ମାତୃଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ସମ୍ଭବ

- ନରେନ୍ଦ୍ର ପ୍ରସାଦ ଦାସ

ମାତୃଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ସମ୍ଭବ। ଏଥିପାଇଁ ଦରକାର ଦୃଢ ମାନସିକତା ଏବଂ ସଂକଳ୍ପ। ଦୁଃଖର କଥା ଏ ଦୁଇଟିଯାକ ଆମ ପାଖରେ ନାହିଁ। ଗୋଟାଏ ସୈଦ୍ଧାନ୍ତିକ କଥାକୁ ଏପରି ଭାବରେ ଆରମ୍ଭରୁ ଉଲ୍ଲେଖ କରିବାରେ ଯେଉଁ ମର୍ମବେଦନା ରହିଛି ତାକୁ ସମସ୍ତେ କଳ୍ପନା କରିପାରିବେ ନାହିଁ। ଆମ ଦେଶରେ ଇଂରାଜୀଭାଷା ପ୍ରଚଳନ ୧୯୬୫ ଜାନୁୟାରୀ ୨୬ ତାରିଖରୁ ବନ୍ଦ ହୋଇଯିବ ବୋଲି ୧୯୫୦ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଆମ ସମ୍ବିଧାନରେ ଧାର୍ଯ୍ୟ କରାଯାଇଥିଲା; ମାତ୍ର ଇଂରାଜୀ ସ୍ଥାନରେ ହିନ୍ଦୀ ପ୍ରଚଳନକୁ ଏପରି ହିଂସାତ୍ମକ ବିରୋଧ କରାଗଲା ଯେ ପ୍ରତ୍ୟେକ ରାଜ୍ୟର ବିଧାନସଭା, ପାର୍ଲିଆମେଣ୍ଟ ଉଭୟ ସଦନ ଇଂରାଜୀ ଜାଗାରେ ହିନ୍ଦୀ ପ୍ରଚଳନ ସପକ୍ଷରେ ବହୁମତରେ ସିଦ୍ଧାନ୍ତ ନ ନେଲାଯାଏ ଇଂରାଜୀ ହଟିବନାହିଁ ବୋଲି ସରକାର ସ୍ଥିର କରିଦେଲେ। ଏ ପ୍ରକାର ଆନ୍ଦୋଳନ ଓ ସମାଧାନ ଦେଖିଲେ ମନେହୁଏ ଯେପରି ସଂବିଧାନ ପ୍ରଣୟନ କରିଥିବା କମିଟିରେ ଏବଂ ତାକୁ କାର୍ଯ୍ୟକାରୀ କରିବା ସିଦ୍ଧାନ୍ତ ନେଇଥିବା ପାର୍ଲିଆମେଣ୍ଟରେ ଏବେ ବିରୋଧକରୁଥିବା ରାଜ୍ୟମାନଙ୍କର ପ୍ରତିନିଧି ଯେପରି ନଥିଲେ !

