ନଦୀ ସହ ଅସଦାଚରଣ

- ଈପ୍ସିତା ମହାନ୍ତି

ସାଧାରଣତଃ ଗ୍ରୀଷ୍ମ ଋତୁରେ ଦେଶର ଭିନ୍ନଭିନ୍ନ ସ୍ଥାନରୁ ଖବର ଆସିଥାଏ ଯେ ଛୋଟ ନଦୀଗୁଡ଼ିକ ଶୁଖିଯାଇଛି ଏବଂ କିଛି ବଡ଼ନଦୀରେ ଜଳର ପରିମାଣ ହ୍ରାସ ପାଇ ଚାଲିଛି। ମାତ୍ର ଦକ୍ଷିଣ-ପୂର୍ବ ରାଜସ୍ଥାନର କୋଟା ଜିଲାର ସାଙ୍ଗୋଦ ଅଞ୍ଚଳରେ ପ୍ରବାହିତ ଉଜାଡନଦୀ ଗତ ୨୦୨୦ର ନଭେମ୍ବର (କାର୍ତ୍ତିକ ମାସ)ରେ ହିଁ ଶୁଖି ଯାଇଥିଲା। ଉଜାଡ ହେଉଛି ଚମ୍ବଲର ଏକ ଉପନଦୀ, ଯିଏ ନିଜ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଅନେକ ଗ୍ରାମ ପାଇଁ ଜୀବନରେଖା ସାଜି ଆସୁଥିଲା। ସାଧାରଣତଃ ଉଜାଡନଦୀରେ ଦିନେ ଏତେ ପରିମାଣର ଜଳ ଥିଲା ଯେ ଏହା ସହ ସଂଯୁକ୍ତ ଗ୍ରାମଗୁଡିକୁ ଗମନାଗମନର ସୁନିଶ୍ଚିତ ପାଇଁ ତା’ ଉପରେ ୫୦ ମିଟର ଲମ୍ବର ଏକ ସେତୁ ନିର୍ମାଣ ହୋଇଥିଲା। ନିଜ ଜଳ ଦ୍ବାରା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ପାଇଁ ବରଦାନ ସାଜି ଆସିଥିବା ଏହି ନଦୀଟି ବର୍ତ୍ତମାନ ସମାଜର ଅସମ୍ବେଦନଶୀଳତା ହେତୁ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଡହଳବିକଳ ହେଉଥିବା ପ୍ରତୀୟମାନ ହେଉଛି । ବାସ୍ତବରେ, ଏଭଳି ସମସ୍ୟା ଭୋଗୁଥିବା ଉଜାଡନଦୀ ଆମ ଦେଶର ଏକମାତ୍ର ନଦୀ ନୁହେଁ। ଦେଶରେ ଏହିଭଳି ଶହଶହ ସଂଖ୍ୟାରେ ଉପନଦୀ, ଶାଖାନଦୀ ରହିଛନ୍ତି, ଯେଉଁମାନେ ଅକାଳରେ ନିଜନିଜ ସତ୍ତା ହରାଇ ଜୀବଜଗତ ପାଇଁ ଜଳ ସଙ୍କଟର ବିପଦ ସୃଷ୍ଟି କରିଛନ୍ତି। ଅଥଚ ଆମେ ଏଯାଏ ଏହି ବିପଦକୁ ଗମ୍ଭୀରତାର ସହ ନେଇନାହୁଁ।

ଦେବୀ ବିବେଚିତ ଗଙ୍ଗାନଦୀ ବର୍ତ୍ତମାନ ପ୍ରଦୂଷଣ ନାମକ ଦାନବ ବିରୋଧରେ ଲଢେଇ କରୁଛି। ସେହିଭଳି ବିଗତ ଦିନରେ ପ୍ରଦୂଷିତ ଯମୁନା ନଦୀର ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ଦେଖିବାକୁ ମିଳିଥିଲା। ସର୍ବଦା ସଲିଳା କୁହାଯାଉଥିବା, ଚିରସ୍ରୋତା ଚମ୍ବଲନଦୀର ଜଳ ବିଭିନ୍ନ ସ୍ଥାନରେ ପାନୀୟ ଉପଯୋଗୀ ନ ଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି। ଦକ୍ଷିଣରେ କାବେରୀ ନଦୀର ୪୦ ପ୍ରତିଶତ ଜଳ ହ୍ରାସ ପାଇଥିବାବେଳେ, କୃଷ୍ଣା ଏବଂ ଗୋଦାବରୀ ନଦୀର ଜଳ ପୂର୍ବ ଦୁଇ ଦଶନ୍ଧି ତୁଳନାରେ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥିବା ଜଣାପଡ଼ିଛି। ଓଡିଆଙ୍କ ଜୀବନରେଖା ମହାନଦୀ ବି ଆଜି ବିପର୍ଯ୍ୟସ୍ତ। ଅଧିକାଂଶ ସ୍ଥାନରେ ଏହାର ଶଯ୍ୟା ବର୍ଷା ଦିନେ ବି ଶୁଷ୍କ ରହୁଛି। ଯାହାକୁ ନେଇ କେବଳ ନଦୀକୂଳିଆ ଅଞ୍ଚଳର ଲୋକେ ନୁହନ୍ତି ବରଂ ପରିବେଶବିତ୍‌ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଦେଶର ଗୁରୁତ୍ୱପୂର୍ଣ୍ଣ ନଦୀଗୁଡ଼ିକର ଅବସ୍ଥା ଏଭଳି ହୋଇଥିବାବେଳେ ଛୋଟଛୋଟ ନଦୀ ଏବଂ ବର୍ଷାକାଳୀନ ନଦୀମାନଙ୍କର ଅବସ୍ଥା କିଭଳି ଥିବ ତାହା ସହଜରେ ଆକଳନ କରାଯାଇପାରେ ।

ଏହି ପରିସ୍ଥିତି ଚିନ୍ତାଜନକ, କାରଣ ଆମ ପାଇଁ ଯେତିକି ପରିମାଣର ଜଳ ଆବଶ୍ୟକ ହୋଇଥାଏ ତାହାର ୬୫ପ୍ରତିଶତରୁ ଅଧିକ ନଦୀଗୁଡିକ ଦ୍ବାରା ହିଁ ପୂରଣ ହୋଇଥାଏ। କେବଳ ପାନୀୟ କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଜଳସେଚନ ପାଇଁ ଜଳ ଆବଶ୍ୟକ ହୁଏ ନାହିଁ, ବରଂ ଶିଳ୍ପ ଉତ୍ପାଦନରେ କଞ୍ଚାମାଲର ବିଶୋଧନ ସହିତ ଅନେକ କାର୍ଯ୍ୟ ପାଇଁ ଜଳ ଆବଶ୍ୟକ ହୋଇଥାଏ। ଏହି କାରଣରୁ ନଦୀରୂପରେ ଯେଉଁ ଦେଶଗୁଡିକୁ ପ୍ରକୃତିର ବରଦାନ ମିଳିଛି, ସେମାନେ ଅନ୍ତତଃ ନଦୀର ଅସ୍ତିତ୍ୱ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ; କିନ୍ତୁ ଦୁର୍ଭାଗ୍ୟବଶତଃ ବିକାଶ ରୂପକ ବିପର୍ଯ୍ୟୟ ହିଁ ଆଜି ନଦୀ ପ୍ରତି ଥିବା ଆମ ସମ୍ବେଦନଶୀଳତାକୁ ଅପହରଣ କରିନେଇଛି। ନଦୀଗୁଡିକୁ ସଂରକ୍ଷଣ କରିବା ପରିବର୍ତ୍ତେ, ଆମେ ସେମାନଙ୍କ ପ୍ରବାହିତ ଅଞ୍ଚଳରେ ବସତି ସ୍ଥାପନ କରିବା ଆରମ୍ଭ କରିଦେଲୁ। ପ୍ରବାହିତ ନଦୀ ଉପରେ ବନ୍ଧ ନିର୍ମାଣ କରିବା ଆମ ପାଇଁ ଯଦିଚ ଏକ ଆବଶ୍ୟକତା ଥିଲା, କିନ୍ତୁ ନଦୀକୂଳକୁ ଅତିକ୍ରମଣ କରି, ନଦୀ ମଧ୍ୟକୁ ଅବାଧରେ ଅଳିଆ ଆବର୍ଜନା ପ୍ରବାହିତ କରାଇବା ଉଚିତ ହେଉନାହିଁ। ଗୋଟିଏ ପଟେ ଆମେ ନଦୀମାନଙ୍କୁ ଦେବୀ ଭାବରେ ପୂଜା କରୁଛୁ, ଅଥଚ ଅନ୍ୟପଟେ ସେମାନଙ୍କ ଶୁଦ୍ଧତା ସହ ଖେଳ ଖେଳି ଚାଲିଛୁ।

