ଚୀନ ନୁହେଁ ଭାରତ କାଗଜର ଆବିଷ୍କାରକ

- ଅରୁଣ କୁମାର ପଣ୍ଡା

ସମସ୍ତେ ଜାଣନ୍ତି ଯେ ଚୀନର ହୋନାନ ରାଜ୍ୟର ଲେ-ୟଙ୍ଗ ଗ୍ରାମରେ ୧୦୨ ସାଲରେ କାଇଲୁନ୍‌ ନାମକ ଜଣେ ବ୍ୟକ୍ତି ପ୍ରଥମେ କାଗଜର ଆବିଷ୍କାର କରିଥିଲେ। ହୋନାନର ରାଜା ହୋତିଙ୍କୁ ତିନିବର୍ଷ ପରେ ଏହି ଆବିଷ୍କୃତ କାଗଜକୁ ୧୦୫ ସାଲ୍‌ରେ ଦେଖାଇବା ପରେ ସେ ଆନୁଷ୍ଠାନିକ ଭାବେ ଘୋଷଣା କଲେ ଯେ ଚୀନ ହିଁ କାଗଜର ସର୍ବପ୍ରଥମ ଆବିଷ୍କାରକ। ‘ସାଇନ୍‌ସ ଏଣ୍ଡ ସିଭିଲାଇଜେସନ ଇନ୍‌ ଚାଇନା’ର ଲେଖକ ଯୋଶେଫ୍‌ ନିଡହାମ୍‌ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ମାଛଧରିବା ପାଇଁ ବ୍ୟବହୃତ ଜାଲର ତନ୍ତୁରୁ ପ୍ରଥମେ କାଗଜ ପ୍ରସ୍ତୁତ କରାଯାଇଥିଲା। ଏହି କାଗଜ ସେତେ ଭଲ ହୋଇନଥିବାରୁ ଏହି କାଗଜରେ ଲେଖାଯାଇଥିବା ସାହିତ୍ୟ ମାତ୍ର ଅଳ୍ପ ବର୍ଷ ଭିତରେ ନଷ୍ଟ ହୋଇଗଲା। ଏହି ପୁସ୍ତକରୁ ଆହୁରି ଜଣାଯାଏ ଯେ କାଇଲୁନ୍‌ ଗୁପ୍ତଚର ସଂସ୍ଥାରେ କାମ କରୁଥିଲେ ଏବଂ ସେ କାଗଜର ଆବିଷ୍କାରକ ବୋଲି ଦାବି କରିଥିଲେ।

ପୁସ୍ତକ ପିକ୍ଟୋରିୟଲ ନଲେଜ, ଭୋଲ. xv. ପୃଷ୍ଠା ୮୫୬)ର ଲେଖକଙ୍କ ମତ ହେଲା କାଗଜର ଆବିଷ୍କାର ଚୀନରେ ହୋଇନଥିଲା। ଚୀନର ଲୋକେ ବଡ଼ବଡ଼ ଆବିଷ୍କାର ସମ୍ପର୍କରେ ଦାବି କରନ୍ତି, ପରନ୍ତୁ କାଗଜର ଆବିଷ୍କାର ଚୀନରେ ହୋଇନଥିଲା ଏହା ସ୍ପଷ୍ଟ। କେତେକ ଗବେଷଣାରୁ ଜଣାପଡ଼ିଛି ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ହିଁ କାଗଜର ଆବିଷ୍କାର ହୋଇସାରିଥିଲା। ଲଣ୍ଡନର ବ୍ରିଟିଶ ପେପର ମେକର୍ସ ଆସୋସିଏସନ୍‌, କାଲିନର୍ସ ଏନ୍‌ସାଇକ୍ଲୋପିଡିଆ ଓ ପୁସ୍ତକ ‘ପେପର’ ଲେଖକ ଏଚ.ଏ.ମେଣ୍ଡକ୍ସଙ୍କ ମତରେ କେବେ ଏବଂ କେଉଁଠି କାଗଜର ଆବିଷ୍କାର ହେଲା ସେ ସମ୍ପର୍କରେ କୌଣସି ଠିକ୍‌ ପ୍ରମାଣ ନାହିଁ।

