ଚୀନର କପଟ ନୀତିକୁ ସାବଧାନ

- ଶରତ ମହାପାତ୍ର

ଭାରତ-ଚୀନ୍‌ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ୨୦୨୧ ଫେବୃଆରୀ ୧୦ରେ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। ଗୋଟିଏ ପଟେ ଅନ୍ତର୍ଜାତୀୟ ସମୁଦାୟର ଚାପ ଏବଂ ଅନ୍ୟପଟେ ଭାରତ-ଚୀନ ମଧ୍ୟରେ କୂଟନୈତିକ ତଥା ସାମରିକ କମାଣ୍ଡରସ୍ତରୀୟ ଆଲୋଚନାର ଫଳସ୍ବରୂପ ଚୀନ୍‌ ତା’ର ସୈନ୍ୟ ପ୍ରତ୍ୟାହାର ତ୍ବରାନ୍ବିତ କରିଛି। ଲଦାଖର ପାଙ୍ଗ୍‌ଙ୍ଗ ହ୍ରଦର ଉତ୍ତର ଦିଗରେ ୨୦୨୦ ଏପ୍ରିଲ ମାସରୁ ଚୀନ୍‌ ନିର୍ମାଣ କରିଥିବା ସ୍ଥାୟୀ ବଙ୍କର, ଆଗୁଆ ପୋଷ୍ଟ, ଜେଟ୍ଟି, ନିରୀକ୍ଷଣ କେନ୍ଦ୍ର, ହେଲିପ୍ୟାଡ଼ଗୁଡ଼ିକୁ ଭାଙ୍ଗି ଦେବା ସହ ଟ୍ୟାଙ୍କ, ଆଟିଲାରୀ ଗନ, ଭାରୀଯାନଗୁଡ଼ିକୁ ସେଠାରୁ ପ୍ରତ୍ୟାହାର କରି ନେଇଛି। ଏହାପରେ ଦୁଇ ଦେଶ ମଧ୍ୟରେ ୨୦୨୧ ଫେବୃଆରୀ ୨୦ରେ ୧୦ମ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗୋଗ୍ରା, ହଟ୍‌ସ୍ପ୍ରିଙ୍ଗ୍‌ ଏବଂ ଦେପ୍‌ସାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ଦିଗ ଉପରେ ଦିଆଯାଇଛି ଗୁରୁତ୍ବ।

ଚୀନ ଏଭଳି ପଦକ୍ଷେପ ନେଲା କାହିଁକି? ଗତବର୍ଷ ଅଗଷ୍ଟ ଶେଷ ଭାଗରେ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦର ଉଭୟ ଉପକୂଳରେ ଚୀନ୍‌ ସେନାର ଅତିକ୍ରମଣ ଆଭିମୁଖ୍ୟକୁ ଭାରତୀୟ ଯବାନଙ୍କ ପର୍ବତ ଶିଖରଗୁଡ଼ିକ ଦଖଲ ହିଁ ପଣ୍ଡ କରି ଦେଇଥିଲା। ଭାରତୀୟ ସେନା ପେଙ୍ଗ୍‌ଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ରେଜାଙ୍ଗଲା, ରେଚେନ୍‌ଲା, ବ୍ଲାକ-ଟପ୍‌, ମୁଖପରି, ହେଲମେଟ-ଟପ୍‌, ଗୁରୁଙ୍ଗହିଲ୍‌, ମଗରହିଲ, ଗୁର୍ଖାହିଲ୍‌ ଭଳି ୩୦ଟି ପର୍ବତ ଶିଖରକୁ ଅତର୍କିତ ଭାବେ କବ୍‌ଜା କରିନେବା ଥିଲା ସାମରିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ। ଭାରତର ସ୍ପେସାଲ ଫ୍ରଣ୍ଟିଆର ଫୋର୍ସ (ଏସ.ଏଫ.ଏଫ) କମାଣ୍ଡୋ ତଡିତ୍‌ ବେଗରେ ଉଚ୍ଚଉଚ୍ଚ ଶୃଙ୍ଗଗୁଡ଼ିକ ଉପରକୁ ଚଢ଼ି କବ୍‌ଜା କରିବାରେ ହୋଇଥିଲେ ସମର୍ଥ। ସକାଳର ସୂ‌େ‌ର୍ଯ୍ୟାଦୟ ହେବା ପୂର୍ବରୁ ଏହି କମାଣ୍ଡୋ ବାହିନୀ ଇସ୍ରାଏଲ ନିର୍ମିତ ‘କାର୍ଲ-ଗୁସ୍ତାଭ’, ଫ୍ରାନ୍ସ ନିର୍ମିତ ‘ମିଲାନ’ ଏଣ୍ଟି ଟ୍ୟାଙ୍କ୍‌ ମିଜାଇଲସ୍‌, ରକେଟ୍‌ ଲଞ୍ଚର୍ସ, ଅଟୋମେଟିକ୍‌ସରେ ସଜ୍ଜିତ ହୋଇ ଶୃଙ୍ଗଗୁଡ଼ିକ ଉପରେ ନିଜର ସ୍ଥିତି ସୁଦୃଢ଼ କରି ପ୍ରଦର୍ଶନ କରିଥିଲେ ସେମାନଙ୍କ ଅସୀମ ଶକ୍ତି, ସାହସ ତଥା ଦୃଢ଼ ମନୋବଳ। ୨୦୨୦ ଅଗଷ୍ଟ ୨୯-୩୦ ରାତ୍ରି ଘଟଣା ପ୍ରତିପକ୍ଷର ଚାଲ୍‌କୁ ବିବଶ କରି ଦେଇଥିଲା। ଶିଖରଗୁଡ଼ିକ ଉପରେ ଥାଇ ଆମ ସେନା ଚୀନ୍‌ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ପାରିବାରୁ ଭାରତ ଚୀନଠାରୁ ଆଗରେ ରହିଗଲା।