ନଦୀ ସହ ଏପରି ଅସଦାଚରଣ କେବଳ ଭାରତରେ ହିଁ ଘଟୁନାହିଁ; ଦୁନିଆର ଅନେକ ବିକାଶଶୀଳ ଦେଶରେ ମଧ୍ୟ ଦେଖାଯାଉଛି। ମିଥିଳାକୁ ନଦୀମାନଙ୍କର ମାତୁଳାଳୟ ବୋଲି କୁହାଯାଇଥାଏ। ହେଲେ ନିଜ ମାଆଙ୍କ ଘରେ ଏହି ନଦୀଗୁଡ଼ିକ ଦୁର୍ଦଶାରେ ପ୍ରବାହିତ ହେବା ଘଟଣାଠାରୁ ଅଧିକ ବିଡମ୍ବନାର ବିଷୟ ଆଉ କିଛି ହୋଇପାରେନା। ବିହାରର ଗଣ୍ଡକ, ଲଖନଦେଇ, ଟିମଦା, ଝଝା, ସିୟାରି, କଦାନେ, ବାୟା, ଡଣ୍ଡା, ମନୁଷମାରା ପରି ନଦୀଗୁଡ଼ିକ ନିଜର ଅସ୍ତିତ୍ବ ହରାଇସାରିଛନ୍ତି ଅବା ଅସ୍ତିତ୍ବ ହରାଇବାକୁ ଯାଉଛନ୍ତି। ଇତିହାସର ମୂକସାକ୍ଷୀ ସାଜି ଆସିଥିବା ଆମ ରାଜ୍ୟର ଧଉଳି ପାହାଡ଼ ତଳେ ପ୍ରବାହିତ ଦୟା ନଦୀ ଆଜି ନିଜ ଅସ୍ତିତ୍ବ ସହ ସଂଘର୍ଷ କରୁଛି। ସେହିପରି ଭୁବନେଶ୍ବର ଉପକଣ୍ଠରେ ପ୍ରବାହିତ ଗଙ୍ଗୁଆ ନଦୀ ଓ କେନ୍ଦ୍ରାପଡା ସହର ଦେଇ ପ୍ରବାହିତ ଗୋବରୀ ନଦୀ ଆଜି ସହରର ଆବର୍ଜନା ନିଷ୍କାସନର ପ୍ରମୁଖ ମାଧ୍ୟମ ସାଜିଛନ୍ତି। କେବଳ ଏହି ନଦୀଗୁଡ଼ିକ ହିଁ ନୁହନ୍ତି; ମହାନଦୀ, ବିରୂପା, ବ୍ରାହ୍ମଣୀ, ଋଷିକୁଲ୍ୟା ଭଳି ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଆଜି ବିଭିନ୍ନ କାରଣରୁ ବହୁମାତ୍ରାରେ ପ୍ରଦୂଷିତ ହୋଇ ଚାଲିଛନ୍ତି। ଏସବୁ ନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବେ କମିବାରେ ଲାଗିଛି। କେତେକ ସ୍ଥାନରେ ଏସବୁ ନଦୀ ଏକ ନାଳର ଭ୍ରମ ସୃଷ୍ଟି କରୁଛି। ପୁଣି ଆଉ କେତେକ ସ୍ଥାନରେ ଏସବୁ ନଦୀଶଯ୍ୟା ଚାରଣଭୂମି ଓ ପିଲାଙ୍କ ଖେଳ ପଡିଆ ସାଜିଛି। ଗତ ଗ୍ରୀଷ୍ମକାଳରେ ଝାଡ଼ଖଣ୍ଡର ୧୩୩ଟି ନଦୀ ଶୁଖିଯିବାର ଖବର ଆସିଥିଲା। ପାଲାମୁ ଜିଲାରେ କୋୟଲ, ସଦାବହ ଏବଂ ଅମାନତ ନଦୀ ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି। ଗୁମଲା ଜିଲାର ନଦୀ ପ୍ରବାହ ଅଞ୍ଚଳରେ ସ୍ଥାନୀୟ ପିଲା କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳୁଛି।