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଲିଖିତ ‘ଯାଜ୍ଞବଳ୍‌କ ସ୍ମୃତି’ରେ ପ୍ରଥମ ଅଧ୍ୟାୟର ୩୧୯ ଶ୍ଳୋକରେ ‘ପଣ’ ଶବ୍ଦର ପ୍ରୟୋଗ କପାସ ତନ୍ତୁରେ ପ୍ରସ୍ତୁତ ଲେଖିବା ଯୋଗ୍ୟ ବସ୍ତୁ ପାଇଁ କରାଯାଇଥିଲା। ଏହି ‘ପଣ’ ଶବ୍ଦ କାଗଜର ସମାନାର୍ଥୀ ବୋଲି କୁହାଯାଏ। ଏଥିରୁ ଏହା ସ୍ପଷ୍ଟ ଯେ ଭାରତୀୟଙ୍କୁ କାଗଜ ପ୍ରସ୍ତୁତର କୌଶଳ ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀ ପୂର୍ବରୁ ଜଣାଥିଲା। ‘ମାଇଗ୍ରେସନ ଅଫ୍‌ ପେପର ଫ୍ରମ ଚାଇନା ଟୁ ଇଣ୍ଡିଆ’ର ଲେଖକ ପିକେ ଗୋ​‌େ​‌ଡ ଲେଖିଛନ୍ତି ଯେ ଜୈନଧର୍ମର ପୁସ୍ତକ। ‘ମନ ବିଜୟ ସମୀକ୍ଷା’ ଯାହା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ପାଖାପାଖି ଲେଖାଯାଇଥିଲା। ଭାଗ-୧, ପୃଷ୍ଠା-୧୬୭ରେ ‘କାଗଦ ଶବ୍ଦ ଦେଖିବାକୁ ମିଳେ। କାଗଦ୍‌ ହିଁ କାଗଜ। ଏହାର ଅର୍ଥ ହେଲା ସେ ସମୟରେ କାଗଜର ପ୍ରଚଳନ ଥିଲା।

ସାର ଏମ.ଏ. ଷ୍ଟେନ୍‌ ବ୍ରିଟିଶ ଭୂ-ବିଜ୍ଞାନୀ ଭାରତ, ପାକିସ୍ତାନ, ଇରାନ ଆଦି ଦେଶରେ ଭୂଗର୍ଭ ଖୋଦେଇ କରି କେତେକ ବସ୍ତୁ ପ୍ରାପ୍ତ କରିଥିଲେ, ଯେଉଁଥିରେ କାଗଜର ନମୁନା ମଧ୍ୟ ଥିଲା। ଏହି କାଗଜର ରାସାୟନିକ ପରୀକ୍ଷଣ ପରେ ଜଣାପଡ଼ିଲା ଯେ କପାସରୁ ହିଁ ଭାରତରେ କାଗଜ ପ୍ରସ୍ତୁତ ହେଉଥିଲା। ଅନୁସନ୍ଧାନକର୍ତ୍ତାଙ୍କ କହିବା ହେଲା- କପାସର ସର୍ବପ୍ରଥମ ପ୍ରୟୋଗ ଭାରତରେ ହିଁ ହୋଇଥିଲା ଏବଂ କାଗଜ ପ୍ରସ୍ତୁତିପାଇଁ କପାସର ଉପଯୋଗ ସନ ୭୦୦ରେ ଚୀନ କରିଥିଲା। ଏହା ପୂର୍ବରୁ ମାଛଧରା ଜାଲ ତନ୍ତୁରୁ ଚୀନ୍‌ କାଗଜ ପ୍ରସ୍ତୁତ କରୁଥିଲା। ଏଥିରୁ ସ୍ପଷ୍ଟ କୁହାଯାଇପାରେ ଯେ ଭାରତ ହିଁ କାଗଜର ପ୍ରଥମ ଆବିଷ୍କାରକ ଚୀନ ନୁହେଁ।

ଲଣ୍ଡନର ବ୍ରିଟିଶ ସଂଗ୍ରହାଳୟରେ ଦୁଇପ୍ରକାର କାଗଜର ଫଟୋ ନମୁନା ମଧ୍ୟରୁ ଗୋଟିକରେ ତକ୍ଷଶିଳା ଲିପି ଏବଂ ଅନ୍ୟଟିରେ ଚୀନି ଲିପିରେ ଲେଖା ଦେଖିବାକୁ ମିଳେ। କାଶ୍ମୀର ଏବଂ ଉତ୍ତରଭାରତରେ ତକ୍ଷଶିଳା ଲିପି ଖ୍ରୀଷ୍ଟପୂର୍ବ ୧ରୁ ଏକ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ ଚୀନର ଲିପି ପୂର୍ବରୁ ତକ୍ଷଶିଳା ଲିପି ପ୍ରଚଳିତ ଥିଲା।

ସାର ଷ୍ଟେନ୍‌ ଏହା ମଧ୍ୟ ଲେଖିଛନ୍ତି ଯେ ଖ୍ରୀଷ୍ଟପୂର୍ବ ପାଞ୍ଚରେ ଏହି ସ୍ବରୋଷ୍ଟ୍ରୀ ଲିପି (ସୌରାଷ୍ଟ୍ର ଅକ୍ଷର) ସୃଷ୍ଟି। ଷ୍ଟେନ୍‌ ଏହି ଲିପିର କେତେକ ନମୁନା ତୁର୍କିସ୍ତାନ ଓ ଚୀନରୁ (ପ୍ରଥମ ଶତାବ୍ଦୀ ସମୟରେ) ପ୍ରାପ୍ତ କରିଥିଲେ। ସେ ସମୟରେ ଚୀନ ଓ ତୁର୍କୀ ସ୍ତାନ‌େ‌ର ରାଷ୍ଟ୍ରୀୟ ଲିପିଥିଲା। ସେହି ସମୟରେ ଭାରତର ପଶ୍ଚିମୋତ୍ତର ପ୍ରଦେଶମାଙ୍କରେ ପ୍ରଚଳିତ ଥିବା ପୈଶାଚୀ ଭାଷାର ପ୍ରୟୋଗ ମଧ୍ୟ ଚୀନ ଓ ତୁର୍କୀ ସ୍ଥାନ​‌େ​‌ର ହେଉଥିଲା।

ଆଲେକଜାଣ୍ଡରଙ୍କ ପ୍ରତିବିଧି ନିଆର୍କସଙ୍କ ରଚିତ ‘ଇଣ୍ଡିକା’ ଗ୍ରନ୍ଥରୁ ଜଣାପଡ଼େ ଯେ ଭାରତରେ କାଗଜର ନର୍ମାଣ ଖ୍ରୀଷ୍ଟପୂର୍ବ ୩୨୫ ପୂର୍ବରୁ ହୋଇଥିଲା। ନିଆର୍କସ ଖ୍ରୀଷ୍ଟପୂର୍ବ ୩୨୭ରୁ ୩୨୨ ପର୍ଯ୍ୟନ୍ତ ପଞ୍ଜାବ ପ୍ରାନ୍ତରେ ରହୁଥିଲେ। ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ପଞ୍ଜାବର ଲୋକମାନେ ତୁଳାକୁ କୁଟିକୁଟି କାଗଜ ତିଆରି କରୁଥିଲେ। ମେଗାସ୍ଥନିସ୍‌, ସେଲ୍ୟୁକସ୍‌ ନିକେଟର ଯେଉଁମାନେ ଚନ୍ଦ୍ରଗୁପ୍ତ ​‌େ​‌ମୗର୍ଯ୍ୟଙ୍କ ରାଜତ୍ବ କାଳରେ (ଖ୍ରୀଷ୍ଟପୂର୍ବ ୩୦୬) ଭାରତରେ ରହିଥିଲେ, ଲେଖିଛନ୍ତି ଯେ ଏ ଦେଶର ଲୋକମାନେ ପଞ୍ଚାଙ୍ଗ (ପାଞ୍ଜି) ଏବଂ ଜନ୍ମପତ୍ରୀ (ଜାତକ) ତିଆରି ପାଇଁ ଏହି କାଗଜର ଉପଯୋଗ କରୁଥିଲେ। ପୁସ୍ତକ ଆଣ୍ଟିକ୍ୟୁଟିଜ ଅଫ୍‌ ଇଣ୍ଡିଆର ଲେଖକ ଏଲ.ପି.ବରନେଟ୍‌ ଉଲ୍ଲେଖ କରିଛନ୍ତି ଯେ କାଗଜ ନିର୍ମାଣର କଳା ଭାରତରୁ ତୁର୍କୀ ଏବଂ ଚୀନକୁ ଭାଷା ତଥା ଲିପି ସହିତ ଯାଇଥିଲା।

