ସ୍ବପ୍ନର ଭାଷା – ମାତୃଭାଷା

- ପ୍ରତିଭା ରାୟ

0

“ଆମାର ଭାଇଏର ରକ୍ତେ ରାଙ୍ଗୋନୋ ହଛେ ଏକିଶ ଫେବୃଆରୀ’ ଆମିକି ତା’ଦେର୍‍ ଭୁଲିତେ ପାରି?” ଏ ହେଉଛି ବାଂଲାଦେଶର ପ୍ରାଣତନ୍ତ୍ରୀରେ ନିରତ ଝଙ୍କୃତ ହେଉଥିବା ପ୍ରୀତିର ମର୍ମଭେଦୀ ମହାସ୍ୱର। ଏହି ସଂଗୀତଟି ଭାରତରେ ରଚିତ ହୋଇଥିଲା ଓ ସ୍ୱର ସଂଯୋଜିତ ହୋଇଥିଲା ୧୯୫୨ ଏକୋଇଶ ଫେବୃଆରୀରେ। ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କର ଭାଷା ଜନନୀ ପାଇଁ ପ୍ରାଣବଳି ଦେବା ପରେ, ଏ ସଂଗୀତଟି ବାଂଲାଦେଶର ଘରେ ଘରେ ମହାମନ୍ତ୍ର ପରି ଅନୁରଣିତ ହେଲା। ପୂର୍ବ ପାକିସ୍ତାନର ବଙ୍ଗଳା ଭାଷାଭାଷୀ ଜନତା, ମାଇକେଲ୍‍ ମଧୁସୂଦନ ଦତ୍ତ, ବିଶ୍ୱକବି ରବୀନ୍ଦ୍ରନାଥ ଏବଂ କବି କାଜି ନଜରୁଲ୍‍ଙ୍କ ସାହିତ୍ୟକୁ ନେଇ ଚିର ଗର୍ବିତ ଏବଂ ଭାଷାପ୍ରୀତିରେ ଉଦ୍‍ବୁଦ୍ଧ ଥିବାବେଳେ ପାକିସ୍ତାନୀ ସରକାର ବଙ୍ଗଳା ଭାଷାକୁ ପୂର୍ବ ପାକିସ୍ତାନର ଷ୍ଟେଟ୍‍ ଲାଙ୍ଗୁଏଜ୍‍ ନକରି ଇଂରାଜୀକୁ ପ୍ରାଧାନ୍ୟ ଦେଲେ। ଏଥିରୁ ଜାତ ଅସନ୍ତୋଷ ହିଁ ଭାଷା ଆନ୍ଦୋଳନର ଭିତ୍ତିଭୂମି ହୋଇଥିଲା। କ୍ରମଶଃ ଉର୍ଦୁ ଭାଷାକୁ ଦେଶର ରାଜଭାଷା କରିବାର ପ୍ରସ୍ତାବରେ ବଙ୍ଗଳା ଭାଷାଭାଷୀ ପୂର୍ବ ପାକିସ୍ତାନର ଜନତା ପ୍ରାଣରେ କ୍ରାନ୍ତି ଧ୍ୱନିତ ହେଲା। ବଙ୍ଗଳା ଭାଷାକୁ ପୂର୍ବ ପାକିସ୍ତାନର ରାଜଭାଷା କରାଯିବା ପାଇଁ ଜନତା ପକ୍ଷରୁ ଦାବି ହେଲା। ଯେତେବେଳେ ସରକାର ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସେତେବେଳେ ଛାତ୍ର ଜନତା ମାର୍ଚ୍ଚ ୧୧, ୧୯୪୮ରେ ଭାଷା ଆନ୍ଦୋଳନର ପ୍ରଥମ ଆହ୍ୱାନ ଦେଇଥିଲେ। ଆନ୍ଦୋଳନକୁ ଜନତା ସମର୍ଥନ କଲେ। ଫେବୃଆରୀ ୨୧, ୧୯୫୨ରେ ଏହି ଆନ୍ଦୋଳନକୁ ନିର୍ମମ ଭାବେ ଦମନ କରିବାର ପ୍ରୟାସ ହେଲା। ଏହି ଭାଷା ଆନ୍ଦୋଳନ ହିଁ ଥିଲା ବଙ୍ଗଳାଦେଶର ମୁକ୍ତି ସ୍ୱପ୍ନର ମହାବୀଜ।

