କହି ଦଉଥାଇ ପରକୁ

- ବ୍ରହ୍ମଚାରୀ ସତ୍ୟଚୈତନ୍ୟ

ଏଇ ଜୀବନ ପରମାତ୍ମାଙ୍କ ଦାନ। ଫୁଲ କଣ୍ଟା, ହସ ଲୁହ, ସମତଳ ବନ୍ଧୁର, ଦିନ ରାତି ଭଳି ଅନେକ ତତ୍ତ୍ୱ ଆଉ ଉପାଦାନର ସମନ୍ୱୟ ଏଇ ଜୀବନ। ଛଳଛଳ ଝରଣା ପରି ଗତିଶୀଳ। ସମତଳରେ ସ୍ୱାଭାବିକ ଢଙ୍ଗରେ ବହୁଥାଏ। କେବେ କେବେ ସମ୍ମୁଖୀନ ହେଇଥାଏ ସମସ୍ୟା ରୂପକ ଶିଳାର। ଦୋହଲି ଯାଏ ଆତ୍ମବିଶ୍ୱାସ। ଏତିକି ବେଳେ କାହାର ପ୍ରେରଣାଦାୟୀ କଥା ପଦିଏ ମନକୁ ଦିଏ ଆଶ୍ୱାସନା। ଜାଗିଉଠେ ଆତ୍ମବଳ। ଅଶାନ୍ତ ମନ ଶାନ୍ତ ହେଇଯାଏ। ଅଣ୍ଟା ସଳଖି ପୁଣି ଦି’ ପାଦ ବଢ଼େଇବାକୁ ଜୁ ମିଳିଯାଏ। ଯୋଉ ସମସ୍ୟା ବେଳେ ପାଖରେ ପ୍ରେରଣାଦାତା ନମିଳନ୍ତି, ସେତେବେଳେ ମୋବାଇଲ୍, ଟିଭି, ପତ୍ର ପତ୍ରିକା ଆଦିର ସାହାଯ୍ୟ ନିଆଯାଏ। ଆଉ ଅନ୍ୟକୁ ଉପଦେଶ ଦେବା ପାଇଁ ତଥାକଥିତ ବାବାଜି, ପଣ୍ଡିତ, ମୁଲ୍ଲା, ଫାଦର, ସାଧକ, ଜ୍ଞାନୀ, ଗୁରୁଜୀ ଭଳି ବଡ଼ ଉପାଧି ଧାରୀ ମଣିଷଙ୍କ ଅଭାବ ନାହିଁ ଆଜିର ସମାଜରେ। ଗଣମାଧ୍ୟମରେ ଏମାନଙ୍କ ଗହଳି ଲାଗିଥାଏ। ଅବଶ୍ୟ ଆଜିର ସମାଜରେ ବି ଅନେକ ଅଭିଜ୍ଞ ଲୋକ ଅଛନ୍ତି। ଏମାନେ ପ୍ରଚାରିତ ହେବା ନିଶାରେ ନୁହେଁ; ସମାଜକୁ ସୁଧାରିବା ପାଇଁ ବାର୍ତ୍ତାଟିଏ ଦିଅନ୍ତି। ଆଉ କେତେଜଣ ଗଣମାଧ୍ୟମକୁ ଆସନ୍ତିନି; କିନ୍ତୁ କିଛି ଅନଭିଜ୍ଞ ମଣିଷ ନାଁ କମେଇବା ନିଶାରେ ଗ‌େ‌ବଷଣା, ଅନୁଭବ, ଅନୁଭୂତି, ଅଭିଜ୍ଞତା ନଥାଇ ବହୁ ଉଦ୍ଭଟ୍ଟ, ଭ୍ରମାତ୍ମକ ତଥ୍ୟ, ବାର୍ତ୍ତା ଆଦି ଦେଇ ଥାଆନ୍ତି। ନିଜ ସପକ୍ଷରେ ମତଟିଏ ଭିକ୍ଷା କରିଥାଆନ୍ତି। ବେଶ, ପୋଷାକ, ରଙ୍ଗ ଢଙ୍ଗରେ ପ୍ରଭାବିତ ହେଉଥିବା ମଣିଷକୁ ଏ କଥା ସୁହେଇଥାଏ। ତେଣୁ ଅଜାଡ଼ି ଦିଅନ୍ତି କୃତଜ୍ଞତାର ଭେଟି। ଗୋଦରୀକୁ ସୁନ୍ଦରୀ କହିଲେ ଗୋଡ଼ ବୁଲେଇ ପକେଇଲା ଭଳି ଏ ମିଛ ଧାର୍ମିକମାନେ ମଧ୍ୟ ଅଭିମାନରେ ଫୁଲିଉଠନ୍ତି। ବିଷାଦଗ୍ରସ୍ତ, ସମସ୍ୟା ପୀଡ଼ିତ ମଣିଷମାନଙ୍କୁ ଏମାନେ ନିଜର ସମ୍ବଳ ଭାବରେ ଗ୍ରହଣ କରନ୍ତି। ସେମିତି ମଣିଷଟିଏ ନହେଲେ ଏମାନଙ୍କ ବାର୍ତ୍ତାକୁ କିଏ ବା କାହିଁକି ପସନ୍ଦ କରନ୍ତା! ପ୍ରତିଷ୍ଠା, ପ୍ରଶଂସା ନିଶାରେ ପଡ଼ିଥିବା ମଣିଷର କେବେ ଉତ୍ତରଣ ହୁଏନା। ଦେଖାଯାଏ ଅନ୍ୟକୁ ପ୍ରେରଣା, ସାନ୍ତ୍ୱନା ଦେଉଥିବା ଲୋକଟି କେବେ କେବେ ନିଜେ ଭାଙ୍ଗି ପଡ଼ିଥାନ୍ତି। ସାହା ରାହା ପାଆନ୍ତିନି। ଅନ୍ୟର ସମସ୍ୟାକୁ ସମାଧାନ କରୁ କରୁ ନିଜେ ସମସ୍ୟାର ଜାଲରେ ଛନ୍ଦି ହେଇଯାଇଥାନ୍ତି। କାହାକୁ ଧୈର୍ଯ୍ୟ, ଆତ୍ମବିଶ୍ୱାସର ମନ୍ତ୍ର ଦେଲାବେଳେ ନିଜର ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ତୁଟି ଯାଇଥାଏ। ପ୍ରତିଷ୍ଠା, ପ୍ରଶଂସା ନିଶାରେ ପାଗଳ ହୋଇଥିବା ଏହି ଛଳନାପୂର୍ଣ୍ଣ ମଣିଷମାନଙ୍କୁ ଦେଖିଲେ ପ୍ରଚଳିତ ଢ଼ଗଟିଏ ମନେ ପଡ଼େ- ‘କହି ଦଉଥାଇ ପରକୁ, ବୁଦ୍ଧି ନ ଆସଇ ଘରକୁ।’ ଅର୍ଥାତ୍ ଅନ୍ୟକୁ ଉପଦେଶ ଦେଇ ବାଟ କଢ଼ଉଥିବା ଲୋକଟି ନିଜେ ବାଟବଣା ହେଇଥାଏ। ଏ ନେଇ ଉଦାହରଣଟିଏ।