ଏହା ସର୍ବବିଦିତ ଯେ ଭାରତୀୟ ସଂସ୍କ୍ୃତି ଅତି ପ୍ରାଚୀନ ଏବଂ ପ୍ରାଚୀନ କାଳରେ ଶ୍ରୁତି ତଥା କଣ୍ଠସ୍ଥ ଜ୍ଞାନକୁ ଅଧିକ ମହତ୍ତ୍ବ ଦିଆଯାଉଥିଲା, ସେ ଦୃଷ୍ଟିରୁ ଲେଖନର ମହତ୍ତ୍ବ ନଗଣ୍ୟ ଥିଲା। ଯେତେବେଳେ ଲେଖନର ଆବଶ୍ୟକତା ଅନୁଭୂତ ହେଲା ତେବେ ଅଳ୍ପ ଶ୍ରମରେ ପ୍ରାପ୍ତ ତାଳପତ୍ର ଓ ଭୋଜପତ୍ରରେ ଲେଖିବା କାର୍ଯ୍ୟ କରାଗଲା। ପରନ୍ତୁ କାଗଜ ନିର୍ମାଣ ବିଧି ସେ ସମୟରେ ମଧ୍ୟ ଭାରତୀୟମାନେ ଜାଣିଥିଲେ। କପାସରୁ କାଗଜ ନିର୍ମାଣ ଶ୍ରମସାଧ୍ୟ ଥିଲା ଏବଂ ନିର୍ମିତ କାଗଜକୁ ଶକ୍ତ କରିବାପାଇଁ ତା’ ଉପରେ ଅଟାର ଲେପ ଦିଆଯାଉଥିଲା। ଯାହା ଧାର୍ମିକ କାର୍ଯ୍ୟ ପାଇଁ ଅଶୁଭ କୁହାଯାଉଥିଲା। ଏହି କାରଣରୁ ସେ ସମୟରେ ଦେଶରେ କାଗଜର ପ୍ରସାର ପ୍ରଚାର ଅଧିକ ହୋଇ ପାରିନଥିଲା।

ସମ୍ରାଟ ଅଶୋକଙ୍କ ସମୟରେ ଏବଂ ପରେ ଦେଶବିଦେଶରେ ବୌଦ୍ଧଧର୍ମର ପ୍ରଚାର ପାଇଁ ବୌଦ୍ଧ ପ୍ରଚାରକମାନେ କାଗଜର ପ୍ରୟୋଗ ଆରମ୍ଭ କଲେ। ଫଳରେ ବୌଦ୍ଧ ଭିକ୍ଷୁମାନଙ୍କ ଦ୍ବାରା କାଗଜ ପ୍ରସ୍ତୁତିର କଳା ଭାରତରୁ ବ୍ରହ୍ମଦେଶ, ଜାପାନ ଦେଇ ଚୀନରେ ପହଞ୍ଚିଲା ତଥା ଏହାର ବିସ୍ତାର ହେବାକୁ ଲାଗିଲା। ୭୮୦ ଖ୍ରୀଷ୍ଟାବ୍ଦରେ ଚୀନ ଆରବ ଉପରେ ଆକ୍ରମଣ କଲା ଏବଂ ଯୁଦ୍ଧରେ ଚୀନର ପରାଜୟ ହେଲା। ଚୀନର କିଛି ସୈନିକଙ୍କୁ ବନ୍ଦୀ କରାଗଲା ଏବଂ ଏହି ବନ୍ଦୀ ସୈନିକଙ୍କ ମଧ୍ୟରେ କାଗଜପ୍ରସ୍ତୁତି କଳା ଶିଖିଥିବା କିଛି ବ୍ୟକ୍ତି ଥିଲେ। ଆରବର ଲୋକେ ଏମାନଙ୍କ ମାଧ୍ୟମରେ ଏହି କଳା ଶିଖିଲେ। ସେତେବେଳର ଶାସକ ପଞ୍ଚମ ଖଲିଫା ହାରୁନ ଅଲ ରସିଦ ପ୍ରଥମେ ସମର କଳାରେ ଏକ ହସ୍ତ-କାଗଜ କାରଖାନା ତିଆରି କଲେ। କାରଣ ସେଠାରେ ସେ ଚୀନର କଏଦୀଙ୍କୁ କାଗଜ ତିଆରି କାମରେ ନିଯୁକ୍ତି ଦେଇଥିଲେ। ଅଷ୍ଟମ ଶତାବ୍ଦୀବେଳକୁ ଏହି କଳା ବାଗଦାଦ୍‌ରୁ ପୂର୍ବଦେଶମାନଙ୍କୁ ତଥା ଦାମାସ୍କସ ହୋଇ ମୋରୋକ୍କୋ ପର୍ଯ୍ୟନ୍ତ ପହଞ୍ଚଥିଲା।

