ମାତୃଭାଷାରେ ଶିକ୍ଷା ଓ ଶାସନ ଭାରତର ବିବିଧତାକୁ ଶକ୍ତିଶାଳୀ କରିବ

- ଏମ୍‌. ଭେଙ୍କୟା ନାଇଡୁ

0

ଆମର ପ୍ରାଚୀନ ଭୂମି ସର୍ବଦା ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତାର ଏକ ଅଂଗ ହୋଇ ରହିଆସିଛି। ଶତାବ୍ଦୀଶତାବ୍ଦୀ ଧରି ଭାରତରେ ଶହଶହ ଭାଷା ଏବଂ ଉପଭାଷା ପ୍ରସ୍ଫୁଟିତ ହୋଇଆସିଛନ୍ତି, ଯାହା ଅସାଧାରଣ ପ୍ରାଣବନ୍ତ ଭାବେ ସହାବସ୍ଥାନ କରି ଆମର ରଙ୍ଗିନ ସାଂସ୍କୃତିକ ବର୍ଣ୍ଣାଳୀର ଅଂଶ ପାଲଟିଛନ୍ତି। ଆମେ ଭୁଲିଯିବା ନାହିଁ ଯେ ମାତୃଭାଷା କେବଳ ଯୋଗାଯୋଗର ପ୍ରାଥମିକ ମାଧ୍ୟମ ନୁହେଁ, ବରଂ ଏହାଠୁ ଅଧିକ କିଛି- ଏହା ଏକ ବ୍ୟକ୍ତି କିମ୍ବା ସାମାଜିକ ଗୋଷ୍ଠୀର ସାଂସ୍କୃତିକ ପରିଚୟ ସହିତ ଅବିଚ୍ଛିନ୍ନ ଭାବେ ସଂପୃକ୍ତ। ତେଣୁ, ସରକାରଗୁଡ଼ିକ ଏପରି ନୀତି ପ୍ରସ୍ତୁତ କରିବା ଜରୁରୀ, ଯାହା ମାତୃଭାଷାରେ ଶିକ୍ଷଣକୁ ପ୍ରୋତ୍ସାହିତ କରିବ ଏବଂ ନିର୍ଦେଶାବଳୀଗୁଡିକ ତୃଣମୂଳ ସ୍ତରରେ ଯେପରି କାର୍ୟ୍ୟକାରୀ ହୋଇପାରିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ।

ଅନେକ ଭାଷାର ଦୁର୍ଦଶାଗ୍ରସ୍ତ ଅବସ୍ଥା ଏବଂ ଅନେକଙ୍କର ଲୋପ ପାଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏପରି ଉତ୍ତର ରଖିବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ସାହାଯ୍ୟ କରିବା ନିମନ୍ତେ ନଭେମ୍ବର ୧୯୯୯ରେ ୟୁନେସ୍କୋ ଫେବୃଆରୀ ୨୧କୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ଘୋଷଣା କରିଥିଲା। ଜାତିସଂଘର ଏହି ସଂସ୍ଥା ବିଶ୍ବର ଅଧାରୁ ଅଧିକ ଭାଷା ପାଇଁ ଏକ ଅନ୍ଧକାରମୟ ଭବିଷ୍ୟବାଣୀ କରିଥିଲା ଯେ ଶତାବ୍ଦୀ ଶେଷ ସୁଦ୍ଧା ସେଗୁଡ଼ିକ ନିଶ୍ଚିହ୍ନ ହୋଇଯିବ।

୨୦୨୧ ଅନ୍ତର୍ଜାତୀୟ ମାତୃଭାଷା ଦିବସର ବିଷୟବସ୍ତୁ ‘ଶିକ୍ଷା ଏବଂ ସମାଜରେ ସମାବେଶ ପାଇଁ ବହୁଭାଷିତାର ପ୍ରତିପୋଷଣ’ ଏହି ସିଦ୍ଧାନ୍ତ ଉପରେ ଆଧାରିତ ହୋଇଛି ଯେ ବହୁଭାଷାବାଦ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରେ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ଆଦର୍ଶ ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ର ପ୍ରକୃତ ଭାବନାର ଅନୁରୂପ ଅଟେ, ଯାହା ସମାଜର ସମସ୍ତ ବର୍ଗକୁ ଅନ୍ତର୍ଭୁକ୍ତ କରିଥାଏ।

ଭାରତରେ ଆମ ପାଇଁ ଅନ୍ତର୍ଜାତୀୟ ମାତୃଭାଷା ଦିବସର ବିଶେଷ ମହତ୍ତ୍ବ ରହିଛି; କାରଣ ସାଂସ୍କୃତିକ ଏବଂ ଭାଷା ବିବିଧତା ଭାରତୀୟ ସଭ୍ୟତାର ମୂଳଦୁଆ ଅଟେ। ଆମର ମୂଲ୍ୟବୋଧ ଏବଂ ଦର୍ଶନ, ଆକାଙ୍‌କ୍ଷା ଏବଂ ଆଦର୍ଶ, ଜୀବନ ଏବଂ ସାହିତ୍ୟ ଆମ ମାତୃଭାଷାରେ ଅଭିବ୍ୟକ୍ତି ପାଇଥାଏ। ଭାଷାର ବହୁଳତା ଏବଂ ଉପଭାଷାଗୁଡ଼ିକର ଏକ ବିରାଟ ବିଭବ ସହିତ ଆମର ଏପରି କେତେକ ଅଞ୍ଚଳ ଅଛି ଯାହା ପ୍ରାଚୀନ ଜ୍ଞାନର ଭଣ୍ଡାର ଅଟେ ଏବଂ ଯାହା ମଧ୍ୟରୁ ଅଧିକାଂଶ ଆଜି ସଂକଟଗ୍ରସ୍ତ। ଏହା ମୁଖ୍ୟତଃ ଏକ ସଂସ୍ଥାଗତ ମାନସିକତା ହେତୁ ହୋଇଛି, ଯାହାକି ମାତୃଭାଷାକୁ ନୀଚଦୃଷ୍ଟିରେ ଦେଖିଥାଏ ଏବଂ ଶ୍ରେଷ୍ଠତାର ମିଥ୍ୟା ସଙ୍କେତ ଭାବେ ଇଂରାଜୀ ଭାଷା ଦକ୍ଷତାକୁ ବ୍ୟାଜ୍ ପରି ପିନ୍ଧିବାର ମୂଢ଼ତା କରେ। ମାତୃଭାଷା ପ୍ରତି ଅବମାନନା ସହିତ ସୀମାବଦ୍ଧ ଏହି ମନୋଭାବ ଆରମ୍ଭ ହୁଏ ଆମର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସହିତ, ଯେଉଁଠି ଇଂରାଜୀ ଜ୍ଞାନକୁ ଏକ ପବିତ୍ର ଗୁଣ ଭାବରେ ଆଖ୍ୟା ଦିଆଯାଇ ସମ୍ମାନିତ କରାଯାଏ। ମୁଁ ସର୍ବଦା ଏହି ମାନସିକତା ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରେ- ଏହା ଏକ ମାନସିକ ଦାସତ୍ୱର ପ୍ରତୀକ। ମହାତ୍ମା ଗାନ୍ଧୀ ଦୂରଦର୍ଶିତାର ସହ ଚେତାବନୀ ଦେଇ କହିଥିଲେ ଯେ, ‘‘ଯଦି ଇଂରାଜୀ ଶିକ୍ଷିତ ମାତୃଭାଷାକୁ ଉପେକ୍ଷା କରିବେ ଓ ଅଜ୍ଞ ରହିବେ, ଯେପରି ସେମାନେ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ତାହା ଜାରି ରଖିଛନ୍ତି, ତେବେ ଭାଷା-ଦୁର୍ଭିକ୍ଷ ଘଟିବ।’’

ଏକାଧିକ ଅଧ୍ୟୟନରୁ ଜଣାପଡିଛି ଯେ ଆତ୍ମସମ୍ମାନ ବଢ଼ାଇବା ସହ ସୃଜନଶୀଳତା ବୃଦ୍ଧି ଏବଂ ଜ୍ଞାନର ଉତ୍ତମ ଅବବୋଧ ପାଇଁ ଶିଶୁର ପ୍ରାରମ୍ଭିକ ବର୍ଷରେ ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଉଚିତ। ନେଲସନ ମଣ୍ଡେଲା ମଧ୍ୟ କହିଛନ୍ତି- “ଯଦି ତୁମେ ଜଣେ ବ୍ୟକ୍ତିଙ୍କ ସହ ସେ ବୁଝିପାରୁଥିବା ଭାଷାରେ କଥା ହୁଅ, ତାହା ତାଙ୍କ ମୁଣ୍ଡରେ ପଶେ। ଯଦି ତୁମେ ତାଙ୍କ ଭାଷାରେ କଥା ହୁଅ, ତାହା ତାଙ୍କ ହୃଦୟରେ ଭେଦିଯାଏ।”