ଅପର ପକ୍ଷରେ ଇଂରାଜୀର ସ୍ଥିତି ସାରା ପୃଥିବୀରେ ଏବଂ ଆମ ଦେଶରେ କ’ଣ ? ସାରା ପୃଥିବୀରେ ୭୫୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୧୫୦କୋଟି ଅର୍ଥାତ୍‍ ମାତ୍ର କୋଡିଏ ପ୍ରତିଶତ ଲୋକ ଇଂରାଜୀ କହିପାରନ୍ତି। ଆମ ଦେଶରେ ବର୍ତ୍ତମାନ ପ୍ରାୟ ୧୩୭କୋଟି ଲୋକଙ୍କ ଭିତରୁ ପ୍ରାୟ ୧କୋଟି ୨୫ଲକ୍ଷ ଲୋକ ଅର୍ଥାତ୍‍ ଏକ ପ୍ରତିଶତରୁ ମଧ୍ୟ କମ୍‍ ଲୋକ ଇଂରାଜୀ ଜାଣନ୍ତି ବୋଲି କଳନା କରାଯାଇଛି। ଏମାନଙ୍କ ମଧ୍ୟରେ, ଫକୀର ମୋହନଙ୍କ ଜମାଦାର, ମହାକୁଡର କଥା “ମୁଁ ଘରଆଡେ ନବୁଝି କହିପାରୁନାହିଁ”କୁ ଇଂରେଜୀରେ ସାହେବଙ୍କୁ ବୁଝାଇବାପାଇଁ କହିଥିବା ‘‘Sir, this guala Mahakur says he ask his wife, if he says, he will constable” ଭଳି ଏବଂ ଗତ କେତେ ବର୍ଷ ତଳେ ଇଂଲଣ୍ଡର ଯୁବରାଜ ଚାର୍ଲସ୍‌ ପୁଷ୍କରମେଳା ବୁଲି ଦେଖିବାଲାଗି ରାଜସ୍ଥାନ ଆସିଥିଲାବେଳେ ତାଙ୍କୁ ଜଣେ ଗ୍ରାମବାସୀ ଚିହ୍ନେଇଦେବାକୁ ଯାଇ କହିଥିବା ଇଂରାଜୀ “This fella Mrs Queenka beta” ପରି ଇଂରାଜୀ ଜ୍ଞାନଥିବା ଲୋକ ମଧ୍ୟ ଥିବେ। ତଥାପି ଆମେମାନେ ଧରିନେଇଛୁ ଯେ ଇଂରାଜୀ ନ ରହିଲେ ଆମ ଦେଶର ଏକତା ଭାଙ୍ଗି ଚୁର୍‌ମାର୍‍ ହୋଇଯିବ, ଆମ ପିଲାଏ ଅନ୍ୟ ଦେଶର ପିଲାଙ୍କଠାରୁ ପଛୁଆ ହୋଇଯିବେ, ମୂର୍ଖ ହୋଇଯିବେ ଇତ୍ୟାଦି।

ପୃଥିବୀରେ ମୋଟ ୨୧୩ଟି ଦେଶ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଦେଶ ଇଂରେଜ ଶାସନାଧୀନ ଥିଲେ। ସେହିସବୁ ଦେଶରେ ଇଂରାଜୀ ଶିକ୍ଷା ପ୍ରଚଳିତ ଥିଲା। ଭାରତରେ ଶାସକ ଓ ଶାସିତଙ୍କ ମଧ୍ୟରେ ଆବଶ୍ୟକ ସମ୍ପର୍କ ସ୍ଥାପନ କରିବାରେ ସହାୟତା କରି ଶାସନକୁ ଦୃଢ କରିବାଲାଗି ଲର୍ଡ ମାକଲେ କିରାଣି ତାଲିମ ଦେଲା ପରି (ଇଂରାଜୀ)ଶିକ୍ଷା ଆରମ୍ଭ କରିଥିଲେ। ମାକ୍‌ଲେଙ୍କ ନିଜ ଭାଷାରେ ତାହା ଥିଲା – “We must at present do our best to form a class who may be interpreters between us and the millions whom we govern; a class of persons, Indian in blood and colour, but English in taste, in opinions, in morals, and in intellect.” ଇଂରେଜୀ ଶିକ୍ଷା ବ୍ୟବସ୍ଥାରେ ସାଧାରଣ ଜନତାଙ୍କର ବା ଦେଶର ତ କିଛି ଲାଭହୋଇ ନାହିଁ, ମାତ୍ର ମାକ୍‌ଲେଙ୍କ ଲକ୍ଷ୍ୟ ପୂରାପୂରି ସାଧିତ ହୋଇଛି ବୋଲି ଆମେ ଆମ ଦେଶର ଜନକ ବୋଲି କହୁଥିବା (କହୁଛେ ମାତ୍ର ମାନୁନାହେଁ) ଗାନ୍ଧିଜୀ କହୁଥିଲେ। ବାପୁଜୀ ଚାହିଁଥିଲେ ଇଂରେଜମାନେ ଆମ ଦେଶ ଛାଡିବା ପୂର୍ବରୁ ତାଙ୍କ ଭାଷା ଆମ ଦେଶକୁ, ବିଶେଷକରି ଆମ ଶିକ୍ଷାକ୍ଷେତ୍ରକୁ ଛାଡିଯିବା ଆବଶ୍ୟକ। ତେଣୁ ଦେଶର ଶିକ୍ଷାବ୍ୟବସ୍ଥାକୁ ସଜାଡିବାଲାଗି ଏକ ନୂତନ ଶିକ୍ଷାନୀତି ପ୍ରଣୟନ କରିବା ସକାଶେ ୧୯୩୭ରେ ଗାନ୍ଧିଜୀ ଜାକିର ହୁସେନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସେହି କମିଟିର ସୁପାରିସରୁ ମୌଳିକ ଶିକ୍ଷାର ଜନ୍ମ। ଜାକିର ହୁସେନ ପରବର୍ତ୍ତୀ କାଳରେ ସ୍ୱାଧୀନ ଭାରତର ରାଷ୍ଟ୍ରପତି ହୋଇଥିଲେ; ମାତ୍ର ତାଙ୍କ ନିଜ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିସ କରିଥିବା ଶିକ୍ଷାନୀତି ଓ ପ୍ରଚଳିତ ଶିକ୍ଷାବ୍ୟବସ୍ଥାର ତୁଳନାତ୍ମକ ଆଲୋଚନା କରି ଶିକ୍ଷାବ୍ୟବସ୍ଥାକୁ ସଜାଡିବାପାଇଁ କ’ଣ ଚେଷ୍ଟା କରିପାରିନଥାନ୍ତେ? ସେହିପରି ୧୯୫୨ରେ ଲକ୍ଷ୍ମଣସ୍ୱାମୀ ମୁଦାଲିୟର କମିସନଙ୍କ ମାଧ୍ୟମିକ ଶିକ୍ଷାକୁ ବୃତ୍ତି ଆଧାରିତ କରିବାଲାଗି ଓ ମାଧ୍ୟମିକ ଶିକ୍ଷାର ନିୟନ୍ତ୍ରଣ ବିଶ୍ୱବିଦ୍ୟାଳୟମାନଙ୍କଠାରୁ ନେଇ ଆସି ଏକ ସ୍ୱୟଂଶାସିତ ପରିଷଦ ଅଧୀନରେ ରଖିବାକୁ ସୁପାରିସ କରିଥିଲେ; କିନ୍ତୁ ଆମେ କ’ଣ କଲେ ? ନିଜର ସୁବିଧାଲାଗି ମାଧ୍ୟମିକ ଶିକ୍ଷା ପରିଷଦ ଗଢିଦେଲେ, ମାତ୍ର ମାଧ୍ୟମିକ ଶିକ୍ଷାକୁ ବୃତ୍ତିଆଧାରିତ କଲେନାହିଁ। ୧୯୬୪ରେ ଦୌଲତ୍‍ ସିଂହ କୋଠାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ ଅନେକ କ୍ରାନ୍ତିକାରୀ ସୁପାରିସ କରିଥିଲେ; ମାତ୍ର ଦୁଃଖର କଥା ଆମ ଦେଶରେ ଶିକ୍ଷାବ୍ୟବସ୍ଥାରେ ସୁଧାର ଆଣିବାଲାଗି ଯେତେ କମିସନ, କମିଟି ବସିଛି, କୌଣସି ଗୋଟିକର ସମସ୍ତ ସୁପାରିସ କାର୍ଯ୍ୟକାରୀ ହୋଇନାହିଁ। ଏହାର ଏକମାତ୍ର କାରଣହେଲା ଆମର ଆନ୍ତରିକତା ନାହିଁ। ଯଥାର୍ଥଶିକ୍ଷାର ପ୍ରସାରବିରୋଧୀ ଏ ମାନସିକତା।

ମାତୃଭାଷାରେ ଶିକ୍ଷାଦାନକୁ ବିରୋଧ କରୁଥିବା ବନ୍ଧୁମାନେ କହିଥାଆନ୍ତି ଯେ, ମାତୃଭାଷାରେ ବିଜ୍ଞାନ ପଢାଇ ହେବନାହିଁ, ଡାକ୍ତରୀ ଇଞ୍ଜିନିୟରିଂ ପରି ବୈଷୟିକ ବିଦ୍ୟା ମାତୃଭାଷାରେ ପଢାଇହେବ ନାହିଁ। ସେମାନେ ଆହୁରି କହିଥା’ନ୍ତି ଯେ ଇଂରାଜୀ ଭାଷା ହେଉଛି ସମଗ୍ର ଆଧୁନିକ ଓ ସମୃଦ୍ଧ ବିଶ୍ୱମଧ୍ୟକୁ ପ୍ରବେଶକରିବାର ମାଧ୍ୟମ। ଏବେ ସେମାନଙ୍କ ଯୁକ୍ତିକୁ ଆହୁରି ବଳିଷ୍ଠ କରିବାପାଇଁ ଇଂଟରନେଟ୍‍, କଂପ୍ୟୁଟର ଇତ୍ୟାଦିର ବ୍ୟବହାର କଥା ଆସିଗଲାଣି। ଆମେ ତାଙ୍କ କଥାକୁ ପୂରାପୂରି ଅଗ୍ରାହ୍ୟ କରୁନାହୁଁ; ମାତ୍ର ତାଙ୍କୁ କେବଳ ପଚାରିବାକୁ ଚାହୁଁଛୁ ଯେ, ଋଷିଆ, ଜାପାନ, ଜର୍ମାନୀ, ଫ୍ରାନ୍ସ, କୋରିଆ, ଚୀନ, ଏପରି କି ଇସ୍ରାଏଲ ଓ ପୋଲାଣ୍ଡ ଭଳି ଦେଶମାନେ ଓ ସେମାନଙ୍କ ପିଲାମାନେ ଆମଠାରୁ ଆଗରେ ନା ପଛରେ ? ସେସବୁ ଦେଶର ଲୋକ ତ ମୂଳରୁ ଇଂରାଜୀ ଜାଣନ୍ତି ନାହିଁ।

