ପ୍ରତିରକ୍ଷା ବ୍ୟବସ୍ଥା ଓ ବଜେଟ

- ଶରତ ମହାପାତ୍ର

୨୦୨୦-୨୦୨୧ ଆର୍ଥିକ ବର୍ଷର ଗଣିତକୁ ବିଗାଡ଼ି ଦେଇଛି କରୋନା ମହାମାରୀ। ଦେଶ କେତେ ମାତ୍ରାରେ ପ୍ରଭାବିତ ହୋଇଛି ତଥା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବାପାଇଁ ଭାରତର ରଣନୀତି କ’ଣ ରହିବା ଦରକାର ତାହାକୁ ନେଇ ୨୦୨୧ ଜାନୁଆରୀ ୨୯ରେ ୨୦୨୦-୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇଥିଲା। ଚୀନ୍ ସହ ବିବାଦ କାରଣରୁ ଲଦାଖ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଥାଇ ଉତ୍ତେଜନା ଦେଖା ଦେଇଥିଲାବେଳେ ଏଭଳି ଏକ ଅସାଧାରଣ ପରିସ୍ଥିତିରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ବିଗତ ଦିନରେ ଆଗତ ହୋଇଯାଇଥିବା ବଜେଟ ଗୁଡ଼ିକଠାରୁ ଏହା ଅନନ୍ୟ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ। କରୋନା ମହାମାରୀରେ ଦେଶରେ ଆର୍ଥିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ୨୦୨୧ ଫେବୃଆରୀ ୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଛି ସାଧାରଣ ବଜେଟ।

କେନ୍ଦ୍ର ବଜେଟରେ ସରକାର ପ୍ରତିରକ୍ଷା କ୍ଷେତ୍ର ନିମନ୍ତେ ୪୭୮୧୯୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପୂର୍ବ ବର୍ଷରେ ପ୍ରତିରକ୍ଷା ପାଇଁ ୪୭୧୩୭୮ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। ଏହା ପୂର୍ବ ବର୍ଷଠାରୁ ସାମଗ୍ରିକ ଭାବେ ମାତ୍ର ୧.୪ ପ୍ରତିଶତ ବୃଦ୍ଧି ଘଟିଥିଲେ ମଧ୍ୟ ଏହି ପରିମାଣ ନଗଣ୍ୟ। ଚୀନ୍ ଓ ପାକିସ୍ତାନ ସୀମାରେ ଦୀର୍ଘକାଳ ଧରି ଲାଗିରହିଥିବା ବିବାଦ ପରିପ୍ରେକ୍ଷୀରେ ପ୍ରତିରକ୍ଷା କ୍ଷେତ୍ର ବେଶ୍ ଗୁୁରୁତ୍ବ ବହନ କରେ। ସେନାରେ ଅସ୍ତ୍ରଶସ୍ତ୍ର କ୍ରୟ ଓ ଆଧୁନିକୀକରଣ ଉପରେ ବ୍ୟୟଭାର ଅଧିକ ହେବା ସୁନିଶ୍ଚିତ। ସେନାର ଶକ୍ତି ବୃଦ୍ଧି ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିଲାବେଳେ ଏଭଳି ବ୍ୟୟବରାଦ ନିଶ୍ଚିତ ଚିନ୍ତାଜନକ।