‘ମାତୃଭାଷା’ ଶବ୍ଦର ଭାବରୁ ହିଁ ସୂଚନା ମିଳିଥାଏ ଯେ କେଉଁ ପ୍ରାଚୀନ ଯୁଗରୁ ଏହା ସହ ଜଣକର ନିଜସ୍ବ ପରିବେଶର ଘନିଷ୍ଠ ସମ୍ବନ୍ଧ ରହିଥାଏ। ୟୁନେସ୍କୋର ପୂର୍ବତନ ମହାନି​‌େ​‌ର୍ଦଶକ କୋଇଚିରୋ ମାତ୍‌ସୁରା ଏହି କଥାକୁ ଯଥାର୍ଥରେ ସଂକ୍ଷେପରେ କହିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଭାଷାରେ, ‘‘ଆମେ ଆମ ମାଆଠୁ ଶିଖୁଥିବା ଭାଷା ଆମର ଅନ୍ତର୍ନିହିତ ଚିନ୍ତାଧାରାର ମାତୃଭୂମି”। ତାଙ୍କ ମତରେ, ପ୍ରତ୍ୟେକ ଭାଷା ‘‘ପ୍ରତିଟି ଅପରିବର୍ତ୍ତନୀୟ ମାନବ ଜୀବନ ପରି ଖୁବ୍‌ ମୂଲ୍ୟବାନ ଏବଂ ଅସାଧାରଣ।’’

ଅଭିଭାବକ ଏବଂ ଶିକ୍ଷାବିତ୍‌ଗଣ ଶିକ୍ଷାର ମାଧ୍ୟମ ଇଂରାଜୀ ହେଲେ ହିଁ ଉତ୍ତମ ଶିକ୍ଷା ସମ୍ଭବ ବୋଲି ଯେଉଁ ବିଶ୍ବାସଟି ରଖିଛନ୍ତି, ସେଥିରୁ ସେମାନେ ନିବୃତ୍ତ ହେବା ଉଚିତ। ମୁଁ ଦୃଢ଼ ଭାବରେ ବିଶ୍ବାସ କରେ ଯେ ସେମାନଙ୍କ ଜୀବନ ଗଠନ ବର୍ଷଗୁଡ଼ିକର ପ୍ରାଥମିକ ପର୍ୟ୍ୟାୟରେ ପିଲାମାନଙ୍କର ବିଦ୍ୟାଳୟରେ ଶିକ୍ଷାଦାନ ଏବଂ ଶିକ୍ଷଣ କାର୍ୟ୍ୟକଳାପ ମାତୃଭାଷାରେ ହିଁ ହେବା ଉଚିତ। ଏହା ହେଉଛି ସେହି ସମୟ, ଯେତେବେଳେ ପିଲାମାନେ ସେମାନଙ୍କର ଭାଷା ଏବଂ ସଂସ୍କୃତିର ମୂଳକୁ ଆତ୍ମବିଶ୍ୱାସର ସହିତ ଶକ୍ତିଶାଳୀ କରିବା ଆବଶ୍ୟକ।

