କର୍ମ ଓତପ୍ରୋତ ଭାବରେ ସଂଯୁକ୍ତ। ଏହି ଋଣକୁ ଅସ୍ବୀକାର କରୁଥିବା ବ୍ୟକ୍ତି ମୋକ୍ଷ ପ୍ରାପ୍ତିର ସମ୍ଭାବନା ମଧ୍ୟ ଚିନ୍ତା କରିବାର ଅଧିକାରରୁ ବଞ୍ଚିତ। ପ୍ରଥମଟି, ‘ଦେବଋଣ’। ପରମକାରୁଣିକ ଈଶ୍ବରଙ୍କର କୌଣସି ମହତ ଉଦ୍ଦେଶ୍ୟର ପରିପୂରଣ ନିମିତ୍ତ ମଣିଷ ସଂସାରକୁ ଆସିଥାଏ। ଦ୍ବିତୀୟଟି ହେଲା ‘ଋଷିଋଣ’। ‘ଋଷି’ ଶବ୍ଦଟି ଏଠାରେ ବିଦ୍ୟା, ଜ୍ଞାନ ଦାତା ଶିକ୍ଷା ଗୁରୁ ଅର୍ଥରେ ବ୍ୟବହୃତ। ଯେ ଆମକୁ ସତ୍ଶିକ୍ଷା ସହ ଆଦର୍ଶ ଓ ମୂଲ୍ୟବୋଧର ବରଦାନ ଦେଲେ ଏବଂ ଆମକୁ ସଂସ୍କାର ସଂପନ୍ନ ବ୍ୟକ୍ତିତ୍ବର ଅଧିକାରୀ କରିପାରିଲେ ତାଙ୍କଠାରୁ ଗ୍ରହଣ କରାଯାଇଥିବା ଋଣ ମଧ୍ୟ ଊଣା ନୁହେଁ। ତୃତୀୟରେ, ‘ପିତୃମାତୃ ଋଣ’। ଯେ ଆମକୁ ଧରାପୃଷ୍ଠକୁ ଆଣିଲେ, ନିଜେ ସୁଖଦୁଃଖ ସହି ଆମର ଲାଳନ ପାଳନ କଲେ, ପ୍ରତିପୋଷଣ କଲେ, ସେମାନଙ୍କର ଋଣର ପରିମାଣ ପରିସଂଖ୍ୟାନର ପରିସୀମାରୁ ବହୁ ଊର୍ଦ୍ଧ୍ବରେ। ସେ ଋଣର ପରିଶୋଧ ପ୍ରତ୍ୟେକ ସନ୍ତାନର ପରମ ପବିତ୍ର କର୍ତ୍ତବ୍ୟ। ଚତୁର୍ଥରେ ଅଛି ମଣିଷର ଅନ୍ୟ ମଣିଷମାନଙ୍କ ଲାଗି ‘କୃତଜ୍ଞତାର ଋଣ’ ଅନ୍ୟମାନଙ୍କର ଅକୁଣ୍ଠ ସାହାଯ୍ୟ, ସହଯୋଗ, ସହାନୁଭୂତି, ସୁରକ୍ଷା, ସଂକଳ, ସମ୍ବେଦନା ଓ ସହନଶୀଳତାର ସଦୁପଯୋଗ ବ୍ୟତିରେକେ କୌଣସି ମଣିଷ ଏକା ହୋଇ ବଞ୍ଚିପାରିବ ନାହିଁ। କାରଣ ସୃଷ୍ଟିର ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ମଣିଷ ଏକ ଅସହାୟ ଜୀବ ଏବଂ ଅନ୍ୟର ତ୍ୟାଗ ଓ ଦୟା ଉପରେ ସଦା ସର୍ବଦା ନିର୍ଭରଶୀଳ। ସେହି ଦୃଷ୍ଟିରୁ ବ୍ୟକ୍ତି ତା’ର ନିଜ ପ୍ରଜାତି ପ୍ରତି ବହୁ ଭାବରେ ଋଣଗ୍ରସ୍ତ ଏବଂ ଶେଷରେ ଅଛି ପଞ୍ଚମ ଋଣ ଯାହା ଜୀବଜଗତଠାରୁ, ପରିବେଶ ଏବଂ ଉଦ୍ଭିଦଜଗତ ପର୍ଯ୍ୟନ୍ତ ବିସ୍ତୃତ। ସେ ସବୁର ସନ୍ତୁୁଳନ ରକ୍ଷା ଓ ପ୍ରସାର, ମଣିଷର ଜୀବନଧାରଣ ନିମିତ୍ତ ଏକାନ୍ତ ଆବଶ୍ୟକ।