ପ୍ରତିରକ୍ଷା-କ୍ଷେତ୍ର ବ୍ୟୟ ବରାଦରେ ରେଭିନ୍ୟୁ, କ୍ୟାପିଟାଲ ଓ ପେନସନ ମୁଖ୍ୟ। ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ଆହରଣ ପାଇଁ ଉଦ୍ଦିଷ୍ଟ କ୍ୟାପିଟାଲ ବ୍ୟୟଭାର ବୃଦ୍ଧି ଘଟିଛି ଯାହାକି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଗତବର୍ଷ ବଜେଟରେ କ୍ୟାପିଟାଲ ବ୍ୟୟ ବାବଦରେ ୧.୧୩ ଲକ୍ଷ କୋଟି ଟଙ୍କା ରଖାଯାଇଥିଲାବେଳେ ୨୦୨୧-୨୨ ବଜେଟରେ ଏହି ପରିମାଣ ୧.୩୫ ଲକ୍ଷ କୋଟି ଟଙ୍କା ରହିଛି। ତେଣୁ କ୍ୟାପିଟାଲ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ୧୯ ପ୍ରତିଶତ ବୃଦ୍ଧି ପାଇଛି। କ୍ୟାପିଟାଲ ବ୍ୟୟ ବାବଦରେ ଏହି ପରିମାଣ ବିଗତ ୧୫ ବର୍ଷ ଭିତରେ ସବୁଠାରୁ ଅଧିକ। ଏଲ.ଏ.ସିରେ ଚୀନ୍ ସହ ବିବାଦ କାରଣରୁ ସେଠାକୁ ଅଧିକ ସୈନ୍ୟବଳ, ଯୁଦ୍ଧାସ୍ତ୍ର, ଯୁଦ୍ଧସରଞ୍ଜାମ ପ୍ରେରଣ କରାଯିବା ସହ ଆମେରିକାରୁ ଅତି ଶୀତକାଳୀନ ବସ୍ତ୍ର, ରୁଷିଆରୁ ଗୁଳିଗୋଳା, ଫ୍ରାନ୍ସରୁ ମିଜାଇଲସ୍, ଇସ୍ରାଏଲରୁ ଯୁଦ୍ଧାସ୍ତ୍ର ଆହରଣ କରାଯାଇ ଥିବାରୁ ବଜେଟ ବାଦ ଅତିରିକ୍ତ ଭାବେ ୨୦୭୬୬ (କୋଡ଼ିଏ ହଜାର ସାତଶହ ଛଅଷଠି) କୋଟି ଟଙ୍କା ମୂଲ୍ୟର ଜରୁରୀ କାଳୀନ କ୍ରୟ ବ୍ୟବସ୍ଥା କରାଯାଇଥିଲା। ଯୁଦ୍ଧକାଳୀନ ଭିିତ୍ତିରେ ଯୁଦ୍ଧାସ୍ତ୍ର ଆହରଣ ଏବଂ ସୀମାନ୍ତରେ ରାସ୍ତା, ପୋତଲ, ବଙ୍କର, ଏଆରଫିଲ୍ଡ ଇତ୍ୟାଦି ଭିତ୍ତିଭୂମି ନିର୍ମାଣରେ ଅତିରିକ୍ତ ଅର୍ଥବ୍ୟୟ କରିବାକୁ ପଡ଼ିଛି। ପ୍ରତିରକ୍ଷା ପେନସନ୍ ବାବଦ ବ୍ୟୟ ପୂର୍ବବର୍ଷରେ ୧ ଲକ୍ଷ ୩୩ ହଜାର କୋଟି ଟଙ୍କା ଥିଲାବେଳେ ଏବେ ଏହାର ପରିମାଣ ୧ଲକ୍ଷ ୧୬ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏବେ ପ୍ରତିରକ୍ଷା ବିଭାଗର ପେନସନ୍ ଭୋଗୀଙ୍କ ସଂଖ୍ୟା ପ୍ରାୟ ୨୬ଲକ୍ଷ, ତେଣୁ ପ୍ରାୟ ୨୪.୨ ପ୍ରତିଶତ ଅର୍ଥ ପେନସନ୍ ବାବଦରେ ବ୍ୟୟ କରିବାକୁ ପଡ଼ୁଛି। ବିଗତ ବର୍ଷ ବକେୟା ପେନସନ୍ ପ୍ରଦାନ ପାଇଁ ୧୮ହଜାର କୋଟି ଟଙ୍କା ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିଥିଲା; ତେଣୁ ଚଳିତ ବଜେଟରେ ପେନସନ୍ ବାବଦରେ ୧୩.୪ ପ୍ରତିଶତ ହ୍ରାସ ଘଟିଛି। ପେନସନ୍ ବାବଦରେ ଖର୍ଚ୍ଚ କମ୍ କରିବାକୁ ସୈନିକଙ୍କ ସଂଖ୍ୟା ହ୍ରାସ, ସୈନିକଙ୍କ ଚାକିରୀ କାଳରେ ବୟସସୀମା ବୃଦ୍ଧି ଉପରେ ଆଲୋଚନା ଜାରି ରହିିଛି। ଏହାର ଫଳାଫଳ ଭବିଷ୍ୟତ ହିଁ ଦର୍ଶାଇବ।