ଚୀନ୍‌ର ପିଏଲ୍‌ଏ ଭାରତର ପଦକ୍ଷେପ ସମ୍ପର୍କରେ ସୁରାକ ନ ପାଇବା ସହ ପ୍ରତିରୋଧାତ୍ମକ ପଦକ୍ଷେପ ପାଇଁ ମଧ୍ୟ ସାହସ ଜୁଟାଇ ପାରି ନଥିଲା। ଏହି ମୋଡ଼ ବଦଳକାରୀ ଅଭିନବ କୌଶଳ ପଛରେ ଜାତୀୟ ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ପ୍ରମୁଖ, ପ୍ରଚ୍ଛନ୍ନ ଓ ସମୟୋଚିତ ଭୂମିକା ଥିବାର ଜଣାଯାଏ। ନେହେରୁଙ୍କ ଶାସନ କାଳରେ ଚୀନ ଭାରତ ଭିତରକୁ ଅନୁପ୍ରବେଶ କରି ୪୦ହଜାର ବର୍ଗ କିଲୋମିଟର ଅଞ୍ଚଳ ନିଜ ଦଖଲକୁ ନେଇ ଯାଇଥିଲା ଏବଂ ଭାରତ ନୈତିକ ପରାଜୟ ଅବଶ୍ୟ ବରଣ କରିବ ବୋଲି ଭାବୁଥିବା ଚୀନ ପ୍ରତି ଏହା ଥିଲା ମସ୍ତବଡ଼ ଧକ୍‌କା। ଚୀନ ପାଇଁ ଦୁଇଟି ବିକଳ୍ପ ରହିଥିଲା; ପ୍ରଥମତଃ ଭାରତ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିବା ଏବଂ ଦ୍ବିତୀୟ ବିକଳ୍ପଟି ହେଲା ଅତି କଷ୍ଟକର ପରିସ୍ଥିତିରେ ତା’ର ସୈନ୍ୟଙ୍କୁ ଅନିର୍ଦିଷ୍ଟ କାଳ ପାଇଁ ସେଠାରେ ମୁତୟନ ରଖିବା। ପରବର୍ତ୍ତୀ ସମୟରେ ମସ୍କୋଠାରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ସମୟରେ ସୈନ୍ୟ ପ୍ରତ୍ୟାହାର ଖସଡ଼ା ପ୍ରସ୍ତୁତ ହୋଇଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଲଦାଖ ସୀମାରୁ ଚୀନ୍‌ ତା’ର ସୈନ୍ୟବଳ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିବାନେଇ ସମସ୍ତେ ପ୍ରାୟ ଆଶ୍ବସ୍ତ ମାତ୍ର। ଏହି ପଦକ୍ଷେପ ପଛରେ ଚତୁର ଚୀନ୍‌ର ଚାଲାଖି ଏବେ ପଦାକୁ ଆସିଛି। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ୁଛି ଯେ ଚୀନ୍‌ ତା’ର ସୈନ୍ୟବଳଙ୍କୁ ପାଙ୍ଗଙ୍ଗ୍‌ ହ୍ରଦଠାରୁ ପ୍ରାୟ ୧୦୦ କିମି ଦୂରରେ ‘ରୁତୋଗ’ଠାରେ ମୁତୟନ କରିଛି। ଭବିଷ୍ୟତରେ ଭାରତ ସହିତ ବିବାଦ ଉପୁଜିଲେ ଏହି ସ୍ଥାନରୁ ଚୀନ୍‌ ତା’ର ସୈନ୍ୟବଳକୁ ତଡ଼ିତ୍‌ ବେଗରେ ନିୟୋଜିତ କରିବାରେ ସମର୍ଥ ହୋଇପାରିବ। ଚୀନ୍‌ ସେଠାରେ ତା’ର ସାମରିକ ଭିତ୍ତିଭୂମି ବିକାଶ, ଶିବିର, ନିର୍ମାଣ, ଯୁଦ୍ଧାସ୍ତ୍ର ମହଜୁଦ୍‌ କରିବା ସହ ସାମରିକ ପ୍ରସ୍ତୁତି ବ୍ୟାପକ କରିଥିବାର ଜଣାଯାଏ। ଚୀନ୍‌ର ସୈନ୍ୟ ଅପସାରଣ ଉପରେ କେତେକ ସାମରିକ ବିଶେଷଜ୍ଞ ସନ୍ଦେହ ବ୍ୟକ୍ତ କରିଛନ୍ତି। ୧୯୬୨ ମସିହାରେ ଚୀନ୍‌ ପ୍ରଥମେ ତା’ର ସେନା ହଟାଇଥିଲା, ମାତ୍ର କିଛିମାସ ପରେ ପୁଣି ପୂର୍ବ ସ୍ଥିିତିକୁ ଆସି ଭାରତ ଉପରେ ଆକ୍ରମଣ କରିଥିଲା। ବର୍ତ୍ତମାନ ଚୀନର ଏଭଳି ପଦକ୍ଷେପ ଉପରେ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ଏବଂ ଚୀନ୍‌କୁ ଏତେ ସହଜରେ ବିଶ୍ବାସ କରିବା ଅନୁଚିତ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ନରବାନେ କହିଛନ୍ତି।