ପୂର୍ବକାଳରେ, କୁମ୍ଭ ମେଳାରେ, ସାଧୁ, ସନ୍ନ୍ୟାସୀ, ସନ୍ଥ, ସଂସ୍ଥାର ଧର୍ମୀ ଧର୍ମାଧିକାରୀ ଏବଂ ନୀତିବାନ ଦିଗ୍ଗଜ ପଣ୍ଡିତମାନେ ପ୍ରତି ବାରବର୍ଷରେ, ଧର୍ମସଭା ଆୟୋଜନ କରି ସମାଜରେ ପ୍ରଚଳିତ କ୍ରିୟାକର୍ମର ପଦ୍ଧତି ଏବଂ ସେ ସବୁର ଉପଯୋଗିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ସମାଜର କଲ୍ୟାଣ ସାଧନ ଲକ୍ଷ୍ୟରେ ପ୍ରବର୍ତ୍ତିତ ନିୟମମାନଙ୍କର ବିଶୋଧନ ପରିବର୍ତ୍ତନ କରାଯାଇ, ଯୁଗଧର୍ମ ଅନୁସାରେ ସେ ସବୁକୁ ସମୟୋପଯୋଗୀ କରାଯାଉଥିଲା। ବୁଝିବାର କଥା ଯେ, ସ୍ବଧର୍ମର ସଫଳ ସଂପାଦନ ବ୍ୟତୀତ ମଣିଷ ଗ୍ରହଣ କରିଥିବା କୌଣସି ‘ଋଣ’ର ଆଂଶିକ ପରିଶୋଧ ମଧ୍ୟ ସମ୍ଭବ ନୁହେଁ। ‘ସ୍ବଧର୍ମ’ର ନିଷ୍ଠାପର ଅଭ୍ୟାସ ଏକ ନିରବଚ୍ଛିନ୍ନ ଓ ନିରନ୍ତର ପ୍ରକ୍ରିୟା। ଋଣ ପରିଶୋଧର ସମସ୍ତ କର୍ମ ସମାଜର ବୃହତ୍ତର ସ୍ବାର୍ଥ ସାଧନ ନିମିତ୍ତ ଅଭିପ୍ରେତ। ଏସବୁ ମାନବଧର୍ମୀ ଏବଂ ଧର୍ମନିରପେକ୍ଷ। ନୀତି ଓ ଆଦର୍ଶ ସମ୍ବଳିତ ନିଷ୍କାମ କର୍ମ। ନିଷ୍କାମ କର୍ମର ସରଳ ଅର୍ଥ ହେଲା, ତୁମେ ଚାରାଟିଏ ରୋପଣ କଲେ କେହି ଜଣେ, କେବେହେଲେ ତା’ର ଫଳଟିଏ ଖାଇପାରିବ। ଯେପରି କି ତୁମେ ଆଜି ଭକ୍ଷଣ କରୁଥିବା ଫଳର ବୃକ୍ଷଟି ଅନ୍ୟ କାହାଦ୍ବାରା କେଉଁ ଦୂର ଅତୀତରେ ରୋପଣ କରାଯାଇଥିଲା। ଏହା ହିଁ ବିବେକର ବାଣୀ; ତତ୍କ୍ଷଣାତ୍ ଫଳପ୍ରାପ୍ତିର ଲୋଭାତୁର ପ୍ରତ୍ୟାଶାରୁ ବିରତ ରହିବା ବିଧେୟ; କିନ୍ତୁ କର୍ତ୍ତବ୍ୟ କର୍ମ ସଂପାଦନରୁ କ୍ଷଣିକ ଲାଗି ବିରାମ ଗ୍ରହଣ କରିବା ଅନୁଚିତ। ‘ସର୍ବଧର୍ମାନ୍ ପରିତ୍ୟଜ୍ୟ’ ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦ ସଂଯୋଜନା ଦ୍ବାରା ପ୍ରସ୍ତୁତ ବାକ୍ୟାଂଶ। ‘ସର୍ବଧର୍ମାନ୍’ ମଧ୍ୟରେ ସବୁପ୍ରକାରର ଧର୍ମ (କର୍ମ) ଓ ଅଧର୍ମ (ଅକର୍ମ ଓ ଅପକର୍ମ) ମଧ୍ୟ ସନ୍ନିବିଷ୍ଟ।

