ଅନ୍ତିମ ବିଚାର ଓ ସମ୍ପର୍କ

- ବ୍ରଜ ମୋହନ ମିଶ୍ର

ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମବିଶ୍ୱାସର ଏକ ବଳିଷ୍ଠ ବିଭାବ ରୂପେ ମଣିଷର ମୃତ୍ୟୁ ପରେ ତାକୁ ଏକ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ ଅନିବାର୍ଯ୍ୟ ବୋଲି ଭାରି ଏକ ମରମୀ ସତ୍ୟର ଅବତାରଣା କରାଯାଇଛି। ସେହି ବିଚାର ସଂପର୍କରେ ପାଶ୍ଚାତ୍ୟ ଜଗତର ଅସାମାନ୍ୟ ଅଧ୍ୟାତ୍ମପୁରୁଷ ଟମାସ ଏ. କେମ୍ପିସ ତାଙ୍କର କାଳଜୟୀ ମହାନ୍‍ ପୁସ୍ତକ “ଦ ଇମିଟେସନ ଅଫ୍‌ କ୍ରାଏଷ୍ଟ”ରେ ଯେଉଁ ତାତ୍ତ୍ୱିକ ଅଥଚ ବାସ୍ତବ ବ୍ୟାଖ୍ୟାନ ରଖିଛନ୍ତି, ତାହା ଏହି ମନୋରମ ମର୍ତ୍ତ୍ୟରେ ବାସ କରୁଥିବା ଅମୃତର ସନ୍ତାନମାନଙ୍କ ସକାଶେ ଖୁବ୍‍ ଉପଯୋଗୀ ଯାହା ସେମାନେ ଦ୍ୱିଧାହୀନ ଭାବରେ ଆପଣେଇବା କଥା। ମହାପ୍ରାଣ ସାଧୁ କେମ୍ପିସଙ୍କ ବକ୍ତବ୍ୟର ସାରମର୍ମ ହେଲା ଯେ ଜଣେ ବ୍ୟକ୍ତି ସ୍ୱ ଜୀବଦ୍ଦଶାରେ କେତେ ବିପୁଳ ଅର୍ଥର ଅଧିକାରୀ ହୋଇଥିଲା, କେତେ ବଡ଼ ନଭଶ୍ଚୁମ୍ବୀ ପ୍ରାସାଦରେ ଜୀବନଯାପନ କରିଥିଲା, କେତେ ଉଚ୍ଚ ପଦାଧିକାରୀ ହୋଇ କ୍ଷମତା ସଂପନ୍ନ ହୋଇଥିଲା, କେତେ ସ୍ୱାଦିଷ୍ଟ ଭୋଜନ କରିଥିଲା ଅବା କେତେ ସୁନ୍ଦର ପରିଧାନରେ ନିଜକୁ ମଣ୍ଡିତ କରିଥିଲା- ଏ ସବୁ ତା’ର ସେହି ଅନ୍ତିମ ବିଚାରବେଳେ ସହାୟକ ହେବେ ନାହିଁ (ଏ ଦରବାରର ଆସନ ପଂରଦ / ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ୍ଦ-ରାଧାନାଥ)। କେବଳ ସହାୟକ ହେବ, ବ୍ୟକ୍ତି / ମଣିଷ ଯେଉଁ ଅବଧି ସଂସାରରେ ରହିଲା ସେ କିପରି ନିଜକୁ ପରିଚାଳିତ କଲା ଅର୍ଥାତ୍‍ ସେ କିପରି ‘ସଂପର୍କ’ରେ ବଞ୍ଚିଲା ଅବା ସମଗ୍ର ସହ ନିଜକୁ କେଉଁ ଭାବରେ ଯୋଡ଼ି ପାରିଲା। “ବଞ୍ଚିବା” ଯେପରି ଏକ ବାସ୍ତବତା (ବ୍ୟକ୍ତି ପକ୍ଷରେ), ସଂସାର ସହ ସେ ସଂପର୍କିତ ହେବା ମଧ୍ୟ ତା ପାଇଁ ଅନ୍ୟ ଏକ ଅଲଘଂନୀୟ ତଥା ଆଶୀର୍ବାଦାତ୍ମକ ବାସ୍ତବତା। କୌଣସି ପ୍ରକାରେ ଏହି ପରମ ନିଧାନଟିକୁ ବ୍ୟକ୍ତି ଅସ୍ୱୀକାର ଏବଂ ଅବଜ୍ଞା କରିପାରିବ ନାହିଁ। ଏହାର ଏକ ଅନୁଭୂତି ସତ୍ୟ ଯେ ବ୍ୟକ୍ତି ତା’ର ପ୍ରବେଶ ଠାରୁ ପ୍ରସ୍ଥାନ ଯାଏ ଏକ ଅନୁକ୍ଷଣ ଆଶୀର୍ବାଦରେ ବଞ୍ଚେ ଯାହାର ନାମ ସଂପର୍କ। ଏହାର ଅଲିଖିତ ତଥା ଆଧ୍ୟାତ୍ମିକ ସଂବିଧାନରେ ବ୍ୟକ୍ତିର ସାମଗ୍ରିକ ପୁଷ୍ଟି ଉଦ୍ଦିଷ୍ଟ। ଏହା ପୁଣି କେବଳ ମାନବ ସହ ମାନବ ଏବଂ ମାନବର ମାନବ ପାଇଁ ମଧ୍ୟରେ ସୀମାବଦ୍ଧ ନୁହଁ। ଯଥାର୍ଥ ବଞ୍ଚିବାର ଆଧାର ଶିଳା ହେଲା ବ୍ୟକ୍ତି ଯେଉଁ ସମ୍ପର୍କ ହେତୁ ବିକଶିତ ତେଣୁ ବିବର୍ତ୍ତିତ ହେଉଛି ତାକୁ ସେ ଅବମାନନା ନ କରିବା କଥା। ଅନ୍ୟ କଥାରେ କହିଲେ, ବ୍ୟକ୍ତି ସେହି ପରମ ଆଶ୍ରୟକୁ କୃତଜ୍ଞତା ସହକାରେ ନିଜ ସହ ଗଅଣ୍ଠେଇ, ଫଳରେ ତା’ର ଏକ ଆଧାର ପାଲଟି, ତାହା ଯେ କେତେ ଅପରିହାର୍ଯ୍ୟ, ତାର ମୂର୍ତ୍ତିଟିଏ ପାଲଟିଯିବା କଥା।

ହେଲେ ଏଇ ଜୀବନଧର୍ମୀ ଦୃଷ୍ଟିକୋଣ ବହୁ ବ୍ୟକ୍ତିଙ୍କ ଠାରେ ପରିଲକ୍ଷିତ ହୁଏ ନାହିଁ। ଫଳରେ ସମଷ୍ଟି ଖୁବ୍‍ ବିଡ଼ମ୍ବିତ ହୁଏ। ଏହି ମୂଢ଼ଚେତାମାନେ ପ୍ରତିଦିନ ଭିନ୍ନ ଭିନ୍ନ କର୍ମରେ ଲିପ୍ତ ରହିଲେ ବି ସେଥିରେ କେବଳ ନିଶ୍ଚେତନାରେ ଥାଆନ୍ତି। ତେଣୁ ସେମାନେ ଯେତେ ଯାହା କଲେ ବି ତାହା ଏକ ପ୍ରକାର ଯାନ୍ତ୍ରିକତାରେ ପରିଣତ ହୋଇଥାଏ। ଏଇ ହତଭାଗ୍ୟ ଭ୍ରଷ୍ଟାଚାରୀମାନେ କେବେ ବି ମନେ ପକାନ୍ତି ନାହିଁ ( କୃତଜ୍ଞତା ଜ୍ଞାପନ କରିବା ତ ଦୂରର କଥା) ସେମାନଙ୍କ ପାଦକୁ ଶକ୍ତ କରୁଥିବା ଧରିତ୍ରୀମାତାଙ୍କୁ, ସେମାନଙ୍କ ଆଖିକୁ କେତେ ଆନନ୍ଦମୟ ଦୃଶ୍ୟ ଦାନ କରୁଥିବା ସୂର୍ଯ୍ୟଦେବତାଙ୍କୁ, ସେମାନଙ୍କ ଭିତରେ ଅକାତର ଏବଂ ଅନାୟାସରେ ନିଜକୁ ପ୍ରତିନିୟତ ବନ୍ଦୀ କରୁଥିବା ମହାଭାଗ ପବନଙ୍କୁ, ସେମାନଙ୍କୁ ସଚଳ କରିବାକୁ ନିର୍ବାକ୍‍ ଏବଂ ପ୍ରତିବାଦହୀନ ସ୍ୱେଚ୍ଛାସେବୀ ପରିବେଶକୁ ଏବଂ ସର୍ବୋପରି ସେମାନଙ୍କ ପରି ( ଅବିକଳ ସେମାନଙ୍କ ପରି) ସ୍ୱପ୍ନ, ଆଶା, ଭରସା, ଅଭୀପ୍ସା ଭର୍ତ୍ତିରେ ସେମାନଙ୍କ ଚାରିପଟର ଅସୁମାରି ମଣିଷ ଇତ୍ୟାଦିଙ୍କୁ ଯେଉଁମାନଙ୍କ ସ୍ଥିତି ଯୋଗୁଁ ସେମାନଙ୍କ ଅବସ୍ଥିତି, ଗତି ଓ ପ୍ରଗତି ସମ୍ଭବ। ଏହି ଦିବ୍ୟ ଯୋଟକ ଅବା ଯୋଡ଼ାଯୋଡ଼ିର ଅନ୍ୟନାମ ତ ସଂପର୍କ। ତେଣୁ ସେମାନେ ଏହାର ସ୍ଥିତିକୁ କଦାଚ ବିପନ୍ନ କରିବା ଉଚିତ ନୁହଁ। ଏଥିପାଇଁ ସେମାନେ ବେପରୱା ବା ଖିଆଲୀ ହେବା ପରିବର୍ତ୍ତେ “ବିବେକୀ” ହେବା ସର୍ବାଦୌ ଆବଶ୍ୟକ। ବିବେକୀ ହେଲେ ବ୍ୟକ୍ତିମାନେ ଦାୟିତ୍ୱବାନ୍‍ ହୋଇ ଆପଣା ଭୂମିକାଟିର ଅମର୍ଯ୍ୟାଦା କରନ୍ତି ନାହିଁ ଫଳରେ ସେମାନଙ୍କ ଅନ୍ତଃସୌନ୍ଦର୍ଯ୍ୟ ଜାଗ୍ରତ ହୁଏ ଯାହାଫଳରେ ସେମାନେ ବିଚ୍ଛିନ୍ନତା ଏବଂ ବିଭେଦରୂପୀ ବିଭ୍ରାନ୍ତି ଓ ବିକୃତିର ଶିକାର ହୁଅନ୍ତି ନାହିଁ। ଏହି ତତ୍ତ୍ୱକୁ ଖୁବ୍‍ ପ୍ରତୀକାତ୍ମକଭାବରେ ଏକ ମନ୍ତ୍ରରେ ସୂଚେଇ ଦିଆ ଯାଇଛି।

ଅନ୍ତଃ ସୌନ୍ଦର୍ଯ୍ୟର ବିକାଶ ସକାଶେ ବ୍ୟକ୍ତିମାନେ ସେମାନଙ୍କ ଅନ୍ତରରୁ ଛଅଟି ଅଜ୍ଞାନ ଅବା ଅପଶକ୍ତିକୁ ବିନାଶ କରିବାକୁ ସ୍ପଷ୍ଟ ଏବଂ ଯଥାଯଥ ନି​‌େ​‌ର୍ଦଶ ଦିଆ ଯାଇଛି। ଏହି ଗୁଡ଼ିକୁ ପଶୁପକ୍ଷୀଙ୍କ ଚଳଣି ବା ସ୍ୱଭାବଭାବେ ଚିହ୍ନିତ କରାଯାଇଛି। “ ଉଲୂକ ଯାତୁଂ ଶୁଶୁଲୂକ ଯାତୁଂ / ଜହିଶ୍ୱ ଯାତୁ ମୁତକୋକ ଯାତୁମ୍‍ / ସୁପର୍ଣ୍ଣ ଯାତୁ ମୁତ ଗୃଧ୍ରଯାତୁଂ / ଦୃଷଦେବ ପ୍ରମୃଣରକ୍ଷ ଇନ୍ଦ୍ର।” (ଋଗ୍‍ବେଦ, ମଣ୍ଡଳ-୭ / ସୂକ୍ତ-୧୦୪, ମନ୍ତ୍ର-୨୨) ଅର୍ଥାତ୍‍ ହେ ମଣିଷ ! (ଭଲୂକ ଯାତୁଂ) ପେଚାର ସ୍ୱଭାବ / ଚଳଣି, (ଶୁଶୁଲୂକ ଯାତୁ) ମେଣ୍ଢାର ସ୍ୱଭାବ / ଚଳଣି, ( ଶ୍ୱ ଯାତୁଂ) କୁକୁରର ଚଳଣି / ସ୍ୱଭାବ, (କୋକଯାତୁଂ) ହଂସର ସ୍ୱଭାବ / ଚଳଣି, ( ସୂପର୍ଣ୍ଣ ଯାତମ୍‍) ଗରୁଡ଼ର ସ୍ୱଭାବ / ଚଳଣି, (ଗୃଧ୍ରଂ ଯାତୁଂ) ଶାଗୁଣାର ସ୍ୱାଭାବ / ଚଳଣି ( ଜହି) ତ୍ୟାଗ କର। ( ରକ୍ଷଃ) ଏହି