ପ୍ରଥମ ସହିଦ ଛାତ୍ର ବରଖତ୍‍ ଥିଲେ ମହାବୀଜ ମଧ୍ୟସ୍ଥ ମହାଭ୍ରୂଣ, ଯାହା ଶତ ଶତ ପ୍ରାଣରେ ମୁକ୍ତିବୀଜର ଅଙ୍କୁରୋଦ୍‍ଗମ କରିଥିଲା। ବାଂଲାଦେଶର ‘ସହିଦ ମିନାର’ ବରଖତ୍‍ ଏବଂ ଛାତ୍ରମାନଙ୍କର ରକ୍ତରେ ଗଢ଼ା ସ୍ମୃତିସ୍ତମ୍ଭ। ବାଂଲାଦେଶର ପ୍ରଖ୍ୟାତ ଭାଷାବିଜ୍ଞାନୀ ମୁନିର ଚୌଧୁରୀଙ୍କୁ ଥରେ କେହି ତାଙ୍କର ମାତୃଭାଷା କ’ଣ ବୋଲି ପ୍ରଶ୍ନ କରିଥିଲା। ସେ ଉତ୍ତର ଦେଇଥିଲେ – “ମୋର ମାତୃଭାଷା ହେଉଛି ବାଂଲା ଭାଷା। ‘ସମଗ୍ର’ ବାଂଲା ଭାଷା। ବିଚିତ୍ର ରୂପିଣୀ ବାଂଲା ଭାଷା। ମୋର ମାତୃଭାଷା ହେଉଛି ତିବ୍‌ବତର ଗୁହାଚାରୀ, ମନସା ଦର୍ପଚୂର୍ଣ୍ଣକାରୀ, ଆରାକାନର ରାଜସଭାର ମଣିମୟ ଅଳଙ୍କାର, ବରେନ୍ଦ୍ରଭୂମିର ବାଉଲର ଉଦାସ ଆହ୍ୱାନ। ମାଇକେଲ, ରବୀନ୍ଦ୍ରନାଥ, ନଜରୁଲ୍‍ ଇସଲାମ ହେଉଛନ୍ତି ମୋର ମାତୃଭାଷା।” ଉପରୋକ୍ତ ଉକ୍ତି ଜଣେ ବିଶିଷ୍ଟ ବାଂଲାଭାଷୀଙ୍କର ଭାଷାସ୍ୱାଭିମାନ ଓ ଜାତୀୟ ସ୍ୱାଭିମାନର ପରିଚୟ ଦିଏ। ବଙ୍ଗ ଭଙ୍ଗ ପରେ, ଭାରତ ବିଭାଜନ ପରେ, ପାକିସ୍ତାନରୁ ଅଲଗା ହୋଇ ସ୍ୱତନ୍ତ୍ର ହେବାପରେ ମଧ୍ୟ ବାଂଲା ଭାଷାକୁ ‘ସମଗ୍ର ବାଂଲା’ ଭାଷା ଭାବରେ ବିହିତ କରିଛନ୍ତି ମୁନିର ଚୌଧୁରୀ। ପୁଣି ପୂର୍ବବଙ୍ଗୀ, ପଶ୍ଚିମବଙ୍ଗୀ, ବାଂଲାଦେଶୀ ଏବଂ ଭାରତୀୟ ଇତ୍ୟାଦି ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବରେ ରହି ସେ ସଗର୍ବ କହିଛନ୍ତି- ମାଇକେଲ ମଧୁସୂଦନ, ବିଶ୍ୱକବି ରବୀନ୍ଦ୍ରନାଥ, କାଜି ନଜରୁଲ ଇସଲାମ ହେଉଛନ୍ତି ମୋର ମାତୃଭାଷା। ଆମର ମାତୃଭାଷା ‘ସମଗ୍ର ଓଡ଼ିଆ ଭାଷା’ ବୋଲି ଏକ ଉଦାର ଭାଷାଭାବନା ଓଡ଼ିଆଙ୍କର କେତେଦୂର ଅଛି ତାହା ଆତ୍ମସମୀକ୍ଷା ସାପେକ୍ଷ। ପୂର୍ବବଙ୍ଗ ଓ ପଶ୍ଚିମବଙ୍ଗର ଭାଷାରେ ବେଶ୍‍ କିଛି ପାର୍ଥକ୍ୟ ଥିଲେ ମଧ୍ୟ ଶ୍ରୀ ଚୌଧୁରୀ କହିଛନ୍ତି ମୋର ମାତୃଭାଷା ହେଉଛି ‘ସମଗ୍ର ବାଂଲା ଭାଷା’। ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଭାଷାରେ ଯଥେଷ୍ଟ ପାର୍ଥକ୍ୟ ଥିଲେ ମଧ୍ୟ ଆମେ ଗର୍ବର ସହ କହିବା ଉଚିତ୍‍ ଯେ, ମୋର ମାତୃଭାଷା ହେଉଛି ‘ସମଗ୍ର ଓଡ଼ିଆ ଭାଷା’?