ମୁଁ ବିଶ୍ୱାସ କରେ ଯେ ଏହାପରେ ଅଭିଭାବକ ଏବଂ ଶିକ୍ଷକମାନେ କୌଣସି ଜାତୀୟ ତଥା ଅନ୍ତର୍ଜାତୀୟ ଭାଷା ଶିଖିବାରେ ସାହାଯ୍ୟ କରି ପିଲାମାନଙ୍କର ବିଶ୍ୱ ଦୃଷ୍ଟିକୋଣକୁ ବ୍ୟାପକ କରିବାକୁ ଚେଷ୍ଟା କରିବା ଉଚିତ। ଦୁନିଆର ଅନେକ ଅଞ୍ଚଳର ପିଲାଏ ଅତି କମରେ ଦୁଇଟି ଭାଷା ବ୍ୟବହାର କରି ଦୈନନ୍ଦିନ ଜୀବନର ସମସ୍ତ କାର୍ୟ୍ୟ ନିରବଚ୍ଛିନ୍ନ ଭାବରେ କରିପାରୁଛନ୍ତି। ଆମ ଦେଶର ଅନେକ ରାଜ୍ୟରେ ମଧ୍ୟ ଏହିପରି ବହୁଭାଷୀ ଏବଂ ବହୁ ସଂସ୍କୃତିର ପରିବେଶ ଲୋକଙ୍କ ଦୈନନ୍ଦିନ ଅଭିଜ୍ଞତାର ଏକ ଅଂଗ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ଭାଷାଭିତ୍ତିକ ଦକ୍ଷତାବୃଦ୍ଧି ପିଲାମାନଙ୍କଠାରେ ଉତ୍ତମ ଜ୍ଞାନଗତ ବିକାଶ ଆଣିଥାଏ। ଜଣେ ମାତୃଭାଷା ବ୍ୟତୀତ ଅନ୍ୟ ଭାଷାଗୁଡ଼ିକର ସଂସ୍ପର୍ଶରେ ଆସିବା ସାଂସ୍କୃତିକ ସେତୁ ନିର୍ମାଣରେ ସାହାଯ୍ୟ କରେ ଏବଂ ନୂତନ ଅନୁଭୂତିପୂର୍ଣ୍ଣ ଜଗତର ଝରକା ଖୋଲି ଦେଇଥାଏ।

ପ୍ରତ୍ୟେକ ଭାଷା ହେଉଛି ଦେଶୀ ଜ୍ଞାନର ଭଣ୍ଡାର, ଯାହା ସମୃଦ୍ଧ ସାହିତ୍ୟ ଓ ବୌଦ୍ଧିକ ଐତିହ୍ୟ, ଲୋକନୃତ୍ୟ, ପ୍ରବାଦ, କଥାନକ, ରୁଢ଼ି ଆଦିରେ ପରିପୂର୍ଣ୍ଣ। ଆଇସଲ୍ୟାଣ୍ଡର ପୂର୍ବତନ ରାଷ୍ଟ୍ରପତି ତଥା ଭାଷା ପାଇଁ ୟୁନେସ୍କୋର ସଦ୍‌ଭାବନା ରାଷ୍ଟ୍ରଦୂତ ଭିଗଡିସ୍ ଫିନବୋଗାଡୋତ୍ତିର୍‌ ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଯେ ‘‘ଭାଷାଗୁଡ଼ିକ ମାନବ ଜାତିର ବହୁ ମୂଲ୍ୟବାନ ଏବଂ ଏକାବେଳକେ ସର୍ବାଧିକ ଭଙ୍ଗୁର ସଂପଦ ଅଟେ।’’

୨୦୧୮ରେ ବ୍ୟାପକ ଆଲୋଚନା ହୋଇଥିବା ଭାଷା ସୁମାରି ଅନୁଯାୟୀ, ଭାରତରେ ୧୯,୫୦୦ ଭାଷା ବା ଉପଭାଷା ରହିଛି। ଆମ ଦେଶରେ ୧୦,୦୦୦ କିମ୍ବା ଏହାଠୁ ଅଧିକ ଲୋକ କହୁଥିବା ୧୨୧ଟି ଭାଷା ଅଛି। ୧୯୬ଟି ଭାରତୀୟ ଭାଷାକୁ ପୁନର୍ଜୀବିତ ଏବଂ ବିକଶିତ କରିବାର ଜରୁରୀ ଆବଶ୍ୟକତା ରହିଛି, ଯେଉଁଗୁଡ଼ିକ ‘ବିପଦପୂର୍ଣ୍ଣ’ ବର୍ଗରେ ଅଛନ୍ତି।