ଭାରତର ସମ୍ବେଦନଶୀଳ ପ୍ରତିରକ୍ଷା ସୁରକ୍ଷା କଥା ବିଚାର କରାଗଲେ ଗୋଟିଏ ପଟେ ପାକିସ୍ତାନ ଭଳି ପାରମ୍ପରିକ ଶତ୍ରୁ ଏବଂ ଅନ୍ୟପଟେ ଚୀନ୍ ଭଳି ଅବିଶ୍ବସନୀୟ ପଡ଼ୋଶୀ ଆମ ଦେଶର ସାମରିକ ଶକ୍ତି ବୃଦ୍ଧି ପାଇଁ ସୃଷ୍ଟି କରିଛି ଆହ୍ବାନ। ଭାରତୀୟ ସେନାବାହିନୀକୁ ଅଧିକ ଶକ୍ତିଶାଳୀ କରିବାକୁ ବିଭିନ୍ନ କିସମର ମିଜାଇଲ ସିଷ୍ଟମ, ଟ୍ୟାଙ୍କ, ଆଟିଲାରୀ ଗନ୍, ରାଡ଼ାର, କମ୍ବାଟ ଏଆରକ୍ରାଫ୍ଟ, ଯୁଦ୍ଧ ଜାହାଜ, ସବ୍ମେରାଇନ୍ ଗୁଡ଼ିକ ଆବଶ୍ୟକ। ଚୀନ୍ ସହ ବିବାଦ ପରଠାରୁ ଭାରତୀୟ ସେନା ବାହିନୀର ବହୁସଂଖ୍ୟକ ସୈନ୍ୟ ଦୀର୍ଘ ୧୦ ମାସରୁ ଊର୍ଦ୍ଧ୍ବ ଏଲ.ଏ.ସିରେ ନିୟୋଜିତ ଅଛନ୍ତି।

ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ସରଞ୍ଜାମ ଆହରଣ ପାଇଁ ପ୍ରଚେଷ୍ଟା ଜାରି ରଖି ଇସ୍ରାଏଲ୍ଠାରୁ ୬ ହଜାର ଅତ୍ୟାଧୁନିକ ଲାଇଟ୍-ମେସିନ୍ଗନ୍ ଆହରଣ କରିଛନ୍ତି। ଏଥିସହ ଏସଲ୍ଟ ରାଇଫଲ୍ ଆହରଣ କରାଯିବ ଏବଂ ଲଙ୍ଗ୍ରେଞ୍ଜ ସରଫେସ୍-ଟୁ,- ଏଆରମିଜାଇଲସ୍- ‘ବାରାକ୍-୮’ କିଣାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍’ ସହ ଭାରତ ୫୬୮୭କୋଟି ଟଙ୍କାର ମିଜାଇଲ ଡିଫେନ୍ସ ସିଷ୍ଟମ ଆହରଣ ପାଇଁ ଚୁକ୍ତି କରିସାରିଛି।

ଭାରତ ରୁଷିଆଠାରୁ ୪୦ ହଜାର କୋଟି ଟଙ୍କା ବିନିମୟରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ୫ଟି ଆହରଣ କରିବାକୁ ଚୁକ୍ତି କରାଯାଇଥିଲା। ଆମେରିକାଠାରୁ ନୌସେନା ପାଇଁ ୬ଟି ଏଟାକ୍ ହେଲିକପ୍ଟର ଆହରଣ କରି ସାରିଥିବାର ଜଣାଯାଏ। ନୌସେନା ପାଇଁ ଏଆରକ୍ରାଫ୍ଟ କେରିଅର, ସବ୍ମେରାଇନ୍, ଡେଷ୍ଟ୍ରୟର ଗୁଡ଼ିକର ଯଥେଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟରେ ଯୋଗାଇ ଦେଇଥିବା ଅର୍ଥବ୍ୟବସ୍ଥା;ଏଗୁଡ଼ିକର ନିର୍ମାଣ ଓ ଆହରଣ ପାଇଁ ଆ‌େଦୗ ଯଥେଷ୍ଟ ନୁହେଁ। ଭାରତୀୟ ବାୟୁ ସେନାର ଲଢ଼ୁଆ ସ୍କ୍ବାର୍ଡନ କ୍ଷମତା ୪୨ ହେଉଥିଲାବେଳେ ଏବେ ମାତ୍ର ୩୦ସ୍କ୍ବାର୍ଡନ ଲଢ଼ୁଆବିମାନ ରହିଛି। ଷାଠିଏ ଦଶକରେ ସୋଭିଏତ୍ ରୁଷିଆରୁ ଅଣାଯାଇଥିବା ‘ମିଗ୍-୨୧’ ବିମାନ ଖୁବ୍ ପୁରୁଣା।