ପ୍ରମଥନାଥ ଚୌଧୁରୀ ବାଂଲା ଭାଷାର ସଂଜ୍ଞା ଦେବାକୁ ଯାଇ କହିଥିଲେ- “ଯେଉଁ ଭାଷା ଆମେ ସମସ୍ତେ (ବଙ୍ଗାଳୀମାନେ) ଜାଣୁ, ଶୁଣୁ, ବୁଝୁ ଏବଂ ଯେଉଁ ଭାଷାରେ ଆମେ ଭାବନା, ଚିନ୍ତା, ସୁଖ, ଦୁଃଖ ବିନା ଆୟାସରେ ଏବଂ ଅକ୍ଳେଶରେ ବହୁକାଳରୁ ପ୍ରକାଶ କରିଆସୁଛୁ, ସମ୍ଭବତଃ ଆହୁରି ଅନେକ କାଳ ପର୍ୟ୍ୟନ୍ତ ପ୍ରକାଶ କରିବୁ ସେଇ ଭାଷା ହେଉଛି ବାଂଲା ଭାଷା।” ଯେଉଁ ଦୃଢ଼ତାର ସହ ଶ୍ରୀ ଚୌଧୁରୀ କହିଥିଲେ- “ଯେଉଁ ଭାଷା ଆମେ ସମସ୍ତେ ଜାଣୁ, ବୁଝୁ, ଶୁଣୁ…” ଆଜି ମଧ୍ୟ ବାଂଲାଦେଶରେ ସେଇ ପରିସ୍ଥିତି ଅଛି। ମାତ୍ର ଓଡ଼ିଶାରେ ଏପରି ଉକ୍ତି ଦୃଢ଼ତାର ସହ କହିବାର ପରିସ୍ଥିତି ଆଜି ନାହିଁ, ଏହା ସମସ୍ତଙ୍କୁ ଅବଗତ ଅଛି। ବଙ୍ଗାଳୀ ଜନସଂଖ୍ୟା ଓ ବାଂଲାଭାଷୀଙ୍କ ସଂଖ୍ୟା ସମାନ ଏହା ପ୍ରାୟ ସତ୍ୟ। ଠିକ୍‍ ସେହିପରି ଆମେ କହିପାରିବା କି ସାରା ବିଶ୍ୱରେ ଥିବା ଓଡ଼ିଆ ଜନସଂଖ୍ୟା ଓ ଓଡ଼ିଆଭାଷୀଙ୍କ ସଂଖ୍ୟା ସମାନ? ଏହି ଲେଖିକା ମାତୃଭାଷାରେ ସ୍ୱପ୍ନ ଦେଖେ। ‘ତୁମେ କିପରି ଲେଖ’ ପ୍ରଶ୍ନର ଉତ୍ତରରେ ଏହି ଲେଖିକା କହିଆସିଛି “ମୁଁ ମାତୃଭାଷାରେ ସ୍ୱପ୍ନ ଦେଖେ ଏବଂ ସେହି ସ୍ୱପ୍ନକୁ ସାହିତ୍ୟରେ ରୂପାୟିତ କରେ। ତେଣୁ ଯେଉଁ ଭାଷାରେ ଜଣେ ସ୍ୱପ୍ନ ଦେଖେ, ତାହା ହିଁ ତା’ର ମାତୃଭାଷା।” ମାତୃଭାଷା ହେଉଛି ବ୍ୟକ୍ତିତ୍ୱର ଭିତ୍ତିଭୂମି। ମାତୃଭାଷା ମାଧ୍ୟମରେ ହିଁ ମଣିଷର ସୃଜନଶୀଳତା, ଚିନ୍ତାଶକ୍ତି, ବୌଦ୍ଧିକ ଜ୍ଞାନର ବିକାଶ ଓ ପ୍ରକାଶ ପୂର୍ଣ୍ଣରୂପେ ହୋଇପାରେ ବୋଲି ସମାଜବିଜ୍ଞାନୀ, ଶିକ୍ଷାଶାସ୍ତ୍ରଜ୍ଞ, ମନୋବିଜ୍ଞାନୀମାନଙ୍କର ମତ।