ମୁଁ ସର୍ବଦା ବିଶ୍ୱାସ କରି ଆସିଛି ଯେ ଶାସନର ବିଭିନ୍ନ ବିଭାଗରେ ଆମେ ଆମ ମାତୃଭାଷା ଉପରେ ଅଧିକ ନିର୍ଭରଶୀଳ ହେବା ଆବଶ୍ୟକ। ସାଧାରଣ ଲୋକେ ବୁଝୁଥିବା ଭାଷାରେ ଯୋଗାଯୋଗ ସ୍ଥାପନ କରିବା ଅର୍ଥ ଶାସନକୁ ସେମାନଙ୍କ ଦ୍ବାରଦେଶରେ ପହଞ୍ଚାଇବା। ଆଞ୍ଚଳିକ ଭାଷା/ରାଜ୍ୟଗୁଡିକର ସରକାରୀ ଭାଷାରେ ପରୀକ୍ଷା କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା ପ୍ରବର୍ତ୍ତିତ ପଦକ୍ଷେପଗୁଡ଼ିକୁ ମୁଁ ହୃଦୟରୁ ସ୍ୱାଗତ କରୁଛି। ରାଜ୍ୟସଭାରେ ଏହାର ସଦସ୍ୟମାନଙ୍କ ପାଇଁ ୨୨ଟି ଅନୁସୂଚିତ ଭାଷା ଭିତରୁ ଯେ କୌଣସି ଭାଷାରେ ପ୍ରକାଶ କରିବାର ବ୍ୟବସ୍ଥା କରାଯାଇଛି। ବହୁଭାଷିତା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ସୁପ୍ରିମକୋର୍ଟ ପ୍ରାରମ୍ଭିକ ପର୍ୟ୍ୟାୟରେ ୨୨ଟି ସରକାରୀ ଭାଷା ମଧ୍ୟରୁ ୬ଟିରେ ଏହାର ରାୟର ଅନୁବାଦ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସ୍ବତଃ ନ୍ୟାୟବିଚାରର ସାର୍ବଜନୀନ ଉପଲବ୍ଧତା ଆଡ଼କୁ ବାଟ ଫିଟାଇବ।

ମୁଁ ପୁଣି ଥରେ ଦୋହରାଇବାକୁ ଚାହେଁ ଯେ ପ୍ରତ୍ୟେକ ଭାଷା ମୂଲ୍ୟବୋଧ, ରୀତିନୀତି, ପ୍ରଥା, ପରମ୍ପରା, କାହାଣୀ, ଆଚରଣ ଏବଂ ଆଦର୍ଶର ଏକ ସାଂସ୍କୃତିକ ଭଣ୍ଡାର ଅଟେ। କୌଣସି ସଂସ୍କୃତି ସହିତ ସଂପୃକ୍ତ ହେବା ଏବଂ ପ୍ରକୃତ ଅର୍ଥରେ ତାକୁ ପ୍ରଶଂସା କରିବାକୁ ହେଲେ ତା’ର ଭାଷାକୁ ଜାଣିବାକୁ ପଡିବ। ଇତିହାସ ମାଧ୍ୟମରେ ଆମେ ଜାଣୁ ଯେ ଭାଷା ଏବଂ ସଂସ୍କୃତି ପ୍ରତ୍ୟେକ ପରସ୍ପରକୁ ସମୃଦ୍ଧ କରିବା ସହିତ ଏକ ସହଜୀବୀ ସମ୍ପର୍କରେ ବନ୍ଧା। ଅତଏବ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ଭାବରେ ଭାଷା କୌଣସି ସମାଜ କିମ୍ବା ଜନଜାତି ଗୋଷ୍ଠୀ ଆଡ଼କୁ ଦ୍ୱାର ଅଟେ। ଯାହା ଆମର ବହୁଭାଷୀ ଏବଂ ବହୁସାଂସ୍କୃତିକ ଜୀବନ୍ତ ସଭ୍ୟତାର ଶିରାପ୍ରଶିରାରେ ଗତି କରେ ଏବଂ ଆମର ବ୍ୟକ୍ତିଗତ, ଆଞ୍ଚଳିକ ଏବଂ ଜାତୀୟ ପରିଚିତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଆସନ୍ତୁ ଆମେ ସେହି ଭାଷା ଭଣ୍ଡାରକୁ ଆହୁରି ସମୃଦ୍ଧ ଏବଂ ପୁନର୍ଜୀବିତ କରିବା।

AmyBoips 27 July , 9 h 23 min. viagra malaysia KiaBoips 27 July , 13 h 34 min.

Leave A Reply