୨୦୨୫ ସୁଦ୍ଧା ‘ମିଗ୍-୨୧’ର ୬ଟି ସ୍କାର୍ଡନ ବାଦ ହୋଇଯିବ ଏବଂ ୨୦୩୦ ସୁଦ୍ଧା ୧୩ ସଂଖ୍ୟକ ସ୍କ୍ବାର୍ଡନ ହ୍ରାସ ପାଇବ। ଭାରତର ଦୁଇ ପଟେ ଥିବା ଶତ୍ରୁର ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଇ ଫ୍ରାନ୍ସରୁ ୩୬ ସଂଖ୍ୟକ (୨ ସ୍କ୍ବାର୍ଡନ) ରାଫେଲ ଯୁଦ୍ଧବିମାନ କିଣିବାକୁ ସରକାର ଚୁକ୍ତି କରି ସାରିଛନ୍ତି। ରାଫେଲ ଯୁଦ୍ଧ ବିମାନ ସାମିଲ ହେବାପରେ ମଧ୍ୟ ଲଢ଼ୁଆ ବିମାନର ଅଭାବକୁ ଦୃଷ୍ଟିରଖି ୫୦ହଜାର କୋଟି ଟଙ୍କା ବ୍ୟୟରେ ୮୩ ସଂଖ୍ୟକ ଲାଇଟ୍ କମ୍ବାଟ୍ ଏଆରକ୍ରାଫ୍ଟ- ‘ତେଜସ୍-୧-ଏ’ କ୍ରୟକୁ ପ୍ରତିରକ୍ଷା କ୍ୟାବିନେଟ କମିଟି ଅନୁମୋଦନ କରିଛି। ବିଦେଶୀ କମ୍ପାନୀ ମଧ୍ୟ ଭାରତର ଚାହିଦା ପୂରଣ କରିବାକୁ ଆଗ୍ରହ ପ୍ରକାଶ କରୁଥିବାର ଜଣାଯାଏ। ଯୁଦ୍ଧାସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳ ହେବାପାଇଁ ଗଠିତ ଡିଆରଡିଓ ସଂସ୍ଥା ଅଧୀନରେ ୫୨ଟି ଲାବୋ‌େରଟାରୀ ରହିଛି। ଏହା ବ୍ୟତୀତ ୩୯ ସଂଖ୍ୟକ ଅର୍ଡିନାନ୍ସ ଫାକ୍ଟରୀ, ୪ଟି ସିପ୍ୟାର୍ଡ, ୫ଟି ପିଏସୟୁ ରହିଛି। ଏଥିରେ ୨ଲକ୍ଷ କର୍ମଚାରୀ ନିୟୋଜିତ ଥାଇ, ଅମାପ ଅର୍ଥ ବ୍ୟୟ ହେଉଥିଲାବେଳେ ଅପାରଗତା, ଅଯୋଗ୍ୟତା ଏବଂ ଉତ୍ତର ଦାୟିତ୍ବ ନଥିବା କାରଣରୁ ଆମ ଦେଶ ଯୁଦ୍ଧାସ୍ତ୍ର ନିର୍ମାଣରେ ସ୍ବୟଂସଂପୂର୍ଣ୍ଣ ହୋଇ ପାରି ନଥିବାରୁ ଆମକୁ ବହୁ ବୈଦେଶିକ ଅର୍ଥ ବିନିମୟରେ ବିଦେଶରୁ ବାଧ୍ୟ ହୋଇ ଯୁଦ୍ଧାସ୍ତ୍ର ଆମଦାନୀ କରିବାକୁ ପଡ଼ୁଛି।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଅଧିକ ସୁଦୃଢ଼ କରିବାକୁ ଯାଇ ମୋଦୀ ସରକାର ନିକଟରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନି‌େବଶକୁ ୭୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ୨୦୨୦ ଫେବୃଆରୀ ୨ରେ ‘ତେଜସ୍’ର ଦ୍ବିତୀୟ ନିର୍ମାଣ ପ୍ଲାଣ୍ଟର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ‘ତେଜସ୍’ ବିଦେଶୀ ପ୍ରତିଦ୍ବନ୍ଦ୍ବୀ ଯୁଦ୍ଧ ବିମାନଠାରୁ ଉତ୍ତମ ଏବଂ ଅପେକ୍ଷାକୃତ ଶସ୍ତା ଥିବାରୁ ଅନେକ ଦେଶ ଏହାର କ୍ରୟ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହିଥିଲେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଆସନ୍ତା କିଛିବର୍ଷ ମଧ୍ୟରେ ସ୍ବାବଲମ୍ବୀ ହେବାର ଲକ୍ଷ୍ୟ ରହିଛି ବୋଲି ରାଜନାଥ ସିଂହ ଦୃଢ଼ତା ପ୍ରକାଶ କରିଛନ୍ତି।