ଭାଷାଗତ ପରାଧୀନତା ମଣିଷର ମୌଳିକ ଚିନ୍ତାକୁ ବାଧାପ୍ରାପ୍ତ କରେ ଏବଂ ଏହା ଫଳରେ ଜାତୀୟ ବ୍ୟକ୍ତିତ୍ୱ କେବଳ ଖର୍ବ ହୁଏ ନାହିଁ, ବିକଳାଙ୍ଗ ମଧ୍ୟ ହୁଏ। ବଙ୍ଗାଳୀ ଜାତିର ପରିଚୟର ବୈଶିଷ୍ଟ୍ୟପୂର୍ଣ୍ଣ ଉପାଦାନଟି ଏହି ଯେ ପ୍ରତ୍ୟେକ ବଙ୍ଗାଳୀ କଥାରେ, କର୍ମରେ, କର୍ତ୍ତବ୍ୟରେ ନିଜକୁ ବଙ୍ଗାଳୀ ବୋଲି ପ୍ରମାଣ କରିବାରେ ଗର୍ବ ଅନୁଭବ କରନ୍ତି। ବଙ୍ଗାଳୀ ଜାତିର ଅନ୍ୟାନ୍ୟ ଆବେଗଠାରୁ ଭାଷାଗତ ଆବେଗ ବହୁ ଗୁଣରେ ତୀବ୍ର ହୋଇଥିବାରୁ ବଙ୍ଗଳା ଭାଷା ଆଜି ସଂପ୍ରସାରିତ ହୋଇପାରିଛି। ଓଡ଼ିଆ ଭାଷା ମଧ୍ୟ ଦିନେ ଏହିପରି ଏକ ସଂକଟର ସମ୍ମୁଖୀନ ହୋଇଥିଲା ଏବଂ ବହୁ ସ୍ୱାଭିମାନୀ ଓଡ଼ିଆଙ୍କ ପ୍ରାଣରେ ଜାତୀୟ ଆବେଗ ସୃଷ୍ଟି କରିଥିଲା। ତା’ରି ଫଳରେ ଓଡ଼ିଆ ଭାଷା ତା’ର ପ୍ରାଚୀନତା ଓ ମୌଳିକତାର ଗୌରବରେ ନିଜେ ଗୌରବାନ୍ୱିତ ହେଲା। ଦେଶବତ୍ସଳ ଫକୀରମୋହନ, କର୍ମବୀର ଗୌରୀଶଙ୍କର ଦିନେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