ଘାତକମାନଙ୍କୁ (ଦୃଷଦା ଇବ) ପଥରର ପ୍ରହାର ସମାନ (ପ୍ରମୃଣ) ନଷ୍ଟକର। ଏଇ ଛଅଟି ଭିତରର ଶତ୍ରୁ ( କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ)। ପେଚା ଅନ୍ଧାରକୁ ଭଲ ପାଉଥିବା ହେତୁ ଆଲୋକକୁ ସହି ପାରେ ନାହିଁ। ତେଣୁ ସେ ମୋହଗ୍ରସ୍ତ। ସେହିପରି ମୋହବଶ ହେଲେ ବ୍ୟକ୍ତି ଠାରୁ ଜ୍ଞାନାଲୋକ ଦୂରେଇ ଯାଏ ଅବା ମୋହବଶ ବ୍ୟକ୍ତି ଜ୍ଞାନକୁ ହତାଦର କରେ। ମୋହ ଅନ୍ୟ ସବୁ ପାପର ହେତୁ; ଏହା ଯୋଗୁଁ ଅପ୍ରିୟ ବସ୍ତୁ ପ୍ରତି ବ୍ୟକ୍ତିର ଦ୍ୱେଷ ଜାତ ହୁଏ। ଫଳରେ କ୍ରୋଧ ସୃଷ୍ଟି ହୁଏ। ମେଣ୍ଢା ହେଉଛି କ୍ରୋଧର ପ୍ରତୀକ। ଶ୍ୱାନର ସ୍ୱଭାବ ଈର୍ଷା ( ଏହି ଭାବନା ମାନବ ଦେହରେ ଦ୍ୱେଷ ହୋଇ ରହିଛି )। ହଂସ, କାମର ପ୍ରତୀକ – କାମବାସନା ମଣିଷକୁ ଅନ୍ଧ ଓ ବଧିର କରିଦିଏ। କାମାସକ୍ତ ବ୍ୟକ୍ତି ହିତାହିତ ଭୁଲି ସମାଜରେ ଅଭଦ୍ର ଆଚରଣ କରେ ( କାମାର୍ତ୍ତାହି ପ୍ରକୃତିକୃପଣା ଶ୍ଚେତନଚେତନେଷୁ – କାଳିଦାସ)। ଗରୁଡ଼ ପକ୍ଷୀ ମଦମତ୍ତତାର ପ୍ରତୀକ। ମନୁଷ୍ୟ ଧନସଂପତ୍ତି, ପ୍ରଭୁତ୍ୱ ( କ୍ଷମତା), ଅବା ସୌନ୍ଦର୍ଯ୍ୟର ଅଭିମାନରେ ଗର୍ବ କରେ। ଶାଗୁଣା ଲୋଭର ପ୍ରତୀକ – ଲୋଭୀ ମଣିଷ ଶାଗୁଣା ପରି ଲୋଭ ଯୋଗୁଁ ଦୁର୍ଦଶାଗ୍ରସ୍ତ ହୁଏ; ଦୁଷ୍ଟକୁ ତଳେ ପକାଇ ପଥର ମଡ଼ାଇ ଦେଲେ ସେ ଉଠିପାରେ ନାହିଁ। ସେହିପରି ଏଇ ଛଅ ଶତ୍ରୁଙ୍କୁ ଯମନିୟମାଦି ଆଚରଣ ରୂପକ ପଥର ପ୍ରହାର କରି ନଷ୍ଟ କରିବାକୁ ନି​‌େ​‌ର୍ଦଶ ଦିଆଯାଇଛି (ପ୍ରିୟବ୍ରତ ଦାସ)।

ଏହି ଅପଶକ୍ତିମାନେ ହିଁ ବ୍ୟକ୍ତିମାନଙ୍କୁ ଶକ୍ତିହୀନ କରନ୍ତି। ଫଳରେ ସେମାନଙ୍କର ଅନ୍ତଃସୌନ୍ଦର୍ଯ୍ୟ ନଷ୍ଟ ହୁଏ। ସେହି ଅନ୍ତଃସୌନ୍ଦର୍ଯ୍ୟର ଅନ୍ୟନାମ ବିବକେ ଯାହା ସତ୍‍ / ଅସତ୍‍, ନିତ୍ୟ / ଅନିତ୍ୟର ବିଚାର ପୂର୍ବକ ଯଥାର୍ଥ ସଂପର୍କ ପ୍ରତିଷ୍ଠାର ଉତ୍‍ପ୍ରେରକ ହୋଇଥାଏ। ବ୍ୟକ୍ତିଗଣ ବିବେକାନୁବର୍ତ୍ତୀ ହେଲେ ଅକୃତଜ୍ଞ, ଅନୁଦାର