କିଛି ବ୍ୟବସାୟୀ ଓ ଜଣେ ଜ୍ଞାନୀ ଏକତ୍ର ଯାତ୍ରାକରୁଥିଲେ। ସ୍ଥାନେ ସ୍ଥାନେ ବ୍ୟବସାୟୀଙ୍କର ଧନ ଦୌଲତ ଲୁଟ୍ ହୋଇ ଯାଉଥିଲା। ସହଯାତ୍ରୀଙ୍କର ଏହି ଦୁର୍ଦଶା ଦେଖି ଜ୍ଞାନୀ ଆଶ୍ୱାସନା ଦେଇ କହୁଥିଲେ- ‘ବସ୍ତୁର ମୂଲ୍ୟ କିଛି ନାହିଁ। ଏ ସବୁ ମାୟା। ଏଥି ପାଇଁ ମନ ଦୁଃଖ କାହିଁକି?’ କିନ୍ତୁ ଗୋଟିଏ ଦିନ ଦେଖାଗଲା ଜ୍ଞାନୀ ନିଜେ କାନ୍ଦୁଛନ୍ତି। କାନ୍ଦିବାର କାରଣ, ତାଙ୍କ ଝୁଲାମୁଣିରେ ଥିବା ଆମ୍ବଟି ପଚି ଯାଇଥିଲା। ସହଯାତ୍ରୀ ଜ୍ଞାନୀଙ୍କର ଏ ଅବସ୍ଥା ଦେଖି କହିଲେ- ‘ଆପଣ ପରା ଆମକୁ ବୁଝାଉଥିଲେ ଆମର ଲୁଟ୍ ହୋଇଥିବା ଜନିଷ ସବୁ ମାୟା। ଏଥି ପାଇଁ ଦୁଃଖ କରିବାର କିଛି କାରଣ ନାହିଁ। କିନ୍ତୁ ଆପଣ ତ ସାମାନ୍ୟ ଗୋଟିଏ ଆମ୍ବ ପାଇଁ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଛନ୍ତି!’