ଓଡ଼ିଶାର ଏହି ଭାଷା ସୁରକ୍ଷା ଆନ୍ଦୋଳନ ସହ ସାମିଲ ହୋଇଥିଲେ ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଏବଂ ଆହୁରି ଅନେକ ଜାତିପ୍ରାଣ ଓଡ଼ିଆ। ଏହି ଭାଷା ଆନ୍ଦୋଳନରୁ ଜନ୍ମ ନେଇଥିଲା ଭାରତବର୍ଷର ‘ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶା’। ଚାରୋଟି ପ୍ରଦେଶରେ ବିଭାଜିତ ଓ ବିଖଣ୍ଡିତ ହୋଇ ରହିଥିବା ଓଡ଼ିଆ ଭାଷାଭାଷୀ ଜନସମାଜକୁ ମାତୃଭାଷାର ସୂତ୍ରରେ ଏକତ୍ର କରି ୧୯୩୬ ମସିହା ୧ ଏପ୍ରିଲରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସୃଷ୍ଟି ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏ ଦିଗରେ ଓଡ଼ିଆପ୍ରାଣ ଜନ୍‍ ବିମ୍‍ସ ସାହେବ ଓ ଟି. ଇ. ରେଭେନ୍ସା ସାହେବଙ୍କ ଭୂମିକା ଅବିସ୍ମରଣୀୟ ଥିଲା ଏବଂ ଏହି ଦୁଇ ମନୀଷୀ ସ୍ୱାଭିମାନୀ ଓଡ଼ିଆଙ୍କ ମନରେ ଚିରଦିନ ଅବିସ୍ମରଣୀୟ ହୋଇ ରହିବେ। ଉତ୍କଳ ଗୌରବ ମଧୁସୂଦନ ଭାରତର ତତ୍କାଳୀନ ବଡ଼ଲାଟ୍‍ ଲର୍ଡ ଏଲଗିନଙ୍କ ନିକଟକୁ ଯେଉଁ ପ୍ରତିବାଦ ପତ୍ର ଲେଖିଥିଲେ ସେଥିରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ଥିଲା ଅତ୍ୟନ୍ତ ନିର୍ଭୟ ଏବଂ ଦୃଢ଼। ୨୦.୬.୧୮୯୫ରେ ଇଂରାଜୀରେ ସେ ଲେଖିଥିଲେ ଏକ ପତ୍ର, ଯାହାର ମର୍ମ ହେଉଛି “ମାତୃଭାଷାକୁ ନିଷିଦ୍ଧ କରିବା ହେଉଛି ସବୁଠାରୁ କୁତ୍ସିତ ଧରଣର କଣ୍ଠରୋଧର ବ୍ୟବସ୍ଥା, ଯାହାକି ସବୁଠାରୁ ଅତ୍ୟାଚାରୀ ଶାସନରେ ମଧ୍ୟ ଦେଖାଯାଏ ନାହିଁ।” ଆମ ଓଡ଼ିଶା ୮୪ବର୍ଷର ଓଡ଼ିଶା ନୁହେଁ ୫୦୦୦ ବର୍ଷର ଓଡ଼ିଶା। ବେଦ ଓ ପୁରାଣରେ କଳିଙ୍ଗର ଉଲ୍ଲେଖ ଅଛି। ମହାଭାରତ ଯୁଦ୍ଧରେ କଳିଙ୍ଗ ଯୋଦ୍ଧା ମଧ୍ୟ ଯୋଗଦେଇଥିଲେ।

ଏକ ଅଖଣ୍ଡ ଉତ୍କଳର ସ୍ୱପ୍ନ ଦେଖିଥିଲେ ମଧୁସୂଦନ, ଗୋପବନ୍ଧୁ, ଗୌରୀଶଙ୍କର, ଫକୀରମୋହନ ପ୍ରମୁଖ ; କିନ୍ତୁ ସଂପୂର୍ଣ୍ଣ ଅଖଣ୍ଡ ଉତ୍କଳ ଆମେ ପାଇନଥିଲେ ମଧ୍ୟ ଭାଷାସ୍ୱାଭିମାନ ଯୋଗୁଁ ଓଡ଼ିଶାକୁ ଏକ ରାଜନୈତିକ ମାନଚିତ୍ର ମିଳିଥିଲା। ତେଣୁ ଏହି ଏପ୍ରିଲ୍‍ ମାସ ୧ତାରିଖକୁ ସମଗ୍ର ଓଡ଼ିଶା ‘ମାତୃଭାଷା ଦିବସ’ ରୂପେ ପାଳନ କରିବା ଯଥାର୍ଥ ହୋଇଥାନ୍ତା। ୨୧ ଫେବୃୟାରୀକୁ ‘ବିଶ୍ୱ ମାତୃଭାଷା ଦିବସ’ ପାଳନ କରିବା ପରି ଆଜି ମଧ୍ୟ ଏପ୍ରିଲ୍‍ ୧କୁ ସମଗ୍ର ଓଡ଼ିଶା ‘ମାତୃଭାଷା ଦିବସ’ ରୂପେ ପାଳନ କରିବାର ଯଥାର୍ଥତା ରହିଛି। ଏ ଦିଗରେ ଗଣମାନସ ଓ ସରକାରଙ୍କ ବିଚାର ପ୍ରାର୍ଥନୀୟ। ଗାନ୍ଧିଜୀ କହିଥିଲେ “ମାତୃଭାଷାରେ ପ୍ରାଥମିକ ଶିକ୍ଷା ନ ଦେବା ହେଉଛି ଶିଶୁକୁ ମାତୃସ୍ତନ୍ୟରୁ ବଞ୍ଚିତ କରିବା ସହ ସମାନ। ଫଳତଃ ଶିଶୁର ଦୁର୍ବଳ ବ୍ୟକ୍ତିତ୍ୱ ହିଁ ସୃଷ୍ଟି ହୁଏ।”