ଦଶମ ଶତାବ୍ଦୀରେ ମୁସଲମାନ ଆକ୍ରମଣକାରୀମାନଙ୍କ ଦ୍ବାରା ଭାରତ ଆକ୍ରମଣ ହେଲା। ସେହି ସମୟରେ ଏହି କାଗଜ ତିଆରି ହସ୍ତକଳା ଭାରତ ଆକ୍ରମଣକାରୀଙ୍କ ଦ୍ବାରା ପୁନର୍ବାର ବା ଦ୍ବିତୀୟଥର ପାଇଁ ଆମ ଦେଶକୁ ଆସିଲା। ଦଶମ ଶତାବ୍ଦୀ ବେଳକୁ ଭାରତରେ ଶିକ୍ଷାପ୍ରସାର ଜୋର୍‌ରେ ଚାଲିଥାଏ, ତେଣୁ ବ୍ୟାପକ ଭାବରେ କାଗଜର ପ୍ରୟୋଗ ଆରମ୍ଭ ହୋଇ ସାରିଥିଲା। ୧୩୪୫ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତୁଗଲକ ପ୍ରଥମ ଥର ପାଇଁ ଭାରତରେ ହାତ ତିଆରି କାଗଜର ପ୍ରୟୋଗ ନୋଟ (ମୁଦ୍ରା) ତିଆରି ପାଇଁ ଉପଯୋଗ ଆରମ୍ଭ କଲେ।

ୟୁରୋପରେ ସର୍ବପ୍ରଥମେ କାଗଜର ନିର୍ମାଣ ୧୧୫୦ ମସିହାରେ ସ୍ପେନରେ ହୋଇଥିଲା। ପରେ କ୍ରମଶଃ ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ, ପୋଲାଣ୍ଡ, ଅଷ୍ଟ୍ରିୟା, ରୁଷିଆ, ଡେନମାର୍କ ତଥା ନରୱେରେ କାଗଜ ତିଆରି ଆରମ୍ଭ ହୋଇ ଧୀରେଧୀରେ ସମଗ୍ର ୟୁରୋପରେ ଏହି କଳା ପ୍ରସାରିତ ହେଲା।

ସ୍ପେନବାସୀ କାଗଜ ତିଆରି ଜ୍ଞାନକୁ ନିଜ ସହିତ ଉତ୍ତର ଆମେରିକା ନେଲେ ତଥା ମେକ୍ସିକୋ ସିଟି ନିକଟରେ କାଗଜ ଉଦ୍ୟୋଗ ସ୍ଥାପନ କରାଗଲା। ଯୁକ୍ତରାଷ୍ଟ୍ର ଆମେରିକାରେ ୧୬୯୦ ଖ୍ରୀଷ୍ଟାବ୍ଦରେ ପ୍ରଥମ କାଗଜ ଉଦ୍ୟୋଗ ପେନ୍‌ସିଲ ବେନିୟାରେ ସ୍ଥାପନ କରାଯାଇଥିଲା। କାନାଡ଼ାରେ ପ୍ରଥମ କାରଖାନା ୧୮୦୩ରେ ସେଣ୍ଟ୍‌ ଏଣ୍ଡ୍ରୁଜ, ନ୍ୟୁବିକ୍‌ରେ ପ୍ରତିଷ୍ଠା ହୋଇଥିଲା।

ଏହା ବିଶେଷ ପ୍ରଣିଧାନଯୋଗ୍ୟ ଯେ ବୌଦ୍ଧ ଭିକ୍ଷୁମାନଙ୍କ ଦ୍ବାରା କାଗଜ ତିଆରି କଳା ଭାରତ ବାହାରକୁ ଗଲା ଏବଂ ଦ୍ବିତୀୟଥର ମୁସଲମାନ ଆକ୍ରମଣକାରୀମାନେ ଏହାକୁ ଭାରତକୁ ଆଣିଲେ। ପରନ୍ତୁ ଏହା ନିଃସନ୍ଦେହ କୁହାଯିବ ଯେ ଭାରତ ହିଁ କାଗଜର ଆବିଷ୍କାରକ।

Comments are closed.