କର୍ମ କେବଳ ପୁଣ୍ୟାଗ୍ରାହୀ ନହୋଇ ପାପ ପର୍ଯ୍ୟାୟଭୁକ୍ତ କୌଣସି କର୍ମପନ୍ଥା ମଧ୍ୟ ହୋଇପାରେ। ଆମ ପୌରାଣିକ ଉପାଖ୍ୟାନରେ ଦସ୍ୟୁ ରତ୍ନାକର ଅଙ୍ଗୁଳିମାଳ, ଅଥବା ଜଣେ କଂସେଇ ମଧ୍ୟ ଏକ ପ୍ରକାରର କାର୍ମିକ ବ୍ୟକ୍ତିତ୍ବ ବୋଲି ଗଣ୍ୟ ହୁଏ। ଦ୍ବିତୀୟ ପାଦରେ ଏହା ‘ପରିତ୍ୟଜ୍ୟ’ ବୋଲି କୁହାଯାଇଛି। ଅର୍ଥାତ୍ କୌଣସି କର୍ମବନ୍ଧନରୁ ଅପସରି ଯିବା ଅସମ୍ଭବ ନୁହେଁ। ସମସ୍ତ କର୍ମ ସେ ଦୃଷ୍ଟିରୁ ପରିହାର୍ଯ୍ୟ ଅଟନ୍ତି। ଏଠାରେ ‘ସ୍ବଧର୍ମ’ ସନ୍ଦର୍ଭରେ ଦୁଇଟି ମୌଳିକ କଥା ମନେ ରଖିବା ଉଚିତ ମନେହୁଏ। ପ୍ରଥମଟି ହେଲା ବସ୍ତୁକୈନ୍ଦ୍ରିକ, ଭୌତିକ ଧର୍ମ/କର୍ମ, ଯାହା ‘ଦେହ’ ମାଧ୍ୟମରେ ସଂପାଦିତ ହୋଇଥାଏ। ଯୁଦ୍ଧଠାରୁ କୃଷିକର୍ମ, ମନ୍ତ୍ରପାଠ ଠାରୁ କଂସେଇ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ଦେହଜ କ୍ରିୟା, ଶରୀର ଦ୍ବାରା ସଂପାଦିତ କାର୍ଯ୍ୟ ଏବଂ ଏହା ହିଁ ସ୍ବଧର୍ମର ସାଂସାରିକ ଅଭିବ୍ୟକ୍ତି। ଦ୍ବିତୀୟଟି ହେଲା, ଆଧ୍ୟାତ୍ମିକ, ପାରମାର୍ଥିକ ଧର୍ମ/କର୍ମ, ଯାହା କେବଳ ଆତ୍ମା ସହ ଅନୁବନ୍ଧିତ। ଗୀତାର ଏହି ଦ୍ବିତୀୟ ଶ୍ଳୋକଟି ‘ମୋକ୍ଷ ସନ୍ନ୍ୟାସ ଯୋଗ’ ଅଧ୍ୟାୟରେ ସନ୍ନିବିଷ୍ଟ। ଏଠାରେ ମଣିଷର ଅନ୍ତଃସ୍ବର ହେଲା, ଦେହଜ କର୍ମରେ ଲିପ୍ତ ରହି ଆତ୍ମାର ପ୍ରଭୂତ କ୍ଷତି ସାଧନ ଏକ ଅନୁଚିତ କର୍ମ କାରଣ କ୍ଷୟମାଣ ଦେହଦ୍ବାରା ସଂପନ୍ନ ହେଉଥିବା କର୍ମମାନଙ୍କ ସହ ଅବିନଶ୍ବର ଆତ୍ମା ସଂପୃକ୍ତ ନୁହେଁ। ତେଣୁ ଯେତେସବୁ ଧର୍ମ, ଅଧର୍ମ, କର୍ମ, ଅପକର୍ମ ଅଛି ସେ ସବୁକୁ ତ୍ୟାଗ କରିବାର ସମୟ ଉପସ୍ଥିତ ହେଲେ ସେଥିରୁ ନିଜକୁ ମୁକ୍ତ କରାଯାଇପାରିବ। ତେଣୁ କର୍ମର ସଫଳ ବା ଅସଫଳ ସଂପାଦନା, ସଂପୂର୍ଣ୍ଣ ନିଷ୍କାମ ଅଥଚ ସତ୍ୟନିଷ୍ଠ ଉପାୟରେ କରାଯାଇ ପାରିଲେ ହିଁ କର୍ମ ବନ୍ଧନରୁ ମୁକ୍ତି/ମୋକ୍ଷଲାଭ କରାଯାଇପାରିବ। କର୍ମଠାରୁ ପଳାୟନ କରୁଥିବା ବ୍ୟକ୍ତି, ସେ ଯେତେ ଜ୍ଞାନୀ ହୋଇଥିଲେ ମଧ୍ୟ, କେବଳ ଅପଯଶ ସଂଗ୍ରହ କରିବା ସୁନିଶ୍ଚିତ। ଦେହ ଓ ଆତ୍ମା କେବଳ ସାମୟିକ ଭାବରେ ପରସ୍ପର ସଂଯୁକ୍ତ ରହିଥାନ୍ତି; କିନ୍ତୁ ଉଭୟଙ୍କର ଆଭିମୁଖ୍ୟ ଭିନ୍ନ ଓ ସ୍ବତନ୍ତ୍ର। ତେଣୁ କେବଳ ଆତ୍ମାପୁରୁଷ ହିଁ ‘ମାମେକଂ ଶରଣଂ ବ୍ରଜ’ ପର୍ଯ୍ୟାୟକୁ ଉତ୍ତରଣ ଲଭିବାକୁ ଯୋଗ୍ୟ। ଏଠାରେ ମନେ ରଖିବାର କଥା ଯେ ଆତ୍ମା ପୁରୁଷ ଦେହଦ୍ବାରା ସମ୍ପାଦିତ ‘ସ୍ବଧର୍ମ’ରେ ଭାଗୀଦାର ନୁହେଁ। ସେଥିଲାଗି ସେ ‘ସର୍ବପାପ’ରୁ ମୁକ୍ତ ହୋଇ ‘ମୋକ୍ଷ’ପ୍ରାପ୍ତ ହୋଇଥାଏ। ମାମେକଂ ଶରଣଂ ବ୍ରଜ ଏକ ଭକ୍ତିପୂର୍ଣ୍ଣ ସମର୍ପଣ ପ୍ରକ୍ରିୟା ଯାହାକି ସବୁ ପ୍ରକାରର ‘ମୁଁ’ତ୍ବର ଅହମିକା କଳଙ୍କରୁ ମୁକ୍ତ ଥାଏ। ସମର୍ପଣର ମୂଳତତ୍ତ୍ବ ହେଲା ‘ମୁଁ’ ତ୍ବର ପରିହାର ଏବଂ ଆତ୍ମପ୍ରତିଷ୍ଠା ସଂଶ୍ଳିଷ୍ଟ ଅହଂକାରର ସଂପୂର୍ଣ୍ଣ ବିନାଶ। ଦାମ୍ଭିକତାକୁ ସଶ୍ରାୟ କରି ମୋକ୍ଷଲାଭର ଆଶା ଏକ ମୂର୍ଖତା ମାତ୍ର।

ଶ୍ରୀମଦ୍ ଭଗବଦ୍ ଗୀତାର ଏହି ଅମୃତବାଣୀ- କର୍ମ ହିଁ ମୁକ୍ତି ଓ ମୋକ୍ଷର ମାର୍ଗ- ଜାତି, ଧର୍ମ, ବର୍ଣ୍ଣ, କ୍ଷେତ୍ର, ସଂପ୍ରଦାୟ ଇତ୍ୟାଦି ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବରେ, ଏକ ସମୟୋତ୍ତର ପରିପ୍ରେକ୍ଷୀରେ, ସମଗ୍ର ମାନବଜାତି ପ୍ରତି ଏକ ସଶ୍ରଦ୍ଧ ନିବେଦନ।

Comments are closed.