ଶିକ୍ଷାବିତ୍‍ ଗୋପବନ୍ଧୁ ୧୯୧୦ ମସିହାରେ ଆହୁରି କଠୋର ଭାଷାରେ କହିଥିଲେ- “ମାତୃଭାଷାରେ ପ୍ରାଥମିକ ଶିକ୍ଷା ନ ଦେବା ଶିଶୁହତ୍ୟା ସହ ସମାନ କାରଣ ମାତୃଭାଷା ମାଧ୍ୟମରେ ହିଁ ଶିଶୁର ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ହୋଇପାରେ। ଅନ୍ୟ ଭାଷା ମାଧ୍ୟମରେ ପ୍ରାଥମିକ ଶିକ୍ଷାଦାନ କଲେ ଭାଷାଟିକୁ ଆୟତ୍ତ କରୁ କରୁ ପ୍ରତିଭା ବିକାଶର ଲକ୍ଷ୍ୟଟି ହଜି ଯାଇଥାଏ।” ବିଶ୍ୱକବି ରବୀନ୍ଦ୍ରନାଥ ମଧ୍ୟ ଠିକ୍‍ ଏହି କଥା କହିଥିଲେ। ମାତୃଭାଷା ପାଇଁ ଆବେଗ ଯେତେବେଳେ ଜାତୀୟ ଆବେଗରେ ପରିଣତ ହୁଏ ସେତେବେଳେ ଗୋଟିଏ ଭାଷାର ସଂପ୍ରସାରଣ ଓ ସମୃଦ୍ଧି ସମ୍ଭବ ହୁଏ। ମାତ୍ର ସର୍ବସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ଦିଗରେ ଆମ ଓଡ଼ିଆମାନଙ୍କର ଯେଉଁ କୁଣ୍ଠା ଏବଂ ନିଷ୍କ୍ରିୟତା ଆଜି ପରିଲକ୍ଷିତ ହେଉଛି ସେଥିରୁ କ’ଣ ଧରିନେବାକୁ ହେବ ଯେ ଓଡ଼ିଆର ଜାତୀୟ ଆବେଗ କ୍ଷୀଣସ୍ରୋତା ହୋଇଛି ? କେବଳ କେତେଜଣ ଲେଖକ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କଲେ ଗୋଟିଏ ଭାଷା ଚିରାୟିତ ହୁଏ ନାହିଁ। ସେହି ସାହିତ୍ୟର ପଠନ, ଅନୁଶୀଳନ, ଚର୍ଚ୍ଚା ଏବଂ ସାହିତ୍ୟରୁ ଭାଷା ଆହରଣ କରି ଦୈନନ୍ଦିନ ଜୀବନରେ ଭାବବିନିମୟ ପାଇଁ ମାତୃଭାଷାର ପ୍ରୟୋଗ କଲେ ହିଁ ଗୋଟିଏ ଭାଷା ଚିରାୟତ ହୁଏ। ଗୋଟିଏ ଭାଷା ହଜାର ହଜାର ବର୍ଷର ମାନସମନ୍ଥନରୁ ଜନ୍ମଲାଭ କରିଥାଏ। ମାତ୍ର ବ୍ୟବହାର ଅଭାବରୁ ଗୋଟିଏ ପିଢ଼ିରେ ହିଁ ଭାଷାଟି ମରିଯାଏ। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ; ପ୍ରଶାସନ କ୍ଷେତ୍ର ସହ ବ୍ୟାବହାରିକ ଜୀବନର ସର୍ବକ୍ଷେତ୍ରରେ ଆମେ ସବୁ ଆମର ମାତୃଭାଷା ଓଡ଼ିଆ ଭାଷାକୁ ପ୍ରୟୋଗ କରିବା ପାଇଁ ଐକାନ୍ତିକ ଭାବେ ସଚେଷ୍ଟ ହେବାକୁ ପଡ଼ିବ। ଏହି ପ୍ରଚେଷ୍ଟାକୁ ସର୍ବକାଳରେ ଅବ୍ୟାହତ ରଖିବାକୁ ହେବ।

ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ୧୯୫୬ ମସିହାରେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ ଘୋଷଣା କରିଥିଲେ। ପରବର୍ତ୍ତୀ କାଳରେ ୧୯୮୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କରାଯିବ ବୋଲି ଆଇନ ପ୍ରଣୟନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ କାର୍ୟ୍ୟରେ ବ୍ୟବହାର କରିବାକୁ ନିୟମ ପ୍ରଣୟନ କରିଛନ୍ତି। ମାତ୍ର ଏ ପର୍ୟ୍ୟନ୍ତ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ସବୁ କ୍ଷେତ୍ରରେ ବ୍ୟବହାର କରାଯାଉ ନାହିଁ। ଓଡ଼ିଶାର ଦୋକାନବଜାର ଓ ସରକାରୀ ବେସରକାରୀ ଅଫିସ୍‍ମାନଙ୍କ ନାମଫଳକରେ ଓଡ଼ିଆ ଅକ୍ଷରଟିଏ ଦେଖିବା ପାଇଁ ମିଳେ ନାହିଁ।

ଦୁଃଖର କଥା ଯେ ମାତୃଭାଷା ପ୍ରତି ଅନୁରକ୍ତି ଓ ଶ୍ରଦ୍ଧା ଥିବା ଓଡ଼ିଆଙ୍କ ଘର ସାମ୍ନାରେ ମଧ୍ୟ ନିଜ ନାମଫଳକରେ ଓଡ଼ିଆ ଲିପିର ବ୍ୟବହାର କରାଯାଏ ନାହିଁ। ବିବାହ ନିମନ୍ତ୍ରଣପତ୍ର ଓଡ଼ିଆରେ ଲେଖାଯାଏ ନାହିଁ। ଓଡ଼ିଶାରେ ଦୋକାନ ବଜାରରେ କାଁ ଭାଁ ଓଡ଼ିଆ ଭାଷାରେ ଲେଖାଥିବା ନାମଫଳକରେ ବର୍ଣ୍ଣାଶୁଦ୍ଧି ଆଖିରେ ପଡ଼ିଲେ ଆହୁରି ଦୁଃଖଦାୟକ ହୋଇଥାଏ। ସରକାରୀ ପ୍ରଚେଷ୍ଟା, ବ୍ୟକ୍ତିଗତ ଉଦ୍ୟମ ସହ ସଂଘବଦ୍ଧ ଉଦ୍ୟମ ଦ୍ୱାରା ହିଁ ଓଡ଼ିଶାରେ ଅନ୍ତତଃ ଓଡ଼ିଆ ଅକ୍ଷରରେ ନାମଫଳକ ପ୍ରଚଳନ ସମ୍ଭବ ହୋଇପାରିଲେ ଓଡ଼ିଶା ତା’ର ନାମଫଳକଟିଏ ଶ୍ରୀଅଙ୍ଗରେ ଝୁଲାଇ ପାରନ୍ତା। ବିଦେଶୀଟିଏ ଓଡ଼ିଶାରେ ପଦାର୍ପଣ କରିବା ମାତ୍ରେ ଓଡ଼ିଶା ମାଟିକୁ ଅନ୍ତତଃ ଓଡ଼ିଆ ଲିପିରୁ ଚିହ୍ନିପାରନ୍ତା। ନୂତନ ଶତାବ୍ଦୀର ପରିବର୍ତ୍ତିତ ଆହ୍ୱାନକୁ ମୁକାବିଲା କରି ବିଶ୍ୱ ଦରବାରରେ ନିଜର ସ୍ଥିତି ବଜାୟ ରଖିବାକୁ ହେଲେ ଭାଷାକୁ ହିଁ ଶକ୍ତିଶାଳୀ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ହେବ, ଏହା ହିଁ ଆମର ମାତୃଭାଷାଭିମାନର ପ୍ରମାଣ ହେବ ଏବଂ ବିଶ୍ୱଦରବାରରେ ଜଣେ ଓଡ଼ିଆ ତା’ର ପରିଚିତିକୁ ନେଇ ସଂକଟର ସମ୍ମୁଖୀନ ହେବ ନାହିଁ।

Lost your password. viagra pill Email address.

Leave A Reply