ଲଦାଖର କିଛି ଅଞ୍ଚଳରୁ ସୈନ୍ୟ ଅପସାରଣ ପରେ ଚୀନ୍‌ ବର୍ତ୍ତମାନ ଭାରତ ସଂଲଗ୍ନ ସିକିମ ନିକଟସ୍ଥ ନାକୁଲାଠାରେ ଶିବିର ଓ ବଙ୍କର ନିର୍ମାଣ କରିବା ସହ ରାସ୍ତା ନିର୍ମାଣ ତଥା ପ୍ରଶସ୍ତ କରିବାରେ ଲାଗି ପଡ଼ିଛି। ଅତୀତରେ ଦୀର୍ଘ ଛଅବର୍ଷ ଧରି ଚୀନ୍‌ ସେଠାରେ ଉତ୍ତେଜନା ସୃଷ୍ଟି କରି ଆସୁଥିଲା। ଅରୁଣାଚଳ ପ୍ରଦେଶର ସୁବାନସରି ଜିଲା ସନ୍ନିକଟ ସୀମାରେ ଚୀନ୍‌ ଇତିମଧ୍ୟରେ ତିନିଟି- ନୂତନ ପୋଲ ନିର୍ମାଣ କରିବା ସହ ୬୬ କି.ମି ଦୀର୍ଘ ସଡ଼କ ମଧ୍ୟ ନିର୍ମାଣ କରିଛି। ଏହି ପରିପ୍ରେକ୍ଷୀରେ ବାସ୍ତବ ନିୟନ୍ତ୍ରଣ ରେଖାର କେଉଁ ସ୍ଥାନରେ ଚୀନ୍‌ ଭାରତକୁ ଅନୁପ୍ରେବେଶ କରିବ, ତାହା ଆକଳନ କରିବା କଷ୍ଟକର। ସୁୁଦୀର୍ଘ, ବିବଦମାନ, ଦୁର୍ଗମ, ଉତ୍ତେଜନାପୂର୍ଣ୍ଣ ସୀମାରେ ସବୁ ସମୟରେ ତୀକ୍ଷ୍ଣନଜର ରଖିବା ଜରୁରୀ ବୋଲି ବହୁ ସାମରିକ ବିଶେଷଜ୍ଞଙ୍କ ମତ। ଚୀନ୍‌ର ବନ୍ଧୁତା ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ସହ ତାଳ ଦେଇ ଚାଲିବା ବୁଦ୍ଧିମାନର କାର୍ଯ୍ୟ ହେବବୋଲି ସେମାନେ ବିଚାରୁଥିବାର ଜଣାଯାଏ।