ବାସ୍ତବରେ ସେ ଜ୍ଞାନୀଜଣକ ବ୍ୟବସାୟୀଙ୍କର ଧନ ଚୋରିହବାକୁ ଅପେକ୍ଷା କରୁଥିଲେ। କାରଣ ସହଯାତ୍ରୀଙ୍କ ବିପଦ ଥିଲା ଜ୍ଞାନୀଙ୍କ ପାଇଁ ସମ୍ପଦ। ଏକ ସୁଯୋଗ। ସେ ଯାହା ପଢ଼ା, ଘୋଷା କରିଥିଲେ ତାହା ତ ସହଯାତ୍ରୀମାନଙ୍କୁ ଶୁଣାଇ ନିଜେ ଶାନ୍ତି ପାଉଥିଲେ। ବଦଳରେ ପ୍ରଶଂସା ବି ପାଉଥିଲେ। ବିପଦରେ ନଥିଲେ ୟାଙ୍କ କଥା କେହି ଶୁଣିନଥାନ୍ତେ। ଅଯଥା ବହୁତ ଗପିବାରେ ଅଭ୍ୟସ୍ତ ମଣିଷ ପକ୍ଷରେ ଚୁପ୍‌ଚାପ୍‌ ରହିବା ପୀଡ଼ାଦାୟକ। ଜ୍ଞାନୀ ତ ଅନେକ ଗୁଡ଼ିଏ କହିବାରେ ଅଭ୍ୟସ୍ତ। ସେ ଯେତେ ଉପଦେଶ ଦେଇ ଥାଆନ୍ତି ଅନ୍ୟ ପାଇଁ। ତାଙ୍କ କହିବା ଆଉ କରିବା ଭିତରେ କିଛି ବି ସାମଞ୍ଜସ୍ୟ ନଥାଏ। ଅନ୍ୟକୁ ଜୀବନ ଦର୍ଶନ ଶୁଣାଇବା ତ ଅତ୍ୟନ୍ତ ସହଜ; କିନ୍ତୁ ନିଜେ ସେଥିରେ ଜିଇବା ବହୁତ କଷ୍ଟ। ଏ ଭିଳ ଲୋକ ପ୍ରଚାରିତ ହବା ଆଶାରେ ନିଜକୁ ପ୍ରତାରିତ କରୁଛନ୍ତି ବୋଲି ବୁଝିବାକୁ ହେବ। ଏବେ ବି ସମୟ ଅଛି। ପ୍ରଶଂସା, ପ୍ରତିଷ୍ଠା ନିଶାରୁ ଓହରି ଆସି ନିଜକୁ ସମୀକ୍ଷା କରିବା ଉଚିତ୍। ପ୍ରତ୍ୟେକଙ୍କ ବିବେକ ହିଁ ବଡ଼ ବିଚାରକ। ବିବେକର ମାପ କାଠିରେ ନିଜ ଅନୁଭବ ଓ ଅଭିଜ୍ଞତାର ଗଭୀରତାକୁ ମପାଯାଉ। ଛଳନାର ଛାଇରେ ନୁହେଁ; ଅଭିଜ୍ଞତାର ଅଟ୍ଟାଳିକାରେ ପହଞ୍ଚିବାକୁ ପ୍ରୟାସ କରାଯାଉ। ସୁନ୍ଦର ଜୀବନକୁ କପଟତା ନୁହେଁ; ବାସ୍ତବତାରେ ଜିଇବାର ଅଭ୍ୟାସ ଜାରିରହୁ। ତାହା ହେଲେ ବଦଳିଯିବ ଦୃଷ୍ଟିଭଙ୍ଗୀ। ଦୃଷ୍ଟି ଫେରିଆସିବ ଚାରିପାଖର ନଈ, ଭୂଇଁ, ବଣ, ପାହାଡ଼, ଆକାଶ ଆଡ଼କୁ। ଏତିକିବେଳେ ଭିତରୁ ଶୁଭୁଥିବ- ଅସଲ ଜ୍ଞାନର ଭଣ୍ଡାର ସାଜିଥିବା ଓ ନିରବରେ ଅନେକ ଉପଦେଶ ଦଉଥିବା ଏ ପ୍ରକୃତି ଯଦି କାହାର ନିନ୍ଦା, ପ୍ରଶଂସାରେ ପ୍ରଭାବିତ ହଉନି ତେବେ କ୍ଷଣିକ ଜୀବନରେ କେତେ ଦିନ ଅହମିକା, ଅଭିମାନ, ପ୍ରତିଷ୍ଠାର ଚାଦରକୁ ଜାବୁଡ଼ି ଧରିଥିବ! ଏତିକି ବେଳେ ଖସିପଡ଼ୁଥିବ ଅହମିକାର ଆବରଣ। ଭୂଲୁଣ୍ଠିତ ହଉଥିବ ପଦ, ପ୍ରତିଷ୍ଠାର ଅଭିମାନ। ଖସି ଯାଉଥିବ ଅନ୍ୟକୁ ଉପଦେଶ ଦେବାର ଅଦମ୍ୟ ନିଶା। ଉଷାର ସୁନେଲି କିରଣ ପରି ଆତ୍ମପ୍ରକାଶ କରୁଥିବ ସ୍ୱ ପରିଚୟ। ଆଉ ଏତିକିବେଳେ ଐଶ୍ୱରୀୟ ଆନନ୍ଦର ଉଚ୍ଛାସରେ ପୁଲକି ଉଠି ଅନ୍ତରାତ୍ମା କହୁଥିବ- ‘ଏବେ ଉଚ୍ଚାରଣ ନୁହେଁ, ଆଚରଣ କରିବାର ସମୟ ଆସିଛି।’

Comments are closed.