ତେଣୁ ଆତ୍ମାର ହୋଇପାରିବେ ନାହିଁ। ଏପରି ହେବାର ଅର୍ଥ ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଅବଦାନକୁ ଅସ୍ୱୀକାର ନକରିବା। ପରନ୍ତୁ ବିନୀତ ହେବାର ସାତ୍ତ୍ୱିକ ଊର୍ଜଃରେ ନିର୍ମଳ ଅଭିବ୍ୟକ୍ତିଟିଏ ହୋଇ ସବୁଆଡ଼କୁ ଓ ସମଗ୍ର ପ୍ରତି ପ୍ରସାରିତ ହୋଇଯିବା; କେଉଁଠି ସାମାନ୍ୟ ହା ହା କାରରେ ବି ଅସାମାନ୍ୟ, ଅପରିସୀମ ଅଶ୍ରୁଧାର ହୋଇ ବହିଯିବା; ଯେଡ଼େ ପତିତ ହେଲେ ବି ତା’ର ହାତ ଧରି, ତା ଅଭାବକୁ ଆପଣା ଭାବରେ ଭସାଇଦେବା; ଯାହା ଯେତେ ଅସୁନ୍ଦର, ଅଶୋଭନୀୟ ହେଲେ ବି ତଥାପି ତାହା ଠାରେ ସୁନ୍ଦର ଓ ଶୁଭର ଶୁଭ୍ର ସମ୍ଭାବନା ଯେ ନିହିତ ଏଇ ଅଭ୍ରାନ୍ତ ଆଧ୍ୟାତ୍ମିକତାରେ ଅଭିନିବିଷ୍ଟ ହେବା ତ ସଂପର୍କର ସୀମାହୀନ, ଶ୍ୟାମଳ ଶାଳୀନତା। କେଡ଼େ ଶକ୍ତ ଅଥଚ କେତେ ସମାହିତ ! କେଡେ ଉଦ୍ଭଷ୍ଠ ଅଥଚ କେତେ ଉଦାର; କେତେ ସଂକ୍ରାମକ ଅଥଚ କେତେ ସମାହିତ ! ସେଇଥି ଯୋଗୁଁ ଏହା ମଣିଷର ସାର୍ଥକ ସଂପତ୍ତି ଓ ଅବ୍ୟର୍ଥ ସଂସ୍କୃତି, ଯାହା ସେ କୌଣସି ପରିସ୍ଥିତିରେ ବି ହରେଇବା ଉଚିତ ନୁହଁ। ସଂପର୍କ ସମୃଦ୍ଧ ମଣିଷ ହିଁ କବି ରମାକାନ୍ତଙ୍କ ହ୍ଳାଦୈକମୟୀ ଶ୍ରୀରାଧା ଯେ ‘ପାଇବା’ ଓ ‘ଖାଇବା’ ତେଣୁ ‘ପଡ଼ିବାର’ ଅନ୍ଧତମିସ୍ରାରେ ନିରନ୍ତର ନିର୍ଦ୍ଧନ ନହୋଇ, ‘ଉଠିବା’ ଓ ‘ଉଠେଇବାର’ ଉପନିଷଦୀୟ ଉତ୍‍କ୍ରାନ୍ତି ପାଲଟି ଥାଏ। ଅନ୍ତିମ ବିଚାର ବେଳେ ତା’ର ଏଇ ଅକଳନୀୟ, ଅନୁପମ ସଂପତ୍ତି ଶକ୍ତିରେ ସେ ମହାମାନ୍ୟ ବିଚାରକଙ୍କ ସାମ୍‍ନାରେ ନିର୍ଭୀକ ଅଥଚ ନିର୍ଦ୍ବନ୍ଦ୍ବରୂପେ ଝଟକୁଥାଏ ଅଲୌକିକ ଅବିଚଳିତତାରେ। ପୁଣି ଏହି ମହାପ୍ରାଣର ବିଚାରର ରାୟ ଶୁଣାଇ ସେଇ ଦିବ୍ୟଦ୍ରଷ୍ଟା ବିଚାରପତି ସଶ୍ରଦ୍ଧ ଉଚ୍ଚାରଣ କରନ୍ତି- ନିର୍ବାଣ, ନିର୍ବାଣ, ନିର୍ବାଣ ଅର୍ଥାତ୍‍ ତୁମେ ନିର୍ବାପିତ, ତୁମେ ନିର୍ବାପିତ, ତୁମେ ନିର୍ବାପିତ।

Comments are closed.