୨୦୨୦ ଜୁନ୍‌ ୧୫ ରାତିରେ ଗଲୱାନରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲାବେଳେ ଚୀନ୍‌ ତା’ର ଏ ସମ୍ପର୍କିତ ତଥ୍ୟ ଲୁଚାଇ ରଖିଥିଲା। ରୁଷର ସମ୍ବାଦ ସରବରାହ ସଂସ୍ଥା ‘ଟାସ୍‌’ ଦ୍ବାରା ଫେବୃଆରୀ ୧୧ ତାରିଖରେ ପ୍ରକାଶିତ ତଥ୍ୟ ଅନୁସାରେ ଚୀନ୍‌ର ୪୫ଜଣ ସୈନ୍ୟ ନିହତ ହୋଇଥିବାର ସୂଚନା ଥିଲାବେଳେ ଚୀନ୍‌ କେବଳ ତା’ର ୫ଜଣ ସୈନ୍ୟ ପ୍ରାଣ ହରାଇଥିବାର ପ୍ରକାଶ କରିଛି। ବିଳମ୍ବରେ ହେଉ ମଧ୍ୟ ଗତ ଜୁନ୍‌ ୧୫ ରାତି ରକ୍ତାକ୍ତ ସଂଘର୍ଷରେ ଚୀନ୍‌ ସୈନ୍ୟ ପ୍ରାଣ ହରାଇଥିବା ଏବେ ସ୍ବୀକାର କରିଛି। ସେନା ପ୍ରତ୍ୟାହାର ସମୟରେ ଚୀନ୍‌ ତା’ର ଗଣମାଧ୍ୟମରେ ଗଲୱନ ସଂଘର୍ଷର ଭିଡ଼ିଓ ପ୍ରଦର୍ଶନ କରି ଦେଶବାସୀଙ୍କୁ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରମାଣିତ କରିବାସହ ଏଲ୍‌ଏସିରୁ ଏବେ ଭାରତ ପଛକୁ ହଟିଛି ବୋଲି ଏକ ନୂଆ ଚକ୍ରାନ୍ତ ଆରମ୍ଭ କରିଛି। ଚୀନ୍‌ର ଏହା ଦୋମୁହାଁ ନୀତି ନୁହଁ କି? କଥା ଓ କାର୍ଯ୍ୟରେ ଭିନ୍ନତା ପ୍ରଦର୍ଶନ କରି ଚୀନ୍‌ ତା’ର ଅସଲ ସ୍ବରୂପକୁ ଦେଖାଇ ଦେଇଛି।

ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଲି କେକିଆଙ୍ଗ୍‌ ପିପୁଲ୍‌ସ କଂଗ୍ରେସରେ ୨୦୨୧ ମାର୍ଚ୍ଚ ୫ ତାରିଖରେ ଚୀନ୍‌ର ବର୍ଦ୍ଧିତ ବଜେଟ ଉପସ୍ଥାପନ କରିଛନ୍ତି। ଦେଶର ପ୍ରତିରକ୍ଷା ଶକ୍ତି ସୁଦୃଢ଼ କରିବାକୁ ଏହି ବଜେଟ ପରିମାଣ ବୃଦ୍ଧି କରାଯାଇଥିବାର ଚୀନ୍‌ ପିପୁଲ୍‌ସ କଂଗ୍ରେସର ମୁଖପାତ୍ର ଝାଙ୍ଗ୍‌ ଯେସୁଇ ବିବୃତି ଦେଇଥିବାର ପ୍ରକାଶ। ଚୀନର ପ୍ରତିରକ୍ଷା ବଜେଟ ୨୦୯ ବିଲିଅନ ଡଲାର ଧାର୍ଯ୍ୟ ହୋଇଛି ଯାହାକି ଗତବର୍ଷ ତୁଳନାରେ ୬ ଦଶମିକ ୮ ପ୍ରତିଶତ ଅଧିକ। ଆମେରିକା ପ୍ରତିରକ୍ଷା ସଚିବ ଲୋୟଡ ଅଷ୍ଟିନ୍‌ ୨୦୨୧ ମାର୍ଚ୍ଚ ୭ରେ ଚୀନର ପ୍ରତିରକ୍ଷା ବଜେଟ ଉପରେ ମତ ରଖି କହିଛନ୍ତି; ଚୀନ ଏସିଆରେ ତା’ର ପ୍ରତିପତ୍ତି ବଢ଼ାଇବାକୁ ପ୍ରତିବେଶୀଙ୍କ ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଚାଲିଛି। ପୂର୍ବ ଚୀନ୍‌-ସାଗର ତଥା ଦକ୍ଷିଣ ଚୀନ-ସାଗରରେ ନିଜର ଆଧିପତ୍ୟ ଜାହିର କରିବାକୁ ଯାଇ ଚୀନ-ଭିଏତ୍‌ନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ, ତାଇୱାନ ସହ ସମ୍ପର୍କ ନିମ୍ନମୁଖୀ ହେବା ଚିନ୍ତାର ବିଷୟ।

ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ସହ ଟେଲିଫୋନ ବାର୍ତ୍ତାଳାପରେ ଚୀନ୍‌ର ତାଇୱାନ୍‌ ଉପରେ ଉଗ୍ର ଆଚରଣକୁ ବିରୋଧ କରିବା ସହ ହଂକଂ, ସିଜିଆଙ୍ଗ୍‌ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ। ଏଥିସହ ଚୀନ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ସୀମାକୁ ନେଇ ଯେଉଁ ଧମକ ଦେଉଛି, ବିବାଦ ସୃଷ୍ଟି କରୁଛି ତାହାକୁ ମଧ୍ୟ ବାଇଡେନ ଉଲ୍ଲେଖ କରିଥିଲେ।

ଏହା ଚୀନ୍‌ ପ୍ରତି ଆମେରିକା ପ୍ରଶାସନର ମନୋଭାବକୁ ସ୍ପଷ୍ଟ କରିଥିବାର ଆଭାସ ମିଳେ। ଆମେରିକା ରାଷ୍ଟ୍ରପତି ବାଇଡେନ ଯେଉଁ ନୂତନ ନୀତି ଅବଲମ୍ବନ କରିଛନ୍ତି ସେଥିରେ ଷ୍ଟ୍ରାଟେଜିକ୍‌ ପ୍ରତିଯୋଗିତାରେ ଚୀନ୍‌ ବିପକ୍ଷରେ ସୃଷ୍ଟି କରିଛନ୍ତି ବିରାଟ ଆହ୍ବାନ। ଆମେରିକାର ଉଦ୍ଦେଶ୍ୟ ସାଧନରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ ତାହା ମଧ୍ୟ ବାଇଡେନ ଠିକ୍‌ ବୁଝିଛନ୍ତି। ଚୀନ୍‌ ଭାରତକୁ ଆମେରିକାଠାରୁ ଦୂରେଇ ରହିବାକୁ ପ୍ରକାରାନ୍ତରେ ଖସଡ଼ା ପ୍ରସ୍ତୁତ କରିବାରେ ସଚେତନ ହୋଇ ଉଠିଛି।