ଆମର ବିଦ୍ୱାନମାନେ ଥିଓରିଟିକାଲ୍‍ ଫିଜିକ୍ସର ଆମ ଦେଶୀ ପ୍ରଫେସର ସତ୍ୟେନ୍ଦ୍ରନାଥ ବୋଷଙ୍କ କଥା ସ୍ମରଣ କରିପାରନ୍ତି। ଅବଶ୍ୟ ବୋଷଙ୍କର ପିଏଚ୍‍ଡି ଡିଗ୍ରୀ ନଥିଲା; ମାତ୍ର କେହି ଭୁଲିଯିବା ଉଚିତ ନୁହେଁ ଯେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଆଇନଷ୍ଟାଇନ୍‍ଙ୍କ ସ୍ୱତନ୍ତ୍ର ସୁପାରିସ କ୍ରମେ ତାଙ୍କୁ ବିନା ପିଏଚ୍‍ଡିରେ ପ୍ରଫେସର କରାଯାଇଥିଲା। ସତ୍ୟେନ ବୋଷ ନିଜ କାମଦ୍ୱାରା ଯେପରି ନିଜକୁ ନିଜେ ଆଇନ୍‍ଷ୍ଟାଇନଙ୍କ ସହ ପରିଚିତ କରାଇଥିଲେ ତାହା କେତେଗଣ୍ଡା ପିଏଚ୍‍ଡି ଧାରୀ କରିଦେଖାଇପାରିବେ? ସତ୍ୟେନ ବୋଷଙ୍କ “ବୋଷନ୍‍”ଅଣୁ ହିଁ ଈଶ୍ୱରକଣିକା ଆବିଷ୍କାରର ଆଧାରଶିଳା ହେଲା। ସେହି ସତ୍ୟେନ ବୋଷ ବହୁବାର କହିଛନ୍ତି ଯେ, ବଙ୍ଗଳାଭାଷାରେ ସେ ଫିଜିକ୍ସ ପଢାଇଲେ ତାଙ୍କ ଛାତ୍ରଛାତ୍ରୀ ସହଜରେ ଓ ଭଲରେ ପାଠ ବୁଝୁଥିଲେ। ତେବେ ମାତୃଭାଷାରେ ଉଚ୍ଚଶିକ୍ଷା ପଢାଯାଇପାରିବନାହିଁ ବୋଲି କହୁଥିବା ବନ୍ଧୁମାନଙ୍କୁ ଆଉ ଗୋଟିଏ ସମସ୍ୟାପ୍ରତି ସାମାନ୍ୟ ଦୃଷ୍ଟିଦେବାକୁ ଅନୁରୋଧ କରୁଛି।

ଆଗକାଳରେ ଆମ ସମାଜରେ, ଆମ ଦେଶରେ କେତେକଙ୍କ ପାଇଁ ନିମ୍ନପ୍ରାଥମିକ ସ୍ତର ଥିଲା ସର୍ବୋଚ୍ଚ ସୀମା ତ ଆଉ କେତେକଙ୍କ ପାଇଁ ମାଇନର ପାସ୍‌ କରିବା ସର୍ବୋଚ୍ଚ ଲକ୍ଷ୍ୟ ଥିଲା। ଏବେ ହାଇସ୍କୁଲ ପାଠ ବା ମାଧ୍ୟମିକସ୍ତରର ପାଠ ଅନେକଙ୍କ ପାଇଁ ପାଠପଢାର ଶେଷସ୍ତର। ସେପରି ଛାତ୍ରଛାତ୍ରୀ ପାଠପଢା ଶେଷରେ କର୍ମ ଜଗତରେ ପ୍ରବେଶ କରିବେ। ସେମାନଙ୍କ ପାଇଁ ଇଂରାଜୀ, ପ୍ରଚଳିତ ବିଜ୍ଞାନ ଓ ଗଣିତପାଠ କେତେ ଆବଶ୍ୟକ? ବହୁସଂଖ୍ୟକ ପିଲାଙ୍କୁ ପରୀକ୍ଷାରେ ଫେଲ୍‍ କରାଇ ତାଙ୍କର ମନୋବଳକୁ, ଆତ୍ମବିଶ୍ୱାସକୁ ଧ୍ୱଂସ କରିଦେବା କ’ଣ ପ୍ରଚଳିତ ଶିକ୍ଷାବ୍ୟବସ୍ଥାର ଏକମାତ୍ର ଉଦ୍ଦେଶ୍ୟ ? ତେଣୁ ଯେଉଁମାନେ ଇଂରାଜୀ ପଢି ବିଶ୍ୱସ୍ତରୀୟ ହେବାକୁ ଚାହାନ୍ତି ବା ଯାହାର ବିଶ୍ୱସ୍ତରୀୟ ଦକ୍ଷତା ହାସଲ କଲା ଭଳି ଯୋଗ୍ୟତା ବା ଆଗ୍ରହ ଅଛି ସେମାନଙ୍କୁ ପ୍ରଚଳିତ ଇଂରାଜୀ ମାଧ୍ୟମରେ ପଢିବାକୁ ସୁଯୋଗ ମିଳୁ; କିନ୍ତୁ ସାମ୍ୟବାଦ ନାଁରେ, ସମାନ ସୁଯୋଗଦେବା ନାଁରେ ନବେ ପ୍ରତିଶତ ପିଲାଙ୍କର ଆତ୍ମବିଶ୍ୱାସକୁ ହତ୍ୟା କରାନଯାଉ।

ମାତୃଭାଷାରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାଦାନରେ ଗୋଟାଏ ଖୁବ୍‍ ବଡ ପ୍ରତିବନ୍ଧକ ହେବ ବର୍ତ୍ତମାନ ଚଳୁଥିବା ପରିଭାଷା। ଆମ ଓଡିଶାରେ ସରକାରୀ ଉଦ୍ୟମରେ ଯେଉଁ ପରିଭାଷା ପ୍ରଣୀତ ହୋଇଥିଲା ସେଥିରୁ ଅନେକ ଗ୍ରହଣଯୋଗ୍ୟ ନୁହେଁ। ପରିଭାଷାରେ ଏକା ଶବ୍ଦ ବିଭିନ୍ନ ବିଷୟରେ ଭିନ୍ନଭିନ୍ନ କରାଯାଇଛି। ପରିଭାଷା ପ୍ରସ୍ତୁତକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ସ୍ଥିତି ଉପୁଜିଛି, ଏକଥା ନିଶ୍ଚିତ। ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିଥିଲେ ଏ ପ୍ରକାର ଅଘଟନ ଘଟିନଥାନ୍ତା। ତା’ଛଡା, ବିଜ୍ଞାନ ଓ ବୈଷୟିକ ପାଠରେ ବ୍ୟବହୃତ ସମସ୍ତ ସ୍ୱତନ୍ତ୍ର ଶବ୍ଦାବଳୀ ପ୍ରାୟତଃ ଇଂରାଜୀ ନହୋଇ ଲାଟିନ, ଗ୍ରୀକ୍‌ ମୂଳରୁ ତିଆରି ହୋଇଥାନ୍ତି। ସେଗୁଡିକ ସବୁ ଦେଶରେ, ସବୁ ଭାଷାରେ ସେହି ନାଁରେ ବ୍ୟବହୃତ ହୁଏ। ତେଣୁ ସେପରି ଶବ୍ଦଗୁଡିକୁ ଅବିକଳ ସେହିପରି ଓଡିଆ ଅକ୍ଷରରେ ଲେଖାଯାଇ ପାରିବ। ତା’ଛଡା ଯଦି ଆମର ବିଦ୍ୱାନମାନେ ଇଂରାଜୀ ଭାଷାକୁ ଅନୁଧ୍ୟାନ କରୁଥିବେ, ତେବେ ଲକ୍ଷ୍ୟ କରିଥିବେ ଯେ, ପୃଥିବୀର ପ୍ରାୟ ସମସ୍ତ ଭାଷାରୁ କିଛିକିଛି ଶବ୍ଦ ପ୍ରତିବର୍ଷ ଇଂରାଜୀ ଭାଷାରେ ମିଶୁଛି। ଏବେ ‘ବନ୍ଦ’, ‘ଘେରାଉ’ ‘ମନ୍ତ୍ର’ ପରି ଭାରତୀୟ ଶବ୍ଦସବୁ ଇଂରାଜୀ ହୋଇଗଲାଣି। ତେଣୁ ଆମେ କାହିଁକି କେତେକ ଇଂରାଜୀ ଶବ୍ଦକୁ ଓଡିଆ କରି​‌େ​‌ନବା ନାହିଁ ? କିନ୍ତୁ ଏଥିପାଇଁ ଯେଉଁ ପ୍ରକାର ନିଷ୍ଠା, ଅଙ୍ଗୀକାରବଦ୍ଧତା, ସଂକଳ୍ପ ଦରକାର ତାହା ଆମଠାରେ ଅଛି ତ?

Comments are closed.