ନଦୀର ମହତ୍ତ୍ବକୁ ରାଜସ୍ଥାନର ମରୁଭୂମି ଅଞ୍ଚଳ ଅପେକ୍ଷା ଅନ୍ୟ କେଉଁଠାରେ ଅଧିକ ଭଲ ଭାବେ ବୁଝିହେବ ନାହିଁ। ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ ଦିନେ ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିଲା ବୋଲି କୁହାଯାଇଛି। ଏକ ଅନୁସନ୍ଧାନର ତଥ୍ୟ ଅନୁଯାୟୀ ପ୍ରାୟ ଦେଢଶହ ବର୍ଷ ପୂର୍ବେ ରାଜସ୍ଥାନର ବିକାନେର ସହର ନିକଟସ୍ଥ ନାଲ ଗାଁ’ ଦେଇ ଏକ ନଦୀ ପ୍ରବାହିତ ହେଉଥିଲା, କିନ୍ତୁ ଉକ୍ତ ନଦୀଟି ଏହି ଅଞ୍ଚଳରୁ ଧୀରେଧୀରେ ଅଦୃଶ୍ୟ ହୋଇଗଲା। ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅଫ୍ ହ୍ୟୁମାନ ହିଷ୍ଟ୍ରି, ତାମିଲନାଡୁର ଆନ୍ନା ୟୁନିଭରସିଟି ଏବଂ କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଜେର୍) ଭଳି ଅନୁଷ୍ଠାନ ସହ ଜଡିତ ବିଶେଷଜ୍ଞଗଣ ଏହି ଅନୁସନ୍ଧାନ କରିଥିଲେ। ସେହିଭଳି ରାଜସ୍ଥାନର ସିକର ଜିଲାର ସାଇବର ପାହାଡରୁ ଉତ୍ପତ୍ତି ଲାଭ କରିଥିବା ସାହବୀ ନଦୀର ଶତାଧିକ ଉପନଦୀ ରହିଥିଲା। ଏହା ଉପରେ ନିର୍ମିତ ମାସନି ନାମକ ନଦୀବନ୍ଧକୁ ଦେଖି ଏହାର ସ୍ରୋତ ଓ ଜଳର ପରିମାଣ କିଭଳି ଥିବ ତାହା ଅନୁମାନ କରାଯାଇପାରେ। ମାତ୍ର ଏହି ନଦୀ ଆଜି ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ସୋତା, କୃଷ୍ଣାବତୀ, ଦୋହନ ଆଦି ଏହି ନଦୀର ଉପନଦୀ ଥିଲେ। କେତେକ ପୁରାଣ ପଣ୍ଡିତ ଏହାକୁ ପୌରାଣିକ ଯୁଗର ଦୃଷଦ୍‌ବତୀ ନଦୀ ଭାବେ ଚିହ୍ନଟ କରିଛନ୍ତି।

ଆମ ଦେଶର ବହୁ ଛୋଟ ନଦୀଗୁଡ଼ିକର ଶଯ୍ୟା ଲୋକଙ୍କ ଦ୍ବାରା ଅଧିକୃତ ହୋଇସାରିଥିବାବେଳେ ମଧ୍ୟମ ଧରଣର ପ୍ରାୟ ୨ଶହ ୬୫ଟି ନଦୀ ବିପଦରେ ରହିଥିବା ଜଣାପଡ଼ିଛି। ପ୍ରମୁଖ ନଦୀଗୁଡ଼ିକ ମଧ୍ୟ ମାତ୍ରାଧିକ ଭାବେ ପ୍ରଦୂଷଣର ଶିକାର ହୋଇଚାଲିଛନ୍ତି। ନଦୀ କୂଳରେ ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିନାହିଁ। ନଦୀ କୂଳରେ ଚାରା ରୋପଣ କରାଗଲେ, ପ୍ରଥମତଃ ଏହା ନଦୀବନ୍ଧକୁ ସୁରକ୍ଷା ଦେଇ ମୃତ୍ତିକା କ୍ଷୟକୁ ରୋକିପାରିବ। ୨ୟରେ ନଦୀ ଜଳର ବାଷ୍ପୀଭବନକୁ ବହୁମାତ୍ରାରେ ରୋକିପାରିବ। ତୃତୀୟରେ ବର୍ଷା ଜଳକୁ ସୁବିଧାରେ ନିମ୍ନକୁ ଗଡିଯିବାକୁ ନଦେଇ କିଛି ପରିମାଣରେ ଧରି ରଖିବାରେ ସହାୟକ ହେବ। ନଦୀମାନଙ୍କର ସୁରକ୍ଷା ଓ ଜଳ ପ୍ରଦୂଷଣକୁ ରୋକିବା ପାଇଁ ଦେଶରେ ‘ନମାମି ଗଙ୍ଗେ’ ଠାରୁ ଆରମ୍ଭ କରି ‘ଗ୍ରୀନ୍ ମହାନଦୀ ମିସନ୍’ ପର୍ଯ୍ୟନ୍ତ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ କୋଟିକୋଟି ଟଙ୍କା ଶ୍ରାଦ୍ଧ ହେଉଛି, ହେଲେ ଏଥିରୁ ସେଭଳି ଆଖିଦୃଶିଆ ସଫଳତା ମିଳିପାରିନାହିଁ। ବିଭିନ୍ନ ସମୟରେ ଆମ ଦେଶର ନଦୀଗୁଡ଼ିକ ଯଦିଚ ରାଜନୈତିକ ପ୍ରସଙ୍ଗ ପାଲଟିିଛନ୍ତି, କିନ୍ତୁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ପରିସ୍ଥିତିରେ ସାମାନ୍ୟତମ ସୁଧାର ଆସିପାରିନାହିଁ। ଏଭଳି ପରିସ୍ଥିତିରେ ନଦୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା କେବଳ ଆମ ପାଇଁ ସମୟର ଆବଶ୍ୟକତା ନୁହେଁ ବରଂ ଆହ୍ବାନ ମଧ୍ୟ।

Comments are closed.