ପଡ଼ୋଶୀ ଚୀନ୍ ଯୁଦ୍ଧାସ୍ତ୍ର ରପ୍ତାନି କ୍ଷେତ୍ରରେ ଆମେରିକା, ରୁଷିଆ ପରେ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଛି। ପାକିସ୍ତାନ, ମ୍ୟାଁମାର, ବାଂଲାଦେଶ ଓ ଆଫ୍ରିକାର ଅନେକ ଦେଶକୁ ଚୀନ୍ ଯୁଦ୍ଧାସ୍ତ୍ର ବିକ୍ରୟ କରୁଥିଲାବେଳେ ଆମ ଦେଶ ବିଦେଶରୁ ଯୁଦ୍ଧାସ୍ତ୍ର, ଆମଦାନୀ କରିବାରେ ପୃଥିବୀର ସବୁଠୁ ଆଗୁଆ ଦେଶ ଭାବେ ବିଦିତ। ‘ଡିଫେନ୍ସ ସ୍ପେସ୍ ଏଜେନ୍ସି’, ‘ଡିଫେନ୍ସ ସାଇବର ଏଜେନ୍ସି’, ‘ଆର୍ମଡ ଫୋର୍ସେସ ସ୍ପେସାଲ ଅପରେସନ ଡିଭିଜନ’ଗୁଡ଼ିକର ଗଠନ ଓ ଅଗ୍ରଗତି ଏହି ସ୍ବଳ୍ପ ଆର୍ଥିକ ଯୋଗାଣ କାରଣରୁ ବି‌େଶଷ ଅଗ୍ରଗତି କରିପାରି ନାହିଁ। ଭାରତ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବାକୁ ଲକ୍ଷ୍ୟ ରଖିଥିବା ମୋଦୀ ସରକାର ‘ଡିଫେନ୍ସ-ପବ୍ଲିକ-ଅଣ୍ଡରଟେକିଙ୍ଗ’ ଗୁଡ଼ିକୁ ଅଧିକ ଅର୍ଥ ଯୋଗାଇ ଦେବାର ଆବଶ୍ୟକତା ପରିଲକ୍ଷିତ ହୁଏ।

ନିକଟରେ ପ୍ରକାଶିତ ‘ଅକ୍ସଫାମ୍’ ରିପୋର୍ଟ ଅନୁସାରେ କରୋନା ପରବର୍ତ୍ତୀ ସମୟରେ ଆର୍ଥିକ ବୈଷମ୍ୟ ବୃଦ୍ଧି ପାଇଛି। ରାଷ୍ଟ୍ରୀୟ ଅର୍ଥନୀତିରେ ଅସ୍ଥିରତାକୁ ନିୟନ୍ତ୍ରଣ କରି ଭାରସାମ୍ୟ ରଖିବା ଉପରେ ସରକାର ଗୁରୁତ୍ବ ଦେଇଥିବା କେତେକ ଅର୍ଥନୀତି ବିଶାରଦ ମତ ଦେଇଛନ୍ତି। ବିପୁଳ ଜନାଦେଶ ସହିତ କ୍ରମାଗତ ଦ୍ବିତୀୟଥର ପାଇଁ କେନ୍ଦ୍ରରେ ଶାସନ କ୍ଷମତା ଲାଭ କରିଥିବା ମୋଦୀ ସରକାର ପାଇଁ ରହିଥିଲା ଅନେକ ଆହ୍ବାନ। ଇତିମଧ୍ୟରେ କରୋନା ମହାମାରୀ, ଲଦାଖ ସୀମାନ୍ତରେ ଭାରତ-ଚୀନ ସେନା ମୁହାଁମୁହିଁ ପରିସ୍ଥିତି ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିଛି ଏକ ବିଷମ, ଅସ୍ବାଭାବିକ ଅବସ୍ଥା। ସାଂପ୍ରତିକ ପରିସ୍ଥିତିରେ ବିକାଶ ଓ ବିତ୍ତୀୟ ପରିଚାଳନା ଏକ ବିଶାଳ ଆହ୍ବାନ, ଏଥିରେ ସନ୍ଦେହ ନାହିଁ।

Comments are closed.