୨୦୨୧ ମାର୍ଚ୍ଚ ୧୨ରେ ‘କ୍ବାଡ’ ରାଷ୍ଟ୍ର ସମୂହର (ଆମେରିକା, ଭାରତ, ଜାପାନ, ଅଷ୍ଟ୍ରେଲିଆ) ନେତାମାନେ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ପ୍ରଥମ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ଅବାଧ ଓ ମୁକ୍ତ କରିବାକୁ ଚୀନ୍‌କୁ ଦୃଢ଼ ସନ୍ଦେଶ ଦେଇଛନ୍ତି। ଭାରତ ୨୦୨୧ ଫେବୃଆରୀ ୧୫ରେ ‘ବ୍ରିକ୍ସ’ର ଅଧ୍ୟକ୍ଷତା ଗ୍ରହଣ କରିଛି। ‘କ୍ବାଡ୍‌’ରେ ଭାରତ ଏହାର ସଦସ୍ୟ ରାଷ୍ଟ୍ରଙ୍କ ସହ ଯେଭଳି ବନ୍ଧୁତାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଛି, ‘ବ୍ରିକ୍ସ’ରେ ମଧ୍ୟ ସେଭଳି ଭୂମିକା ଗ୍ରହଣ କଲେ ଚୀନ୍‌କୁ ଉପଯୁକ୍ତ ସନ୍ଦେଶ ଦେଇ ପାରିବ।

ଚୀନ୍‌ ଏବେ ପରିବର୍ତ୍ତିତ ବିଶ୍ବ ଶୃଙ୍ଖଳରେ କେବଳ ଏକ କ୍ଷେତ୍ରୀୟ ମହାଶକ୍ତି ନୁହେଁ, ବିଶ୍ବ ଶକ୍ତିରେ ମଧ୍ୟ ପରିଣତ ହୋଇଛି। ଭାରତର ଆର୍ଥିକ ପ୍ରଗତି, ବିଶ୍ବଦରବାରରେ ମର୍ଯ୍ୟାଦା ବୃଦ୍ଧି, ଆମେରିକା ସହ ଘନିଷ୍ଠତା, ‘କ୍ବାଡ’ରାଷ୍ଟ୍ର ସମୂହରେ ଭାଗିଦାରିତା, ଚୀନ୍‌ ଉପରେ ଆର୍ଥିକ କଟକଣା ଜାରିଭଳି ପ୍ରସଙ୍ଗକୁ ନେଇ ଚୀନ୍‌ ଭାରତ ପ୍ରତି ଅସହ୍ୟ ହୋଇପଡ଼ିଛି। ଭାରତ ଉପରେ ମନସ୍ତାତ୍ତ୍ବିକ ଚାପ ପକାଇ ଚୀନ୍‌ ସମଗ୍ର ବିଶ୍ବକୁ ତା’ର ପରାକାଷ୍ଠା ପ୍ରଦର୍ଶନ କରିବାର ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ଚାଲ୍‌ ଚଳାଇବାରେ ଲାଗିଛି। ଗତବର୍ଷ ଜୁନ୍‌ରେ ଗଲୱାନ୍‌ରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା; ସେତେବେଳେ ଦୁଇ ଦେଶ ଏକ ବାସ୍ତବ ଯୁଦ୍ଧ ଆଡ଼କୁ ମୁହାଁଇବା ପରି ପ୍ରତୀୟମାନ ହେଉଥିଲା; କିନ୍ତୁ ଭାରତ ଏଭଳି ବିବାଦକୁ ଯେଉଁଭଳି ଧୈର୍ଯ୍ୟ, ସାହସ, ସାମରିକ, କୂଟନୈତିକ ଦୃଷ୍ଟିରୁ ମୁକାବିଲା କଲା ତାହା ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ସାଧନରେ ବାଧକ ସାଜିଲା। ଭାରତ ଏବେ ନିଜକୁ ଅଧିକ ସଶକ୍ତ କରିବା ସହ ଚୀନ୍‌ର କପଟତାକୁ ବିଶ୍ବ ସମ୍ମୁଖରେ ଖୋଲିଦେବା ବର୍ତ୍ତମାନ ସମୟର ଆହ୍ବାନ।

Comments are closed.